Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଏସଆରଟିସି ଆଉ ୯ଟି ମାର୍ଗରେ ଆରମ୍ଭ କଲା ୧୩ ଟି ବସ୍ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନ

ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି ।

ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଏହାଦ୍ୱାରା ଓଡ଼ିଶା ତଥା ଆଭ୍ୟନ୍ତରଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ଏକ ସୁଲଭ ଏବଂ ଆରାମଦାୟକ ସେବା ପାଇପାରିବେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ଅବସସରେ କହିଛନ୍ତି ଯେ, “ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ ପରିବହନ ଭିତ୍ତିଭୂମି ବିକାଶ ସହିତ, ଆମର ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଉକୃଷ୍ଟ ସୁଯୋଗର ସଦୁପଯୋଗ କରିପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶିକ୍ଷା, କୃଷି, ଶିଳ୍ପ କ୍ଷେତ୍ରରେ ବିକାଶ କରିବା ଆମର ମୁଖ୍ୟ ଲକ୍ଷ୍ୟ ।”

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର, କୋଟପାଡ ଏବଂ ଖଣ୍ଡପଡ଼ା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଏବଂ ପରିବହନ କମିଶନ ଅମିତାଭ ଠାକୁରଙ୍କ ସହିଚ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ମାନ୍ଦ୍ରାଜ ଉତ୍କଳ ଆସୋସିଏସନ୍‌ ପକ୍ଷରୁ ଉତ୍କଳ ଦିବସ ସମାରୋହ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରଭାବୀ ଆର୍ଥିକ ଶକ୍ତିରେ ପରିଣତ କରିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଓଡ଼ିଆମାନେ ଏହି ବିକାଶ ଯାତ୍ରାରେ ସାମିଲ ହେବାକୁ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି। ଗତକାଲି ଚେନ୍ନାଇଠାରେ ମାନ୍ଦ୍ରାଜ ଉତ୍କଳ ଆସୋସିଏସନ୍‌ର ବାର୍ଷିକୋତ୍ସବ ତଥା ଉତ୍କଳ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଗୌରବମୟ ଇତିହାସ, ସାମୁଦି୍ରକ ବାଣିଜ୍ୟ, କଳା-ଭାସ୍କର୍ଯ୍ୟ, ବିପୁଳ ଖଣିଜ ସଂପଦ, ଦୀର୍ଘ ବେଳାଭୂମି ଓ ପର୍ଯ୍ୟଟନ ବିଭବ ପାଇଁ ଓଡ଼ିଶାର ଅର୍ଥନୀତି ଦୃଢ଼ ହୋଇପାରିବ। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶା ୧.୫ ଟ୍ରିଲିୟନ୍‌ ଡଲାର ଆର୍ଥିକ ଶକ୍ତି ଭାବରେ ଉଭା
ହେବ।

ରାଜା ଆନ୍ନାମଲାଇପୁରମ୍‌ସ୍ଥିତ ଇମେଜ୍‌ ଅଡ଼ିଟୋରିୟମ୍‌ରେ ଆୟୋଜିତ ଏହି ସମାବେଶରେ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଆତ୍ମପରିଚିତିର ସୁରକ୍ଷା ଏବଂ ପ୍ରସାର ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ଉଦ୍ୟମ ତଥା ଯନିର ଆବଶ୍ୟକତା ରହିଛି। ଶ୍ରୀ ଜେନା ଓଡ଼ିଶାରେ ନୂତନ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ସୂଚନା ଦେଇ ରାଜ୍ୟର ଖଣିଜ ସଂପଦ, ପରିବହନ, ଯୋଗାଯୋଗ ଓ ଶିଳ୍ପ କ୍ଷେତ୍ରରେ ସଂଘଟିତ ଉନ୍ନତି ସାଙ୍ଗକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରାୟୋଜିତ ବିଭିନ୍ନ କଲ୍ୟାଣକର କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ତାମିଲନାଡ଼ୁରେ ଥିବା ପ୍ରାୟ ୧୦ ଲକ୍ଷ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରୁଥିବା ଏହି ଆସୋସିଏସନ୍‌ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଆସୋସିଏସନ୍‌ର ସଭାପତି ପବିତ୍ର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନ୍ୟାସନାଲ୍‌ କମ୍ପାନୀ ଲ ଆପିଲେଟ୍‌ ଟ୍ରିବୁନାଲ୍‌ର ବୈଷୟିକ ସଦସ୍ୟ ଯତୀନ୍ଦ୍ରନାଥ ସ୍ୱାଇଁ, ଇଣ୍ଡିଆନ୍‌ ବ୍ୟାଙ୍କର ଏକ୍‌ଜୁ୍ୟଟିଭ୍‌ ଡାଇରେକଫର ଆଶୁତୋଷ ଚୌଧୁରୀ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିିଗମର ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖି ମାନ୍ଦ୍ରାଜ୍‌ସ୍ଥିତ ଓଡ଼ିଆମାନେ ସବୁବେଳେ ଆନ୍ତଃରାଜ୍ୟ ସାମାଜିକ-ସାଂସ୍କୃତିକ ଓ ବୌଦ୍ଧିକ ସଂପର୍କକୁ ଦୃଢ଼ କରିବାରେ ପ୍ରୟାସୀ ରହିବେ ବୋଲି ଆଶା ପ୍ରକଟ କରିଥିଲେ। ଆସୋସିଏସନ୍‌ର ସଂପାଦକ ପ୍ରଭାସ ପତି ମଧ୍ୟ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏକତା ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ପ୍ରଖାଳିକା ପି. ଷଡଙ୍ଗୀଙ୍କ ଭାରତ ନାଟ୍ୟମ୍‌ ଓ ମାନସୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ସମାରୋହରେ ଚେନ୍ନାଇସ୍ଥିତ ଶହ ଶହ ଓଡ଼ିଆ ଭାଇଭଉଣୀ ଉପସ୍ଥିତ ରହି ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Categories
ଆଜିର ଖବର

କେନ୍ଦ୍ର ସରକାର ଅଧିକ ଅର୍ଥ ଦେବାକୁ ଗୋଆ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ବୈଠକରେ ଦାବୀ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶାରେ ବନ୍ଦର ବିକାଶ, ମାଛଧରା ବନ୍ଦର ଓ ଜେଟିଗୁଡ଼ିକର ଉନ୍ନତି ସାଙ୍ଗକୁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ କେନ୍ଦ୍ରର ସହାୟତା ଓ ସହଯୋଗ କାମନା କରିଛନ୍ତି।

ଗୋଆଠାରେ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଅଧୀନସ୍ଥ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦର ବିଂଶତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାରେ ସାମୁଦି୍ରକ ଭିତ୍ତିଭୂମିର ବିକାଶ ଓ ବନ୍ଦରଗୁଡ଼ିକର ଉନ୍ନତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡ଼ିଶାରେ ଆଉ ଗୋଟିଏ ବଡ଼ ବନ୍ଦରର ଉନ୍ନତି ସାଙ୍ଗକୁ କ୍ରୁଇଜ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ‘ହରିତ୍‌ ନୌକା’ ମାର୍ଗଦର୍ଶିକା ଅନୁସାରେ ଚିଲିକାରେ ୨୦ ସିଟ୍‌ବିଶିଷ୍ଟ ସୌରଶକ୍ତି ଚାଳିତ ବୋଟ୍‌ର ଶୁଭାରମ୍ଭ, ରାଜ୍ୟରେ ଥିବା ୨୬୯୬ଟି ପଞ୍ଜିକୃତ ଡଙ୍ଗାକୁ ସୌର ବିଦ୍ୟୁତ ହାଇବ୍ରିଡ ବୋଟ୍‌ ଭାବରେ ପରିବର୍ତ୍ତିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ନୂତନ ମାଛଧରା ବନ୍ଦର ଓ ଜେଟି ନିର୍ମାଣ ନିମନ୍ତେ ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାର ୪୮୦ କିମି ବିସ୍ତୃତ ସମୁଦ୍ରତଟର ଉପଯୋଗ କ୍ରମେ ସାମୁଦ୍ରିକ କ୍ଷେତ୍ର ତଥା ଆଭ୍ୟନ୍ତରୀଣ ଜଳପଥର ସାମଗ୍ରିକ ଓ ସ୍ଥାୟୀ ବିକାଶ ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଦକ୍ଷ ମାନବସମ୍ବଳ ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ସାମୁଦି୍ରକ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ଦାବି ଜଣାଇଛନ୍ତି।

ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ସଂପୃକ୍ତ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ମୟୂରଭଂଜ ଜିଲ୍ଲାର ଅମର୍ଦା ରୋଡ୍ ବିମାନଘାଟି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍‌ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି।

ଅମର୍ଦା ରୋଡ୍‌ ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହିତ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ। ଏଥି ସହିତ ଝାରସୁଗୁଡ଼ା ବିମାନବନ୍ଦରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ ମୟୂରଭଞ୍ଜର ଅମର୍ଦା ରୋଡ଼୍‌ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟ କରୁଥିଲା। ପୂର୍ବରୁ ଏହାର ୧୧ ହଜାର ଫୁଟର କଂକ୍ରିଟ୍‌ ରନ୍‌ୱେ ରହିଥିଲା। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅଧିକ ଜମି ଅଧିଗ୍ରହଣ ସାଙ୍ଗକୁ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ଷମ ହେଲେ ଏହା ଏକ ଉଲ୍ଲେଖଯୋଗ୍ୟ ବିମାନ ବନ୍ଦର ଭାବରେ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।