ସୀତାରାମ ଅଗ୍ରୱାଲ
ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।
ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।
ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।
ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।
ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।
ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।
ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।