Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ସହିତ ରାକ୍ଷୀ ଉତ୍ସବ ପାଳନ ପାଇଁ ଦିଲ୍ଲୀ ଯାଇଥିଲେ ଓଡିଶାର ୨୫ ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ଵର: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛନ୍ତି। ଓଡ଼ିଶାର ୫ ଟି ଜିଲ୍ଲାରୁ ଯାଇଥିବା ଛାତ୍ରଛାତ୍ରୀ ମହାମହିମ ରାଷ୍ଟ୍ରପତିଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିଛନ୍ତି।

ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ସହ ରକ୍ଷା ବନ୍ଧନ କେବଳ ଭାଈ-ଭଉଣୀଙ୍କ ମଧ୍ୟରେ ନୁହେଁ ବରଂ ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଯବାନଙ୍କ ସହ ମଧ୍ୟ ପାଳନ କରିବା ଉଚିତ୍। ଆମ ସୁରକ୍ଷା ପାଇଁ ସେମାନେ ସର୍ବଦା ଜାଗ୍ରତ ରୁହନ୍ତି। ଏହି ଅବସର ହେଉଛି ସେମାନଙ୍କୁ ସମ୍ମାନ ଜଣାଇବାର ପ୍ରକୃଷ୍ଟ ସମୟ।

ରାଷ୍ଟ୍ରପତି ଭବନରେ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହାୟତାରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ୫ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ ଜଣେ ନୋଡ଼ାଲ୍ ଅଧିକାରୀ ନୂଆଦିଲ୍ଲୀ ଗସ୍ତ କରିଥିଲେ।

ଏଥିରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାସ୍ଥିତ ଡ଼ି.ଏନ୍ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାସ୍ଥିତ ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାସ୍ଥିତ ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ ଏବଂ ଢେଙ୍କାନାଳ ଜିଲ୍ଲାସ୍ଥିତ ବି.ବି. ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଏହି ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଜାତୀୟ ବାଲ୍ ଭବନରେ ସମସ୍ତପ୍ରକାର ଆୟୋଜନ କରାଯାଇଥିଲା।

ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ସମସ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୨୦ ତାରିଖରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ଆସନ୍ତା ୨୨ ତାରିଖରେ ନିଜ ନିଜ ଜିଲ୍ଲାକୁ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ଵ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହାୟତାରେ ସମ୍ପନ୍ନ କରାଯିବ।