ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଦେଶର ଲୋକଙ୍କୁ ମାରାତ୍ମକ କରୋନାଭାଇରସରୁ ରକ୍ଷା କରିବା ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୧୬.୮୯ କୋଟିରୁ ଅଧିକ ଟିକା ଯୋଗାଇ ଦେଇଛି। ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୫.୯୨ କୋଟିରୁ ଅଧିକ ଡୋଜ ମହଜୁଦ ଅଛି। ଜାରି ରହିଥିବା ଦେଶବ୍ୟାପୀ ଟୀକାକରଣ ଅଭିଯାନ ଏକ ଅଂଶ ଭାବରେ ଭାରତ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ଟିକା ମାଗଣାରେ ଯୋଗାଇ ଦେଉଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Tag: ଭାରତ ସରକାର
ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ଭାରତର ନାଗରିକମାନଙ୍କୁ ଭାରତ ସରକାର ଦେଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏହା ଏକ ବାଧ୍ୟତାମୂଳକ ଦଲିଲ। ଆଧାର କାର୍ଡ ବିନା ଆମ ଦେଶରେ କୌଣସି ସରକାରୀ କାର୍ଯ୍ୟ କରାଯାଏ ନାହିଁ। ତେଣୁ ପ୍ରତ୍ୟେକ ଆଧାର କାର୍ଡଧାରୀଙ୍କ ନାମ, ଠିକଣା ଏବଂ ଫୋନ୍ ନମ୍ବର ଅପଡେଟ୍ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଆଧାର କାର୍ଡର ସବିଶେଷ ତଥ୍ୟରେ କିଛି ତ୍ରୁଟି ଥାଏ। ଏହାକୁ ସମାଧାନ କରିବା ପାଇଁ କାର୍ଡଧାରୀଙ୍କୁ ଜନ ସେବା କେନ୍ଦ୍ରକୁ ଯିବାକୁ ପଡେ।
ଆଧାର କାର୍ଡରେ ପରିବର୍ତ୍ତନ ଆଣିଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) କହିଛି ଯେ, କାର୍ଡରେ ଅପଡେଟ୍ ପାଇଁ ଏକ ସୀମା ଅଛି। ଏହାର ଅର୍ଥ ଯେକୌଣସି ଧାରକଙ୍କ ଆଧାର କାର୍ଡରେ ନାମ, ଠିକଣା ଏବଂ ମୋବାଇଲ୍ ନମ୍ବର ଅପଡେଟ୍ କରିବାର ସୀମା ସ୍ଥିର କରାଯାଇଛି। ଯଦିଓ ଆଧାର କାର୍ଡଧାରୀମାନେ ଅନଲାଇନରେ ଅନେକ ପରିବର୍ତ୍ତନ କରିପାରିବେ, କିନ୍ତୁ କିଛି ଅପଡେଟ ପାଇଁ ସେମାନଙ୍କୁ ନିଜେ କେନ୍ଦ୍ରକୁ ଯିବାକୁ ପଡିବ। ଏଥି ସହିତ, UIDAI ଡକ୍ୟୁମେଣ୍ଟରେ ପରିବର୍ତ୍ତନ ଆଣିବା ପାଇଁ କାର୍ଡଧାରୀଙ୍କ ଠାରୁ କିଛି ଶୁଳ୍କ ମଧ୍ୟ ନେଇଥାଏ।
କେତେଥର ନାମ ଅପଡେଟ୍ କରିପାରିବେ?:
ଆଧାର କାର୍ଡରେ ଏକ ଛୋଟ ଭୁଲ ହେତୁ ଅନେକ ଥର ବଡ କାମ ବନ୍ଦ ହୋଇଯାଏ। UIDAI ଏକ ସରକାରୀ ଘୋଷଣାରେ କହିଛି ଯେ, ଯେକୌଣସି ଆଧାର କାର୍ଡରେ କରାଯାଇଥିବା ନାମ ତ୍ରୁଟି ସର୍ବାଧିକ ଦୁଇଥର ପରିବର୍ତ୍ତନ କରାଯାଇପାରିବ। ନାମ ବଦଳାଇବା ପାଇଁ କୌଣସି ଆଧାର କେନ୍ଦ୍ର ପରିଦର୍ଶନ କରିବା ଆବଶ୍ୟକ ନାହିଁ। ଘରେ ବସି ଅନଲାଇନରେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଇପାରିବ।
କେତେଥର ଜନ୍ମ ତାରିଖ ଅପଡେଟ୍ କରିପାରିବେ?:
କାର୍ଡଧାରୀମାନେ ସେମାନଙ୍କର ଆଧାର କାର୍ଡରେ ଦିଆଯାଇଥିବା ଜନ୍ମ ତାରିଖର ଭୁଲକୁ ତିନି ବର୍ଷ ମଧ୍ୟରେ ପରିବର୍ତ୍ତନ କରିପାରିବେ। ଯାହାର ଅର୍ଥ ହେଉଛି ଯଦି ଆଧାର କାର୍ଡରେ ଜନ୍ମ ତାରିଖ ତିନି ବର୍ଷରୁ ଅଧିକ କିମ୍ବା ତିନି ବର୍ଷରୁ ଅଧିକ ପଛରେ ଅଛି, ତେବେ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ। ଯେଉଁଠାରେ ଠିକଣାର ତ୍ରୁଟିକୁ ଥରେ ଅପଡେଟ୍ କରାଯାଇପାରିବ।
କେତେଥର ଲିଙ୍ଗ ଅପଡେଟ କରିପାରିବେ?:
ଯଦି ଆପଣଙ୍କର କାର୍ଡରେ ପ୍ରବେଶ କରିଥିବା ଲିଙ୍ଗରେ କିଛି ତ୍ରୁଟି ଅଛି, ତେବେ ଏହାକୁ ଅପଡେଟ କରିବା ପାଇଁ ଆପଣଙ୍କୁ ଆଧାର କେନ୍ଦ୍ର ପରିଦର୍ଶନ କରିବାକୁ ପଡିବ। ଜନ୍ମ ତାରିଖ ପରି, କାର୍ଡଧାରୀ କେବଳ ଆଧାର କାର୍ଡରେ ଲିଙ୍ଗ ପରିବର୍ତ୍ତନ କରିପାରିବେ। ୨୦୧୯ ରେ ପ୍ରକାଶିତ ବିଜ୍ଞପ୍ତିରେ UIDAI ସ୍ପଷ୍ଟ କରିଛି ଯେ, ଧାରକମାନେ କେବଳ ଥରେ ଲିଙ୍ଗ ଅପଡେଟ୍ କରିପାରିବେ।
ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।
ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।
ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଚଉପାଲ କାର୍ଯ୍ୟକ୍ରମ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତ୍ତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଦିବା ୧୧ ଘଟିକା ସମୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ୱ ହସ୍ତଶିଳ୍ପୀମାନେ ଯୋଗ ଦେଇ ତାଙ୍କର ଭାବ ବିନିମୟ ପ୍ରଦାନ କରିଥିଲେ। ବିଶେଷକରି ସରକାର ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ କରିବା, ବିଭିନ୍ନ ପରିଯୋଜନା ଏବଂ ବିଭିନ୍ନ ସ୍କିମ୍ ବିଷୟରେ ଜଣାଇବା, କାରିଗର ପରିଚୟ ପତ୍ର ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ, ବିପଣନ ଦକ୍ଷତା ବୃଦ୍ଧି, କେତ୍ରାମାନଙ୍କ ମନ ପସନ୍ଦର ଜିନିଷ ତିଆରି କରି ଉପଯୁକ୍ତ ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରାଯାଇ ଚଉପାଲ ମାଧ୍ୟମରେ ପ୍ରତ୍ୟେକ ହସ୍ତଶିଳ୍ପୀଙ୍କ ନିକଟରେ କିପରି ପହଞ୍ôଚ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କାଳୀଚରଣ ପଟ୍ଟନାୟକ (ତାଳପତ୍ର ଖୋଦେଇ ଶିଳ୍ପୀ) ଏବଂ ବୟୋଜ୍ୟଷ୍ଠ ଟେରାକୋଟା ଶିଳ୍ପୀ ମନ୍ଦର ରଣାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ୱାଲ୍ଡ଼ ଆକ୍ଟର ସମ୍ପାଦକ ବିପିନ ବିହାରୀ ସାହୁ ଅଧ୍ୟକ୍ଷତା କରି ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିକାଶ ଆୟୁକ୍ତ ହସ୍ତଶିଳ୍ପର ବରିଷ୍ଠ ସହାୟକ ନିର୍ଦ୍ଦେଶକ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିପଣନ ଦକ୍ଷତା ବୃଦ୍ଧି, ଦକ୍ଷତା ବୃଦ୍ଧି ତାଲିମ, କ୍ରେତାମାନଙ୍କ ପସନ୍ଦର ଜିନିଷ ତିଆରି କରି କିପରି ବିଜାରରେ ଉପଲବ୍ଧ ହୋଇପାରିବ ସେ ନେଇ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାଧୀନତା ୭୫ବର୍ଷ ପରେ ମଧ୍ୟ କାରିଗର ମାନେ ନିଜ ନିଜର ପେଷାକୁ ବଜାୟ କରିଥିବା ବେଳେ ମହାମାରୀ କରୋନା ସମୟରେ ମଧ୍ୟ ନିଜ ପେଶାକୁ ଭୁଲିପାରି ନାହାଁନ୍ତି। ସେଥିପାଇଁ ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ସାଧୁବାଦ ଜଣାଇବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।
ସମ୍ମାନିତ ଅତିଥି ଭାବରେ ନିର୍ମଳା ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ ପଟ୍ଟନାୟକ ହସ୍ତଶିଳ୍ପୀମାନଙ୍କ ଭଗବାନ ସହିତ ତୁଳନା କରିଥିଲେ ଏବଂ ଆମକୁ ଯୁଗ ହିସାବରେ ନୂତନ ପ୍ରକାର ଜିନିଷ ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅରୁପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଯୋଗଦେଇ ମହାମାରୀ କରୋନା ସମୟରେ କରିଗରମାନଙ୍କର ସାମାଜିକ, ଅର୍ଥନୈତିକ ମାନଦଣ୍ଡ କିପରି ସୁଦୃଢ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।
ବରିଷ୍ଠ ନମୂନା ବିକାଶକାରୀ ରାମାନୁଜ ବଇରୀଗଞ୍ଜନ ବିଶେଷକରି ଗ୍ରାମାଞ୍ଚଳରେ ଥିବା ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ଚଉପାଲର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ସମସ୍ତ ଶିଳ୍ପୀମାନଙ୍କୁ ଅନୁରୋଧ କରିଥିଲେ। ମୂର୍ତ୍ତିକା କାରଗିର ସମବାୟ ସମିତିର ସମ୍ପାଦକ ଜ୍ଞାନ ପଣ୍ଡା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମ ଭାବି ଆଗକୁ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେରାକୋଟା ଶିଳ୍ପୀ ତରୁଣ ତପନ ସାହୁ, ଗଦାଧର ରଣା, ବିକାଶ ଆୟୁକ୍ତର ୟୁଡ଼ିସି ଅମର ମିଶ୍ର ଏବଂ ୱାଲ୍ଡ଼ ଆକ୍ଟର କର୍ମୀ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ମୃର୍ତ୍ତିକା ସଂଘର ସଭାପତି ସଞ୍ଜୟ ମୁଦୁଲି ସମସ୍ତ ଅତିଥି ଓ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ କର୍ମଶାଳା ପରିସରରେ ଭାରତ ସରକାରଙ୍କ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: କୃଷକମାନଙ୍କୁ ସହାୟତା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ଛଅ ହଜାର ଟଙ୍କା ସହାୟତା ପଠାଯାଏ। କେନ୍ଦ୍ର ସରକାର ଏହି ଛଅ ହଜାରକୁ ତିନି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ଦୁଇ ହଜାର ଟଙ୍କା ଲେଖାଏଁ ପଠାନ୍ତି। ଏଭଳି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ସ୍କିମ୍ ମାଧ୍ୟମରେ ଲାଭବାନ ହୋଇପାରୁ ନାହାନ୍ତି ଏବଂ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ।
ପ୍ରତି ୪ ମାସରେ ଥରେ କୃଷକଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କାର ଏକ କିସ୍ତି ଆସେ। ପ୍ରଧାନମନ୍ତ୍ରୀ କିଷାନ ପୋର୍ଟ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆସିଥାଏ। କୃଷକମାନଙ୍କ ପାଇଁ, ଦ୍ୱିତୀୟ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଆକାଉଣ୍ଟରେ ଜମା ହେବ। ଯଦି ଆମେ ତୃତୀୟ କିସ୍ତି ବିଷୟରେ ଆଲୋଚନା କରିବା, ତେବେ ଏହା ଅଗଷ୍ଟ ୧ ରୁ ନଭେମ୍ବର ୩୦ ତାରିଖ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ।
ଅନେକ ଥର ଦେଖାଯାଇଛି ଯେ, ହିତାଧିକାରୀମାନଙ୍କ ଟଙ୍କା ଆକାଉଣ୍ଟରେ ପହଞ୍ଚି ପାରୁନାହିଁ। ଏଭଳି ପରିସ୍ଥିତିରେ ହିତାଧିକାରୀଙ୍କୁ ଏଥିପାଇଁ ଦାବି କରିବାକୁ ପଡିବ। ଅନେକ ଥର ହିତାଧିକାରୀମାନେ ନିଜର କାଗଜପତ୍ର ଅପଡେଟ କରିଥିଲେ ମଧ୍ୟ ଟଙ୍କା ଆକାଉଣ୍ଟକୁ ଆସିନଥାଏ। ଏଭଳି ପରିସ୍ଥିତିରେ ହିତାଧିକାରୀ ତାଙ୍କ ଆକାଉଣ୍ଟକୁ ସଠିକ ଭାବେ ରଖିବା ଉଚିତ୍।
ଯଦି ଆପଣ କିସ୍ତି ଗ୍ରହଣ କରିନାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜ ଅଞ୍ଚଳର ଆକାଉଣ୍ଟାଣ୍ଟ ଏବଂ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ। ସେହି ଅଧିକାରୀମାନଙ୍କୁ ଏକତ୍ର ଏହି ବିଷୟରେ ସୂଚନା ଦେବାକୁ ପଡିବ। ଯଦି କୌଣସି କାରଣରୁ ଆପଣଙ୍କ ମାମଲାର ଶୁଣାଣି ନହୁଏ, ତେବେ ଆପଣଙ୍କୁ ଏମ କିଷାନ ହେଲ୍ପ ଡେସ୍କ ର ମେଲ ଆଇଡି କିମ୍ବା ଫୋନ ମାଧ୍ୟମରେ ଯୋଗେ ଯୋଗାଯୋଗ କରିବାକୁ ପଡ଼ିବ।
ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ:
କିସ୍ତିର ଦେୟ ନଥିବା କ୍ଷେତ୍ରରେ, ଆପଣ ହେଲ୍ପଲାଇନ ନମ୍ବର ୦୧୧-୨୩୩୮୧୦୯୨ କୁ ଫୋନ କରିପାରିବେ। ଏହି ସୁବିଧା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଉପଲବ୍ଧ। ଏହା ବ୍ୟତୀତ ଆପଣ pmkisan [email protected] ଇ-ମେଲରେ ପିଏମ କିଷାନ ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ ମୋବାଇଲ୍ ଆପ୍ ମାଧ୍ୟମରେ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ।
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।
ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି। ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସୁଦର୍ଶନ ସାହୁଙ୍କୁ ଫୁଲଗଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ।
ପରେ ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କୁ ନିଜ ହାତ ତିଆରି ହସ୍ତକଳା, ଉତରିୟ ଓ ଫୁଲଗଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ପରିସରରେ ଏକ ସଂବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।
ଉକ୍ତ ସଭାରେ ଅଧ୍ୟକ୍ଷତା କରି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ସୁକ୍ଷ୍ମ କଳାକାରିଗରୀର ଉଚ୍ଚ ପ୍ରଶଂସା କରିଛନ୍ତି। ତତ ସହିତ ଓଡିଶା ଶିଳ୍ପୀ ମହାସଘର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ କରାଯାଇଥିବାରୁ ଭାରତ ସରକାରଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ନିଜ ବକ୍ତବ୍ୟରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସମାଜିକ ସୁରକ୍ଷା ପାଇଁ ସୁଦର୍ଶନ ସାହୁଙ୍କ ଦୀର୍ଘଦିନର ପ୍ରଚେଷ୍ଟା ସଂପର୍କରେ ଆଲୋକପାତ କରିଥିଲେ। ଯେଉଁ ପୁରସ୍କାର ତାଲିକାରେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ନାମ ରହିଛି, ସେହିଥିରେ ରାଜ୍ୟର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସହୁଙ୍କ ନାମ ରହିବା ଆମ ଶିଳ୍ପୀ ଓ ବୁଣାକାର ଜାତି ପାଇଁ ଏକ ଗର୍ବଗୈାରବର ବିଷୟ ବୋଲି ଶ୍ରୀ କର କହିଛନ୍ତି।
ସୂଚନା ଥାଉକି, ୧୯୮୮ ମସିହାରେ ପଦ୍ମଶ୍ରୀ ସମ୍ମାନ, ୨୦୧୧ ମସିହାରେ ଉତ୍କଳ ୟୁନିଭରସିଟି ଅଫ କଲଚର ଦ୍ୱାରା ଡକ୍ଟରେଟ ଉପାଧୀ, ୨୦୧୨ ମସିହା ପାଇଁ ଧର୍ମପଦ ପୁରସ୍କାର ସହ ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ସୁଦର୍ଶନ ସାହୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘର ମୁରବି ଭାବେ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ ଓଡିଶାର ହସ୍ତକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାସହ ଆମ ଓଡିଆଙ୍କୁ ଗର୍ବିତ କରିଛି ବୋଲି ନିଜ ବକ୍ତବ୍ୟରେ ଜାତିୟ ପୁରସ୍କାର ପ୍ରାପ୍ତ ତାଳପତ୍ର ଖୋଦେଇ ଶିଳ୍ପୀ ଶରତ ପ୍ରଧାନ କହିଥିଲେ।
ଏମାନଙ୍କ ବ୍ୟତୀତ ଯତୀନ ସାହୁ, ଅଶୋକ ସାହୁ, ବିକାଶ ଆୟୁକ୍ତ ହସ୍ତଶିଳ୍ପଙ୍କ ସହ ନିର୍ଦ୍ଦେଶିକା କୁମାରୀ ଶୈଳଜା ପ୍ରମୁଖ ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶୁଭେଚ୍ଛା ଓ ସଂବର୍ଦ୍ଧନା କାର୍ଯ୍ୟକ୍ରମକୁ ମହାସଂଘର କୋଷାଧ୍ୟକ୍ଷ ଅଶୋକ ଗୁଇଁ, ସଂଗଠନ ସଂପାଦିକା ସରୋଜିନୀ ଦାସଙ୍କ ସହ ସନ୍ତୋଷ ଓଝା, ସନ୍ତୋଷ ସାଥୁଆ, ପ୍ରତାପ ସିଂହ, ଜମ୍ବେଶ୍ୱର ବେହେରା,ଡଲି ଦାସ,ବାସନ୍ତି ନାୟକ, ଲକ୍ଷ୍ମୀଧର ଚାନ୍ଦ, ବିପିନ ସାହୁ, ଡଲି ଦାସ, ସୈାଦାମିନୀ ସ୍ୱାଇଁ, ଗୋବିନ୍ଦ ସାମଲ ଓ ଜୟନ୍ତି ନାୟକ ପ୍ରମୁଖ ପରିଚାଳନା କରିଥିଲେ।