Categories
ଆଜିର ଖବର ରାଜ୍ୟ ଖବର

୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

ଭୁବନେଶ୍ବର: ରବିବାର ଦିନ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳୀନ ପ୍ରଫେସର୍ ଡ. ବାବାଜୀ ଚରଣ ପଟ୍ଟନାୟକ ଓ ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା ଯୋଗଦାନ କରି ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାଇଥିଲେ।

ମହାବିଦ୍ୟାଳୟର ତତ୍କାଳୀନ ଦୁଇ ଦିବଂଗତ ପ୍ରଫେସର୍ ଡ. ରତ୍ନାକର ଚଇନି ଓ ଡ. ସୁଚିତ୍ରା ମହାପାତ୍ରଙ୍କ ସ୍ମୃତିଚାରଣପୂର୍ବକ ଗୁରୁମାନଙ୍କ ନିର୍ଦ୍ଦେଶିତ ମାର୍ଗରେ ନିଜକୁ ବ୍ରତୀ କରାଇବା ନିମନ୍ତେ ସଂକଳ୍ପ କରିଥିଲେ। ଏହା ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଅଗ୍ରସର ହେବା ସହିତ ବନ୍ଧୁତ୍ବକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଅନ୍ତତଃ ଥରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆୟୋଜିତ କରିବାପାଇଁ ସ୍ଥିର କରାଗଲା।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ରତ୍ନାକର ଚଇନି ଓ ରାଜହଂସର ନାୟକ

କେଦାର ମିଶ୍ର

ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ ଭଲ ଓ ଖରାପ ଭିତରେ ରହିଥିବା ନୈତିକତାର ରେଖା ଲିଭାଇଥିବା ସେ ନାଟକଟି ଅନେକ ସମୟରେ ମୋତେ ଆଚ୍ଛନ୍ନ କରିଛି। ନିଜକୁ ନାୟକ ମନେ କରି ସ୍ଵପ୍ନ ଦେଖିବାର କଳା ହୁଏତ ସେ ନାଟକରୁ ମୁଁ ଓ ମୋ ପରି ଆହୁରି ଅନେକ ଶିଖିଛୁ। ତେବେ ଯେଉଁ ରତ୍ନାକର ଚଇନିଙ୍କୁ ମୁଁ “ରାଜହଂସ”ର  ନାଟ୍ୟକାର ଭାବେ ଜାଣିଥିଲି, ତାଙ୍କ ସହ ପରବର୍ତ୍ତୀ ଜୀବନରେ ବୈଚାରିକ ପ୍ରତିପକ୍ଷ ଭାବରେ ଠିଆ ହେବାକୁ ପଡିବ, ଏକଥା ହୁଏତ ମୁଁ କଳ୍ପନା ବି କରି ନଥିଲି। ରତ୍ନାକର ସାରଙ୍କ ସହ ପ୍ରଥମ ଦେଖା ହେଲାବେଳେ ମୁଁ ଜାଣି ସାରିଥିଲି ଯେ ଆମର ମାର୍ଗ ଭିନ୍ନ। ବିଚାର ଓ ଚିନ୍ତନରେ ସେ ଥିଲେ ଦକ୍ଷିଣପନ୍ଥୀ ଓ ସ୍ଵାଭାବିକ ଭାବରେ ମୋର ବିଚାର ତାଙ୍କର ବିରୋଧୀ। ଅଥଚ ପ୍ରଥମ ଦେଖାରେ ତାଙ୍କର ସ୍ନେହ କେବେବି ଭୁଲି ହେବନାହିଁ।

ବୈଚାରିକ ବିରୋଧ ସତ୍ତ୍ୱେ ଓଡିଶାର ଦୁଇଜଣ ଦକ୍ଷିଣପନ୍ଥୀ ଲେଖକଙ୍କ ସହିତ ମୋର ଗଭୀର ସମ୍ପର୍କ ରହିଥିଲା। ଜଣେ ଡକ୍ଟର ଉମେଶ ପତ୍ରୀ, ସାର କିଛି ବର୍ଷ ଆଗରୁ ଆମଠୁ ବିଦାୟ ନେଇ ସାରିଥିଲେ। ଆର ଜଣକ ଡକ୍ଟର ରତ୍ନାକର ଚଇନି, ଆଜି ୭୫ ବର୍ଷ ବୟସରେ ସେ ବି ଚାଲିଗଲେ। ବୈଚାରିକ ବିରୋଧ ଯେ ବ୍ୟକ୍ତିଗତ ସଂପର୍କକୁ ଛୁଇଁ ପାରେନାହିଁ, ଏ କଥା ଏ ଦୁହିଙ୍କ ପାଖରୁ ମୁଁ ଶିଖିଛି।

ଆଜି ବି ମନେ ଅଛି, ୨୦୦୭-୦୮ର କନ୍ଧମାଳ ଦଙ୍ଗା ସମୟରେ ରତ୍ନାକର ସାର ଥିଲେ ଓଡିଶାରେ ବିଶ୍ଵ ହିନ୍ଦୁ ପରିଷଦର ଛାମୁଆ ନେତା। ଅନେକ ଟେଲିଭିଜନ ବିତର୍କରେ ତାଙ୍କର ବିଚାର ଓ ବକ୍ତବ୍ୟକୁ ମୁଁ ତୀବ୍ର ବିରୋଧ କରିଛି। ସାରଙ୍କୁ ସମାଲୋଚନା କରି ଅନେକ ଲେଖା ଲେଖିଛି। ବୈଚାରିକ ଭାବରେ ଆଜି ମଧ୍ୟ ସାରଙ୍କୁ ମୁଁ ଅସ୍ଵୀକାର କରେ। ହେଲେ ଲେଖକ ଓ ମଣିଷ ଭାବରେ ତାଙ୍କ ଆଗରେ ବିନମ୍ରତାର ସହ ବାରମ୍ବାର ଠିଆ ହୋଇଛି ଓ ଆଜି ବି ତାଙ୍କ ସ୍ମୃତି ଆଗରେ ମୁଁ ମଥାନତ କରୁଛି।

୨୦୦୯ ଜାନୁଆରୀରେ ସାର ଥା’ନ୍ତି ଉତ୍କଳ ସାହିତ୍ୟ ସମାଜର ସଭାପତି। ସେତେବେଳେ ମୋତେ ଆମନ୍ତ୍ରଣ ଆସିଲା ସାହିତ୍ୟ ସମାଜର ଯୁବ ଉତ୍ସବରେ ମୁଖ୍ୟବକ୍ତା ହୋଇ ଯୋଗଦାନ କରିବାକୁ। ସେତେବେଳେ ସାରଙ୍କ ସହିତ ଅନେକ ବାର କଥା କଟାକଟି ହୋଇ ସାରିଛି। ତା ସତ୍ତ୍ୱେ ଏ ନିମନ୍ତ୍ରଣ। ଫୋନ କରି କହିଲେ, କେଦାର! ନିଶ୍ଚୟ ଆସିବ। ସଭାକୁ ଗଲି। ମୋ ସାଙ୍ଗେ ଅତିଥି ଥାନ୍ତି, ସମ୍ମାନନୀୟ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀ। ସେଦିନ ସ୍ଵାଗତ କଲାବେଳେ ମୋ ବିଷୟରେ ରତ୍ନାକର ସାରଙ୍କର କିଛି ବାକ୍ୟ, ଆଜି ବି ଭୁଲିନାଇଁ। ବୈଚାରିକ ବିରୋଧ ବାହାରେ ଜୀବନ ଯେ କେତେ ବଡ,  କେତେ ବିଶାଳ, ତା ବୋଧେ ସେ ମୋତେ ସେଦିନ ବୁଝାଇ ଦେଇଥିଲେ।

ଗତ କିଛି ବର୍ଷ ଭିତରେ ସାରଙ୍କ ସହ ଆଉ ବିଶେଷ ଦେଖା ହୋଇନି। ହେଲେ ଓଡିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ କଥା କଦାପି ଭୁଲି ହୋଇନାହିଁ। ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ଓଡିଶାର ରହସ୍ୟବାଦୀ କାବ୍ୟ ପରମ୍ପରା ସମ୍ପର୍କରେ ତାଙ୍କର ଗଭୀର ଅନୁଶୀଳନ ରହିଥିଲା। ମାଳିକା ସାହିତ୍ୟର ଜଣେ ମର୍ମଜ୍ଞ ଆଲୋଚକ ଏବଂ ଓଡିଆ ନବନାଟ୍ୟ ଆଂଦୋଳନର ଅନ୍ୟତମ ମହାନାୟକ ଭାବେ ଡକ୍ଟର ରତ୍ନାକର ଚଇନି ସ୍ମରଣୀୟ ହୋଇ ରହିବେ।