Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରେ ପଶି ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୋଳବନ୍ଧ ଗ୍ରାମରେ ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟ ହୋଇଛି। ସୂଚନା ଅନୁଯାୟୀ ଆଦିକନ୍ଦ ତାରିଣୀ ନାମକ ଜଣେ ବ୍ୟକ୍ତିଙ୍କ ପଛପଟେ କବାଟ ଭାଙ୍ଗି ଲୁଟେରାମାନେ ଘରେ ପଶିଥିଲେ। ଘରେ ବୋହୁ ଶୋଇଥିବା ବେଳେ ବେକରୁ ମଙ୍ଗଳସୂତ୍ର ଛିଣ୍ଡାଇ ନେବାକୁ ଚେଷ୍ଟା‌ କରିଥିଲେ। କିନ୍ତୁ ସେ ପ୍ରତିବାଦ କରିବାରୁ ଲୁଟେରାମାନେ ଏକ ଧାରୁଆ ଅସ୍ତ୍ରରେ ତା ମୁଣ୍ଡକୁ ଶକ୍ତ ପ୍ରହାର ଦେବା ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ପରେ ଦୁର୍ବୃତ୍ତ ମାନେ ଘରେ ପଶି ଆଲମାରୀ ଭାଙ୍ଗି ୧୦ ତୋଳା ସ୍ବର୍ଣ୍ଣ ଅଳଙ୍କାର, ୧୦ ତୋଳା ରୁପା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଆହତ ମହିଳା ଜଣଙ୍କ ବର୍ତ୍ତମାନ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏତଦବ୍ୟତୀତ ଲୁଟେରାମାନେ ସେହି ଗ୍ରାମର ଅନ୍ୟ ଏକ ଘରେ ମଧ୍ୟ ସେହିଭଳି ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି। ଏହିଭଳି ପରିସ୍ଥିତିରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପୋଲିସ କିଭଳି ପଦକ୍ଷେପ ନେଉଛନ୍ତି, ଗାଁ ଲୋକେ ଚାହିଁ ବସିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ୍‌: ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩)। ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍‌କୁ ପୋଲିସ୍ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ। ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ ଭୟଭୀତ କରାଇଥିଲେ। ଏହାସହ ଟଙ୍କା ମାଗି ତାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ମୋଟର ସାଇକେଲ୍‌ରେ ପଳାଇଥିବା ବେଳେ ଉଭୟ ଅଭିଯୁକ୍ତ ଆସାମଜିକ ଯୁବକ ହୋଇଥିବାରୁ ସାହିଲୋକ ଚିହ୍ନି ଥିଲେ। ଏନେଇ ମୀନତୀ ଥାନାରେ ଅଭିଯୋଗ କରିଥିଲେ। ଏହି ଆକ୍ରମଣରେ ମୀନତୀ ଦାସଙ୍କ ବେକରେ ଆଘାତ ଲାଗିଥିଲା।

ପୋଲିସ୍ ଥାନା କେସ ନଂ ୧୭୪/୨୦, ୪୫୦/୩୯୪ ଆଇପିସି/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନ ପରେ ମାତ୍ର ତିନିଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ୱୟକୁ ଠାବ କରି ଗିରଫ କରିଥିଲା। ତେବେ ଏହି ଦୁଇଜଣ କୁଖ୍ୟାତ ଅପରାଧୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡ଼କାୟତି ଭଳି ମାମଲା ରିହିଛି । ଶିବ ପଟ୍ଟନାୟକ ନାମରେ ପୂର୍ବରୁ ୧୨ଟି ମାମଲା ରୁଜୁ ହୋଇଥିବାବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି। ଦୁଇ ଅଭିଯୁକ୍ତଙ୍କ କରୋନା ପରୀକ୍ଷା ହେବା ପରେ କୋର୍ଟଚାଲଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।