Categories
ଆଜିର ଖବର ଜାତୀୟ ଖବର

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ବୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ: ସ୍ବାଗତ କଲେ ଉଭୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଦୁଇ ଦେଶ ମଧ୍ୟରେ ମହତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ବୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ତାହାକୁ ଦୁଇ ନେତା ସ୍ବାଗତ କରିଥିଲେ।

ଉଭୟ ନେତା ଏହାକୁ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗୀତାରେ ଏକ ଐତିହାସିକ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି। ଏହା ଉଭୟ ଦେଶର ଅର୍ଥନୀତିରେ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ବିଶ୍ୱର ଦୁଇଟି ବୃହତ୍ ଏବଂ ମୁକ୍ତ ବଜାର ଅର୍ଥନୀତି ମଧ୍ୟରେ ଏହି ଐତିହାସିକ ଚୁକ୍ତି ବ୍ୟବସାୟ ପାଇଁ ନୂତନ ସୁଯୋଗ ଖୋଲିବ, ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।

ପ୍ରଧାନମନ୍ତ୍ରୀ ଷ୍ଟାରମର୍ କହିଛନ୍ତି ଯେ ସମଗ୍ର ବିଶ୍ୱର ଅର୍ଥନୀତି ସହିତ ମେଣ୍ଟକୁ ସୁଦୃଢ଼ କରିବା ଏବଂ ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ କରି ଏକ ଶକ୍ତିଶାଳୀ ଏବଂ ଅଧିକ ସୁରକ୍ଷିତ ଅର୍ଥନୀତି ପ୍ରଦାନ କରିବା ପାଇଁ ସେମାନଙ୍କ ପରିବର୍ତ୍ତନ ଯୋଜନାର ଏକ ଅଂଶ ଅଟେ।

ଭାରତ ଏବଂ ବ୍ରିଟେନ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କବୃଦ୍ଧି କ୍ରମଶଃ ସୁଦୃଢ଼ ଏବଂ ବହୁମୁଖୀ ଭାଗିଦାରୀର ମୂଳଦୁଆ ହୋଇ ରହିବ ବୋଲି ଦୁଇ ନେତା ସହମତ ହୋଇଥିଲେ। ଦ୍ରବ୍ୟ ଓ ସେବା ବାଣିଜ୍ୟକୁ ଅନ୍ତର୍ଭୁକ୍ତ କରି ଏକ ସନ୍ତୁଳିତ, ସମାନ ଏବଂ ଉଚ୍ଚାକାଂକ୍ଷୀ ଏଫଟିଏ ପ୍ରଣୟନ ଦ୍ୱିପାକ୍ଷିକ ବାଣିଜ୍ୟକୁ ଯଥେଷ୍ଟ ବୃଦ୍ଧି କରିବ, ନିଯୁକ୍ତି ପାଇଁ ନୂତନ ମାର୍ଗ ସୃଷ୍ଟି କରିବ, ଜୀବନଧାରଣମାନ ବୃଦ୍ଧି କରିବ ଏବଂ ଉଭୟ ଦେଶର ନାଗରିକଙ୍କ ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଏହା ଉଭୟ ଦେଶକୁ ବିଶ୍ୱ ବଜାର ପାଇଁ ମିଳିତ ଭାବରେ ଉତ୍ପାଦ ଏବଂ ସେବା ବିକାଶ କରିବା ପାଇଁ ନୂତନ କ୍ଷମତା ପ୍ରଦାନ କରିବ। ଏହି ଚୁକ୍ତିନାମା ଭାରତ-ୟୁକେ ବ୍ୟାପକ ରଣନୈତିକ ସହଭାଗୀର ଦୃଢ଼ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ସହଯୋଗ ଏବଂ ସମୃଦ୍ଧିର ଏକ ନୂତନ ଯୁଗ ପାଇଁ ପଥ ପ୍ରଶସ୍ତ କରିବ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଉଭୟ ପ୍ରଧାନମନ୍ତ୍ରୀ ପରସ୍ପର ସହ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରୋଠାରେ ଜି୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ ବର୍ଷରେ ଭାରତବ୍ରିଟେନ ମୁକ୍ତ ବାଣିଜ୍ୟ ଆଲୋଚନା ପୁନଃ ଆରମ୍ଭ କରିବାକୁ ବ୍ରିଟେନ ଦ୍ୱାରା କରାଯାଇଥିବା ଘୋଷଣାକୁ ସ୍ୱାଗତ କରୁଛୁ।

ଏକ ସନ୍ତୁଳିତ, ଆପୋସ ଲାଭଦାୟକ ଏବଂ ଭବିଷ୍ୟ ଉନ୍ମୁଖୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସୁରକ୍ଷିତ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକୁ ଆପୋସ ସନ୍ତୁଷ୍ଟି ପାଇଁ ସମାଧାନ କରିବା ଲାଗି ବ୍ରିଟେନର ଆଲୋଚନାକାରୀ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ। ୨୦୨୫ ପ୍ରାରମ୍ଭରେ ମୁକ୍ତ ବାଣିଜ୍ୟ ଆଲୋଚନା ପାଇଁ ତାରିଖ କୁଟନୀତିକ ମାଧ୍ୟମରେ ଶୀଘ୍ର ଚୂଡ଼ାନ୍ତ କରାଯିବ। ଏଫଟିଏ ଆଲୋଚନା ପୂର୍ବରୁ ହୋଇଥିବା ଅଗ୍ରଗତିରୁ ଆଲୋଚନାକୁ ପୁନଃ ଆରମ୍ଭ କରିବ ଏବଂ ବାଣିଜ୍ୟ ଚୁକ୍ତିକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରିବ।

ବ୍ରିଟେନ ସହ ଭାରତର ବାଣିଜ୍ୟିକ ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ଗଭୀର ସହଯୋଗ ଏବଂ ରଣନୀତିକ ସମ୍ପର୍କ ପାଇଁ ପ୍ରଚୁର ସମ୍ଭାବନା ପ୍ରଦର୍ଶନ କରୁଛି। ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସଦ୍ୟତମ ତଥ୍ୟ ଅନୁଯାୟୀ, ବ୍ରିଟେନକୁ ଭାରତର ରପ୍ତାନି ୧୨.୩୮% ବୃଦ୍ଧି ପାଇ ୭.୩୨ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ୨୦୨୩ ର ସମାନ ଅବଧିରେ ୬.୫୧ ବିଲିୟନ ଡଲାର ଥିଲା। ଖଣିଜ ଇନ୍ଧନ, ଯନ୍ତ୍ରପାତି ଏବଂ ମୂଲ୍ୟବାନ ପଥର, ଔଷଧ, ପୋଷାକ, ଲୁହା ଏବଂ ଇସ୍ପାତ ଏବଂ ରାସାୟନିକ ଦ୍ରବ୍ୟ ବ୍ରିଟେନକୁ ଭାରତର ରପ୍ତାନି ବାସ୍କେଟର ନେତୃତ୍ୱ ନେଉଛି, ଯାହା ମୋଟ ରପ୍ତାନିରେ ୬୮.୭୨% ଅଂଶ ଯୋଗଦାନ କରେ।

୨୦୨୯୩୦ ସୁଦ୍ଧା ବ୍ରିଟେନ ଆମର ୧ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ଏକ ପ୍ରାଥମିକତା ଦେଶ ଏବଂ ବ୍ରିଟେନକୁ ଆମର ରପ୍ତାନି ୨୦୨୯୩୦ ସୁଦ୍ଧା ୩୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।