Categories
ଆଜିର ଖବର ଜାତୀୟ ଖବର

ସି – ୨୯୫ ବିମାନ କାରଖାନା ଏକ ନୂତନ ଭାରତର ନୂତନ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଙ୍କର ପ୍ରଥମ ଭାରତ ଗସ୍ତ ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଆଜି ଏକ ନୂତନ ଦିଗ ଖୋଜୁଛି। ସି – ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ନାହିଁ ବରଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ (ଭାରତରେ ତିଆରି, ବିଶ୍ଵ ପାଇଁ ତିଆରି) ଅଭିଯାନକୁ ତ୍ୱରାନ୍ୱିତ କରିବ। ଏହି ଅବସରରେ ଶ୍ରୀ ମୋଦୀ ଏୟାରବସ୍ ଏବଂ ଟାଟାର ସମଗ୍ର ଟିମ୍ କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ରତନ ଟାଟାଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସି – ୨୯୫ ବିମାନ କାରଖାନାର ନୂତନ ଭାରତର ନୂତନ କାର୍ଯ୍ୟ ସଂସ୍କୃତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଦେଶର ଯେକୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଭାରତର ଗତି ଏଠାରେ ଦେଖିବାକୁ ମିଳିଥାଏ । ଅକ୍ଟୋବର ୨୦୨୨ରେ କାରଖାନାର ଶିଳାନ୍ୟାସକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସି – ୨୯୫ ବିମାନ ଉତ୍ପାଦନ ପାଇଁ ଏହି କାରଖାନା ଏବେ ପ୍ରସ୍ତୁତ ଅଛି । ପ୍ରକଳ୍ପ ଗୁଡ଼ିକର ଯୋଜନା ଏବଂ କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବକୁ ଦୂର କରିବା ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଭଦୋଦରାରେ ବମ୍ବାର୍ଡିୟର ଟ୍ରେନ୍ କୋଚ୍ ଉତ୍ପାଦନ କାରଖାନା ସ୍ଥାପନକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ଉତ୍ପାଦନ ପାଇଁ କାରଖାନା ରେକର୍ଡ ସମୟରେ ପ୍ରସ୍ତୁତ ହୋଇଛି । ଏହି କାରଖାନାରେ ନିର୍ମିତ ମେଟ୍ରୋ କୋଚ୍ ଆଜି ଅନ୍ୟ ଦେଶକୁ ରପ୍ତାନି କରାଯାଉଛି ବୋଲି ସେ କହିଛନ୍ତି। ଆଜିର ଉଦଘାଟିତ କାରଖାନାରେ ନିର୍ମିତ ବିମାନ ଗୁଡ଼ିକ ରପ୍ତାନି କରାଯିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ପ୍ରସିଦ୍ଧ ସ୍ପେନ୍ କବି ଆଣ୍ଟୋନିଓ ମାଚାଡୋଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ଲକ୍ଷ୍ୟ ଆଡକୁ ଆଗେଇବା ଆରମ୍ଭ କରୁ, ଲକ୍ଷ୍ୟ ଆଡକୁ ମାର୍ଗ ଆପେ ଆପେ ସୃଷ୍ଟି ହୋଇଯାଏ ।  ଭାରତର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ଆଜି ନୂତନ ଶୀର୍ଷରେ ପହଞ୍ଚୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଯଦି ୧୦ ବର୍ଷ ପୂର୍ବେ ଠୋସ୍ ପଦକ୍ଷେପ ଗ୍ରହଣ କରା ଯାଇନଥାନ୍ତା , ତେବେ ଆଜି ଏହି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ହୋଇଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏକ ଦଶନ୍ଧି ପୂର୍ବେ ପ୍ରତିରକ୍ଷା ଉତ୍ପାଦନର ପ୍ରାଥମିକତା ଏବଂ ପରିଚୟ ଆମଦାନୀ ଉପରେ ଆଧାରିତ ଥିଲା ଏବଂ ଭାରତରେ ପ୍ରତିରକ୍ଷା ଉତ୍ପାଦନ ଏତେ ବଡ଼ ସ୍ତରରେ ହୋଇପାରିବ ବୋଲି କେହି କଳ୍ପନା କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ନୂତନ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି, ଭାରତ ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାର ଫଳାଫଳ ଆଜି ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପ୍ରତିରକ୍ଷା କ୍ଷେତ୍ରରେ ଭାରତର ରୂପାନ୍ତରଣ ଏକ ଉପଯୁକ୍ତ ଯୋଜନା ଏବଂ ଭାଗିଦାରୀ କିପରି ସମ୍ଭାବନାକୁ ସମୃଦ୍ଧିରେ ପରିଣତ କରିପାରିବ ତାହାର ଉଦାହରଣ । ଗତ ଦଶନ୍ଧି ମଧ୍ୟରେ ରଣନୈତିକ ନିଷ୍ପତ୍ତି ଭାରତରେ ଏକ ଜୀବନ୍ତ ପ୍ରତିରକ୍ଷା ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। “ଆମେ ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବିସ୍ତାର କରିଛୁ, ସରକାରୀ କ୍ଷେତ୍ରର ୟୁନିଟ୍ଗୁଡ଼ିକୁ ଅଧିକ ଦକ୍ଷ କରିଛୁ, ଗୋଳାବାରୁଦ କାରଖାନାଗୁଡ଼ିକୁ ସାତଟି ପ୍ରମୁଖ କମ୍ପାନୀରେ ପୁନର୍ଗଠନ କରିଛୁ ଏବଂ ଡିଆରଡିଓ ଏବଂ ହାଲ୍ କୁ ସଶକ୍ତ କରିଛୁ”, ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ପ୍ରତିରକ୍ଷା କରିଡର ପ୍ରତିଷ୍ଠା ଏହି କ୍ଷେତ୍ରରେ ନୂତନ ଶକ୍ତି ସୃଷ୍ଟି କରିଛି। ଆଇଡିଏକ୍ସ (ଇନୋଭେସନ ଫର୍ ଡିଫେନ୍ସ ଏକ୍ସଲେନ୍ସ) ଯୋଜନା  ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗତ ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ପ୍ରାୟ ୧,୦୦୦ ପ୍ରତିରକ୍ଷା ଷ୍ଟାର୍ଟଅପ୍ ର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି । ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନି ୩୦ ଗୁଣ ବୃଦ୍ଧି ପାଇଛି ଏବଂ ଭାରତ ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ଉପକରଣ ରପ୍ତାନି କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଦକ୍ଷତା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏୟାରବସ୍- ଟାଟା ଫ୍ୟାକ୍ଟ୍ରି ଭଳି ପ୍ରକଳ୍ପ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ । ଏହି କାରଖାନା ୧୮,୦୦୦ ଏୟାରକ୍ରାଫ୍ଟ ପାର୍ଟସ୍ ର ସ୍ୱଦେଶୀ ଉତ୍ପାଦନରେ ସହାୟତା କରିବ ଏବଂ ସମଗ୍ର ଭାରତରେ ଏମଏସଏମଇ ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଭାରତ ଆଜି ବି ବିଶ୍ୱର ପ୍ରମୁଖ ବିମାନ କଂପାନୀଗୁଡ଼ିକ ପାଇଁ ବିମାନର ବିଭିନ୍ନ ପାର୍ଟସର ସବୁଠାରୁ ବଡ଼ ଯୋଗାଣକାରୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ନୂତନ ବିମାନ କାରଖାନା ଭାରତରେ ନୂତନ ଦକ୍ଷତା ଏବଂ ନୂତନ ଶିଳ୍ପକୁ ଏକ ବଡ଼ ପ୍ରୋତ୍ସାହନ ଦେବ।

ପରିବହନ ବିମାନ ଉତ୍ପାଦନ ବ୍ୟତୀତ ଆଜିର କାର୍ଯ୍ୟକ୍ରମ ଉପରେ ସେ ଦୃଷ୍ଟି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗତ ଦଶନ୍ଧିରେ ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଦେଶର ଶତାଧିକ କ୍ଷୁଦ୍ର ସହରକୁ ବିମାନ ସଂଯୋଗ ପ୍ରଦାନ କରୁଛି ଏବଂ ଏହା ସହିତ ଦେଶକୁ ବିମାନ ଚଳାଚଳ ଏବଂ ଏମଆରଓ କ୍ଷେତ୍ରର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି । ଭବିଷ୍ୟତରେ ମେଡ୍ ଇନ୍ ଇଣ୍ଡିଆ ବେସାମରିକ ବିମାନ ପାଇଁ ମଧ୍ୟ ଏହି ଇକୋସିଷ୍ଟମ୍ ପଥ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ବିଭିନ୍ନ ଭାରତୀୟ ଏୟାରଲାଇନ୍ସ ୧୨୦୦ ନୂଆ ବିମାନ ଅର୍ଡର କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ଅର୍ଥ ହେଉଛି ନୂତନ ଭାବେ ଉଦଘାଟିତ କାରଖାନା ଭବିଷ୍ୟତରେ ଭାରତ ଏବଂ ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ବେସାମରିକ ବିମାନ ଡିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭଦୋଦରା ସହର ଏମଏସଏମଇର ଗଡ଼ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସହର ଭାରତର ଏହି ପ୍ରୟାସରେ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସହରରେ ଏକ ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟ ଅଛି, ଯାହା ଭାରତର ବିଭିନ୍ନ କ୍ଷେତ୍ର ପାଇଁ ପେସାଦାରମାନଙ୍କୁ ପ୍ରସ୍ତୁତ କରୁଥିଲା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭଦୋଦରାରେ ଫାର୍ମା କ୍ଷେତ୍ର, ଇଞ୍ଜିନିୟରିଂ ଏବଂ ଭାରୀ ଯନ୍ତ୍ରପାତି, ରସାୟନ ଏବଂ ପେଟ୍ରୋକେମିକାଲ୍ସ , ଶକ୍ତି କ୍ଷେତ୍ରର ଉପକରଣ ଭଳି ଅନେକ କ୍ଷେତ୍ର ସହ ଜଡ଼ିତ ଅନେକ କମ୍ପାନୀ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ସମଗ୍ର ଅଞ୍ଚଳ ମଧ୍ୟ ଭାରତରେ ବିମାନ ଚଳାଚଳ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି । ଆଧୁନିକ ଶିଳ୍ପ ନୀତି ଏବଂ ନିଷ୍ପତ୍ତି ପାଇଁ ଶ୍ରୀ ମୋଦୀ ଗୁଜରାଟ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ତାଙ୍କ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଥିଲେ ।

ଭଦୋଦରା ମଧ୍ୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସହର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସ୍ପେନର ସମସ୍ତ ବନ୍ଧୁମାନଙ୍କୁ ସ୍ୱାଗତ କରି ସେ ଆନନ୍ଦିତ । “ଭାରତ ଏବଂ ସ୍ପେନ୍ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମତ ଦେଇଥିଲେ ଯେ ଫାଦର କାର୍ଲୋସ ଭାଲେ ସ୍ପେନରୁ ଆସି ଗୁଜରାଟରେ ବସବାସ କରିଥିଲେ ଏବଂ ତାଙ୍କ ଜୀବନର ପଚାଶ ବର୍ଷ ବିତାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫାଦର ଭାଲେ ତାଙ୍କ ଚିନ୍ତାଧାରା ଏବଂ ଲେଖା ଦ୍ୱାରା ସଂସ୍କୃତିକୁ ସମୃଦ୍ଧ କରିଥିଲେ । ଫାଦର ଭାଲେଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମଧ୍ୟ ତାଙ୍କୁ ମିଳିଥିଲା ଏବଂ ତାଙ୍କ ମହାନ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ ।

ସ୍ପେନରେ ମଧ୍ୟ ଯୋଗ ଅତ୍ୟନ୍ତ ଲୋକପ୍ରିୟ ଏବଂ ଭାରତରେ ସ୍ପେନିଶ ଫୁଟବଲକୁ ମଧ୍ୟ ପସନ୍ଦ କରାଯାଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ରିୟଲ ମାଦ୍ରିଦ ଓ ବାର୍ସିଲୋନା କ୍ଲବ ମଧ୍ୟରେ ଗତକାଲି ଖେଳାଯାଇଥିବା ଫୁଟବଲ ମ୍ୟାଚ୍ ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ବାର୍ସିଲୋନାର ମହାନ ବିଜୟ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ଥିଲା ଏବଂ ସ୍ପେନ୍ ଭଳି ଭାରତରେ ମଧ୍ୟ ଉଭୟ କ୍ଲବର ପ୍ରଶଂସକଙ୍କ ଉତ୍ସାହ ସମାନ ଥିଲା। ଭାରତ ଏବଂ ସ୍ପେନର ବହୁମୁଖୀ ଭାଗିଦାରୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଖାଦ୍ୟ, ଚଳଚ୍ଚିତ୍ର ହେଉ କିମ୍ବା ଫୁଟବଲ ହେଉ, ଆମ ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସର୍ବଦା ଆମ ସମ୍ପର୍କକୁ ସୁଦୃଢ଼ କରିଛି। ୨୦୨୬କୁ ଭାରତ – ସ୍ପେନ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଆଇ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ବକ୍ତବ୍ୟ ସମାପ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ଭାରତ ଏବଂ ସ୍ପେନ ମଧ୍ୟରେ ଅନେକ ନୂତନ ମିଳିତ ସହଯୋଗ ପ୍ରକଳ୍ପକୁ ପ୍ରେରଣା ଯୋଗାଇବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ସେ ସ୍ପେନର ଶିଳ୍ପଗୁଡିକୁ ଏବଂ ଉଦ୍ଭାବକମାନଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ଭାରତ ଆସି ଦେଶର ବିକାଶ ଯାତ୍ରାରେ ଅଂଶୀଦାର ହେବାକୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍. ଜୈଶାକର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସି- ୨୯୫ କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୫୬ଟି ବିମାନ ଯୋଗାଇ ଦିଆଯିବ, ସେଥିମଧ୍ୟରୁ ୧୬ଟି ସିଧାସଳଖ ସ୍ପେନ୍ରୁ ଏୟାରବସ୍ ଏବଂ ବାକି ୪୦ଟି ଭାରତରେ ନିର୍ମିତ ହେବ।

ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ ଭାରତରେ ଏହି ୪୦ଟି ବିମାନ ନିର୍ମାଣ କରିବାର ଦାୟିତ୍ୱ ନେଇଛି। ଏହି କେନ୍ଦ୍ର ଭାରତରେ ସାମରିକ ବିମାନ ପାଇଁ ପ୍ରଥମ ଘରୋଇ କ୍ଷେତ୍ରର ଫାଇନାଲ ଆସେମ୍ବଲି ଲାଇନ୍ (ଏଫ୍ଏଏଲ୍) ପାଲଟିଛି। ଏଥିରେ ନିର୍ମାଣଠାରୁ ଆରମ୍ଭ କରି ଆସେମ୍ବଲି, ପରୀକ୍ଷା ଓ ଯୋଗ୍ୟତା ଠାରୁ ଆରମ୍ଭ କରି ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ଡେଲିଭରି ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ସମ୍ପୂର୍ଣ୍ଣ ବିକାଶ କରାଯିବ।

ଟାଟା ବ୍ୟତୀତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଓ ଭାରତ ଡାଇନାମିକ୍ସ ଲିମିଟେଡ୍ ଭଳି ଅଗ୍ରଣୀ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହା ପୂର୍ବରୁ ୨୦୨୨ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବଲି ଲାଇନ୍ (ଏଫ୍ଏଏଲ୍)ର ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟରେ ସି-୨୯୫ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭଦୋଦରା ଠାରେ ସି-୨୯୫ ସାମରିକ ପରିବହନ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବିମାନ ବା ଏରୋସ୍ପେସ ଉଦ୍ୟୋଗ କ୍ଷେତ୍ରରେ ପ୍ରଯୁକ୍ତି ଓ ବିନିର୍ମାଣର ପ୍ରଗତିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତକୁ ବିଶ୍ୱର ଏକ ପ୍ରମୁଖ ନିର୍ମାଣ କେନ୍ଦ୍ରରେ ପରିଣତ କରିବା ଦିଗରେ ଆଜି ଆମେ ଏକ ବୃହତ ପଦକ୍ଷେପ ଗ୍ରହଣ କରିଛୁ। ସେ କହିଥିଲେ ଯେ ଭାରତ ଯୁଦ୍ଧ ବିମାନ, ଟ୍ୟାଙ୍କ, ବୁଡ଼ାଜାହାଜ, ଔଷଧ, ଟିକା, ଇଲେକ୍ଟ୍ରୋନିକ୍ସ ଉପକରଣ, ମୋବାଇଲ ଫୋନ ଏବଂ କାର ଆଦି ନିର୍ମାଣ କରୁଛି ଯାହାକି ଅନେକ ଦେଶରେ ଲୋକପ୍ରିୟ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ (ବିଶ୍ୱ ପାଇଁ ଭାରତରେ ନିର୍ମାଣ) ମନ୍ତ୍ର ସହିତ ଭାରତ ଆଗକୁ ବଢ଼ୁଛି। ବର୍ତ୍ତମାନ ଭାରତ ବିଶ୍ୱର ସବୁଠୁ ବଡ଼ ପରିବହନ ବିମାନ ନିର୍ମାଣକାରୀ ହେବାକୁ ଯାଉଛି। ସେ କହିଥିଲେ ଯେ, ଭାରତ ଖୁବଶୀଘ୍ର ବଡ଼ ଯାତ୍ରୀବାହୀ ବିମାନ ନିର୍ମାତା ହେବାକୁ ଯାଉଛି। ଏଥିରେ ଏବେ ଗର୍ବର ସହିତ ‘ମେଡ଼ ଇନ୍‌ ଇଣ୍ଡିଆ’ ଶବ୍ଦଗୁଡ଼ିକ ଶୋଭା ପାଇବ।

ସେ କହିଥିଲେ ଯେ, ଆଜି ଯେଉଁ କାରଖାନା ପାଇଁ ଶିଳାନ୍ୟାସ କରାଯାଇଛି ସେଥିରେ ଭାରତର ପ୍ରତିରକ୍ଷା ଓ ପରିବହନ କ୍ଷେତ୍ରକୁ ବଦଳାଇବାର ସାମର୍ଥ୍ୟ ରହିଛି। ସେ ବିଶେଷ ଭାବେ ଆଲୋକପାତ କରି କହିଥିଲେ ଯେ ପ୍ରଥମ ଥର ପାଇଁ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏତେ ବଡ଼ ନିବେଶ ହେଉଛି। ଏଠାରେ ନିର୍ମାଣ ହେବାକୁ ଥିବା ପରିବହନ ବିମାନ କେବଳ ସେନାବାହିନୀକୁ ସଶକ୍ତ କରିବ ନାହିଁ ବରଂ ଭାରତରେ ବିମାନ ନିର୍ମାଣ ପାଇଁ ଏକ ନୂଆ ଇକୋସିଷ୍ଟମ ବିକଶିତ କରିବାରେ ସହାୟକ ହେବ। ଭଦୋଦରା ପୂର୍ବରୁ ଏକ ସାଂସ୍କୃତିକ ଏବଂ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ଥିଲା, ଏବେ ଏକ ବିମାନ ନିର୍ମାଣ କେନ୍ଦ୍ର ଭାବେ ନୂଆ ପରିଚୟ ନେଇ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ସହିତ ୧୦୦ରୁ ଅଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜଡ଼ିତ ହୋଇ ରହିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ଅନ୍ୟ ଦେଶକୁ ରପ୍ତାନି କରିବା ଲାଗି ଏହି କାରଖାନା ଅର୍ଡର ଗ୍ରହଣ କରିବ। ଫଳରେ ଭଦୋଦରା ମାଟି ଓ ଏହି ପ୍ରକଳ୍ପ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ ଲକ୍ଷ୍ୟକୁ ଏକ ନୂତନ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ବିମାନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ମତବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମାନ ଚଳାଚଳ ଟ୍ରାଫିକ୍‌ କ୍ଷେତ୍ରରେ ଆମେ ବିଶ୍ୱର ଶୀର୍ଷ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଯାଉଛୁ। ଉଡ଼ାନ ଯୋଜନା ଅନେକ ଯାତ୍ରୀଙ୍କୁ ବିମାନ ଯାତ୍ରା କରିବାର ଶସ୍ତା ଓ ସୁଲଭ ସୁବିଧା ଯୋଗାଇ ଦେଉଛି। ଯାତ୍ରୀବାହୀ ଏବଂ କାର୍ଗୋ ବିମାନର ଚାହିଦା ବୃଦ୍ଧି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତରେ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ଦେଖା ଦେବ। ଶ୍ରୀ ମୋଦୀ କହିଥିଲେ, କରୋନା ମହାମାରୀ, ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ସମସ୍ୟାରେ ପଡ଼ିଥିବା ବିଶ୍ୱ ପାଇଁ ଭାରତ ଏବେ ସମ୍ଭାବନାର ଏକ ଦୁନିଆ ନେଇ ଆସିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ଧାରା ସ୍ଥିର ରହିଛି। ସେ କହିଥିଲେ ଯେ ପରିଚାଳନା ପରିସ୍ଥିତି ନିରନ୍ତର ଭାବେ ସୁଧୁରିବାରେ ଲାଗିଛି ଏବଂ ଭାରତ ଉଚ୍ଚ ଗୁଣବତ୍ତା ସହିତ ଖର୍ଚ୍ଚ ପ୍ରତିଯୋଗିତା ଉପରେ ଜୋର ଦେଉଛି। କମ ଖର୍ଚ୍ଚରେ ଉତ୍ପାଦନ ଏବଂ ଉଚ୍ଚ ଉତ୍ପାଦକତା ସହିତ ଭାରତ ଅପାର ସମ୍ଭାବନା ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଥିଲେ ଯେ ଭାରତରେ କୁଶଳୀ ମାନବଶକ୍ତିର ବିଶାଳ ପ୍ରତିଭା ଭଣ୍ଡାର ରହିଛି। ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ବିନିର୍ମାଣ ପାଇଁ ଭାରତ ଏକ ଅଭୂତପୂର୍ବ ପରିବେଶ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଉଦାହଣ ଦେଇ କହିଥିଲେ ଯେ, ଦେଶରେ ଏକ ସରଳ କର୍ପୋରେଟ ଟିକସ ବ୍ୟବସ୍ଥା ସହିତ ଏହାକୁ ବିଶ୍ୱ ସ୍ତର ପାଇଁ ପ୍ରତିଯୋଗିତାମୂଳକ ତଥା ଦକ୍ଷ କରାଯାଇଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଶତପ୍ରତିଶତ ମାର୍ଗ ଉନ୍ମୋଚନ କରାଯାଇଛି। ଘରେ କମ୍ପାନୀଙ୍କ ନିବେଶ ପାଇଁ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରାଯାଇଛି। ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଏହାକୁ ୪ଟି ଶ୍ରମ ସଂହିତାରେ ପରିଣତ କରାଯାଇଛି। ୩୩ରୁ ଅଧିକ ଅନୁପାଳନ ବୋଝ ଉଚ୍ଛେଦ କରାଯିବା ସହିତ ସଂଖ୍ୟାଧିକ ନିକସର ଜାଲକୁ ଉଚ୍ଛେଦ କରାଯାଇ ଗୋଟିଏ ସରଳ ଟିକସ ବ୍ୟବସ୍ଥା- ବସ୍ତୁ ଓ ସେବା କର (ଜିଏସଟି) ଦେଶବ୍ୟାପୀ ଲାଗୁ କରାଯାଇଛି। ସେ କହିଥିଲେ, ‘‘ଆଜି ଭାରତରେ ଆର୍ଥିକ ସଂସ୍କାରର ଏକ ନୂଆ ଇତିହାସ ରଚନା ହେଉଛି ଏବଂ ନିର୍ମାଣ କ୍ଷେତ୍ର ରାଜ୍ୟମାନଙ୍କ ଠାରୁ ମିଳୁଥିବା ଲାଭ ବ୍ୟତୀତ ଏଥିରୁ ସବୁଠୁ ଅଧିକ ଲାଭ ପାଇପାରୁଛି।’’

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମାନସିକତାରେ ପରିବର୍ତ୍ତନକୁ ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ, ଭାରତ ଆଜି ଏକ ନୂଆ ମାନସିକତା, ଏକ ନୂଆ କାର୍ଯ୍ୟ ସଂସ୍କୃତି ନେଇ ଆଗକୁ ବଢ଼ୁଛି। ସେ ପୂର୍ବ ସମୟ କଥା ମନେ ପକାଇଥିଲେ ଯେତେବେଳେ ଶାସନର ଧାରଣା ଥିଲା ଯେ ସରକାର ସବୁକିଛି ଜାଣନ୍ତି। ସେତେବେଳେ ଏଭଳି ଏକ ମାନସିକତା ଥିଲା ଯାହାକି ଦେଶର ପ୍ରତିଭା ଏବଂ ଘରୋଇ କ୍ଷେତ୍ରର ଶକ୍ତିକୁ ଚାପି ରହିଥିଲା। ସେ କହିଥିଲେ ଯେ, ‘‘ଏବେ ‘ସବକା ପ୍ରୟାସ’ ପରେ, ସରକାର ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରକୁ ସମାନ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଅସ୍ଥାୟୀ ଦୃଷ୍ଟିକୋଣକୁ ନେଇ ମଧ୍ୟ ନିରାଶା ବ୍ୟକ୍ତ କରିଥିଲେ, ଯେଉଁଥିରେ ନିର୍ମାଣ କ୍ଷେତ୍ରକୁ ମାତ୍ର ସାଧାରଣ ଭାବେ ସବସିଡି ଜରିଆରେ କାର୍ଯ୍ୟକ୍ଷମ ରଖାଯାଇଥିଲା। ଲଜିଷ୍ଟିକ୍ସ ବା ପରିବହନ, ବିଦ୍ୟୁତ ଯୋଗାଣ କିମ୍ବା ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ କାମ ଚଳା ନିଷ୍ପତ୍ତି ନେବାର ପଦ୍ଧତି ତ୍ୟାଗ କରିଛୁ ଏବଂ ନିବେଶକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରୋତ୍ସାହନ ନେଇ ଆସିଛୁ । ଆମେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ନେଇ ଆସିଛୁ, ଯାହାଦ୍ବାରା ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଆମର ନୀତି ସ୍ଥିର, ଆକଳନଯୋଗ୍ୟ ଏବଂ ଭବିଷ୍ୟଉନ୍ମୁଖି ହୋଇପାରିଛି ।

ପ୍ରଧାନମନ୍ତ୍ରୀ ସେ ସମୟର ମଧ୍ୟ ସ୍ମରଣ କରିଥିଲେ ଯେତେବେଳେ ସେବା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ପ୍ରଭାବୀ ବୋଲି ବିଚାର କରାଯାଉଥିଲା, କାରଣ ନିର୍ମାଣ କ୍ଷେତ୍ର ସହ ସମ୍ପର୍କ ସ୍ଥାପନ କରିବା କ୍ଷମତା ଠାରୁ ବାହାରେ ବୋଲି ବିବେଚନା କରାଯାଉଥିଲା। ସେ କହିଥିଲେ ଯେ ଆଜି ଆମେ ସେବା ଏବଂ ନିର୍ମାଣ, ଉଭୟ କ୍ଷେତ୍ରରେ ସୁଧାର କରିଛୁ । ସେ ଏକ ସାମଗ୍ରିକ ଦୃଷ୍ଟିକୋଣର ମହତ୍ବ ଉପରେ ଜୋର ଦେଇଥିଲେ ଯାହାକି ଉଭୟ ସେବା ଏବଂ ବିନିର୍ମାଣ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ସେ କହିଥିଲେ ଯେ, ଆଜି ଭାରତ ମେନ୍ୟୁଫେକ୍ଚରିଂ ବା ନିର୍ମାଣ କ୍ଷେତ୍ରରେ ସବୁଠୁ ଆଗରେ ରହିବା ଲାଗି ଗୁରୁତ୍ବ ଦେଉଛି । ଏଥିପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତ କରାଯାଇଛି । ଏସବୁ ପରିବର୍ତ୍ତନକୁ ଗ୍ରହଣ କରି, ଆଜି ନିର୍ମାଣ କ୍ଷେତ୍ରରେ ଭାରତର ବିକାଶ ଯାତ୍ରା ଏହି ସ୍ତରରେ ପହଞ୍ଚିବାର ଉପଲବ୍ଧି ହାସଲ କରିପାରିଛି ।

ସରକାରଙ୍କ ନିବେଶ ଅନୁକୂଳ ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଲାଭ ଏଫଡିଆରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ସେ କହିଥିଲେ, ‘‘ଗତ ଆଠ ବର୍ଷ ମଧ୍ୟରେ, ୧୬୦ରୁ ଅଧିକ ଦେଶର କମ୍ପାନୀମାନେ ଭାରତରେ ନିବେଶ କରିଛନ୍ତି । ଆଗକୁ ସେ ବିସ୍ତୃତ ଭାବେ କହିଥିଲେ ଯେ ଏପରି ବିଦେଶୀ ନିବେଶ କେବଳ କିଛି ଉଦ୍ୟୋଗ ମଧ୍ୟରେ ସୀମିତ ନାହିଁ, ବରଂ ଅର୍ଥବ୍ୟବସ୍ଥାର ୬୧ଟି କ୍ଷେତ୍ରରେ ପ୍ରସାରିତ ହୋଇଛି ଏବଂ ଭାରତର ୩୧ଟି ରାଜ୍ୟକୁ କଭର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଏରୋସ୍ପେସ କ୍ଷେତ୍ରରେ ୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରେ, ଏହି କ୍ଷେତ୍ରରେ ନିବେଶ ପରିମାଣ ୨୦୦୦ ମସିହାରୁ ୨୦୧୪ ମସିହା ମଧ୍ୟରେ ହୋଇଥିବା ନିବେଶ ତୁଳନାରେ ୫ ଗୁଣା ବୃଦ୍ଧି ପାଇଛି । ଶ୍ରୀ ମୋଦୀ ବିଶେଷ ଭାବେ କହିଥିଲେ ଯେ ଆଗାମୀ ଦିନରେ ପ୍ରତିରକ୍ଷା ଏବଂ ବିମାନ ବା ଏରୋସ୍ପେସ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେବ । ଏହି ଦୁଇଟି କ୍ଷେତ୍ର ଆତ୍ମନିର୍ଭର ଭାରତ ଅଭିଯାନରେ ମହତ୍ବପୂର୍ଣ୍ଣ ଆଧାରରେ ପରିଣତ ହେବ । ୨୦୨୫ ସୁଦ୍ଧା ଆମେ ପ୍ରତିରକ୍ଷା ଉତ୍ପାଦନକୁ ୨୫ ବିଲିୟନ ଡଲାରରୁ ଅଧିକରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛୁ । ଆମର ପ୍ରତିରକ୍ଷା ରପ୍ତାନି ମଧ୍ୟ ୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ବିକଶିତ ହେଉଥିବା ପ୍ରତିରକ୍ଷା କରିଡର ଏହି କ୍ଷେତ୍ରର ବିକାଶରେ ସହାୟକ ହେବ । ଶ୍ରୀ ମୋଦୀ ଗାନ୍ଧୀନଗରରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେନ୍ସ ଏକ୍ସପୋ ଆୟୋଜନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ଡିଫେନ୍ସ ଏକ୍ସପୋରେ ପ୍ରଦର୍ଶିତ ସବୁ ଉପକରଣ ଏବଂ ପ୍ରଯୁକ୍ତି ଭାରତରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରୋଜେକ୍ଟ ସି-୨୯୫ର ଝଲକ ଆମକୁ ଆଗାମୀ ବର୍ଷର ଡିଫେନ୍ସ ଏକ୍ସପୋରେ ଦେଖିବାକୁ ମିଳିବ ।

ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ର ସହ ଜଡ଼ିତ ସବୁ ଲୋକମାନଙ୍କୁ ଦେଶରେ ବର୍ତ୍ତମାନ ଅଭୂତପୂର୍ବ ନିବେଶ ପାଇଁ ସୃଷ୍ଟି ହୋଇଥିବା ବିଶ୍ବାସର ସର୍ବାଧିକ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଦେଶର ଷ୍ଟାର୍ଟଅପକୁ ଆଗକୁ ବଢ଼ାଇବା ଲାଗି ସହାୟତା କରିବା ନିମନ୍ତେ ଆହୁରି ଅଧିକ ବିଚାରବିମର୍ଶ କରାଯିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଗବେଷଣା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ବଢ଼ାଇବା ଉପରେ ମଧ୍ୟ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ଏ ଦିଗରେ ଆଗକୁ ବଢ଼ିପାରିବା, ତା’ହେଲେ ଆମେ ନବୋନ୍ମେଷ ଓ ମେନ୍ୟୁଫେକ୍ଚରିଂର ଏକ ସୁଦୃଢ଼ ଇକୋସିଷ୍ଟମ ବିକଶିତ କରିବାରେ ସକ୍ଷମ ହେବା । ଆପଣମାନଙ୍କୁ ସବୁବେଳେ ‘ସବକା ପ୍ରୟାସ’ ମନ୍ତ୍ର ମନେ ରଖିବାକୁ ପଡ଼ିବ ବୋଲି ସେ କହିଥିଲେ ।

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋରିରାଦିତ୍ୟ ସିନ୍ଧିଆ, ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ. ଚନ୍ଦ୍ରଶେଖରନ ଏବଂ ଏୟାରବସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶ୍ରୀ କ୍ରିଶ୍ଚିୟନ ଶେରର ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସି-୨୯୫ ବିମାନ ନିର୍ମାଣ କାରଖାନା ଦେଶରେ ଘରୋଇ କ୍ଷେତ୍ରର ସର୍ବପ୍ରଥମ ବିମାନ ନିର୍ମାଣ ପ୍ଲାଣ୍ଟ ହେବ । ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ଏବଂ ଏୟାରବସ ଡିଫେନ୍ସ ଏଣ୍ଡ ସ୍ପେସ, ସ୍ପେନ ମଧ୍ୟରେ ସହଯୋଗ ମାଧ୍ୟମରେ ଭାରତୀୟ ବାୟୁସନା ପାଇଁ ୪୦ ସି-୨୯୫ ବିମାନର ନିର୍ମାଣ ପାଇଁ ଏହି କାରଖାନାର ଉପଯୋଗ କରାଯିବ । ଏହି କାରଖାନା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ହେବ ଏବଂ ଏହି କ୍ଷେତ୍ରରେ ଘରୋଇ ଉଦ୍ୟୋଗର କ୍ଷମତାକୁ ସମ୍ପ୍ରସାରଣ କରିବାରେ ସହାୟତା କରିବ।