ନୂଆଦିଲ୍ଲୀ: ଆଜି ସମ୍ବାଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଜୟନ୍ତୀରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ନୂଆଦିଲ୍ଲୀରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ୧୫,୬୦୦ ବର୍ଗ ମିଟରରୁ ନିର୍ମିତ ଏହି ସଂଗ୍ରହାଳୟରେ ଭାରତର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ତଥ୍ୟ ଉପସ୍ଥାପିତ କରାଯାଇଛି।
ସ୍ବାଧୀନତା ପରବର୍ତ୍ତୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଅବଦାନ ସଂପର୍କରେ ବର୍ଣ୍ଣନା କରାଯାଇଛି। ସଂଗ୍ରହାଳୟର ଲୋଗୋ ଧର୍ମ ଏବଂ ଚକ୍ରକୁ ଧରିଥିବା ଭାରତର ଲୋକଙ୍କ ହାତକୁ ପ୍ରତିପାଦିତ କରିଛି, ଯାହା ଜାତି ଏବଂ ଗଣତନ୍ତ୍ରର ପ୍ରତୀକ ଅଟେ।
ସଂଗ୍ରହାଳୟ ବିଷୟବସ୍ତୁକୁ ଏକ ଇଣ୍ଟରାକ୍ଟିଭ୍ ଏବଂ ଲାଇଭ ଭାବେ ଉପସ୍ଥାପନ କରିବାକୁ ଟେକ୍ନୋଲୋଜି-ଆଧାରିତ ଇଣ୍ଟରଫେସଗୁଡ଼ିକୁ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ଅଭିଲେଖାଗାର ସାମଗ୍ରୀ, ବ୍ୟକ୍ତିଗତ ସାମଗ୍ରୀ, ସ୍ମାରକପତ୍ର, ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ, ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନର ବିଭିନ୍ନ ଦିଗ ଏବଂ ଆଦର୍ଶର ଉପାଦେୟ ଉପସ୍ଥାପନା କରାଯାଇଛି।
ଏ ସବୁ ଥିମେଟିକ୍ ଫର୍ମାଟରେ ପ୍ରତିଫଳିତ ହୋଇଛି। ସଂଗ୍ରହାଳୟରେ ସମୁଦାୟ 43 ଟି ଗ୍ୟାଲେରୀ ଅଛି | ସ୍ୱାଧୀନତା ସଂଗ୍ରାମର ପ୍ରଦର୍ଶନୀଠାରୁ ଆରମ୍ଭ କରି ସମ୍ବିଧାନର ଗଠନ, ସଂଗ୍ରହାଳୟରେ ଆମର ପ୍ରଧାନମନ୍ତ୍ରୀମାନେ ବିଭିନ୍ନ ଆହ୍ବାନ ଦେଇ ଦେଶକୁ କିପରି ଆଗେଇ ନେଇଥିଲେ ତାହାର କାହାଣୀ ବର୍ଣ୍ଣନା କରାଯାଇଛି । ଏହି ଗ୍ୟାଲେରୀ ପରିଦର୍ଶନ ପାଇଁ ଟିକେଟ ମୂଲ୍ୟ ଏକଶହ ଟଙ୍କା ରଖାଯାଇଛି।