ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଓଡିଶାର ବିକାଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ ଆରମ୍ଭ ହୋଇଗଲାଣି। ଏହାର କାରଣ ହେଲା ଯେ, ନବୀନବାବୁ ନୂଆଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ।
ନବୀନ ପଟ୍ଟନାୟକ ଏହି ପାଳିରେ ମନ୍ତ୍ରୀ ମଣ୍ଡଳ ଆଦୌ ଅଦଳବଦଳ କରି ନାହାଁନ୍ତି। ତେଣୁ ଦିଲ୍ଲୀରୁ ଫେରିବା ପରେ ଏହା କରାଯିବ ବୋଲି ସଚିବାଳୟ କରିଡୋରରେ ଆଲୋଚନା ଆରମ୍ଭ ହୋଇଯାଇଛି। ନବୀନ ଅନେକ ସମୟରେ ନୂଆଦିଲ୍ଲୀ ଗସ୍ତରୁ ଆସିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଥାନ୍ତି। ସେଥିପାଇଁ ଏହି ଚର୍ଚ୍ଚା ବେଶ ଜୋର ଧରିଛି।
ବର୍ତ୍ତମାନ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ବିଜେଡି ବେଶ ସଫଳତା ମଧ୍ୟ ହାସଲ କରିଛି। ତେଣୁ ବର୍ତ୍ତମାନ ସଂଗଠନ ସଜାଡିବା କାମ ଆରମ୍ଭ ହେବ। ଅନ୍ୟପଟେ ନବୀନ ବହୁ ବର୍ଷ ପରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେଣୁ ଏସବୁକୁ ବିଚାର କଲେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସୁନିଶ୍ଚିତ ବୋଲି ଜଣାପଡିଲାଣି।
ତେବେ ନବୀନ କାହାକୁ ନେବେ କାହାକୁ ରଖିବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି। କେତେକଙ୍କ କହିବା କଥା ହେଲା ଯେ, ଏହି ପାଳିରେ ଯେଉଁ ମନ୍ତ୍ରୀମାନେ ଦଳକୁ ବେଶ ବଦନାମ କରିଛନ୍ତି ସେମାନଙ୍କୁ ବିତାଡିତ କରାଯିବ। ସେମାନଙ୍କ ପାଇଁ ଦଳ ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛି। ସେଥିପାଇଁ ସେମାନଙ୍କୁ ନବୀନ ବାଦ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି।
ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ପୁରା ଅଯୋଗ୍ୟ ବୋଲି ପ୍ରମାଣିତ ହୋଇସାରିଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ସମୟରେ ହଟହଟା ହେଉଛନ୍ତି। ସେହିପରି ଅଯୋଗ୍ୟ ମନ୍ତ୍ରୀଙ୍କୁ ମଧ୍ୟ ବିତାଡିତ କରାଯିବ ବୋଲି ସଙ୍କେତ ମିଳିସାରିଛି। ମୁଖ୍ୟତଃ ଏଥର ମନ୍ତ୍ରୀ ମଣ୍ଡଳରେ ନବୀନ ମହିଳାମାନଙ୍କୁ ବେଶ୍ ଗୁରୁତ୍ବ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।
ଏକ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳର ଏକ ସାମ୍ଭବ୍ୟ ତାଲିକା କୁଆଡେ ପ୍ରସ୍ତୁତ କରିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଚୁଡାନ୍ତ ରୂପରେଖ ଦେବେ। ତେବେ ଏଥର ମନ୍ତ୍ରୀ ମଣ୍ଡଳରେ କିଏ ରହିବେ, କିଏ ବାଦ ପଡିବେ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଭିତିିରିଆ ସୂଚନା ମିଳିପାରୁ ନାହିଁ। ହେଲେ ଏହି ଏପ୍ରିଲ ମାସରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ନିଶ୍ଚିତ ବୋଲି ଜଣାପଡିଛି।