Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଗଣା ଚାଉଳ ଯୋଗାଣ ଯୋଜନା ଆଉ ଚାରି ବର୍ଷ ପାଇଁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ସମେତ ସମସ୍ତ ସରକାରୀ ଯୋଜନା ଅଧୀନରେ ଚାଉଳର ଯୋଗାଣ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି କ୍ରମେ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଆଉ ଚାରି ବର୍ଷ ପାଇଁ ଲୋକେ ମାଗଣା ଚାଉଳ ପାଇପାରିବେ।

ଏହି ଚାଉଳ ଯୋଗାଣ ପଦକ୍ଷେପ ଏକ କେନ୍ଦ୍ରୀୟ ଯୋଜନା ହୋଇ ରହିବ, ଯାହା PMGKAY ର ଖାଦ୍ୟ ସବସିଡି କାର‌୍ୟ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଯୋଜନା। ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ୍ (ଟିପିଡିଏସ୍) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS) ଏବଂ PM POSHAN (ପୂର୍ବରୁ ମଧ୍ୟ-ଦିନ ଭୋଜନ) ପରି ସମୃଦ୍ଧ ଚାଉଳ ଯୋଗାଣକୁ ସୁନିଶ୍ଚିତ କରି ପୁଷ୍ଟିହୀନତା ଏବଂ ରକ୍ତହୀନତାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଛି।

ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁଷ୍ଟିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ୭୫ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ଏପ୍ରିଲ୍ ୨୦୨୨ ରେ କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି (CCEA) ର ନିଷ୍ପତ୍ତି ପରେ ଦେଶବ୍ୟାପୀ ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ସରକାରୀ ଯୋଜନା ମାଧ୍ୟମରେ ଚାଉଳ ଯୋଗାଣର ଲକ୍ଷ୍ୟ ସଫଳତାର ସହ ହାସଲ ହୋଇପାରିଛି।

ଭାରତ ଏକ ପୁଷ୍ଟିହୀନତା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ୨୦୧୯ ରୁ ୨୦୨୧ ପର‌୍ୟ୍ୟନ୍ତ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁଯାୟୀ, ବିଭିନ୍ନ ବୟସ ବର୍ଗ ଏବଂ ଆୟ ସ୍ତରରେ ବିଶେଷ କରି ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ରକ୍ତହୀନତା ପରିଲକ୍ଷିତ ହୋଇଛି।

ଲୌହ ଅଭାବ ସହିତ, ସର୍ବେକ୍ଷଣରେ ଭିଟାମିନ୍ ବି ୧୨ ଏବଂ ଫୋଲିକ୍ ଏସିଡ୍ ଭଳି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଦର୍ଶାଯାଇଛି। ଏହା ଜନସଂଖ୍ୟାର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଏହି ଚାଉଳ ବଣ୍ଟନ ପକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ଚାରି ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ବଡ ଘୋଷଣା, ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ୫ କେଜି ଚାଉଳ

ଭୁବନେଶ୍ୱର: ଜାନୁଆରୀ ୨୩ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର‌୍ୟ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ। ଏଥିପାଇଁ ମୋଟ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅତିରିକ୍ତ ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ।

ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ନାମକ ରାଜ୍ୟ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ୧ ଟଙ୍କାରେ ୫ କେଜି ଚାଉଳ ଅକ୍ଟୋବର ୨୦୧୮ ଠାରୁ ପ୍ରଦାନ କରି ଆସୁଛନ୍ତି।  ବର୍ତ୍ତମାନ ଏହି ଘୋଷଣା ପରେ ହିତାଧିକାରୀ ଆଉ କୌଣସି ପଇସା ଦେବାକୁ ପଡିବ ନାହିଁ।

ଏହି ହିତାଧିକାରୀମାନଙ୍କୁ ରାଜ୍ୟରେ ଚାଲିଥିବା କୋଭିଡ-୧୯ ମହାମାରୀ ପାଇଁ ଗତ ୨୮ ମାସ ମଧ୍ୟରେ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଏହି ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରକୁ ଦୁଇଥର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ବର: କରୋନା ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ମେ’ ଏବଂ ଜୁନରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ ମିଳିବ। ଏହି ଦୁଇ ମାସରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅତିରିକ୍ତ ଚାଉଳ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।