Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପାଳିତ ହେଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏଥିରେ ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇଥିଲେ।

ଏହାପରେ ଏକ ପାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବାଚସ୍ପତି ଅଭିବାଦନ ଗ୍ରହଣ କରିଥିଲେ। ଏହି ପାରେଡରେ ଏକୋଇଶିଟି ଦଳ ଭାଗ ନେଇଥିଲେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରାଯାଇଛି। ଆଜି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ସାଂସଦ ଅପରାଜିତା, ତେରେଚ୍ଛା ବାଣ ମାରିଲେ ମେୟର ସୁଲୋଚନା

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଏହି ଦିବସକୁ ସରକାରୀ ଭାବେ ବିଧାନସଭା ସମ୍ମୁଖରେ ପାଳନ କରାଯାଇଛି। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇପାରି ନ ଥିଲେ। ଯାହାକୁ ନେଇ ମେୟର ସୁଲୋଚନା ଦାସ ତାଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ଅପରାଜିତା ହେଉଛନ୍ତି ଭୁବେନେଶ୍ବରର ସାଂସଦ। ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ସେ ସାଂସଦ ହିସାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା କଥା। ହେଲେ ସେ ଆସିଲେ ନାହିଁ। ଆମେ ଜାଣିଛୁ ପୁରୀରେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ସେହି କାର୍ଯ୍ୟକ୍ରମ ତାଙ୍କ ପାଇଁ ବଡ। ରାଜଧାନୀ ପ୍ରତିଷ୍ଠା ଦିବସ ବଡ ନହେଁ।

ମେୟର ଆହୁରି କହିଛନ୍ତି ଯେ, ପ୍ରତିଷ୍ଠା ଦିବସ ସକାଳୁ ଆରମ୍ଭ ହୋଇଛି। ସେ ଚାହିଁଥିଲେ ସକାଳେ ଏଠାରେ ଯୋଗ ଦେଇ ପୁରୀ ଯାଇପାରି ଥାଆନ୍ତେ। ହେଲେ ତାଙ୍କ ପାଇଁ ଦଳ ବଡ, ଭୁବନେଶ୍ବର ନୁହେଁ ବୋଲି କହି ତେରେଚ୍ଛା ବାଣ ମାରିଛନ୍ତି ମେୟର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ, ରାଜଧାନୀ ହେବାର ପୁରିଲା ୭୭ ବର୍ଷ

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥିରେ ବାଚସ୍ପତି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ପାରେଡରେ ଅଭିବାଦନ ଗ୍ରହଣ କରିବେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସକାଳ ୮ ଘଟିକା ସମୟରେ ଉଦଘାଟିତ ହେବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୋମବାର ଦିନ ମଧ୍ୟ ଏକ ଉଦଜାପନୀ ସଭାର କାର୍ଯ୍ୟକ୍ରମ ରହିଛି। ଯାହା ଓଡିଶା କୃଷି ମହାବିଦ୍ୟାଳୟରେ ଆୟୋଜିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜଧାନୀ ପ୍ରତିଷ୍ଠା ଦିବସ, ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ

ଭୁବନେଶ୍ବର: ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଆସନ୍ତାକାଲି ଅର୍ଥାତ ତା.୧୩.୦୪.୨୦୨୫ରିଖ ସକାଳ ସାଢେ ୬ ଘଟିକା ସମୟରେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥିରେ ବାଚସ୍ପତି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ପାରେଡରେ ଅଭିବାଦନ ଗ୍ରହଣ କରିବେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସକାଳ ୮ ଘଟିକା ସମୟରେ ଉଦଘାଟିତ ହେବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୋମବାର ଦିନ ମଧ୍ୟ ଏକ ଉଦଜାପନୀ ସଭାର କାର୍ଯ୍ୟକ୍ରମ ରହିଛି। ଯାହା ଓଡିଶା କୃଷି ମହାବିଦ୍ୟାଳୟରେ ଆୟୋଜିତ ହେବ।

Categories
ବିଶେଷ ଖବର

ରାଜଧାନୀକୁ ଜିଲ୍ଲାର ମାନ୍ୟତା କେବେ?

ସୁବାସ କୁମାର ତାରଣିଆଁ

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ଏପ୍ରିଲ ୧୪ ତାରିଖରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ଦିବସର ଶିଳାନ୍ୟାସ ସ୍ଥାପନ କରିଥିଲେ। ଇତିମଧ୍ୟରେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ଦିବସ ୭୭ ବର୍ଷରେ ପଦାର୍ପଣ କରିଛି। ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇପାଶ୍ୱର୍ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା।

ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା।

ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରିସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର।

୨୦୨୧ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୧ ଲକ୍ଷ ୯୪ ହଜାରରେ ପହଞ୍ôଚଥିଲା ବେଳେ ୨୦୨୨ ମସିହାରେ ୧୨ ଲକ୍ଷ ୨୬ ହଜାର, ୨୦୨୩ରେ ୧୨ ଲକ୍ଷ ୫୮ ହଜାର, ୨୦୨୪ରେ ୧୨ ଲକ୍ଷ ୮୯ ହଜାରରେ ପହଞ୍ôଚଛି। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି।

ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବର୍ତ୍ତମାନ ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ସଂସ୍ଥା ରାଜଧାନୀର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ରଖିଥିବା ବେଳେ ଏହାର ସମସ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ରାଜଧାନୀ ସ୍ଥାପନ ପୂର୍ବରୁ ଏଠାରେ ପ୍ରବାହିତ ହେଉଥିବା ୧୦/୧୧ଟି ପ୍ରାକୃତିକ ଝରଣାକୁ ଅଟକାଇ ଜୋରଜବରଦସ୍ତ ସେଠାରେ ଘରବାଡ଼ି ନିର୍ମାଣ କରାଯାଇ ଥିବାରୁ ସହରରେ ଜଳ ନିଷ୍କାସନ ସବୁଠାରୁ ବଡ଼ ସମସ୍ୟା ରୂପେ ମୁଣ୍ଡଟେକିଛି। ସହରର ଜଳ ନିଷ୍କାସନର ସମସ୍ତ ପଥ ଆଜି ଅବରୁଦ୍ଧ। ଦେଶର ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ହାସଲ କରିଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ମଧ୍ୟ ଏହି ସୁବିଧାରୁ ବଞ୍ôଚତ ହୋଇଛି। ଅତୀତରେ ଦୀର୍ଘବର୍ଷ ଧରି ଏହା ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିବା ସ୍ଥଳେ ବିଗତ ଶତାବ୍ଦୀର ନବମ ଦଶକରୁ ଖୋର୍ଦ୍ଧା ଜିଲ୍ଲାର ଏକ ଅଞ୍ଚଳରେ ପରିଣତ ହୋଇଛି। ରାଜଧାନୀର ଗୁରୁତ୍ୱ ଏବଂ ଐତିହ୍ୟକୁ ଦୃଷ୍ଟିରେ ରଖି ଏହାକୁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ୭୭ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟକୁ ଗୋଟିଏ ବଡ଼ ସଫଳତା ମିଳିପାରିବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା ଓ ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା। ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି। ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି । ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୭ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ।

ସ୍ୱାଧୀନତାପ୍ରାପ୍ତି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ଅବିଭକ୍ତ ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼କୁ ଦୁଇଟି ଯୋଜନାବଦ୍ଧ ସହରରେ ଗଢି ତୋଳିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। କିନ୍ତୁ ଆଜି ଚଣ୍ଡୀଗଡ଼ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ବିକଶିତ ସହର ରୂପେ ମୁଣ୍ଡ ଟେକି ଥିବାବେଳେ ୭୭ ବର୍ଷ ପରେ ଭୁବନେଶ୍ୱରର ସ୍ଥାନ ଯେଉଁଠି ଥିଲା, ସେଇଠି! ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ୧୩ ଓ ୧୪ ତାରିଖରେ ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିନିମନ୍ତେ ପୂର୍ବରୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହାକୁ ମହା ଆଡ଼ମ୍ବରରେ ପାଳନ କରିବା ସହ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ୟାରେଡ ଓ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି।

ବୈଠକ ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ଆଜିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ୟାପିଟାଲ୍‌ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେବଳ ବିଭିନ୍ନ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ୟାରେଡ୍‌ ଅନୁଷ୍ଠିତ ହେବ। ପ୍ୟାରେଡ୍‌ ବ୍ୟାଣ୍ଡ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇପାରିବେ।

ସେହିଭଳି ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ‘ଆମ ରାଜଧାନୀ’ ପ୍ରସଙ୍ଗ ଉପରେ ନାଚ ଓ ଗୀତକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବା ସହ ଉକ୍ତ ଦୁଇଦିନ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସଭା କାର୍ଯ୍ୟ ଅନୁଷ୍ଠିତ ହେବ। ଏହି ସମସ୍ତ କାର୍ଯ୍ୟକ୍ରମରେ ଆଇନଶୃଙ୍ଖଳା, ପାନୀୟ ଜଳ ଏବଂ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ, ବାଣିଜ୍ୟକ ପ୍ରତିଷ୍ଠାନ କୋଠା ଗୁଡ଼ିକର ଆଲୋକୀକରଣ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ଉକ୍ତ ବୈଠକରେ ରାଜଧାନୀ ପ୍ରତିଷ୍ଠା ଦିବସ ଆୟୋଜନ କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଏହି ଦିବସ ପାଳନ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର କେ. ଗଣେଶ, ମାଧ୍ୟମିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ହିମାଂଶୁ ଶେଖର ବେହେରା,ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ସାନ୍ଧ୍ୟରାଣୀ ରାଉତ, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମଙ୍ଗରାଜ, ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର, ଶିକ୍ଷକଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ସଂସ୍କୃତି

୭୬  ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ  ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ  ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ  ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ  ଆଲୋକପାତ କରିଥିଲେ। ୧୩ ଏପ୍ରିଲ ୧୯୪୮ ରେ  ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ  ଆଦର୍ଶ ଆଚରଣ ବିଧି ବଳବତ୍ତର ରହୁଥିବାରୁ ଏହାକୁ ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମକୁ ଯଥା ସମ୍ଭବ ସୀମିତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ  ’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ  ଭୁବନେଶ୍ୱରର  ଜନ୍ମୋତ୍ସବ ଭାବେ ମର୍ଯ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ଶାନ୍ତି, ଶୃଙ୍ଖଳାର ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପୂର୍ବରୁ ସାଧାରଣତଃ ୩ ଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ଏ ବର୍ଷ ଗୋଟିଏ ଦିନ ପାଳନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ସକାଳେ ବିଧାନସଭା ସୌଧ ସମ୍ମୁଖସ୍ଥ  ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ । ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସ ପତାକା  ଉତ୍ତୋଳନ କରିବେ । ସଂପ୍ରତି ପ୍ରଚଣ୍ତ ରୌଦ୍ରତାପ ଜାରି ରହିଥିବାରୁ ପ୍ରତିବର୍ଷ  ରାଜଧାନୀ ଫଳକ ସମ୍ମୁଖ ରାସ୍ତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଆସୁଥିବା ବେସାମରିକ ପ୍ୟାରେଡ୍ ପ୍ରଦର୍ଶନ ଚଳିତ  ବର୍ଷ ଅନୁଷ୍ଠିତ ହେବ ନାହିଁ । ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ଅପରାହ୍ଣରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମଧ୍ୟ କରାଯିବ ନାହିଁ ।

କିନ୍ତୁ ସେଦିନ ସଂଧ୍ୟାରେ  ଜୟଦେବ ଭବନରେ  ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି  ଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ  ପ୍ରତିଷ୍ଠା ଦିବସ ଉପଲକ୍ଷେ ତୋରଣ କରାଯିବ।

ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ  ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ  ମାଲ୍ୟାର୍ପଣ କରାଯିବ। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଏମସି ଓ  ବିଡିଏର ମିଳିତ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ପ୍ରାରମ୍ଭରୁ ଅଦ୍ୟାବଧି ରହିଥିବା ଐତିହ୍ୟ ଏବଂ ପୁରାତନ ସ୍ମୃତି ବହନ କରୁଥିବା ଫଟୋଚିତ୍ରକୁ ସ୍ଥାନିତ କରି ଏକ ଫଟୋ ପ୍ରଦର୍ଶନୀ ଜୟଦେବ ଭବନ ଠାରେ  ଅନୁଷ୍ଠିତ ହେବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବି.ଡି.ଏ) ଉପାଧ୍ୟକ୍ଷ ବଳୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପୂର୍ତ୍ତ  ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୋଲିସ୍ ଡିସିପି (ହେଡକ୍ୱାଟର୍ସ) କିଶୋର ଚନ୍ଦ୍ର ପାଟ୍ଟଶାଣୀ, ସୂଚନା ଓ  ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଗୁରୁବାର ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଫେସର ପରିଡାଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ପ୍ରଫେସର ପରିଡା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଦୁଇ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇ ସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଗ୍ରନ୍ଥାଗାରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ, ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର, ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଜି ଅପରାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ରୁଦ୍ରପ୍ରସାଦ ବେହେରା, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଂଜୁରାଣୀ ମୁଦୁଲି ଓ ଗ୍ରନ୍ଥାଗାର ଶିକ୍ଷାନବିଶମାନେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜଧାନୀ ଭୁବନେଶ୍ୱର ଆଜି ନିଜର ୭୫ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନାପ୍ରଯୁକ୍ତି ପ୍ରତି କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପରିବ୍ୟାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତି ଚାରଣ କରାଯାଇଥିଲା।

ଆସନ୍ତାକାଲିଠାରୁ ରାଜ୍ୟରେ ନୂତନ ପାଞ୍ଜି ପ୍ରଚଳନ ହେବା ସହ ପ୍ରତି ଓଡ଼ିଆ ମହାବିଷୁବ ସଂକ୍ରାନ୍ତି ପାଳନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ 

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

୧୯୪୮ ମସିହା ଅପ୍ରେଲ୍‌ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ ଆକର୍ଷଣୀୟ ସହକାରେ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୁଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଉପାଧକ୍ଷ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ,  ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିଲେ।

ସେହିପରି ବି.ଏମ୍‌.ସି. ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ,  ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ  ସମେତ ରାଜ୍ୟ ସ୍ୱରାଷ୍ଟ୍ର, ଗୃହ ଓ ନଗର ଉନ୍ନୟନ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓ୍ୱାଟକୋ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ  ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ  ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍ସବ ଆୟୋଜନ ସଂପର୍କରେ ମତ ରଖିଥିଲେ ।

ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି.ଏମ୍‌.ସି ତରଫରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସବିଶେଷ ତଥ୍ୟ ରଖିଥିଲେ। ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅପ୍ରେଲ୍‌ ୧୩ ତାରିଖ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ, ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ, ଉତ୍ସବ ଅବସରରେ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ସେହିପରି ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବି.ଏମ୍‌.ସିର ପ୍ରତ୍ୟେକ ୱାର୍ଡ଼ସ୍ତରରେ ମଧ୍ୟ ଉତ୍ସବ ପାଳନ କରାଯିବ । ୱାର୍ଡ ସଫେଇ ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲୀ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ଓ୍ୱାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ।

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯିବ। ରାଜଧାନୀ ପ୍ରତିଷ୍ଠା  ଶିଳାନ୍ୟାସ ଫଳକ ଏବଂ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟକରଣ କରାଯିବ। କେଶରୀ ଟକିଜ୍‌, ଏଜି ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୩ଟି ସୁଦୃଶ୍ୟ ସ୍ୱାଗତ ତୋରଣ ଲଗାଯିବ।  ଉତ୍ସବ ସ୍ଥଳରେ ଅତିଥି ମାନଙ୍କର ବସିବା ପାଇଁ ବ୍ୟାପକ ବ୍ୟବସ୍ଥା, ଗାଲିଚା ବିଛେଇ ଓ ବ୍ୟାରିକେଡିଂ ବ୍ୟବସ୍ଥା, ଉତ୍ସବସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୋଠାବାଡ଼ି ଆଲୋକୀକରଣ, ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ କୋଠା ଏବଂ ଜୟଦେବ ଭବନ ଠାରେ ଭୁବନେଶ୍ୱରର ଐତିହ୍ୟ, ବର୍ତ୍ତମାନ ଏବଂ ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜନ, ରକ୍ତଦାନ ଶିବିର ଆୟଜନ କରାଯିବ।

ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନିଶମ ସେବା ଓ, ଆମ୍ବୁଲାନ୍ସ  ସେବା ବ୍ୟବସ୍ଥା, ଉତ୍ସବ ଏବଂ ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଯାତାୟତ ପାଇଁ ବସ୍, ଟ୍ରାଫିକ୍‌ ନିୟନ୍ତ୍ରଣ, ପାନୀୟଜଳ, ସହରରେ ଥିବା ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ​‌ରେ ମାଲ୍ୟାର୍ପଣ କରାଯିବା ସହ ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାରକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମହାନଗର  ନିଗମ ତରଫରୁ ଅପ୍ରେଲ୧୪ ତାରିଖରେ ମାରାଥନ୍‌ ଏବଂ ୧୫ ତାରିଖରେ ସାଇକ୍ଲୋଥର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବି.ଏମ୍‌.ସି କମିଶନର ଶ୍ରୀ କୁଲାଙ୍ଗେ ବୈଠକରେ  ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବକୁ ସରସ, ସୁନ୍ଦର ଓ ଶାନ୍ତି, ଶୃଙ୍ଖଳାର ସହ ଏବଂ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଏହି ଐତିହ୍ୟ ସଂପନ୍ନ ମନ୍ଦିରମାଳିନୀ ଭୁବନେଶ୍ୱର ସହରର ପ୍ରତିଷ୍ଠା ଦିବସକୁ ଅଧିକ ଆନନ୍ଦ ଉଲ୍ଲାସର ପାଳନ ନିମନ୍ତେ ସମସ୍ତଙ୍କ ଠାରୁ ସହଯୋଗ ଆଶା କରିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବକୁ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବା ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ମତ ରଖିଥିଲେ।

ବୈଠକର ଆଲୋଚନା ଅନୁସାରେ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପରେଡ୍ ଏପ୍ରିଲ ୧୩ ତାରିଖରେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହେବ ଓ ସେହିଦିନ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ଉତ୍ସବର ମୁଖ୍ୟ ଅତିଥି ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଶିଳାନ୍ୟାସ ଫଳକରେ ସକାଳ ୮.୦୦ ଘଣ୍ଟା ସମୟରେ ପୂଷ୍ପଗୁଚ୍ଛ ଅର୍ପଣ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରି ସମବେତ ବେସାମରିକ ପରେଡରେ ଅଭିବାଦନ ଗ୍ରହଣ କରିବେ। ଉତ୍ସବ ପରିପ୍ରେକ୍ଷୀରେ ଅଭ୍ୟାସ ପରେଡ୍, ଛାତ୍ରଛାତ୍ରୀଙ୍କ ପରେଡ୍ ରେ ଅଂଶଗ୍ରହଣ ନିମନ୍ତେ ଯାତାୟତ ବ୍ୟବସ୍ଥା, ପାନୀୟଜଳ, ପରିମଳ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ପୋଲସ୍ ବ୍ୟାଣ୍ଡ ବାଦନ, ଉତ୍ସବ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ପରେଡ୍ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭ୍ୟାସ ପରେଡ୍ ଏବଂ ମୁଖ୍ୟ ଉତ୍ସବ ଦିନପାଇଁ ୨ ଦିନ ବସ୍ ବ୍ୟବସ୍ଥା କରାଯିବ।

ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଚଳିତ ବର୍ଷ ୭୫ଟି ପ୍ଲାଟୁନ୍ ଅଂଶଗ୍ରହଣ କରିବାକୁ ଥିବା ଜଣାଯାଇଛି । ପ୍ରତି ଦଳରେ ୩୨ ଜଣ ଛାତ୍ରଛାତ୍ରୀ କଲେଜ ଓ ସ୍କୁଲ ୟୁନିଫର୍ମ ସହ ଅଂଶ ଗ୍ରହଣ କରିବେ । ଶିଳାନ୍ୟାସ ଫଳକ ଓ ଉତ୍ସବ ସ୍ଥଳର ସାଜସଜ୍ଜା, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ୧୩ ଜଣ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଭିନ୍ନ ସରକାରୀ ଉଦ୍ୟୋଗ , ବେସରକାରୀ ଅନୁଷ୍ଠାନ ଏବଂ ରାଜଧାନୀରେ ଥିବା ବିଭିନ୍ନ ସ୍କୁଲ ଓ କଲେଜଗୁଡିକର କୋଠାକୁ ଆଲୋକମାଳାରେ ସଜ୍ଜିତ କରିବା ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତ୍ ସହିତ ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ ପରିବେଷଣ କରିବେ । ଏଥି ସହିତ ପୂର୍ବାଂଚଳ ସାଂସ୍କୃତିକ ପରିଷଦ,କୋଲକାତା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ବିଭିନ୍ନ ଉପ କମିଟିମାନ ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଗତବର୍ଷ ରାଜ୍ୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଅନୁଷ୍ଠିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ ସ୍ତରରେ ଅନ୍ୟଏକ ବୈଠକ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ମେୟର, ଡେପୁଟୀ ମେୟର, ନିଗମର କମିଶନର ଏବଂ ରାଜଧାନୀର ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ଉତ୍ସବକୁ ଅଧିକ ସରସ ସୁନ୍ଦର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ପଦ କୁମାର ଦଳାଇ, ଏନ୍,ସି.ସି ଗ୍ରୁପ୍ କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍.କେ.ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ଡେପୁଟୀ କମିଶନର ଅଶୋକ କୁମାର ଲେଙ୍କା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଏସିପି,ଟ୍ରାଫିକ୍ ସ୍ୱସ୍ତିକ୍ ପଣ୍ଡା, ଏସିପି ହେଡକ୍ୱାର୍ଟର୍ସ ଭରତ ଚନ୍ଦ୍ର ସାହୁ, ଓଏସଏପି-୭ମ ବାଟାଲିଅନ ଏସିପି ଶ୍ରଦ୍ଧାକର ଧରୁଆ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଭୁବନେଶ୍ୱର ତ୍ରିନାଥ ବେହେରା, ଆଂଚଳିକ ପରିବହନ ଅଧିକାରୀ (୧) ବିକାଶ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ଭୁବନେଶ୍ୱର ପଠାଣି ରାଉତ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞାପାରମିତା ଜେନା, ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ପୂର୍ତ୍ତ, ଓ୍ୱାଟକୋ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବିଭାଗ, ଭାରତ ସ୍କାଉଟ୍ ଓ ଗାଇଡ୍, ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସ, ରେଡକ୍ରସ୍ ଆଦି ସଂପୃକ୍ତ ବିଭିନ୍ନ ଅନୁଷ୍ଠାନ ଏବଂ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକଙ୍କ ସମେତ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରାଜଧାନୀ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେଲେ ସିଲ୍‌ଭର ଗାନ୍ଧୀ

ଭୁବନେଶ୍ୱର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ଏବଂ ସିଲ୍‌ଭର ଗାନ୍ଧୀ ନାମରେ ଲୋକପ୍ରିୟ କଳାକାର ସମାଜସେବୀ ମୋହନ ମହାପାତ୍ର ଯାଜପୁରରୁ ପଦଯାତ୍ରାରେ ବାହାରି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ପହଞ୍ôଚଥିଲେ।

ବିଧାନସଭା ସମ୍ମୁଖରେ ପାଳିତ ହୋଇଥିବା ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟ ପାତ୍ର, ଯୁଜପୁର ବିଧାୟକ ତଥା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସମାରୋହରେ ମାନ୍ୟବର ସୂଚନା, ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାରା ଭାରତବର୍ଷ ପଦଯାତ୍ରା କରି ଗାନ୍ଧୀଙ୍କ ଶାନ୍ତିବାର୍ତ୍ତା, ସ୍ୱଚ୍ଛ ପ୍ରଗତିର ମାଧ୍ୟମ ପାଲଟିଥିବା ସିଲ୍‌ଭର ଗାନ୍ଧୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ୧୩ ଜଣ ବ୍ୟକ୍ତିଙ୍କୁ ଦିଆଗଲା ‘ରାଜଧାନୀ ଗୌରବ ସମ୍ମାନ’

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଆଇନଜୀବୀ ଡ. ମଧୁମାଧବ ଜେନା, ସମାଜସେବୀ ଶ୍ରୀ ନୀଳମଣି ମିଶ୍ର, ଶିଳ୍ପପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, କୋଭିଡ୍‌ ଯୋଦ୍ଧା ଡାକ୍ତର ସଂଘମିତ୍ରା ପତି।

ସେହିପରି କୋଭିଡ୍‌ ଯୋଦ୍ଧା ଶୁଭେନ୍ଦୁ କୁମାର ସାହୁ, ବୈଜ୍ଞାନିକ ଡାକ୍ତର ଅଜୟ ପରିଡ଼ା, ଡାକ୍ତର ଅଶୋକ ନନ୍ଦ, ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଟ୍ରାଫିକ୍‌ କନଷ୍ଟବଳ ଶେଷଦେବ ସାହୁ, ଡାକ ପିଅନ ବିପ୍ଳବ ରଞ୍ଜନ ମଲ୍ଲିକ, କ୍ରୀଡ଼ାବିତ୍‌ ସୁଶ୍ରୀ ଦୀପ୍‌ଗ୍ରେସ୍‌ ଏକ୍କା, ସେବିକା ଶ୍ରୀମତୀ ହାରାମଣି ଦାଶ ଓ ସଫେଇ କର୍ମଚାରୀ ଶ୍ରୀମତୀ ସୁଷମା ଦେଈ । ଏମାନଙ୍କୁ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଫଳକ ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ପାଳିତ ହେଲା ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆଜି ସକାଳେ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ବାଚସ୍ପତି ଡ. ପାତ୍ର କହିଲେ ଯେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତା’ପରେ ତତ୍କାଳୀନ ରାଜନେତାମାନେ ଓଡ଼ିଶାର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ। ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା।

ଭାରତବର୍ଷ ସ୍ୱାଧୀନତା ଲାଭକଲା ପରେ ଦୁଇଟି ରାଜ୍ୟର ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଗୋଟିଏ ଆମ ଭୁବନେଶ୍ୱର ଏବଂ ଅନ୍ୟଟି ଚଣ୍ଡିଗଡ଼ । ପ୍ରତିଷ୍ଠା ସମୟରେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୪ ହଜାର ଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ସ୍ଥାୟୀ ଜନସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି।

ଭୁବନେଶ୍ୱରରେ ସମସ୍ତ ମୌଳିକ ସୁବିଧା ହାତପାଆନ୍ତାରେ ଉପଲବ୍ଧ। ତେଣୁ ଆଗାମୀ ବର୍ଷମାନଙ୍କରେ ଏହାର ଜନସଂଖ୍ୟା ୨ରୁ ୩ କୋଟିରେ ପହଞ୍ଚି ଏହାର କଳେବର କୋଲକାତାଠାରୁ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଣୁ ଆମେ ସମସ୍ତେ ମିଳିମିଶି ଭୁବନେଶ୍ୱରକୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା ବୋଲି ବାଚସ୍ପତି ଡ. ପାତ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ।

ଅତିଥିମାନେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭୁବନେଶ୍ୱରକୁ ଅଧିକ ସରସସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଭୁବନେଶ୍ୱର ଆଜି ସାରା ବିଶ୍ୱରେ ଏକ ସମନ୍ୱିତ ସହର ଭାବରେ ପରିଚୟ ପାଇଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି। ଭୁବନେଶ୍ୱରର ଉନ୍ନତି ପାଇଁ ପରିକଳ୍ପିତ ଯୋଜନାଗୁଡ଼ିକୁ ଶୀଘ୍ର ଓ ସୁଚାରୁ ରୂପେ ଶେଷ କରି ଏହାକୁ ବିଶ୍ୱର ଏକ ପ୍ରତିଷ୍ଠିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ଏକାନ୍ତ କାମ୍ୟ ହେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଏହି ଉତ୍ସବରେ ପ୍ୟାରେଡ୍‌ କମାଣ୍ଡର ଶ୍ରୀମତୀ ସୁଷମା ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ଟି ପ୍ଲାଟୁନ ରାଜ୍ୟସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀ, କଳିଙ୍ଗ ଷ୍ଟାଡିୟମ୍‌ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତି୍ରକା ‘ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ କରାଯାଇଥିଲା। ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ଶ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରକାଶ ଥାଉ କି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧୩ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା ସମେତ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ। ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ। ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ ଏକ ଟୁଇଟ କରି କହିଛନ୍ତି ଯେ, ଆଜି ଭୁବନେଶ୍ବର ପାଇଁ ଏହା ଏକ ବଡ ଦିନ। ଏହି ଉତ୍ସବକୁ ବହୁ ମନ୍ତ୍ରୀ ବିଧାୟକ ଏବଂ ଅଫିସରଙ୍କୁ ଡକାଯାଇଛି। ହେଲେ ମୋତେ ଡକାଯାଇ ନାହିଁ। ଏପରି ଏକ ବଡ ଦିନରେ ମୋତେ ଡକାଯାଉ, ମୁଁ ଯୋଗ ଦେବି ବୋଲି ଅପରାଜିତା କହିଛନ୍ତି।

ଏହି ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକ, ନୂଆ ମେୟର ଏବଂ ଅନ୍ୟ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୮ ଜଣ ଅତିଥୀଙ୍କୁ ଡକାଯାଇଛି। ସେହିପରି ଏହି ଉତ୍ସବରେ ୭ ଜଣ ଆଇଏସ ଅଧିକାରୀ ମଧ୍ୟ ଯୋଗ ଦେଉଛନ୍ତି। ଏପରି କ୍ଷେତ୍ରରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ରାଜଧାନୀ ପ୍ରତିଷ୍ଠା ଉତ୍ସବ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ସକାଳେ ବିଧାନସଭା ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଛି। ସେଥିରେ ୧୬ ଜଣ ଅତିଥି ଯୋଗ ଦେଉଛନ୍ତି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଉଛି। ସେଥିରେ ମଧ୍ୟ ୧୨ ଜଣ ଅତିଥି ଯୋଗ ଦେଉଛନ୍ତି। ହେଲେ ସେଥିରେ ଅପରାଜିତାଙ୍କ ନାମ ନାହିଁ।

ତେବେ ଅପରାଜିତା ଏହି ଟୁଇଟ କରି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଟ୍ୟାଗ କରି ନାହାଁନ୍ତି। ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳନ ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ବର: ଆସନ୍ତା 13 ତାରିଖରେ ପଡୁଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଭୁବନେଶ୍ବର ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରାଯାଇଥିଲା। ଏହି ଉତ୍ସବ ମର୍ଯ୍ୟଦାର ସହିତ ପାଳନ କରିବା ପାଇଁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ଆୟୋଜତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଅଧ୍ୟକ୍ଷତା କରିଥିଲେ।

ଏଥିରେ ବିଧାନସଭା ସମ୍ମୁଖରେ ଥିବା ପ୍ରତିଷ୍ଠା ଫଳକ ନିକଟରେ ଏହି ଉତ୍ସବ ପାଳନ କରାଯିବ। ସେଦିନ ସକାଳେ ପିଏଜି ଛକଠାରୁ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପେରଡ କରାଯିବ। ଏହାକୁ ଗ୍ରହଣ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେ ପୂର୍ବଦିନ ଏ ନେଇ ଏକ ରିହେଲସେଲ କରାଯିବ। ସେଥିପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ରାଜ୍ୟ ସଂସ୍କୃତି ବିଭାଗ ପରିଚାଳନା କରିବ। ସେହିପରି 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି କାରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗ ସହିତ ବିଏମସି ଏବଂ ରାଜଧାନୀ ପ୍ରତିଷ୍ଠା କମିଟକୁ ମଧ୍ୟ ସାମିଲ କରାଯିବ। ଏହି ବୈଠକରେ ସଂସ୍କୃତି ସଚିବ, ସୂଚନା ଓ ଲୋକସଂପର୍କ ସଚିବ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁୁଖ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାକୁ 75 ବର୍ଷ ପୁରଣ ହେଉଥିବାରୁ ଏବେଠାରୁ ପ୍ରସ୍ତୁତି କରିବା ପାଇଁ ନିଷ୍ପତି କରାଯାଇଛି।