Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ବୟନଶିଳ୍ପକୁ ନେଇ କୋଲକାତାଠାରେ ‘ମେକ୍‌ ଇନ୍‌ ଓଡ଼ିଶା-ରୋଡ଼୍‌ ସୋ’

ଭୁବନେଶ୍ବର: ରାଜ୍ୟରେ ଶିଳ୍ପକୈନ୍ଦ୍ରିକ ବାତାବରଣକୁ ବଳିଷ୍ଠ ରୂପ ଦେବା ପାଇଁ ଓଡ଼ିଶା ସରକାର ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପଦକ୍ଷେପ ମଧ୍ୟରୁ କ୍ଷେତ୍ରୀୟ ନୀତିର ବିକାଶ, କ୍ଷେତ୍ରୀୟ ଶିଳ୍ପ ପାର୍କ ଏବଂ ଭିତ୍ତିଭୂମିର ବିକାଶ ଅନ୍ୟତମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଏବଂ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଇଣ୍ଡଷ୍ଟି୍ର୍ର୍ରଆଲ ହବ୍‌ରେ ପରିଣତ କରିପାରିଛି ।

ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ଆଜି କୋଲକାତାଠାରେ ଏକ ରୋଡ଼୍‌ ସୋ’ର ଆୟୋଜନ କରାଯାଇଥିଲା। କୋଲକାତାଠାରେ ଏହି ରୋଡ଼୍‌ ସୋ’ରେ ଯୋଗଦାନ କରି ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ କହିଲେ ଯେ, ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ କ୍ଷେତ୍ର ଯେଉଁଥିରେ ଓଡ଼ିଶା ଆଗାମୀ ଦିନରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି। ଓଡ଼ିଶାରେ ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ଓ ଏକ ଅଗ୍ରଣୀ କ୍ଷେତ୍ର। ପୁଂଜିନିବେଶକାରୀମାନେ ଓଡ଼ିଶାରେ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଅଧିକ ପୁଂଜି ବିନିଯୋଗ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ।

ଏହି ରୋଡ଼୍‌ ସୋ’ରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିବା ସମସ୍ତ ନିବେଶକମାନଙ୍କୁ ଓଡ଼ିଶାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ରେ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ଓଡ଼ିଶାରେ ଉପଲବ୍ଧ ଥିବା ସୁଯୋଗ ସଂପର୍କରେ ଅବଗତ ହେବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଶା ସବୁବେଳେ ଅନନ୍ୟ ହସ୍ତତନ୍ତ ପାଇଁ ପ୍ରସିଦ୍ଧି ଲାଭ କରିଛି ବୋଲି ଦୋହରାଇବା ସହ ଟେକ୍‌ନିକାଲ ଟେକ୍ସଟାଇଲ୍‌ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ଶ୍ରୀମତୀ ଶର୍ମା ଉଲ୍ଲେଖ କରିଥିଲେ।

ଓଡ଼ିଶା ବୟନ ନୀତି (ଟେକ୍ସଟାଇଲ୍‌ ପଲିସି) ଏକ ସର୍ବୋତ୍ତମ ଶିଳ୍ପନୀତି ଭାବେ ପରିଗଣିତ ବୋଲି ଶ୍ରୀମତୀ ଶର୍ମା ତାଙ୍କ ଉଦ୍‌ବୋଧନରେ କହିଥିଲେ। ଓଡ଼ିଶା ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ଏହି ଅବସରରେ ଉଦ୍‌ବୋଧନ ଦେଇ ନିବେଶକାରୀମାନେ ଓଡ଼ିଶାରେ ସେମାନଙ୍କର ଟେକ୍ସଟାଇଲ୍‌ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ।

ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟ ପରିଷଦ ଏବଂ ଚାର୍‌ମୋକ୍‌ ହସ୍‌ପିଟାଲ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ଶର୍ମା ଓଡ଼ିଶା ସରକାରଙ୍କର ଏଭଳି ଦୃଢ଼ ପଦକ୍ଷେପ ଏବଂ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହିତ ମେକ୍‌ ଇନ୍‌ ଓଡ଼ିଶାରେ ଯୋଗଦାନ କରିବା ପାଇଁ ନିବେଶକମାନଙ୍କୁ ଅନୁରୋଧ କରିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ ଇଣ୍ଡିଆନ୍‌ ଅଏଲ୍‌ର ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ଶିଳ୍ପନୀତି ଓ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ।

୧୫୦ରୁ ଅଧିକ ଶିଳ୍ପ ପ୍ରତିନିଧି ଓ ଟେକ୍ସଟାଇଲ୍‌ ଏବଂ ଆପାରେଲ୍‌ ଇଣ୍ଡଷ୍ଟି୍ରର ୧୫ ଜଣ ପ୍ରତିନିଧି ଏହି ରୋଡ଼୍‌ ସୋରେ ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଂସାପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ମିଳିବ ଜିଆଇ ମାନ୍ୟତା, ସରକାର କଲେ ଆବେଦନ

ଭୁବନେଶ୍ବର:  ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ। ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅଧିକ ସଚେତନତା ସୃଷ୍ଟି ହେବ ଓ କାରିଗରମାନେ ଉପକୃତ ହେବେ।

ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି। ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ। କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ ଆବେଦନ କରାଯାଇଅଛି। ଏଥି ପାଇଁ ୨୮ଟି ଜିଲ୍ଲାରେ ଅବସ୍ଥିତ ଅନେକ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ତଥ୍ୟ ସଂଗ୍ରହ କରାଯାଇଅଛି ।

ପୂର୍ବରୁ କୋଣାର୍କ ପଥର ଖୋଦେଇ , ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ କରାଯାଇଅଛି। ଏତଦ୍‌ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଅଛି ଓ ଏହା ଏବେ ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କରେ ରେଜିଷ୍ଟେସନ୍‌ ପାଇଁ ବିଚାରାଧିନ ରହିଛି।

ପରବର୍ତ୍ତୀ ପର୍ଯ୍ୟାୟରେ ବେଳଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରପାଲିର ଟେରାକୋଟା ଛାତ ଟାଇଲ୍‌, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡା କାମ , ବାଲେଶ୍ୱରର ଲାଖ କାମ, ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଂଗ କାମ, ନବରଙ୍ଗପୁରର ଲାଖ ପେଡି ଓ ପୁରୀର ତାଳପତ୍ର ପୋଥି ଚିତ୍ର ପରି ହସ୍ତଶିଳ୍ପର ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଅଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ।