Categories
ଆଞ୍ଚଳିକ

ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ପାଳିତ

ବାଣପୁର: ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବ ମା’ ସାଆନ୍ତାଣିଙ୍କ ମାନବୀୟ ଲୀଳାର ଆଉ ଏକ ପରିପ୍ରକାଶ। ଏପୀଠର ସମସ୍ଥ ଜାନିଯାତ୍ରା ପର୍ବପର୍ବାଣୀ ଅନ୍ୟ ଶକ୍ତିପୀଠଠାରୁ ସଂପୂର୍ଣ୍ଣ ନିଆରା। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ହୋଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇଥିଲା।

ପରେ ବଲ୍ଲଭ ଆଳତି ବଢିବା ପରେ ସର୍ବ ସାଧାରଣ ନୈବେଦ୍ୟ ଅର୍ପଣ ହୋଇ ଚିଲିକା ମଧ୍ୟସ୍ଥ ପୂର୍ବ ଦିଗରକ୍ଷାକାରିଣୀ ଭଉଣୀମା’କାଳିଜାଇ ଙ୍କ ପୀଠରୁ ପାରିକୁଦ ଗଡ଼ର ରାଜାସନ୍ତୋଷ ମାନସିଂମର୍ଦ୍ଦରାଜ ଙ୍କ ଦ୍ଵାରା ମା’ଙ୍କ ସେବକ ସହଦେବ ନାୟକ ହାତରେ ପଠାଇଥିବା ମକରଯାତ୍ରା ନିମନ୍ତ୍ରଣକୁସାଦରେ ଗ୍ରହଣ କରି ନିଜର କାଠି ନାହକ ସେବକ ଗଣେଶ ନାୟକ ହାତରେ ଆଜ୍ଞାମାଳ ସହିତ ଶାଢ଼ି, ଚୁଡ଼ି ସିନ୍ଦୁର ଅଳତା, ଓଡ଼ଣୀ ‘ଫୁଲ, ଗଜାମୁଆଁ ନେଇ କାଳିଜାଇଙ୍କ ପୀଠକୁ ଯାଇ ରାଜାଙ୍କ ହାତରେ ଅର୍ପଣ ପରେ ଭଉଣୀ କାଳିଜାଇଙ୍କୁ ଲାଗି କରାଇଥିଲେ। ପୁଣି ପଶ୍ଚିମ ଦିଗ ରକ୍ଷାକାରିଣୀ ଭଉଣୀ ମା’ ବିରିଯାଇଙ୍କ ମକରଯାତ୍ରା ନିମନ୍ତ୍ରଣ ରକ୍ଷା କରି ସେହି ପୀଠକୁ ମଧ୍ୟ ସେବକ ଅଶ୍ବିନୀ ମିଶ୍ର ଙ୍କ ହାତରେ ଆଜ୍ଞାମାଳ ସହ ଶାଢି, ଚୁନରି, ଚୁଡ଼ି , ସିନ୍ଦୁର ଅଳତା ଫୁଲ, ନୂଆ ଅରୁଆ ଚାଉଳ, ଗୁଡ, ଘିଅ, କଦଳୀ ନଡ଼ିଆ, ମସଲା, ବିଭିନ୍ନ ଫଳମୂଳ,ଗଜାମୁଆଁ ଇତ୍ୟାଦି ଦ୍ରବ୍ୟ ପଠାଯାଇଥିଲା।

ଭଉଣୀ ଭଉଣୀ ମଧ୍ୟରେ ଜାନିଯାତ୍ରା ସମୟରେ କିପରି ପରସ୍ପର ମଧ୍ୟରେ ସୁସଂପର୍କ ଦିଆନିଆ ସାମାଜିକ ମୂଲ୍ୟବୋଧ ଭିତିକ ମାନବୀୟ ଲୀଳାର ସୁନ୍ଦର ପରିକଳ୍ପନା କାହିଁ କେଉଁ କାଳରୁ ଚଳି ଆସିଛି। ସଂଧ୍ୟାରେ ମା’ଙ୍କ ଚଳନ୍ତି ପ୍ରତିମାକାଠି ଠାକୁରାଣି ବାପଘର ଦକ୍ଷେଶ୍ଵର ଦେବ ମନ୍ଦିର ମକରବେଢ଼ା ସାରି ବାଜାରୋଶଣି ଘଣ୍ଟ,କାହାଳି ଛତ୍ରତରାଶ ସହିତ ନିଜ ମନ୍ଦିରକୁ ଯାତ୍ରା କରିଥିଲେ। ଦକ୍ଷେଶ୍ଵର ମନ୍ଦିରଠାରେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ମକର ତାଡ଼ ମଧ୍ୟ ଅତି ନିଷ୍ଠାର ସହିତ ପାଳିଆମାଳି ସେବାୟତମାନେ ମା’ଙ୍କ ମନ୍ଦିରକୁ ନେଇଯାଇଥିଲେ।ସେଠାରେ ମା’ଙ୍କ ଠାରେ ମକର ନୈବେଦ୍ୟଘଣ୍ଟକାହାଳି ବାଜି ଧୂପ କରାଯାଇ ମକର ଆଳତି ବଢ଼ିଥିଲା।

ପରେ ସେବାୟତ ଓ ସର୍ବସାଧାରଣଙ୍କୁ ମକର ପ୍ରସାଦ ବଣ୍ଟନ କରାଯାଇଥିଲା। ପବିତ୍ର ମକର ସଂକ୍ରାନ୍ତିରେ ମା’ଙ୍କୁ ଦର୍ଶନକରି ମକରପ୍ରସାଦ ପାଇବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମାଙ୍କ ବଡ଼ ଶିଙ୍ଗାର ହୋଇ ଖେଚଡ଼ି ,ଡାଲି,ଆମ୍ବିଳ ,ମାଚ୍ଛ ମହୁର, ମାଛ ଗୁଣ୍ଡି ଭଜା ସହିତ କାନ୍ତି କାକରା, ଛେନାପଣା ଧୂପ ହୋଇ ମା’କାଠିଠାକୁରାଣି ଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଥିଲେ। ମନ୍ଦିରରେ ରାତ୍ର ପହଡ଼ ହୋଇଥିଲା। ମା’ଙ୍କୁ ଦର୍ଶନ କରିବାପାଇଁ ଦିନ ତମାମ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଇତ୍ୟାଦି ଜିଲ୍ଲାମାନଙ୍କରୁ କୋଡ଼ି ଏହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ମନ୍ଦିର କାର୍ଯ୍ୟାଳୟ ତରଫରୁ ମନ୍ଦିରକୁ ସୁନ୍ଦର ଭାବରେ ଫୁଲରେ ସଜାଯାଇ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ଥାନା ସମସ୍ଥ ପ୍ରକାର ବନ୍ଦୋବସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଢ଼ଣ ଷଷ୍ଠୀରେ ଘୋଡ଼ଲାଗି ହେଲେ ମା’ ଭଗବତୀ

ବାଣପୁର: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଓଢ଼ଣ ଷଷ୍ଠୀ ଭାବରେ ସମଗ୍ର ଉତ୍କଳର ଦେବା ଦେବୀଙ୍କ ପୀଠରେ ପାଳନ କରାଯାଏ। ଏହିଦିନ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ୍ର ଦେବାଦେବୀମାନେ ଶୀତବସ୍ତ୍ର ପରିଧାନ କରିବାର ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇଆସିଛି ଯାହାକୁ ଘୋଡ଼ଲାଗି ବୋଲି ମଧ୍ୟ କୁହାଯାଏ। ମାନବୀୟ ଲୀଳାର ପ୍ରତୀକ ଏହିପର୍ବ ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଘୋଡ଼ଲାଗି ବେଶ ଧାରଣ କରିବା ପରି ବାଣପୁରର ମା’ ଭଗବତୀ ମଧ୍ୟ ଏହି ଦିନଠାରୁ ଘୋଡ଼ଲାଗି ବା ଶୀତବସ୍ତ୍ର ଘୋଡ଼େଇ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ପରମ୍ପରା ଚ଼ଳିଆସିଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରୁ ବରିଷ୍ଠ ଆଡ଼ଭୋକେଟ୍ ଶ୍ରୀଯୁକ୍ତସୂର୍ଯ୍ୟ ପ୍ରସାଦ ମିଶ୍ର ମା’ଙ୍କ ପାଇଁ ଶୀତବସ୍ତ୍ର ଶ୍ରଦ୍ଧାଳୁଭେଟିନାଥ ଜେନାଙ୍କ ହାତରେ ପଠାଇଥିଲେ। ମନ୍ଦିର କାର୍ଯ୍ୟାଳୟରୁ ପ୍ରସ୍ତୁତ ଘୋଡ଼ ଓ ଧଳାଶାଢ଼ି ସହିତ ଉକ୍ତ ଶୀତବସ୍ତ୍ରକୁ ପରିଚ୍ଛା ସାଆନ୍ତ କୃତିବାସ ମହାପାତ୍ର, ପାଳିଆମାଳି ସଂଜୟ ନାୟକ ଓ ପବିତ୍ରନାୟକ, ମନ୍ଦିର କର୍ମଚ଼ାରୀ ଅଶ୍ୱିନୀ ମିଶ୍ର ଗ୍ରହଣ କରି ଅଧିବାସ ପରେ ମା’ଙ୍କୁଲାଗି କରାଇଥିଲେ। ଆଜିଠାରୁ ପ୍ରତିଦିନ ବଡ଼ସିଂହାର ବେଶରେ ମା’ଘୋଡ଼ଲାଗି ହୋଇ ରାତ୍ର ଧୂପ ଆଳତି ପରେ ପହୁଡ଼ଯିବେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦେବ ଦୀପାବଳିରେ ସମସ୍ତେ ଦୀପ ଜାଳି ବିଶ୍ଵଶାନ୍ତି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ

ଭୁବନେଶ୍ୱର: ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ପାରମ୍ପରିକ ଭାବରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ହୋଇ ଆସୁଛି। ଶାସ୍ତ୍ରୀୟ ଓ ପାରମ୍ପରିକ ବିଶ୍ୱାସ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଶ୍ୟପ, ଅଦିତି, କୌଶଲ୍ୟା, ଦଶରଥ, ନନ୍ଦ, ଯଶୋଦା, ବାସୁଦେବ, ଦେବକୀ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଏହି ତିଥିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି।

ଏହି ତିଥିରେ ମଧ୍ୟ ସୁପ୍ରସିଦ୍ଧ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିବାର ମାନବୀୟ ଲୀଳାର ଏହା ଏକ ଉଦାହରଣ। ବିଶ୍ୱର କଲ୍ୟାଣ ଓ ବିଶ୍ୱ ଶାନ୍ତି ଉଦ୍ୟେଶରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଓଡିଶା ତରଫରୁ ଓଡିଶାର ପ୍ରତ୍ୟେକ ମନ୍ଦିରରେ ଏହି ପର୍ବ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ଓଡିଶା ମନ୍ଦିର ସେବାୟତ ସଙ୍ଘର କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଆଗାମୀ ୧୩ ତାରିଖରେ ଏହି ଏହି ଦୀପଦାନ ପର୍ବ ପୁରୀ ସହର ସମେତ ଓଡିଶାର ପ୍ରତ୍ୟେକ ମନ୍ଦିର ମାନଙ୍କରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଶ୍ୱ ଶାନ୍ତି ଓ କଲ୍ୟାଣ ପାଇଁ ପ୍ରାର୍ଥନା ନିମନ୍ତେ ଆହ୍ୱାନ କରାଯାଉଛି।

ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ତରଫରୁ କେବଳ ମନ୍ଦିର ନୁହେଁ ସମସ୍ତ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀ ନିଜ ଘରେ ଥିବା ଦେବା ଦେବୀଙ୍କ ପାଖରେ ମଧ୍ୟ ଡିସେମ୍ବର ୧୧, ୧୨ ଓ ୧୩ ତାରିଖ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ କରି ସମଗ୍ର ସଂସାରର କଲ୍ୟାଣ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ପୁରୀ ମହି ପ୍ରକାଶ ମଠର ମହନ୍ତ ଶ୍ରୀ ଶୁଭନନ୍ଦ ମହାରାଜ, ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନର ସଭାପତି ତଥା ଶ୍ରୀ ମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ମୁଖପାତ୍ର ଗଣେଶ୍ୱର ମହାସୁଆର,ମହାସୁଆର ନିଯୋଗ ସମ୍ପାଦକ ହରେକୃଷ୍ଣ ସିଂହାରୀ, ଗୌରୀଶଙ୍କର ସିଂହାରୀ, ବରିଷ୍ଠ ପୁଷ୍ପାଳକ ସେବାୟତ ଜିତେନ୍ଦ୍ର ମହାପାତ୍ର, ପ୍ରତିହାରୀ ସେବାୟତ ନରେନ୍ଦ୍ର ମହାନ୍ତି, ଦେବ ଦୀପାବଳି ସଂଯୋଜକ ନୀଳମଣି ଗୁରୁ, ଜଗନ୍ନାଥ ସଂସ୍କୃତି ଗବେଷକ, ଆଲୋକ ଖୁଣ୍ଟିଆ, ଓଡିଶା ମନ୍ଦିର ସେବାୟତ ସଙ୍ଘ ସମ୍ପାଦକ ବାମେଶ୍ୱର ତ୍ରିପାଠୀ, ସଭାପତି, ସଦସ୍ୟ କୃଷ୍ଣଚନ୍ଦ୍ର ଦାଶ, ଦେବ ଦୀପାବଳି ପରିଚାଳନା ସଂଯୋଜକ ବାସୁଦେବ ଭଟ୍ଟ, ଗଣମାଧ୍ୟମ ସଂଯୋଜକ ଶୁଭେନ୍ଦୁ ଦାଶ, ଆଦ୍ୟପ୍ରାଣ ସୁବୁଦ୍ଧି, ଦେବୀ ପ୍ରସନ୍ନ ପଣ୍ଡା, ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ପ୍ରଣୟ ଜେଠି, ବିଜୟ କେତନ ନନ୍ଦ ଆଦି ଉପସ୍ଥିତ ଥିଲେ।