Categories
ଆଜିର ଖବର ରାଜ୍ୟ ଖବର

ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଏମ.ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତ୍ରିରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୁତ୍ୟୁ ଘଟିଥିବା ବେଳେ ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି।

ଛତିଶଗଡରୁ କିଛି ମାଓବାଦୀ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିବାର ଆଶଙ୍କା ଥିବା ଖବର ପାଇ ଏସ.ଓ.ଜି ଓ ଡି.ଭି.ଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଜିଲ୍ଲାର ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ପଶୁଥିବା ବେଳେ ଜବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ।

ଏହାପରେ ଯବାନମନେ ମଧ୍ୟ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଡି.ଭି. ଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ପରେ ଆହତ ଯବାନଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ଆହତ ଯବାନଙ୍କ ନାମ ଡମୁରୁ ବଡ଼ନାୟକ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବର୍ତ୍ତମାନ ବିଏସଏଫ, ଏସ.ଓ.ଜି ଏବଂ ଡି.ଭି.ଏଫ ପକ୍ଷରୁ ସର୍ଚ୍ଚ ଅପରେସନ ସହ କୁମ୍ବିଂ ଅପରେସନ ଜାରି ରହିଛି।