ମହାକୁମ୍ଭ 2025: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ଏକ ମେସିନ ବୋଟରେ ଯାଇ ଏହି ବୁଡ ପକାଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସଙ୍ଗମରେ ବୁଡ଼ ପକାଇବାରେ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି।
ଆଜି ରାଷ୍ଟ୍ରପତି ପ୍ରୟାଗରାଜରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ସଙ୍ଗମ ସ୍ଥଳରେ ପହଞ୍ଚିଥିଲେ। ସଙ୍ଗମ ହେଉଛି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀଙ୍କର ସଙ୍ଗମ ସ୍ଥଳ। ଏହା ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ବହନ କରେ।
ଚଳିତ ମହାକୁମ୍ଭ ଉତ୍ସବ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବଡବଡ ନେତା ଏଠାରେ ବୁଡ଼ ପକାଇ ସାରିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପୂର୍ବ କୁମ୍ଭ ସମୟରେ ସଙ୍ଗମରେ ବୁଡ଼ ପକାଇଥିଲେ। ତାଙ୍କ ଗସ୍ତ ସମୟରେ, ସେ ସଙ୍ଗମ କୂଳରେ ରହିଥିଲେ ଏବଂ ସେଠାରୁ ମେଳା ଦେଖିଥିଲେ। ସେହି ସ୍ଥାନ ବର୍ତ୍ତମାନ ‘ରାଷ୍ଟ୍ରପତିଙ୍କ ଦର୍ଶନ’ ଭାବରେ ଜଣାଶୁଣା।