ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ, ସିଏମ୍ ସଚିବ ୫ଟି, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଏବଂ ଇପିକୋଲର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ଜାପାନରେ ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିବେ।
ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବେ। ଏଥିରେ ଓଡିଶା ସରକାରଙ୍କ ସହଯୋଗରେ କିପରି ଇସ୍ପାତ କ୍ଷେତ୍ରରେ ପୁଂଜି ନିବେଶ ହେବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ।
ଏହି ପ୍ରତିନିଧି ଦଳର ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା
ଏପ୍ରିଲ୍ ୦୪, ୨୦୨୩ (ମଙ୍ଗଳବାର): ନିପନ୍ ଷ୍ଟିଲ ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତିଙ୍କ ସହିତ ବୈଠକ ।
ଏପ୍ରିଲ୍ ୦୫, ୨୦୨୩ (ବୁଧବାର): ଜାପାନିଜ କମ୍ପାନୀଗୁଡିକ ସହିତ ୱାନ ଟୁ ୱାନ ମିଟିଂ,
ଓଡିଶା ବ୍ୟବସାୟ ମିଟ୍ ୨୦୨୩ ଏବଂ ଜାପାନରେ ଥିବା ଓଡିଆ ସମ୍ପ୍ରଦାୟ ସହିତ ସାକ୍ଷାତ ସହ ରାତ୍ରୀ ଭୋଜନ।
ଏପ୍ରିଲ୍ ୦୬, ୨୦୨୩ (ଗୁରୁବାର): ନିପନ ଷ୍ଟିଲସର କିମିଟୁ ୱାର୍କସ କାରଖାନା ପରିଦର୍ଶନ କରିବେ।
ଆସନ୍ତାକାଲି ଟୋକିଓର ଓକୁରା ଠାରେ ଓଡିଶା ବ୍ୟବସାୟ ସମ୍ମିଳନୀ ୨୦୨୩ ଆୟୋଜନ ହେବ। ଏଥିରେ ଜାପାନ ଏବଂ ନିକଟବର୍ତ୍ତୀ ଦେଶରୁ ପ୍ରାୟ ୨୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସିଧା ସମ୍ବୋଧିତ କରିବେ। ସେ ଓଡିଶାରେ ବର୍ତ୍ତମାନ ଉଦୀୟମାନ ବ୍ୟବସାୟ ସୁଯୋଗ ସଂପର୍କରେ ଉପସ୍ଥିତ ନିବେଶକଙ୍କୁ ଅବଗତ କରାଇବେ।
ଆଜି ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଗସ୍ତ ଜାପାନ ଏବଂ ଓଡିଶା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହି ପ୍ରତିନିଧୀ ଦଳକୁ ଜାପାନ ସରକାର ଏବଂ ସେଠାକାର ଲୋକମାନେ ଯେପରି ଆତିଥ୍ୟ ପ୍ରଦାନ କରିଛନ୍ତି ସେଥିପାଇଁ ନବୀନ କୃତଜ୍ଞତା ଜଣାଇଛନ୍ତି। ନବୀନଙ୍କ ଏହି ଜାପାନା ଯାତ୍ରା ଓଡିଶା ଶିଳ୍ପ ଜଗତରେ ଏକ ଐତିହାସିକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ।