Categories
ବିଶେଷ ଖବର ରାଜ୍ୟ ଖବର

ସ୍ବାୟତ ଶାସନ ଦିବସରେ ୧୧୫୧ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭ଜଣ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କୁ ସ୍ବାୟତ୍ତ ଶାସନ ମାଧ୍ୟମରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଶାସନଗତ ବ୍ୟବସ୍ଥା ରହିଛି। ଏହି ସ୍ବାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସ୍ବାଧିନତା ପ୍ରାପ୍ତିର ବହୁ ପୂର୍ବରୁ ଲର୍ଡ ରିପନଙ୍କ ସମୟରୁ ଆରମ୍ଭ ହୋଇଥିଲା।

ସେ ଆହୁରି ମଧ୍ୟ କହିଥିଲେ ପଞ୍ଚାୟତି ରାଜ ଓ ସହରାଞ୍ଚଳରେ କାର୍ଯ୍ୟରତ ସ୍ବାୟତ୍ତ ଶାସନ ବ୍ୟବସ୍ଥାର କାର୍ଯ୍ୟଭାର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନିଜ କାନ୍ଧରେ ଉଠାଇବାକୁ ପଡିବ। ସେ କହିଥିଲେ ଏ ସରକାର ହେଉଛି ଲୋକଙ୍କ ସରକାର, ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧି ଭାବେ ନିର୍ବାଚିତ ସମସ୍ତ କାଉନ୍‌ସିଲର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ଆଶା ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍।

ଜନ ସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ ପାଇଁ ଏ ଦିଗରେ ସମସ୍ତ ସ୍ୱାୟତ୍ତଶାସନ ସଂସ୍ଥାର ଅଧିକାରୀ ତଥା ଜନପ୍ରତିନିଧିମାନେ ନିଜ ନିଜର ଦାୟିତ୍ୱ ତୁଲାଇବା ଉଚିତ୍। ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଓ ପୌରପାଳିକା ଗୁଡିକୁ ସଶକ୍ତ ଓ ସ୍ବାଧୀନ ହୋଇ ନିଜ ନିଜ ପରିଧିରେ ବିଭିନ୍ନ ସହରାଞ୍ଚଳର ଭିତ୍ତିଭୂମି ସମ୍ପର୍କିତ ଯୋଜନା ଓ ସେବା ପ୍ରଦାନ ପାଇଁ କାର୍ଯ୍ୟକରିବାକୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି।

ଭାରତ ସରକାରଙ୍କ ସହଯୋଗରେ ନାଗରିକ ତଥା ବୈଷୟିକ ସେବା ଯୋଗାଣକାରୀ ବ୍ୟକ୍ତିଙ୍କ ପାଇଁ ଏକ ସରଳ ହ୍ୟାଣ୍ଡ ବୁକ୍ ଓ ଟୁଲ୍‌କିଟ୍ ପ୍ରସ୍ତୁତି କରାଯାଉଛି। ଏହା ସେମାନଙ୍କୁ ମାଷ୍ଟର ପ୍ଲାନ, ବିଲ୍ଡିଙ୍ଗ୍ ପ୍ଲାନ ଓ ଲେ-ଆଉଟ୍ ଅନୁମୋଦନକୁ ସମୟୋଚିତ ସମ୍ପାଦନ କ୍ଷେତ୍ରରେ ସହାୟତା କରିବ।

ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱରେ ସହରୀକରଣ ବୃଦ୍ଧି ପାଉଛି। ଗ୍ରାମାଞ୍ଚଳରୁ ଅନେକ ଲୋକ ସୁଖ ସ୍ୱାଚ୍ଛନ୍ଦ୍ୟର ସୁନେଲି ସ୍ୱପ୍ନ ଓ ଅଧିକ ରୋଜଗାର ପାଇବା ଆଶାରେ ସହର ମୁହାଁ ହେଉଛନ୍ତି। କିନ୍ତୁ ବାସ୍ତବରେ ସେମାନେ ସହରରେ ଏ ସବୁ ପାଇନଥାନ୍ତି। ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜଧାନୀ ଭୁବନେଶ୍ୱର ୧୯୪୮ ମସିହାରେ ମାତ୍ର ୧୦ ହଜାର ଜନସଂଖ୍ୟା ପାଇଁ ଯୋଜନା କରାଯାଇଥିଲା।

କିନ୍ତୁ ଆଜି ଏଠାରେ ୧୫ ରୁ ୨୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଆଜି ଦିନରେ ଆମ ଭୁବନେଶ୍ୱର ଅର୍ଥନୀତିର ଅଭିବୃଦ୍ଧି ଘଟିଛି, ଆଧୁନିକତା ବଢିଛି, ଭାରତବର୍ଷରେ ଭୁବନେଶ୍ୱର ନାମି ସହର ଭାବେ ନାମ କମାଇଛି। କିନ୍ତୁ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ସମସ୍ୟା ରହିଛି। ଆଗାମୀ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ସବୁ ସହରାଞ୍ଚଳର ବିକାଶ ପାଇଁ ଆମ ସରକାର ସଚେତନ ଅଛନ୍ତି ଏବଂ ଏହି ବିକାଶ କାମ ନିଶ୍ଚିତ ଭାବେ ହେବ ଏବଂ ଆଗାମୀ ଦିନରେ ଆମ ସହରଗୁଡିକର ଅବସ୍ଥାରେ ପରିବର୍ତ୍ତନ ଆସିବ, ବିକଶିତ ହେବ ଏବଂ ସ୍ମାର୍ଟ ହେବ ବୋଲି ସେ କହିଥିଲେ।

ଏଥି ସହିତ ଆଜି ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଆମକୁ ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ବିକଶିତ ଓଡିଶା ନିର୍ମାଣର ଲକ୍ଷ୍ୟ ରଖିଛୁ ଏଥି ନିମନ୍ତେ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ବିକାଶକୁ ଗୁରୁତ୍ବ ଦେଇ ବଜେଟ୍ ରେ ଅଧିକ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛୁ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ପୌରପାଳିକା ଗୁଡିକରେ ଭାରତ ସରକାରଙ୍କ ପକ୍ଷରୁ ‘ଜଳ ଜୀବନ ମିଶନ’ ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି। ଜଳ ଯୋଗାଣ ପରିଚାଳନାରେ ଆମ ଜଳସାଥୀମାନେ ଦକ୍ଷତାର ସହ କାମ କରୁଛନ୍ତି। ଜଳର ମାନ ନିର୍ଦ୍ଧାରଣ ପାଇଁ ସେମାନେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ୫ଟି ମହାନଗର ନିଗମ ସହିତ ୧୧୫ଟି ସ୍ୱାୟତ୍ତଶାସନ ସଂସ୍ଥାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଓ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳ ବିକାଶ ସହିତ ଲୋକମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇଦେବା ଆମର ଦାୟିତ୍ୱ। ଏଥି ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କୋଭିଡ୍ ସମୟରୁ ଉଠାଦୋକାନୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ହିତାଧିକାରୀ ଏବଂ ଅଂଶୀଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ବାରିପଦାର ରାଇମଣୀ କିସ୍କୁ ଯୋଜନାରେ ଘର ପାଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଭାସି ଜରିଆରେ କଥା ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେହିପରି କୋରାପୁଟର ଜଳସାଥୀ ଶ୍ରୀମତୀ ରୀପା ହିଆଲ ଜଣେ ଗୃହିଣୀ ଓ ଜଳସାଥୀର ପରିଚୟ ପାଇ ତାଙ୍କ ପରିବାରକୁ ଖୁସୀରେ ଚଳାଉ ଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଏବଂ ଯିବା ଆସିବା ପାଇଁ ଗାଡି ଚଲାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧିବା ପାଇଁ ସଚେତନ କରିଥିଲେ।

ଏହି ଅବସରରେ କଟକ ମହାନଗର ନିଗମର ପରିମଳ କର୍ମଚାରୀ ଝୁନୁଲତା ନାୟକ ଓ ଡି. ଶିବା, ଭୁବନେଶ୍ୱର ମହାନଗର ନିଗମର ବାବୁଲି ନାହାକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସ୍ୱଚ୍ଛ ଭାରତ ମିଶନର ମିଶନ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ପୌରପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସିଂ ଉପସ୍ଥିତ ଥିଲେ।

ଆଜିର ଏହି ସମାରୋହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢି ସ୍ୱାଗତ ଭାଷଣ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ PM-USHA କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଆମ ସରକାରଙ୍କ ୮୧ତମ ଦିନରେ PM-USHA କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା। ଏହା ହେଉଛି ଡବଲ୍ ଇଞ୍ଜିନ ସରକାରର ସଫଳତା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଓ ତତ୍ତ୍ୱାବଧାନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷାର ପରିସର ବ୍ୟାପକ। ଏହାକୁ ରାଜନୀତିର ସଂକୀର୍ଣ୍ଣତା ମଧ୍ୟରେ ରଖିବା ଉଚିତ୍ ନୁହେଁ । PM-USHA କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ, ଆଗରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା।

ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ। ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତିଯୋଗ୍ୟ ଶିକ୍ଷାର ବିକାଶରେ ସହାୟକ ହେବ। ଏହା ଆମର ଶିକ୍ଷା ପରିବେଶକୁ ବିଶ୍ୱସ୍ତରୀୟ କରିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲା ଯାଇଛି। ଏହା ସହିତ ଓଡିଶାର ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ୨୬ଟି ଭାଷା ପରୀକ୍ଷାଗାର ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଉଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ପୂର୍ବ ସରକାରଙ୍କ ଦୂରଦୃଷ୍ଟିର ଅଭାବ ତଥା ରାଜନୈତିକ ସଂକୀର୍ଣ୍ଣତା ଯୋଗୁ ଆମ ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା ବୋଲି ସେ କହିଥିଲେ।

ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗ୍‌ଦର୍ଶନରେ ଆମ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ PM-USHA କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି-୨୦୨୦ର ପାଞ୍ଚଟି ସ୍ତମ୍ବକୁ ସୁଦୃଢ କରାଯିବ। ଏହା ହେଲା ସୁଗମ୍ୟ ଶିକ୍ଷା, ଗୁଣାତ୍ମକ ମାନ, ସମାନତା, ଉତ୍ତରଦାୟିତ୍ୱ ଓ ସାମର୍ଥ୍ୟ।

ସେ ପୁଣି କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟା ହେଉଛି ଯୁବବର୍ଗ ମଧ୍ୟରେ ଦକ୍ଷତାର ବିକାଶ। ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ବିକାଶ ସହିତ ଆମର ଶିକ୍ଷା ପ୍ରଣାଳୀକୁ ସମାନ୍ତରାଳ ଭାବରେ ଉନ୍ନତ କରିବାକୁ ହେବ। ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା ହାସଲ କରିଥିବା ଯୁବବର୍ଗକୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଦେଶର ବଜେଟରେ ୧ କୋଟି ଯୁବକ ଯୁବତୀଙ୍କୁ ୫୦୦ ଉଦ୍ୟୋଗରେ internship ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ପୂରଣ ଦିଗରେ ଏହା ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ବୈଷମ୍ୟତା ଓ ଅସମାନତା ଦୂର କରାଯାଇ SDG-4 ର ଲକ୍ଷ୍ୟ ପୂରଣ ହୋଇପାରିବ। ସେ କହିଥିଲେ ଯେ ଆଗାମୀ ଦିନରେ ସାମଗ୍ରୀକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡିଶା ସରକାର ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆନ୍ତର୍ଜାତିକ ମାନର ଶିକ୍ଷା ଓଡିଶାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ୱାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୩୬ ସୁଦ୍ଧା ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ ଏବଂ ବିକଶିତ ଭାରତ ଓ ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ।

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ରାଜ୍ୟରେ ସ୍କୁଲ, କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କର ଠିକ୍‌ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ। ସେ କହିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ ।

ଜ୍ଞାନ ଓ ପ୍ରତିଭା ହେଉଛି ଓଡିଆ ପିଲାଙ୍କ ମୂଳ ଆଧାର। ଏହାର ବିକାଶ ହୋଇପାରିଲେ ଆମ ପିଲାମାନେ ମଧ୍ୟ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ୟୁନିଭର୍‌ସିଟିର ବିକାଶ ପାଇଁ ୫୦୦ କୋଟି ଟଙ୍କା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଏହା ଯୋଗୁ ଆମ ରାଜ୍ୟର ୧ କୋଟି ପିଲା ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ।

ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ୩ ବର୍ଷ ଆଗରୁ ହେବାର ଥିଲା। କିନ୍ତୁ ରାଜନୀତି ଯୋଗୁ ଓଡିଆ ପିଲାମାନେ ବଞ୍ଚିତ ହୋଇଥିଲେ। ଓଡିଶାରେ ଖୁବ୍‌ ଶୀଘ୍ର ଶିକ୍ଷାରେ ସ୍ୱାୟତ୍ତତା ଆସିବ ବୋଲି ସେ କହିଥିଲେ। UGCର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବ ବୋଲି ସେ କହିଥିଲେ।

ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ପି.ଏମ୍. ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଢିବ। ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହିତ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁନିଲ କୁମାର ବର୍ଣ୍ଣୱାଲ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶିଳ୍ପର ପ୍ରଗତି ସହିତ ସି.ଏସ୍.ଆର୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ଵର: ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୁର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍, ରିନ୍ୟୁଏବଲ ଏନର୍ଜି ଆଦି କ୍ଷେତ୍ରରେ ନିର୍ମାଣ ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଉତ୍କଳ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ ଦ୍ୱାରା ଆୟୋଜିତ ‘ରିସର୍ଜେଣ୍ଟ ଓଡିଶା-୨୦୨୪’ କାର୍ଯ୍ୟକ୍ରମରେ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି, ପୁଞ୍ଜିନିବେଶକାରୀ ଓ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ୨୦୩୬ ମସିହା ଓ ୨୦୪୭ ମସିହା କୁ ନେଇ ଆମର ବିରାଟ ଲକ୍ଷ୍ୟ ରହିଛି। ସେଥିପାଇଁ ଆମ ଅର୍ଥନୀତିକୁ ବହୁତ ଆଗକୁ ନେବାକୁ ପଡିବ। ଆମ ପାଖରେ ସମସ୍ତ ପ୍ରକାର ଶକ୍ତି ଓ ସାମର୍ଥ୍ୟ ରହିଛି। ଏହି ଲକ୍ଷ୍ୟ ଆମେ ନିଶ୍ଚୟ ପୂରଣ କରିବୁ। ଏଥିପାଇଁ ଦୃଢ ଇଚ୍ଛା ଶକ୍ତି ଦରକାର। ଆମ ସରକାର ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ ଉପସ୍ଥିତ ଥିବା ଶିଳ୍ପପତି ଓ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ। ଆଗାମୀ ଦିନରେ ଆମ ସରକାର Dedicated Industrial Clusterର ବିକାଶ କରିବେ। ଏହା ଦ୍ୱାରା ଦେଶ ବିଦେଶର ନାମିଦାମୀ କମ୍ପାନୀମାନେ ଏଠି ଶିଳ୍ପ ପ୍ରତିଷ୍ଠା କରି ପାରିବେ। ଆମକୁ ମୂଲ୍ୟଯୁକ୍ତ ଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମ ସରକାର ଆସିବା ପାରେ ରାଜ୍ୟରେ ସେମିକଣ୍ଡକ୍ଟର ୟୁନିଟ୍‌ ସ୍ଥାପନ ପାଇଁ ଅନେକ ଶିଳ୍ପାନୁଷ୍ଠାନ ଆଗ୍ରହ ପ୍ରକାଶ କରିଛନ୍ତି।

ଓଡିଶାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେଉଛି। ବୃହତ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ଆଜିର ଦିନରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଏଥି ସହିତ ଆମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ନୀତିକୁ ଗ୍ରହଣ କରିବାକୁ ପଡିବ। ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। ନିଯୁକ୍ତି ସୁଯୋଗ ବୃଦ୍ଧି ହେଲେ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୪ ଭାଗରୁ ୩ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ କୃଷିଭିତ୍ତିକ କ୍ଷୁଦ୍ର ଶିଳ୍ପ ଯେପରିକି ‘ରାଇସ୍‌ ମିଲ୍‌ ପ୍ରତିଷ୍ଠା’ ପ୍ରତି ସେ ଗୁରୁତ୍ୱ ଆରୋପ କରିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଂସଦରେ କହିଛନ୍ତି ଯେ ବିକଶିତ ଭାରତ ରେଳଗାଡିରେ ଓଡିଶା ହେବ ପ୍ରଥମ ବଗି। ସେଥିପାଇଁ ଓଡିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ଆମେ ଆଜି ପଛୁଆ ନାହୁଁ, ଆଗକୁ ବଢିଛୁ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରେଳ କରିଡରର ଯୋଜନା ରହିଛି। ବଡବିଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଆଠ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଯାଉଛି। ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି ଆଦି ଶିଳ୍ପାଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଆମ ସରକାରଙ୍କ ପ୍ରସ୍ତାବ ରହିଛି।

ଉପସ୍ଥିତ ସମସ୍ତ ଶିଳ୍ପପତି, ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ ଦେଇ ସେ କହିଥିଲେ ଯେ ଆଜି ଏଠାରେ ଡବଲ୍‌ ଇଞ୍ଜିନ ସରକାର ଆସିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’କୁ ଆଧାର କରି ଆମକୁ ଆଗକୁ ବଢିବାକୁ ପଡିବ। ଶିଳ୍ପ ପ୍ରଗତି ସହିତ ଆମକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନସିବିଲିଟି ମାଧ୍ୟମରେ ସେ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ଆମେ ଯଦି ଶିଳ୍ପ ସହିତ ସଂପୃକ୍ତ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପୁଜୁଥିବା ସମସ୍ୟାଗୁଡିକ ଆପେ ଆପେ ଦୂରେଇ ଯିବ।

‘ରିସର୍ଜେଣ୍ଟ ଓଡିଶା-୨୦୨୪’ ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ଅନେକ ଥର ଅନୁଷ୍ଠିତ ହେବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଋଦ୍ଧିମନ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ରାଜ୍ୟରେ ଶିଳ୍ପ ବିକାଶର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ସରକାର ଭିତ୍ତିଭୂମିର ବ୍ୟାପକ ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅନ୍ୟତମ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଚେଷ୍ଟାରତ ଅଛନ୍ତି। ଯେହେତୁ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠାରେ ଅଧିକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଉପସ୍ଥିତ ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ କରିଥିଲେ। ଏଥିପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ରାଜ୍ୟରେ କୃଷି ଯନ୍ତ୍ରପାତି ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାକୁ ବାସ୍ତବ ରୂପ ଦେବା ପାଇଁ ଆମ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍‌ରେ ନୂଆ ନୂଆ ଯୋଜନା କରାଯାଇଛି। ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କାମ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କୋଲକତାରେ ଅବସ୍ଥାପିତ ରିପ୍ଲବିକ୍ ଅଫ୍ ଚାଇନାର କନସୁଲ୍ ଜେନେରାଲ୍, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ନାଲ୍‌କୋର ପରିଚାଳନା ନିର୍ଦ୍ଦେଶକ, ଆର୍ସେଲର-ମିତ୍ତଲ୍ ଗ୍ରୁପ, ଆଦିତ୍ୟ ବିର୍ଲା ଗ୍ରୁପର ପ୍ରତିନିଧି ପ୍ରମୁଖ କାର୍ଯ୍ୟକ୍ରମରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିବା ସହିତ ରିସର୍ଜେଣ୍ଟ ଓଡିଶା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍‌.ବି.ବି.ଏସ୍‌ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ, ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି। ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ମଙ୍ଗଳାଙ୍କର ପିତାମାତା ଦିନ ମଜୁରିଆ ଭାବେ କାମ କରିବା ସହିତ ଚାଷବାସ କରି ଚଳନ୍ତି। ମଙ୍ଗଳା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ମୁଦୁଲିପଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ସହିତ ବୋଲଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ବର ସହ ପାସ୍‌ କରିଛନ୍ତି। ସ୍କୁଲ ପଢିବା ସମୟରୁ ନିଜ ଅଞ୍ଚଳର ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ ସମସ୍ୟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାପାଇଁ ପ୍ରେରଣା ପାଇଥିଲେ। ମଙ୍ଗଳା ମୁଦୁଲି ବଣ୍ଡା ଜନଜାତି ବର୍ଗର ପ୍ରଥମ ଛାତ୍ର ଭାବରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଏଥିରେ କ’ଣ ରହିଛି ସୁବିଧା?

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶିକା ଜାରି କରାଯାଇଛି।

ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ଓ ୬୦ ବର୍ଷରୁ କମ୍ ହେଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ କେବଳ ନିଜ ନାମରେ ଆଧାର କାର୍ଡ/ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏକକ- ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ) ଥିବା ସହ ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ନିହାତି ଆବଶ୍ୟକ। ସହଜ କାରବାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ହାରରେ ୫୦,୦୦୦ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ।

ମହିଳାମାନଙ୍କ ମଧ୍ୟରେ ଡିଜିଟାଲ ଆର୍ଥିକ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାରୁ ସର୍ବାଧିକ ଡିଜିଟାଲ କାରବାର କରୁଥିବା ୧୦୦ ଜଣ ମହିଳାଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ଆକାରରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନା ସମ୍ବନ୍ଧୀୟ କୌଣସି ଭୁଲ ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ମଞ୍ଜୁରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବରଗଡବାସୀ

ଭୁବନେଶ୍ବର: ଆଜି ଲୋକସେବା ଭବନଠାରେ ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ସେମାନେ ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏହି ନୂତନ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଏହି ରେଳ ପ୍ରକଳ୍ପ ମଞ୍ଜୁର ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ସମାନ ସରକାର ଥିବାରୁ ବର୍ତ୍ତମାନ ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଏହା ସମ୍ଭବ ହେଉଛି।

ବରଗଡ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରାୟ ୩ ହଜାର କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ରେଳପଥ ବରଗଡ ଜିଲ୍ଲା ଓ ନୂଆପଡା ଜିଲ୍ଲାବାସୀଙ୍କ ଗମନାଗମନ ସୁବିଧା କରିବା ସହିତ ସେମାନଙ୍କ ଅର୍ଥନୈତିକ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହେବ। ଏହି ରେଳପଥ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି। ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପନିପରିବା, ମାଛ ଓ ତୈଳବୀଜ ଉପରେ ଗବେଷଣା କରୁ କୃଷି ବିଶ୍ବବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ 484 ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର(Auditorium) ଉଦଘାଟନ କରିଥିଲେ। ଏଥିରେ 1008ଟି ଆସନ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା,ମାଛ,ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ ସରକାର ଆଳୁ, ପିଆଜ, ପଣସ ଇତ୍ୟାଦି ଅନେକ ମିସନ କରିଥିଲେ । କିନ୍ତୁ ସେ ସବୁ ବିଫଳ ହେଲା । ତେଣୁ ଆମକୁ ଏଥିରେ ସ୍ବାବଲମ୍ବନଶୀଳ ହେବାକୁ ପଡିବ । ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ ସମ୍ପର୍କକରେ ନୂତନ ଜ୍ଞାନ କୈଶଳର ବିକାଶ ପାଇଁ OUAT ର ବୈଜ୍ଞାନିକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସେମାନେ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରିବା ପାଇଁ ସେ ପରାମର୍ଷ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଜି ଏକ ବିକଶିତ ରାଷ୍ଟ୍ରହେବା ଲକ୍ଷ୍ୟରେ ଅଗ୍ରଗତି କରୁଛି। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ସବୁ ସମୟରେ କୃଷକମାନଙ୍କୁ ଅନ୍ନଦାତାର ଆଖ୍ୟାଦେଇ ସମ୍ମାନିତ କରିଆସିଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମୋଦୀଜୀଙ୍କ ପ୍ରେରଣାରେ ଓଡିଶା ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଓଡିଶାରେ ଆମେ ପିଏମ କିସାନ ସହିତ ସିଏମ କିସାନ ମଧ୍ୟ କାର୍ଯ୍ୟକାରୀ କରୁଛୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ସବୁ କୃଷକଙ୍କୁ ସାମିଲ କରାଯିବ ।

ଚଳିତ ବର୍ଷର କୃଷି ବଜେଟକୁ ଯୁଗାନ୍ତକାରୀ ବଜେଟ ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଏ ବର୍ଷର କୃଷି ବଜେଟରେ ୩୬ ପ୍ରତିଶତ ବୃଦ୍ଧିକରି ୩୩ ହଜାର ୯ ଶହ ୧୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହା ମଧ୍ୟରେ ‘ସମୃଦ୍ଧ କୃଷକ ଯୋଜନା’ ଅନ୍ତର୍ଭୁକ୍ତ। “ସମୃଦ୍ଧ କୃଷକ ନୀତି” ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା 3100 ଟଙ୍କା ଧାର୍ଯ୍ୟ କରାଯାଇଛି। ଆମ ରାଜ୍ୟରେ ଧାନ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବାରୁ ଆମ ଚାଷୀମାନେ କ୍ଷତି ସହି ଥାଆନ୍ତି।

ସେଥିପାଇଁ ନୂଆ ସରକାର ସମୃଦ୍ଧ କୃଷକ ଯୋଜନା ଆଣିବା ଦ୍ଵାରା କୃଷକମାନେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ପାଇବ। ପୂର୍ବ ସରକାର ୧୦୦ ଟଙ୍କାର ବୋନସ ଦେବେ ବୋଲି ଘୋଷଣା କରି ମଧ୍ୟ ଚାଷୀ ନ ପାଇ ହତାସ ଥିଲା। ଧାନ ବିକ୍ରି କରିବାର 48 ଘଣ୍ଟା ମଧ୍ୟରେ ଏହି ଅର୍ଥ କୃଷକମାନଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରେରଣ କରାଯିବ। ଏଥି ସହିତ କୃଷିଜାତ ସାମଗ୍ରୀ ବିକ୍ରି କରିବାରେ ସୁବିଧା ଆଣିବା ପାଇଁ ମଣ୍ଡି ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।

କୃଷି କ୍ଷେତ୍ରପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବର୍ଣ୍ଣନାକରି ସେ କହିଲେ ଯେ ନିକଟରେ, ଆମ ସରକାର ରାଜ୍ୟରେ କୃଷକ-ଅନୁକୂଳ ନୀତି ଅନୁସରଣ କରି ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପିଲାମାନଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ “କୃଷି ବିଦ୍ୟାନିଧି” ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି। “ବସୁଧା କେନ୍ଦ୍ର” ଯୋଜନା ମାଧ୍ୟମରେ ପ୍ରତି ବ୍ଲକରେ ରହିଥିବା ମଣ୍ଡିଗୁଡିକରେ ଶସ୍ୟ ରହିବା ସ୍ଥାନ, କୃଷକଙ୍କ ବିଶ୍ରାମ ସ୍ଥାନ ଏବଂ ଗୋଦାମ ଘର ନିର୍ମାଣ କରାଯାଉଛି। “ଇ-ନାମ୍” ମାଧ୍ୟମରେ ଓଡିଶାର ସମସ୍ତ ମଣ୍ଡି ମଧ୍ୟରେ ସଂଯୋଗ ସ୍ଥାପନ କରାଯିବା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି।

ରାଜ୍ୟରେ ଜୈବିକ କୃଷି ଏବଂ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ସରକାରଙ୍କ ତରଫରୁ ‘ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ “ଶ୍ରୀ ଅନ୍ନ” ଯୋଜନା ଆରମ୍ଭ କରାଯାଉଛି। ସ୍ବଳ୍ପ ଉତ୍ପାଦିତ ଫସଲଗୁଡିକର ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧତା ମାଧ୍ୟମରେ ସ୍ୱତନ୍ତ୍ର ଭାବେ ପ୍ରୟାସ କରାଯାଇଛି। ଏ ଦିଗରେ ଓୟୁଏଟି ତରଫରୁ ପିଲିପେସରା (Pillipesara) ଫସଲର ଆମ ଦେଶରେ ପ୍ରଥମ କିସମ “ପ୍ରଥମ” ବିକଶିତ ହେବା ଆମ ପାଇଁ ଖୁସିର ବିଷୟ। ଏହା ଏକ ଡାଲିଜାତୀୟ ଗୋଖାଦ୍ୟ ଫସଲ ଅଟେ। ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ଚଳିତ ମାସ 11 ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ 58ଟି ସବ୍‌ଡିଭିଜନରେ ଅନ୍ତତଃ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟର ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ପାଳନ, କୃଷି ଯାନ୍ତ୍ରିକୀକରଣ (Agriculture Mechanisation), କୃଷି ବନୀକରଣ, ମତ୍ସ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ ଆଦି ବିଷୟରେ ଶିକ୍ଷାଦାନ ଓ ଗବେଷଣା କରାଯିବା ଆନନ୍ଦର ବିଷୟ। ଏହା ଦ୍ୱାରା କୃଷକମାନଙ୍କ ବହୁବିଧ ସମସ୍ୟାକୁ ଗୋଟିଏ ସ୍ଥାନରେ ସମାଧାନ କରାଯାଇପାରିବ। ଜିଲ୍ଲା ସ୍ତରରେ ରହିଥିବା କୃଷି ବିଜ୍ଞାନ କେନ୍ଦ୍ର ମାନ ଏସବୁ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ଫଳପ୍ରଦ ଭାବେ ପହଞ୍ଚାଇ ପାରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହିଥିଲେ।

ଆମ ରାଜ୍ୟରେ ରହୁଥିବା ତଫସିଲଭୁକ୍ତ ଜାତି ଏବଂ ଜନଜାତି, ଅର୍ଥନୈତିକ ଅନଗ୍ରସର ଲୋକମାନେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ସହିତ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାର ଏହା ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ମତ ଦେଇଥିଲେ ।

ସେସବୁ ବର୍ଗର ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ଓୟୁଏଟି ତରଫରୁ “ଅନୁସୂଚିତ ଜନଜାତି ସବ୍‌ ପ୍ଲାନ୍‌ ଏବଂ ଅନୁସୂଚିତ ଜାତି ସବ୍ ପ୍ଲାନ୍ ଯୋଜନା” ମାଧ୍ୟମରେ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବା ନିତାନ୍ତ ଆବଶ୍ୟକ।

କୃଷି ବୈଜ୍ଞାନିକମାନେ ରାଜ୍ୟରେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗବେଷଣା ଜାରି ରଖିବା ଦରକାର। ଗବେଷଣାର ସୁଫଳ କିପରି ପ୍ରତ୍ୟକ୍ଷ ଭାବେ କୃଷକମାନଙ୍କ ଉପକାରରେ ଆସିପାରିବ ସେଥିପାଇଁ ପ୍ରଚେଷ୍ଟା କରାଯିବା ଆବଶ୍ୟକ। ଏ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।

ଏଠାରେ ଉପସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରୁଥିବାର ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ।

ତତ୍‌ସହିତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭାଗିରଥ ଚୌଧୁରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଆମ ଓଡିଶାରେ ସଠିକ ରୂପେ କାର୍ଯ୍ୟାନ୍ବୟନ କରିବାର ବ୍ୟବସ୍ଥାକୁ ନିୟମିତ ତଦାରଖ କରି ଆମ ରାଜ୍ୟକୁ କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଗଢି ତୋଳିବାରେ ସହାୟକ ହେବେ।

OUATର ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନେ କେବଳ ଚାକିରି ଉପରେ ନିର୍ଭର ନ କରି ଆତ୍ମ ନିର୍ଭର ହୁଅନ୍ତୁ ବୋଲି ସେ କହିଥିଲେ। ଏବେ Start-upର ଯୁଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ସରକାର ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ନିଜ ଜ୍ଞାନ କୌଶଳକୁ ଉପଯୋଗ କରି Innovative Project କରିବାକୁ ସେ ପରାମର୍ଷ ଦେଇଥିଲେ ।

ସ୍ରୋତ ବିରୁଦ୍ଧରେ ପହଁରି କୂଳରେ ପହଞ୍ଚିବାର ଅନୁଭୂତି ସଂପୂର୍ଣ୍ଣ ଅଲଗା। ମୁଁ କୁଳପତିଙ୍କୁ ଅନୁରୋଧ କରିବି ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ତଥା ଓଡିଶା ବାହାରେ ହୋଇଥିବା ବିଭିନ୍ନ agri-venture କୁ exposurevisit ରେ ନିଅନ୍ତୁ। ଯଦି OUAT ପାଖରେ budget provision ନାହିଁ,ସରକାରଙ୍କୁ proposal ପଠାନ୍ତୁ। ଗତକାଲି ଆମେ ଭାରତର ଚନ୍ଦ୍ର ବିଜୟର ଉତ୍ସବ ପାଳନ କରିଥିଲୁ। ଏହା ଆମର ଛାତ୍ରଛାତ୍ରୀ ଏବଂ ଯୁବ ବୈଜ୍ଞାନିକଙ୍କ ପ୍ରତି ଉଦାହରଣ ଓ ପ୍ରେରଣାର ଉତ୍ସ ହେବା ଉଚିତ ବୋଲି ସେ କହିଥିଲେ ।

ଉତ୍ସବରେ ପୁରସ୍କୃତ ହୋଇଥିବା ଏବଂ ସମ୍ବର୍ଦ୍ଧିତ ହେଉଥିବା କୃଷକ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ ସମ୍ମାନିତ ହୋଇଥିବା ବୈଜ୍ଞାନିକ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଜ୍ଞାନର ପ୍ରୟୋଗରେ କୃଷିର ବିକାଶ କରିବାର ସମୟ ଆସିଛି । ରାଜ୍ୟରେ ଜୈବ କୃଷିର ବିକାଶ ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ କରି କୃଷି ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନୀ କରିବା ଉଚିତ୍ ବୋଲି ସେ କହିଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୁବଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଦେଶ ଗଠନ ପାଇଁ ସର୍ମପିତ ହେବାକୁ ମତ ଦେଇଥିଲେ ।

ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ କହିଥିଲେ ଯେ OUAT ଦେଶର ଅନ୍ୟତମ ଶ୍ରେଷ୍ଠ କୃଷି ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ । ଏବେ ସମୟ ଆସିଛି ପ୍ରାକୃତିକ କୃଷି ଉପରେ ଗୁରୁତ୍ବ ଦେବାକୁ ପଡିବ ଏବଂ market friendly କୃଷି ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୃତୀ ବୈଜ୍ଞାନିକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତରେ ୬ ମୃତ: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁକମ୍ପାମୁଳକ ସହାୟତା ଘୋଷଣା

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲା ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ ମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।

ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ technical manpower ନିଯୁକ୍ତ କରି କାର୍ଯ୍ୟକ୍ରମ ଗୁଡିକୁ ଆଗେଇ ନେବା ଉଚିତ୍ ବୋଲି ସେ କହିଥିଲେ।

ଯେହେତୁ ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ବଡ ଭିଜନ୍ ରଖି କାମ ଆରମ୍ଭ କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ, ଟିମ୍ ସ୍ପିରିଟ୍ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅପ୍ରେଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟ ର ହିସାବ ଉପସ୍ଥାପନ କରିଥିଲେ।

ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଜୁଲାଇ ଅବଧି ମଧ୍ୟରେ ସମୁଦାୟ ଆୟର ପରିମାଣ ୫୭,୦୮୫ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ସେହି ଅବଧି ମଧ୍ୟରେ ଆୟର ପରିମାଣ ୫୧,୨୩୪ କୋଟି ଟଙ୍କା ଥିଲା। ଏହି ପରିମାଣ ଗତ ବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ ପ୍ରତିଶତ ଅଧିକ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଘଟି ୫ ଟି ଜିଲ୍ଲାରେ ୬ ମୃତ: ଅନୁକମ୍ପାମୂଳକ ସହାୟତା ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରବିବାର ଦିନ ରାଜ୍ୟର ୫ ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଘଟି ୯ ମୃତ: ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ

ଭୁବନେଶ୍ୱର: ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ (ଯୋଜନା ଓ ବାଣିଜ୍ୟ ବିକାଶ) ସୁଜୟ ଚୌଧୁରୀ ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ଅବସରରେ ଶ୍ରୀ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କୁ ନିଗମ ପକ୍ଷରୁ ଓଡ଼ିଶାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ଅବଗତ କରାଇ ଥିଲେ।

ଓଡ଼ିଶାର ବିକାଶ ପାଇଁ ତୈଳ ନିଗମକୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘରେ ଘରେ ତ୍ରିରଙ୍ଗା ଅଭିଯାନ: ପଦଯାତ୍ରାରେ  ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଭୁବନେଶ୍ୱର ଠାରେ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି।

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାର ଆୟୋଜନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜାତୀୟ ପତାକା ଆମ ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ। ଆମ ଜାତୀୟ ପତାକା ତ୍ରିରଙ୍ଗା। ତ୍ରିରଙ୍ଗାର ତିନି ରଙ୍ଗ  ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର  ଆଦର୍ଶରେ ଅନୁପ୍ରାଣୀତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ଅଟେ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ବର ପ୍ରତୀକ ଅଟେ। ପ୍ରତ୍ୟେକ ଦେଶବାସୀ ଆମ ଜାତୀୟ ପତାକାକୁ ନେଇ ଗର୍ବ ଅନୁଭବ କରିଥାନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୨ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ ଓ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ପ୍ରତି ବର୍ଷ ସ୍ବାଧୀନତା ଦିବସ ପାଳନର କିଛି ଦିନ ପୂର୍ବରୁ ଦେଶବାସୀଙ୍କ ମନରେ ଜାତି ପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆୟୋଜିତ ହେଉଛି। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ବାନରେ ଦେଶର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଦେଶପ୍ରେମର ନିଦର୍ଶନ ପ୍ରତିଫଳିତ କରୁଛନ୍ତି।

ଆଜିର ଏହି ପଦଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ତ୍ରିରଙ୍ଗା ପଦଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍‌ବୁଦ୍ଧ କରିଛି। ଆମେ ସମସ୍ତେ ଏକାଠି ହେଲେ, ମିଳିମିଶି କାମ କଲେ, ଜୀବନରେ ସଫଳତା ହାସଲ କରିପାରିବା। ଦେଶ ଓ ଜାତିର ଗୌରବ ବୃଦ୍ଧିରେ ନିଜର ଯୋଗଦାନ ଦେଇପାରିବା।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ” ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ ଆସନ୍ତୁ ନିଜର ଅବଦାନ ରଖିବା।

ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ବାବୁ ସିଂ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ପଦଯାତ୍ରାରେ ସାମିଲ ସମସ୍ତଙ୍କ ହାତରେ ଥିଲା ଜାତୀୟ ପତାକା ଏବଂ ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପଦଯାତ୍ରା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି।

ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହା ସହିତ, କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

06 ଟି ରେଳ ପ୍ରକଳ୍ପକୁ ଅନୁମୋଦନ: ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କ୍ୟାବିନେଟ କମିଟି ଦ୍ୱାରା ଗତକାଲି ଓଡିଶା ପାଇଁ ପ୍ରାୟ 15004 କୋଟି ଟଙ୍କାର ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ରେଳ ମନ୍ତ୍ରଣାଳୟର ଆଠ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଯାହାର ମୋଟ ଆନୁମାନିକ ମୂଲ୍ୟ ₹24,657 କୋଟି ଟଙ୍କା।

ନୂତନ ରେଳ ପ୍ରକଳ୍ପ ଗୁଡ଼ିକ ସିଧାସଳଖ ସଂଯୋଗ ଯୋଗାଇବ ଓ ଗତିଶୀଳତାକୁ ଉନ୍ନତ କରିବା ସହିତ ଭାରତୀୟ ରେଳ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନୂତନ ଭାରତର ଦର୍ଶନର ଅନୁରୂପ ଅଟେ ଯାହା ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମନିର୍ଭର” କରାଇବ ଯାହାଦ୍ୱାରା ସେମାନଙ୍କର ନିଯୁକ୍ତି / ଆତ୍ମ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।

ମଲ୍ଟି-ମୋଡାଲ୍ କନେକ୍ଟିଭିଟି ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳସ୍ୱରୂପ ଏହି ପ୍ରକଳ୍ପ ଗୁଡିକ ହାତକୁ ନିଆଯାଇଅଛି ଯାହା ଏକୀକୃତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଯାତ୍ରୀ, ଦ୍ରବ୍ୟ ପରିବହନ ପାଇଁ ସେବାଗୁଡିକର ନିରନ୍ତର ସଂଯୋଗ ଯୋଗାଇବ।

ସାତଟି ରାଜ୍ୟର 14 ଟି ଜିଲ୍ଲା ଅର୍ଥାତ୍ ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର 8 ଟି (ଆଠ) ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ 900 କିମି ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡିକରେ 64 ଟି ନୂତନ ଷ୍ଟେସନ୍ ନିର୍ମାଣ ହେବ, ଯାହା ଛଅ (6) ଆକାଂକ୍ଷା ଜିଲ୍ଲା (ପୂର୍ବ ସିଂହଭୂମ, ଭାଦାଦ୍ରି କୋଥାଗୁଡେମ୍, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା) କୁ ସଂଯୋଗ ବୃଦ୍ଧି କରିବା ସହିତ 510 ଗାଁ ଏବଂ ପ୍ରାୟ 40 ଲକ୍ଷ ଜନସଂଖ୍ୟାକୁ ଯୋଡି ହେବ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନ ପଥର, ଆଲୁମିନିୟମ୍ ପାଉଡର, ଗ୍ରାନାଇଟ୍, ବାଲାଷ୍ଟ, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହି ପ୍ରକଳ୍ପ ଗୁଡିକ ଅତ୍ୟାବଶ୍ୟକ ମାର୍ଗ ଭାବେ ବିବେଚିତ ହେବ। ଏହା ଦ୍ୱାରା ଅତିରିକ୍ତ ପଣ୍ୟ ପରିବହନ ଟ୍ରାଫିକ୍ ସୃଷ୍ଟି କରିବା ସହିତ 143 MTPA (ବାର୍ଷିକ ମିଲିୟନ୍ ଟନ୍ସ୍) କ୍ଷମତା ବୃଦ୍ଧି କରିପାରିବ। ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଦକ୍ଷତା ଶକ୍ତି ଗୁଡିକର ମାଧ୍ୟମ ହୋଇ ଉଭୟ ଜଳବାୟୁ ଏବଂ ଦେଶର ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବାରେ ଲକ୍ଷ୍ୟ ହାସଲ କରିବ ଯାହାଦ୍ୱାରା ତୈଳ ଆମଦାନୀ (32.20 କୋଟି ଲିଟର) ଏବଂ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ (0.87 ମିଲିୟନ୍ ଟନ୍) ହ୍ରାସ କରିବାରେ ସାହାଯ୍ୟ କରିବ ଯାହାକି 3.5 କୋଟି ବୃକ୍ଷ ରୋପଣ ସହିତ ସମାନ।

ଓଡିଶାରେ ମଞ୍ଜୁର ହୋଇଥିବା ନୂତନ ରେଳ ପ୍ରକଳ୍ପ ଗୁଡ଼ିକ ହେଉଛି ₹1326 କୋଟି ଟଙ୍କା ମୂଲ୍ୟର 73.62 କିମି ଦୈର୍ଘ୍ୟ ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ (ରାୟଗଡା) ଜିଲ୍ଲା; ₹3274 କୋଟି ଟଙ୍କା ମୂଲ୍ୟର 116.21 କିମି ଦୈର୍ଘ୍ୟ ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ (ନବରଙ୍ଗପୁର ଓ କଳାହାଣ୍ଡି) ଜିଲ୍ଲା; ₹4109 କୋଟି ଟଙ୍କା ମୂଲ୍ୟର 173.61 କିମି ଦୈର୍ଘ୍ୟ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ (ଓଡ଼ିଶାର ମାଲକାନଗିରି, ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଓ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ) ଜିଲ୍ଲା; ₹2107 କୋଟି ଟଙ୍କା ମୂଲ୍ୟର 82.06 କିମି ଦୈର୍ଘ୍ୟ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ (କେନ୍ଦୁଝର ଓ ମୟୁରଭଞ୍ଜ) ଜିଲ୍ଲା; ₹2549 କୋଟି ଟଙ୍କା ମୂଲ୍ୟର 85.60 କିମି ଦୈର୍ଘ୍ୟ ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳ ଲାଇନ (ମୟୁରଭଞ୍ଜ) ଜିଲ୍ଲା; ₹1639 କୋଟି ଟଙ୍କା ମୂଲ୍ୟର 59.96 କିମି ଦୈର୍ଘ୍ୟ ବୁଡ଼ାମରା-ଚକୁଳିଆ ନୂତନ ରେଳ ଲାଇନ (ଓଡ଼ିଶାର ମୟୁରଭଞ୍ଜ, ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଓ ପଶ୍ଚିମ ବଙ୍ଗର ଝାରଗ୍ରାମ) ଜିଲ୍ଲା ମାନଙ୍କରେ ସେବା ଉପଲବ୍ଧ କରାଇବ।

ଗଣମାଧ୍ୟମକୁ ସୂଚନା ଦେଇ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରରେ ଡବଲ୍ ଇଞ୍ଜିନ ସରକାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଚାଲୁରହିଥିବା ସମସ୍ତ ନୂତନ ପ୍ରକଳ୍ପ ଗୁଡିକ ସହିତ ଏହି ନୂତନ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଳ ଲାଇନ ନିର୍ମାଣରେ ଉପୁଜୁଥିବା ବାଧା ଗୁଡିକର ଶୀଘ୍ର ସମାଧାନ ହେବ। ଏହି ପ୍ରକଳ୍ପଗୁଡିକ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ବିକାଶର ଦୃଷ୍ଟିକୋଣରେ ସ୍ଥାନାପାଇଁଅଛି। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଯୋଜନା କରାଯାଇଛି।  ଅଦ୍ୟାବଧି, ₹ 70 ହଜାର କୋଟି ମୂଲ୍ୟର ପ୍ରକଳ୍ପ ଓଡିଶା ପାଇଁ ମଞ୍ଜୁର ହୋଇସାରିଛି।

ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ମାନେ ନବ ଚରଣ ମାଝୀ (ମୟୂରଭଞ୍ଜ), ବଳଭଦ୍ର ମାଝୀ (ନବରଙ୍ଗପୁର), ଅନନ୍ତ ନାୟକ (କେନ୍ଦୁଝର) ଏବଂ କଳାହାଣ୍ଡି ସାଂସଦ ମାଳବୀକା ଦେଓ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀ ବୈଷ୍ଣବଙ୍କ ସହ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ‘ଶ୍ରୀଗୁରୁ ଭାଗବତ’ର ନବମ ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ ମହାନ୍ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ର (ଓଡ଼ିଆ) ନବମ ଖଣ୍ଡ ଲୋକାର୍ପଣ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଶାନ୍ତି, ମୈତ୍ରୀ, ସଦ୍‌ଭାବନା ଓ ସଦାଚାର ପ୍ରତିଷ୍ଠା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ କହିଥିଲେ ଯେ ଯେ ଦେଶର ଆଧ୍ୟାତ୍ମିକ ଜଗତରେ ଗୁରୁଜୀ ଡ. ଶତପଥୀ ଜଣେ ଅସାମାନ୍ୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ। ସାହିତ୍ୟ, ସଂଗୀତ ଏବଂ ଜନକଲ୍ୟାଣକାରୀ ସେବାରେ ସେ ସଦାସର୍ବଦା ନିୟୋଜିତ ହୋଇ ଆସିଛନ୍ତି। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ସୁନାମ ରହିଛି ।

ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ପ୍ରସିଦ୍ଧି ସମସ୍ତେ ଜାଣନ୍ତି। ଜଣେ ଗୁରୁ କିପରି ହେବା ଉଚିତ, କିପରି ଆଦର୍ଶ ଜୀବନ ନିର୍ବାହ କରିବେ, ସେ ତାର ଜୀବନ୍ତ ଓ ଜ୍ୱଳନ୍ତ ଉଦାହରଣ। ତାଙ୍କ ଦ୍ୱାରା ରଚିତ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ସମ୍ପୂର୍ଣ୍ଣ ଗୁରୁ ତତ୍ତ୍ୱକୁ ନେଇ ଆଧାରିତ। ଏହା କୌଣସି ନିର୍ଦ୍ଦିଷ୍ଟ ଗୁରୁ, ପରମ୍ପରା, ମତ ବା ସମ୍ପ୍ରଦାୟକୁ ଆଧାର କରି ଉଦ୍ଦିଷ୍ଟ ନୁହେଁ। ଆମର ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା ଓ ଭାଗବତ ଟୁଙ୍ଗୀ ପରମ୍ପରାକୁ ପୁନରୁଦ୍ଧାର କରିବା ସହ ଏହାକୁ ଶକ୍ତି ଦେବାରେ ଡଃ ଚନ୍ଦ୍ରଭାନୁ ଶତପଥୀ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।

କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରକୁ ମଧ୍ୟ ଏହି ପରମ୍ପରା ପ୍ରସାରିତ ହୋଇଛି। ଛତିଶଗଡ଼, ହରିୟାଣା ଓ ୟୁପି ଆଦି ରାଜ୍ୟରେ ଗୁରୁ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ପାରିଛି।ଖୁସିର ବିଷୟ ଯେ ଅନ୍ୟ ରାଜ୍ୟ ଓ ଦେଶର ଅଣଓଡ଼ିଆମାନେ ଓଡ଼ିଆ ଭାଷା ଶିଖି ଶ୍ରୀଗୁରୁ ଭାଗବତ ପାଠ ଓ ଗାୟନ କରୁଛନ୍ତି। ଏହାଦ୍ୱାରା ବାହାର ରାଜ୍ୟ ଓ ଦେଶରେ ଓଡ଼ିଆ ଭାଷାର ଆଦର ଓ ମର୍ଯ୍ୟାଦା ବଢ଼ିବାରେ ଲାଗିଛି।

ଓଡିଆ ଅସ୍ମିତାର ମଧ୍ୟ ପ୍ରଚାର ପ୍ରସାର ହେଉଛି। ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଗୌରବାନ୍ୱିତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି ଶ୍ରୀଗୁରୁ ଭାଗବତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀଗୁରୁ ଭାଗବତ ୨୦ଟି ଭାଷା ଓ ଉପଭାଷାରେ ଅନୁବାଦିତ ହୋଇସାରିଛି। ଏହା ସହ କୋଶଲି ଓ ସାନ୍ତାଳୀ ଭାଷାରେ ମଧ୍ୟ ଅନୁବାଦ ହୋଇଛି। ସବୁ ମହଲରେ ଓ ସବୁ ଶ୍ରେଣୀରେ ଶ୍ରୀଗୁରୁ ଭାଗବତର ଆଦୃତିର ଏହା ବଳିଷ୍ଠ ପ୍ରମାଣ।

ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଶ୍ରୀଗୁରୁ ଭାଗବତ ପ୍ରତି ବିଦେଶରେ ମଧ୍ୟ ଆଦର ଓ ଜନପ୍ରିୟତା ରହିଛି । ଏହା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧ୍ୟାତ୍ମିକତା ଆମ ମାନବୀୟ ଚେତନାର ଏକ ଦିବ୍ୟ ପରିପ୍ରକାଶ। ସାଧାରଣ ମଣିଷକୁ ଦେବତ୍ୱ ପ୍ରଦାନ କରିବା ଦିଗରେ ଆଧ୍ୟାତ୍ମିକତା ହେଉଛି ଶ୍ରେଷ୍ଠ ମାର୍ଗ। ସମସ୍ତେ ଏହି ଅନୁଭୁତି ପାଇନଥାନ୍ତି। ଏ ଅନୁଭୁତି କେବଳ ଗୁରୁକୃପାରୁ ହିଁ ମିଳିଥାଏ। ଡ. ଶତପଥୀଙ୍କ ପରି ଜଣେ ଗୁରୁଙ୍କ ସାନିଧ୍ୟ ପାଇବା ସୌଭାଗ୍ୟର କଥା।

କ୍ରାନ୍ତି ଦିବସକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଏକ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାରେ ଗୁରୁଜୀଙ୍କ ଏହି ଆଧ୍ୟାତ୍ମିକ ଅଭିଯାନ ସହାୟକ ହେଉଛି ଏବଂ ଦେଶବାସୀଙ୍କୁ ସେବା, ସମର୍ପଣ ଓ ଦିବ୍ୟ ଚେତନାର ମାର୍ଗରେ ଅନୁପ୍ରେରିତ କରିବାରେ ଗୁରୁଜୀଙ୍କ ଜ୍ଞାନ ଓ ବାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁରୁଜୀଙ୍କ ସହିତ ଆଲୋଚନା ସମୟରେ ସମାଜର ଶ୍ରେଣୀ ଗତ ବିଭେଦ ଦୂର କରିବା ପାଇଁ ଗୁରୁଜୀ ପରାମର୍ଶ ଦେଇଥିଲେ। ଏ ଦିଗରେ ଉଦ୍ୟମ ଚାଲିଛି ଓ ଏହା ସଫଳ ହେଉଛି ବୋଲି ସେ କହିଥିଲେ।

ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ କହିଥିଲେ ଯେ ଆମେ ସମସ୍ତେ ମନ ଭିତରୁ ଅହଙ୍କାର ଓ ଈର୍ଷା ପରି ବଦଗୁଣ ଦୂର କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ନିଜକୁ ପରିବର୍ତ୍ତନ କରିବାକୁ ହେଲେ ରୂଢିବାଦି ଚିନ୍ତାଧାରା ରୁ ନିଜକୁ ମୁକ୍ତ ରଖିବାକୁ ହେବ। ସେ କହିଥିଲେ ଯେ ଗୁରୁମନ୍ତ୍ର ଓ ପ୍ରକୃତିର ଶକ୍ତି ହିଁ ମଣିଷକୁ ଆଗକୁ ନେବାରେ ସମର୍ଥ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ହରେକୃଷ୍ଣ ଶତପଥୀ ଗୁରୁଜୀଙ୍କ ପୁସ୍ତକର ସାର ମର୍ମ ଉପରେ ଜ୍ଞାନ ଗର୍ଭକ ଅଭିଭାଷଣ ଦେଇଥିଲେ। ପୁସ୍ତକର ସାନ୍ତାଳୀ ଅନୁବାଦକ ଶ୍ରୀ ଶିବ ଚରଣ ମାର୍ଣ୍ଡି ସାନ୍ତାଳୀ ପୁସ୍ତକ ଉପରେ ସମ୍ୟକ୍ ଅବତାରଣା ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପାଇଁ ପ୍ରସ୍ତୁତ ହେବ ଭିଜନ ଡକ୍ୟୁମେଣ୍ଟ ୨୦୩୬ , ମୁଖ୍ୟମନ୍ତ୍ରୀଙ୍କ ସହ ନୀତି ଆୟୋଗ ସିଇଓଙ୍କ ଆଲୋଚନା

ଭୁବନେଶ୍ବର: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ସମୃଦ୍ଧ ଇଂଜିନ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।

ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।

ନୀତି ଆୟୋଗର ସି.ଇ.ଓ ଶ୍ରୀ ସୁବ୍ରମନିୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।

ଆଲୋଚନାରୁ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣା ଯାଇଛି। ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ଭିଜନ ଡକ୍ୟୁମେଣ୍ଟର କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର ଆକସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ: ରାତିରେ ରୋଗୀ ମାନଙ୍କ ଯତ୍ନ ସମ୍ପର୍କରେ ପଚାରି ବୁଝିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି।

ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ଥିବା ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବୁଝିଥିଲେ।

କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀ ମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ମଜୁରୀ ସମ୍ପର୍କରେ ବୁଝିଥିଲେ। ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରୋଗୀ ସେବା ପରି ଏକ ମହାନ୍ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି। ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଆଜି ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ସକ୍ରିୟ ରହି ଅନେକ ଲେଖା ଓ ପୁସ୍ତକ ରଚନା କରିଥିଲେ। ତାଙ୍କର ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି।”

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ: ଜାଣନ୍ତୁ କ’ଣ ହେଲା ଆଲୋଚନା?

ଭୁବନେଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଏସବୁ ବିଷୟରେ ଅବଗତ ଅଛନ୍ତି। ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବେ।

ଶ୍ରୀ ପ୍ରସନ୍ନ ମହାନ୍ତି, ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଶ୍ରୀ ପ୍ରଦୀପ୍ତ ମହାପାତ୍ର, ଶ୍ରୀ ହରିହର ଚାନ୍ଦ, ପ୍ରଶାନ୍ତ ସ୍ଵାଇଁ, ପ୍ରିତିକାନ୍ତ ନାୟକ, ସୁଜିତ୍ ବିଶୋଇ, ଦେବାଶିଷ ସାସମଲ୍, ବିଶ୍ବରଂଜନ ମହାପାତ୍ର, ସୌମ୍ୟ ରଞ୍ଜନ ସାହୁ, ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ବହୁ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।