Categories
ଆଜିର ଖବର ରାଜ୍ୟ ଖବର

ଖୁବେଲ ଏବଂ ହୀରାକୁଦ ସ୍ଥିତ ଦଣ୍ଡକାଳୀ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:  ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁବେଲ ଏବଂ ହୀରାକୁଦ ଠାରେ ମେରୁଯାତ୍ରାରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଖୁବେଲ ସ୍ଥିତ ମନ୍ଦିରରେ ମା’ ଦକ୍ଷିଣକାଳୀ ଏବଂ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ । ପରେ ହୀରାକୁଦ ଠାରେ ମା’ ଦଣ୍ଡକାଳୀ ମନ୍ଦିରରେ ଦର୍ଶନ କରିବା ସହ ମେରୁ ଯାତ୍ରାରେ ସମବେତ ଜନସାଧାରଣଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ ।

ସେ କହିଥିଲେ  ଶିବ ଓ ଶକ୍ତି ଉପାସନାର ପର୍ବ ହେଉଛି ମେରୁ ଯାତ୍ରା । ଏହି ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ହଜାର ହଜାର ସଂଖ୍ୟାରେ ନାଗରିକମାନେ ଏହି ଯାତ୍ରାରେ ଏକାଠି ହେବା ଆମ ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତା ଭାବାବେଗର ପରିଚୟ ଦେଉଛି ।

ମେରୁ ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ତେବେ ଓଡ଼ିଆ ନୂଆ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ଉଲ୍ଲାସ ଏବଂ ସମ୍ଭାବନାର ବର୍ଷ ହେଉ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ସମଲେଶ୍ୱରୀଙ୍କ ପାଖରେ ସମାଜର ମଙ୍ଗଳ କାମନା କରିଥିଲେ ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରଣପୁରରେ ମହାସମାରୋହରେ ପାଳିତ ହେଲା ମେରୁ ଯାତ୍ରା, ଭଗତାମାନେ କଲେ ଓହଳତପ

ରଣପୁର: ଆଜି ପବିତ୍ର ମେରୁ ଯାତ୍ରା ରଣପୁରରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଶୈବ ଉପାସକ ମାନେ ରଣପୁରର ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁର ଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି ।

ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି । ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା । ରଣପୁର ସ୍ୱପ୍ନେଶ୍ୱର ଦେବ , ଚଣ୍ଡେଶ୍ୱର ଦେବ , ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ ,କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର , ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ,ମଝିଆଖଣ୍ଡ ର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠୀରେ ଏହି ଓହଳତମ ଦେଖିବା ପାଇଁ ମେରୁ ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା । ସୋମବାର ଦଣ୍ଡ ଯାତ୍ରା ର ଶେଷ ପର୍ବ ରେ ଭଗତା ମାନେ ନିଆଁ ରେ ଚାଲିବେ ।