Categories
ଆଞ୍ଚଳିକ

ବାଣପୁରରେ ବେନାମୀ କମ୍ପାନୀ ସୋଡ଼ା ବୋତଲ ବିକ୍ରି ମାମଲା: ବିଭିନ୍ନ ଦୋକାନରେ ଚଢାଉ ଜାରି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ବିକ୍ରି ହେଉଥିବା ଖବର ଦୁଇ ଦିନ ତଳେ ‘ସମୀକ୍ଷା’ରେ ପ୍ରକାଶ ପାଇଥିଲା। ଯାହା ପରେ ଖୋର୍ଦ୍ଧା ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ସହରାଞ୍ଚଳର ବିଭିନ୍ନ ସୋଡ଼ା ବୋତଲ ଡିଷ୍ଟ୍ରିବ୍ୟୁଟର ଏବଂ ଦୋକାନ ମାନଙ୍କରେ ଚଢ଼ାଉ କରିଥିଲେ।

ଉକ୍ତ ସମୟରେ ଶ୍ରୀ ବଳ ଡିଷ୍ଟ୍ରିବ୍ୟୁଟର ମାନଙ୍କର ଲାଇସେନ୍ସ ଏବଂ ସୋଡ଼ା କମ୍ପାନୀର ଲାଇସେନ୍ସ ତଦାରଖ କରିଥିଲେ। ଏହାପରେ ଉକ୍ତ ସୋଡ଼ା ବୋତଲ ଗୁଡିକ ମିଳୁଥିବା ବିଭିନ୍ନ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରାଯାଇଥିଲା।

ଯେଉଁ ଦୋକାନୀଙ୍କ ସୋଡ଼ା ବିକ୍ରି ପାଇଁ ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତାଗିଦ କରାଯାଇଥିଲା। ଅନୁରୂପ ଭାବେ ବିଭିନ୍ନ ସୋଡ଼ା ବୋତଲକୁ ମଧ୍ୟ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡିଛି।

ତେବେ ଉକ୍ତ ଚଢ଼ାଉ ଦ୍ୱାରା ବିଭିନ୍ନ ଦୋକାନୀ ଓ ସୋଡ଼ା ଡିଷ୍ଟ୍ରିବ୍ୟୁଟର ମାନଙ୍କ ମଧ୍ୟରେ ଛନକା ପଶିଯାଇଥିବା ବେଳେ ବହୁ ଦୋକାନୀ ସୋଡ଼ା ବୋତଲ ଆଗକୁ ରଖିବାକୁ ଅମଙ୍ଗ ହେଉଥିବା ଜଣାପଡିଛି। ତେବେ ଉକ୍ତ ଚଢ଼ାଉ ଲାଗି ବାଣପୁର ଜନସାଧାରଣ ଖୋର୍ଦ୍ଧା ସିଡ଼ିଏମଓ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିକ୍ରି ହେଉଛି ବେନାମୀ କମ୍ପାନୀର ସୋଡ଼ା: ବଢୁଛି ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ ସୁରକ୍ଷା ବିଭାଗ ନିଷ୍କ୍ରିୟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବିକ୍ରି ହେଉଥିବା ଜାଣିବାକୁ ମିଳିଛି। ଯାହାକୁ ପିଇବା ଦ୍ୱାରା ଜନସାଧାରଣମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଥିବାର ଅଭିଯୋଗ ହେଉଛି।

ସୂଚନା ମୁତାବକ ଗତ କିଛି ମାସ ହେଲା ବାଣପୁର ସହରାଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ପ୍ରତି ପାନ ଦୋକାନରେ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୋଡ଼ା ପିଇବା ଦ୍ୱାରା ବହୁ ଜନସାଧାରଣ ବିଭିନ୍ନ ରୋଗର ବଶବର୍ତ୍ତୀ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ସୋଡ଼ା ବୋତଲ କେଉଁ କମ୍ପାନୀ ଯୋଗାଉଛି, କିଏ ଆଣୁଛି ଏବଂ କିପରି ଦୋକାନଗୁଡିକରେ ପହଞ୍ଚୁଛି, ତାହା ପଚାରିଲେ ଦୋକାନୀ ମାନେ କହିବାକୁ କୁଣ୍ଠାବୋଧ କରୁଛନ୍ତି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ନାକ ତଳେ ଏହା ଜାରି ରହିଥିବା ବେଳେ ଉକ୍ତ ବିଭାଗ ଜାଣିଶୁଣି ଚୁପ ରହିଥିବା ସାଧାରଣ ନାଗରିକମାନେ ଅଭିଯୋଗ କରିଛନ୍ତି।  ଉକ୍ତ ସୋଡ଼ା ଗୁଡିକ ପ୍ରକୃତ ପାନୀୟ ଯୋଗ୍ୟ ନା ନାହିଁ, ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଉକ୍ତ ସୋଡ଼ା ନିର୍ମାଣ କରୁଥିବା ସଂସ୍ଥା ଏବଂ ଉକ୍ତ ସୋଡ଼ାକୁ ବାଣପୁରରେ ଯୋଗାଉଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗର ନଜର ନପଡିବା ଦୁର୍ଭାଗ୍ୟର ବିଷୟ।

ବାଣପୁରରେ ପ୍ରତିଦିନ ଏହି ବେନାମୀ କମ୍ପାନୀ ସୋଡ଼ା ବୋତଲ ଗୁଡିକ ଶହ ଶହ ସଂଖ୍ୟାରେ ବିକ୍ରି ହେଉଥିବା ବେଳେ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ତାହା ତଦନ୍ତ ସାପେକ୍ଷ। ଏହାକୁ ବିକ୍ରି କରି ଦୋକାନୀ ଓ ଡିଲର ମାନେ ବେଶ ଲାଭବାନ ହେଉଥିବା ବେଳେ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନର ନିଘା ନାହିଁ।

ତେଣୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।