Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ ବଢୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଶନିବାର ଦେଶରେ କ୍ରମବର୍ଦ୍ଧିଷ୍ଣୁ ମ୍ୟୁକୋରମାଏକୋସିସ୍ ବା ବ୍ଲାକ ଫଙ୍ଗସ ରୋଗର ସବିଶେଷ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆମ୍ଫୋଟେରିସିନ- ବି ଅତିରିକ୍ତ ୨୩୬୮୦ ଭାଏଲ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଯୋଗାଇ ଦିଆଯାଇଛି।

ସେ କହିଛନ୍ତି ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ଏହି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି । ଏଯାବତ୍ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୮୮୪୮ଜଣ ମ୍ୟୁକୋରମାଏକୋସିସ୍ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

ଓଡିଶାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୫ଥିଲା । ଓଡିଶା ଏହି ଅତିରିକ୍ତ ସହାୟତାରେ ୫୦ଭାଏଲ ଆମ୍ଫୋଟେରିସିନ-ବି ପାଇଛି । ମ୍ୟୁକୋରମାଏକୋସିସ୍ ଏକ କବକ ବା ଫଙ୍ଗସ୍ ସଂକ୍ରମଣ ଜନିତ ରୋଗ । ଏହା କୋଭିଡ୍ ରୋଗୀଙ୍କ ମଧ୍ୟରେ ଦେଖାଯାଉଛି ।

ଗୁଜରାଟରେ ସର୍ବାଧିକ ୨୨୮୧, ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ରପ୍ରଦେଶର ୯୧୦, ମଧ୍ୟପ୍ରଦେଶର ୭୨୦ ଓ ରାଜସ୍ଥାନରେ ୭୦୦ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି ।