Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପିର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ।

ଓଡ଼ିଆ ଚଳଚ୍ଚିତ୍ର ତଥା କଳା ଜଗତ ପାଇଁ ଶ୍ରୀଯୁକ୍ତ ଜେଠୀଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଦର୍ଶକ କିପରି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ବିଭିନ୍ନ ଶୈଳୀରେ ପ୍ରଚାର କରି ବେଶ ଚର୍ଚ୍ଚିତ ହୋଇଛନ୍ତି। ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର କରିବା ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି। କେବଳ ଚଳଚ୍ଚିତ୍ର ନୁହେଁ, ମେଗା ଧାରାବାହିକ, ୱେବ ସିରିଜ୍, ମଞ୍ଚ ନାଟକ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ।

କଞ୍ଚା ଲଙ୍କା, ଆଓ ନେକ୍ସଟ ଭଳି ଆଗଧାଡିର ଦୁଇଟି ଓଟିଟି ପ୍ଲାଟଫର୍ମ, ଓଡିଶାର ସର୍ବାଧିକ ଲୋକ ପ୍ରିୟ ସାଟେଲାଇଟ ଚ୍ୟାନେଲ ଜୀ ସାର୍ଥକ, ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ୍‌ ଆମର ମ୍ୟୁଜିକର ପ୍ରଚାର ଓ ପ୍ରସାର ମୁଖ୍ୟ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଜୁପିଟର କଲେଜ, ନିସ୍‌ ଗ୍ରୁପ୍‌ ଅଫ୍ ଇନଷ୍ଟିଟ୍ୟୁସନ, ଗୀତା ଅଟୋନୋମସ୍ କଲେଜ, ଗିଫ୍ଟ ଅଟୋନୋମସ୍ କଲେଜ, ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୂସଳସ୍ , ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଇତ୍ୟାଦି କଲେଜର ଫ୍ରିଲାନ୍ସ ପ୍ରଚାର ଓ ପ୍ରସାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଏ ତାହା କିପରି ସଠିକ ଭାବେ ହୋଇପାରିବ ଏବଂ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ସେ ସବୁବେଳେ ଯତ୍ନବାନ ଥାଆନ୍ତି। ମିଡ଼ିଆ ଦୁନିଆ ପ୍ରତି ଶ୍ରୀଯୁକ୍ତ ଜେଠୀ ଙ୍କ ଅତୁଳନୀୟ ଅବଦାନ ପାଇଁ ଉପସ୍ଥିତ ଅତିଥି ଗଣ ଅଧିକରୁ ଅଧିକ କାର୍ଯ୍ୟ କରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ – ୨୦୨୫ ଉଦଘାଟିତ’

ଭୁବନେଶ୍ୱର: ଫଟୋ – ସ୍ମୃତିଚାରଣର ପ୍ରତିଚ୍ଛବି। ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ। ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫। ଭୁବନେଶ୍ୱର ସାମ୍ବାଦିକ ସଂଘ (ବିଜେଏ) ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର କଥାବସ୍ତୁ ରହିଥିଲା “ପ୍ରେସ୍ ଫର୍ ଦ ପ୍ଲାନେଟ୍”। ପରିବେଶ ସଚେତନତା ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାରେ ଏକ ମୁକ୍ତ ପ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏହି ପ୍ରଦର୍ଶନୀରେ ପ୍ରେସ୍ ସ୍ୱାଧୀନତା ଏବଂ ଧରାପୃଷ୍ଠର ସୁରକ୍ଷା ଉପରେ ମହତ ବାର୍ତ୍ତା ଦିଆଯାଇଥିଲା।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ରାଉତରାୟ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଭୁବନେଶ୍ୱର ଫଟୋଗ୍ରାଫିର ପ୍ରତିଷ୍ଠାତା ସଦସ୍ୟ ସିଦ୍ଧାର୍ଥ ଦେ’, ‘ଆମ ଟିଭି’ର ପରିଚାଳନା ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପୂର୍ବତନ କର୍ପୋରେଟର ନରେନ ସାହୁ ଓ ଉମାକାନ୍ତ ମିଶ୍ର ସମସାମୟିକ ସମୟରେ ଏଭଳି କଥାବସ୍ତୁ ଉପରେ ଅନୁଷ୍ଠିତ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହ ଭୁବନେଶ୍ୱର ସାମ୍ବାଦିକ ସଂଘର ଉଲ୍ଲେଖନୀୟ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ୩୦ ଜଣରୁ ଅଧିକ ଫଟୋ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ। ଫଟୋ ସାମ୍ବାଦିକ, ଫଟୋଗ୍ରାଫର, ଛାତ୍ରଛାତ୍ରୀ, ଫଟୋପ୍ରେମୀମାନେ ଏହି ପ୍ରଦର୍ଶନୀକୁ ବୁଲିବା ସହ ମୋବାଇଲରେ ଫଟୋଗୁଡ଼ିକୁ ଉତ୍ତୋଳନ କରିଥିଲେ।

ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତି ଏବଂ ସହଯୋଗରେ ଭୁବନେଶ୍ୱର ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ କୁମାର ସାହୁ କାର୍ଯ୍ୟକ୍ରମର ପରିଚାଳକ ଭାବରେ ସବୁପ୍ରକାର ଦାୟିତ୍ୱ ତୁଲାଇଥିଲେ। ସାମ୍ବାଦିକ ପ୍ରଦୀପ କୁମାର ଜେନା ମଞ୍ଚ ପରିଚାଳନା କରିବା ସହ ଶେଷ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏହି ପ୍ରଦର୍ଶନୀକୁ ଅନୁଭବ କରିବା ପାଇଁ ସବୁ ବର୍ଗ ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।