Categories
ଆଜିର ଖବର ଜାତୀୟ ଖବର

ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି ଉପଲକ୍ଷେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି। ଉପସ୍ଥିତ ହିତାଧିକାରୀମାନଙ୍କ ସହ ମନଖୋଲା କଥା ହୋଇ ନିଜ ଅନୁଭୂତି ବାଂଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଷା ଜନ୍ତୁଙ୍କ ଖାଦ୍ୟ ଓ ଔଷଧ ଯୋଗାଇ ସଫଳ ଉଦ୍ୟୋଗୀ ହୋଇପାରିଥିବା ଜଣେ ହିତାଧିକାରୀ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ। କଠିନ ସମୟରେ ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ସମ୍ପୃକ୍ତ ହିତାଧିକାରୀ ମତପ୍ରକାଶ କରିଥିଲେ। ଏହା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀଙ୍କୁ ଡାକିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଓ ଋଣ ଯୋଗୁଁ ଏଯାବତ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚିତ କରିବା ପାଇଁ କହିଥିଲେ । ବିକାଶ ଓ ସଫଳତା ପାଇଁ କରାଯାଇଥିବା ସହଯୋଗ ହିତାଧିକାରୀମାନଙ୍କ ମନରେ ଉତ୍ସାହ ଭରି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗୋପୀ କ୍ରିଷ୍ଣା ନାମକ କେରଳରୁ ଆସିଥିବା ଜଣେ ହିତାଧିକାରୀଙ୍କ ସହ ଆଲୋଚନା କରି ମୁଦ୍ରା ଯୋଜନାର ରୂପାନ୍ତରିତ ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଉଭୟ ଘର ଓ ଅଫିସରେ ପରିବର୍ତନଶୀଳ ଊର୍ଜା ବ୍ୟବହାର ଓ ନୂତନ ନିଯୁକ୍ତି ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଥିଲେ। ମୁଦ୍ରା ଯୋଜନା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀ ଦୁବାଇ କମ୍ପାନୀ ଛାଡିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସେହି ହିତାଧିକାରୀଙ୍କ ଘରେ ପ୍ୟାନେଲ ସଂସ୍ଥାପନ ହେବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କେରଳରେ ପ୍ରବଳ ବର୍ଷା ଓ ଘଂଚ ଜଙ୍ଗଲ ରହିଥିବା ସତ୍ୱେ ଏହି ଯୋଜନା ଅଧୀନରେ ମାଗଣାରେ ବିଜୁଳି ପାଇବା କଥା ସେ କହିଥିଲେ। ତେବେ ହିତାଧିକାରୀ ଜଣକ ବିଜୁଳି ବାବଦକୁ ଆଗରୁ ତିନି ହଜାର ଟଙ୍କା ଦେଉଥିବା ବେଳେ ଏବେ ମାତ୍ର ୨୪୦/୨୫୦ ଟଙ୍କା ଦେଉଥିବା ବେଳେ ତାଙ୍କ ମାସିକ ରୋଜଗାର ଏବେ ୨.୫ ଲକ୍ଷ ଉପରେ ପହଂଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ପରେ ଛତିଶଗଡ ରାଇପୁରର ପୁଚକା ଘର ତିଆରି କରିଥିବା ଜଣେ ସଫଳ ମହିଳା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଘରେ ରାନ୍ଧିବା କାମ ଛାଡି ସଫଳ କାଫେ ବ୍ୟବସାୟ ଆରମ୍ଭ କରିଥିବା ସମ୍ପୃକ୍ତ ମହିଳା ହିତାଧିକାରୀ ନିଜ ଜୀବନାଭୂତି ସମ୍ପର୍କରେ ଅବତାରଣା କରିଥିଲେ। ପ୍ରଫିଟ ମାର୍ଜିନ ଓ ଖାଦ୍ୟ ଖର୍ଚ୍ଚକାଟ ଉପରେ ଗବେଷଣା କରି ସଫଳତା ପାଇଥିବା ମହିଳା ହିତାଧିକାରୀ ଜଣକ କହିଥିଲେ। ରିସ୍କ ନେବା ଅପେକ୍ଷା ଚାକିରି କରିବାକୁ ଅନେକ ଯୁବକ ଇଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ତେବେ ରିସ୍କ ନେବା ଉପରେ ବେଶୀ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୩ ବର୍ଷ ବୟସରେ ପୁଚକା ଘରର ପ୍ରତିଷ୍ଠାତା ରିସ୍କ ନେଇ ନିଜ ବ୍ୟବସାୟ ଆରମ୍ଭ କରିପାରିଛନ୍ତି। ରାଇପୁରରୁ ଆସିଥିବା ବନ୍ଧୁ, କର୍ପୋରେଟ ଜଗତ, ଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ହିତାଧିକାରୀ ଜଣକ ନିଜ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସରକାରୀ ସ୍କିମ ସମ୍ପର୍କରେ ବହୁ ଲୋକଙ୍କର କିଛି ବି ଧାରଣା ନଥିବା ମହିଳା ହିତାଧିକାରୀ ଜଣକ ଆଲୋକପାତ କରିଥିଲେ। ମୁଦ୍ରା ଯୋଜନା ଓ ପିଏମଇଜିପି ଋଣ ଦ୍ୱାରା ଜଣେ ଭଲ ରୋଜଗାର କରିପାରି ଆତ୍ମ ନିର୍ଭର ହୋଇପାରିବ ବୋଲି ସମ୍ପୃକ୍ତ ହିତାଧିକାରୀ ଜଣକ ନିଜସ୍ୱ ମତ ରଖିଥିଲେ।

କାଶ୍ମୀରର ବାରାମୂଲାରେ ବେକ ମାଇଁ କେକ ଦୋକାନ କରି ଲାଭାନ୍ୱିତ ହୋଇଥିବା ମୁଦାଶୀର ନକ୍ସବନ୍ଦୀ ନାମକ ଜଣେ ହିତାଧିକାରୀ ପରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଦିନେ ଚାକିରି ଖୋଜୁଥିବା ଏହି ବ୍ୟକ୍ତି ଜଣକ ବାରାମୂଲା ଦୁର୍ଗମ ଅଂଚଳର ପ୍ରାୟ ୪୨ ଜଣଙ୍କୁ ଚାକିରି ଦେଇଥିବା କଥା କହିଥିଲେ। ମୁଦ୍ରା ଯୋଜନା ଅଧୀନରେ ଋଣ ପାଇବା ପୂର୍ବରୁ ମୁଦଶୀର ମାତ୍ର କିଛି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏବେ ତାଙ୍କର ଉଦ୍ୟୋଗରୁ ଲକ୍ଷାଧିକ ଟଙ୍କା ମିଳୁଛି। ମୁଦାଶୀରଙ୍କ ବ୍ୟବସାୟରେ ୟୁପିଆଇର ବ୍ୟାପକ ବ୍ୟବହାର ହେଉଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ। ମୁଦାଶୀରଙ୍କ ବ୍ୟବସାୟରେ ପ୍ରାୟ ୯୦ ପ୍ରତିଶତ କାରବାର ୟୁପିଆଇ ମାଧ୍ୟମରେ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ନଗଦ କାରବାର ହେଉଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ସୁରେଶ ନାମକ ଜଣେ ହିତାଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିଥିଲେ। ଦିନେ ଭାପିରେ ଚାକାରି କରୁଥିବା ଏହି ଯୁବକ ନିଜସ୍ୱ ଉଦ୍ୟମରେ ସିଲଭାସାରେ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଛନ୍ତି। କେବଳ ଚାକିରି ତାଙ୍କୁ ଚଳାଇ ପାରିବ ନାହିଁ ବୋଲି ଭାବି ୨୦୨୨ରେ ସେ ନିଜ ବ୍ୟବସାୟ କରିବା ଆରମ୍ଭ କଲେ। ସୁରେଶଙ୍କର ଏହି ସଫଳତା ପରେ ତାଙ୍କର କିଛି ବନ୍ଧୁ ନିଜେ କିଛି ଆରମ୍ଭ କରିବା ପାଇଁ ମୁଦ୍ରା ଯୋଜନାରେ ଆବେଦନ କରଥିବା କହିଛନ୍ତି। ତେବେ ସଫଳ ଉଦ୍ୟୋଗୀ ହେବା ପାଇଁ ସୁରେଶଙ୍କ ପରି କିଛି ସଫଳ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏମଏସଏମଇ ସେକ୍ଟରରେ ସଫଳତା ପାଇଥିବାରୁ ରାଏବରେଲୀର ଜଣେ ମହିଳା ଉଦ୍ୟୋଗପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଲାଇସେନ୍ସ ଓ ଫଣ୍ଡିଂ ପାଇବାକୁ ଆଗରୁ କଷ୍ଟକର ହେଉଥିଲା। କିନ୍ତୁ ଏବେ ଏହା ସରଳୀକୃତ ହୋଇଥିବାରୁ ବିକଶିତ ଭାରତ ନିର୍ମାଣ ପ୍ରକ୍ରିୟାରେ ସହଜସାଧ୍ୟ ହୋଇଛି। ବେକେରି କାରବାରରୁ ମାସିକ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ରୋଜଗାର କରି ସମ୍ପୃକ୍ତ ମହିଳା ଏବେ ୭ରୁ ୮ ଜଣ ଲୋକଙ୍କୁ ନିଯୁକ୍ତି ଦେଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ଋଣ ନେଇ ୨୦୨୧ ମସିହାରେ ମଧ୍ୟପ୍ରଦେଶ ଭୋପାଳର ଲବକୁଶ ମେହେରା ନାମକ ଜଣେ ଲୋକ ଫାର୍ମାସିଟ୍ୟୁକାଲ ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୯.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ନେଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିଥିବା କହିଛନ୍ତି। ନିର୍ଦ୍ଦିଷ୍ଟ କୌଣସି ଗ୍ରୁପ ପ୍ରତି ମୁଦ୍ରା ଯୋଜନା ଅଭିପ୍ରେତ ନୁହେଁ। ବରଂ ନିଜ ଗୋଡରେ ଛିଡା ହୋଇ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏହା ସହାୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଗରୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର କରୁଥିବା ଲବକୁଶଙ୍କ ମାସିକ ରୋଜଗାର ପ୍ରାୟ ଦେଢ ଲକ୍ଷ ଟଙ୍କା। ଲବକୁଶ ଏବେ ୩୪ ଲକ୍ଷ ଟଙ୍କାର ଘର ତିଆରି କରିପାରିବାରେ ସକ୍ଷମ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଅନ୍ୟମାନଙ୍କୁ ମୁଦ୍ରା ଯୋଜନାର ସଫଳତାର କାହାଣୀ କହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗୁଜରାଟ ଭାବନଗର ଅଂଚଳର ଜଣେ ଯୁବ ଉଦ୍ୟୋଗପତି ମାତ୍ର ୨୧ ବର୍ଷ ବୟସରେ ଆଦିତ୍ୟ ଲାବ ପ୍ରତିଷ୍ଠା କରିପାରିବାରେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ମୁଦ୍ରା ଯୋଜନାର କିଶୋର କାଟାଗୋରୀରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନେଇ ମେକାଟ୍ରୋନିକ୍ସ ଶେଷବର୍ଷର ଜଣେ ଛାତ୍ର ଥ୍ରିଡି ପ୍ରିଟିଂଗ, ରିଭର୍ସ ଇଞ୍ଜିନିୟରିଂ, ରାପିଡ ପ୍ରୋଟୋଟାଇପିଙ୍ଗ, ରୋବୋଟିକ୍ସ ବ୍ୟବସାୟ କରି ସଫଳତା ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜ ପରିବାରର ସହାୟତା ନେଇ ସମ୍ପୃକ୍ତ ହିତାଧିକାରୀ ଏବେ ମାସିକ ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ମନାଲିର ଜଣେ ସଫଳ ମହିଳା ଉଦ୍ୟୋଗୀ ନିଜ ସଫଳତା କଥା ବଖାଣି ଥିଲେ। ୨୦୧୫-୧୬ରେ ମୁଦ୍ରା ଯୋଜନାରେ ଅଢେଇ ଲକ୍ଷ ଟଙ୍କାର ଋଣ ନେଇ ଅଢେଇ ବର୍ଷ ଭିତରେ ସେ ଏହାକୁ ପରିଶୋଧ କରିପାରିଥିବା କହିଥିଲେ। ପରେ ୫, ୧୦, ୧୫ ଲକ୍ଷ ଟଙ୍କାର ଋଣ ନେଇ ପରିବା ଦୋକାନରୁ ସେ ନିଜ ବ୍ୟବସାୟକୁ ରାସନ ଦୋକାନରେ ପରିଣତ କରିପାରିଥିଲେ। ଏହାଦ୍ୱାରା ବାର୍ଷିକ ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବାକୁ ସେ ସକ୍ଷମ ହୋଇଥିଲେ। ତେବେ ମୁଦ୍ରା ଯୋଜନାରେ ଋଣ ନେଇ ନିଜକୁ ସଶକ୍ତ କରିପାରିଥିବା ଅନେକ ସଫଳ ଉଦ୍ୟୋଗୀଙ୍କ କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ।

ସେହିପରି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସଫଳ ଉଦ୍ୟୋଗୀଙ୍କ କଥା ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ। ସାଧାରଣ ଗୃହିଣୀରୁ ଜଣେ ସଫଳ ଝୋଟ ବ୍ୟାଗ ପ୍ରସ୍ତୁତକର୍ତା ହିସାବରେ ତାଙ୍କ ସଫଳତା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ। ୨୦୧୯ରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରରୁ ତାଲିମ ପାଇ କାନାରା ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କାର ମୁଦ୍ରା ଋଣ ନେଇ ସେ କାମ ଆରମ୍ଭ କରିଥିଲେ। ଋଣ ପରିଶୋଧ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୨ରେ ସେ ଅଧିକ ୯.୫ ଲକ୍ଷ ଟଙ୍କାର ଋଣ ସହାୟତା ପାଇଥିଲେ। ତେବେ ମୁଦ୍ରା ଯୋଜନାରେ ଏପରି ମହିଳାମାନେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ବିହାରର ପୁନମ କୁମାରୀଙ୍କ ସଫଳତାର କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ। ମୁଦ୍ରା ଯୋଜନାରେ ଋଣ ନେଇ ସେ ଏବେ ମାସିକ ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ। ଏହି ଯୋଜନା ଅଧୀନରେ ନିଜର ଉନ୍ନତି କରିବା ପାରିବା ସହ ଅନେକ ସଫଳ ଉଦ୍ୟୋଗୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ବିନା ଗ୍ୟାରେଂଟି କିମ୍ବା କାଗଜପତ୍ରରେ ଅନେକ ଲୋକ ମୁଦ୍ରା ଯୋଜନା ଅଧୀନରେ ଋଣ ସହାୟତା ନେଇ ନିଜ ଗୋଡ ଛିଡା ହୋଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆର୍ଥିକ ସ୍ୱାଧୀନତା ପାଇ ବହୁ ମହିଳା ଏହି ଯୋଜନା ଅଧୀନରେ ଏବେ ଖୁବ ଉପକୃତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଦ୍ରା ଯୋଜନା ଅଧୀନରେ ବିନା ଗ୍ୟାରେଂଟିରେ ଏଯାଏ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ମୁଦ୍ରା ଯୋଜନା ଅଧୀନରେ ଲୋକଙ୍କର ଆର୍ଥିକ ଜୀବନଧାରଣର ମାନରେ ପରିବର୍ତନ ଘଟିଛି। ଏଥି ଯୋଗୁଁ ସାଧାରଣ ନାରଗିକଙ୍କର ରୋଜଗାରରେ ଅଭୂତପୂର୍ବ ପରିବର୍ତନ ଆସିପାରିଛି। ଫଳରେ ବ୍ୟକ୍ତିଟିଏ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସଜାଡିପାରିବାରେ ସକ୍ଷମ ହୋଇପାରିଥିବା ମୋଦୀ କହିଥିଲେ। ଏହି ଯୋଜନାର ଦଶ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ହିତାଧିକାରୀଙ୍କଠାରୁ ଫିଡବ୍ୟାକ ନେଇ ସେ ଏହାର ସମୀକ୍ଷା କରିପାରୁଥିବା କହିଛନ୍ତି।

ପ୍ରଥମେ ପଚାଶ ହଜାରରୁ ପାଂଚ ଲକ୍ଷ ଓ ପରେ କୋଡିଏ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଯାଇ ପାରୁଥିବାରୁ ଏହି ଯୋଜନାରେ ଅଧିକରୁ ଅଧିକ ଲୋକ ଉପକୃତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରାୟ ପାଂଚରୁ ଦଶ ଜଣଙ୍କ ସହ କଥା ହୋଇ ଏହି ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏହି ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କା ବଂଟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆରମ୍ଭ କରାଯାଇଥିବା ଗରିବ କଲ୍ୟାଣ ମେଳ କଥା ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ। ଗୁଜରାଟର ଗୋଟିଏ ଟ୍ରାଇବାଲ ଗ୍ରୁପ କଥା ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରମ୍ପରିକ ସଙ୍ଗୀତ ପରିବେଷଣ କରୁଥିବା ଏହି ଗ୍ରୁପ ସଫଳତାର ସହ ପରେ ଏକ ମ୍ୟୁଜିକାଲ ବ୍ୟାଣ୍ଡ ବି ପ୍ରତିଷ୍ଠା କରିପାରିଥିଲେ।

ତେବେ ମୁଦ୍ରା ଯୋଜନା ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଳେ ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ବୈଜ୍ଞାନିକମାନଙ୍କ ପ୍ରୟାସ ପାଇଁ ସମ୍ବଳର ଅଭାବ ରହିବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ସହିତ ଏକ ନୂତନ ଆରମ୍ଭ ହୋଇଛି। ଦେଶର ଗବେଷଣା ଇକୋସିଷ୍ଟମରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରିବା ଏବଂ ଦୂର କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବଡ଼ ଲକ୍ଷ୍ୟ ସ୍ଥିର କରିବା, ତାହା ହାସଲ କରିବା ଉପରେ ଗୁରୁତ୍ୱ ଦେବା ସହ ଗବେଷଣା କରିବା ବିଷୟରେ ସେ କହିଥିଲେ। ସେ କହିଛନ୍ତି ଯେ ଗବେଷଣା ବର୍ତ୍ତମାନର ସମସ୍ୟାର ନୂତନ ସମାଧାନ ଖୋଜିବା ଉପରେ ଧ୍ୟାନ ଦେବା ଉଚିତ୍। ସେ ଗୁରୁତ୍ୱାରୋପ କରିଥିଲେ ଯେ ସମସ୍ୟାଗୁଡିକ ବିଶ୍ୱସ୍ତରୀୟ ହୋଇପାରେ କିନ୍ତୁ ଭାରତୀୟ ଆବଶ୍ୟକତା ଅନୁଯାୟୀ ଏହାର ସମାଧାନ ସ୍ଥାନୀୟ ହେବା ଆବଶ୍ୟକ।

ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଏବଂ ମାନକୀକରଣ ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେମାନଙ୍କ ଦକ୍ଷତା ଆଧାରରେ ଡୋମେନ୍ ବିଶେଷଜ୍ଞଙ୍କ ତାଲିକା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଏକ ଡାସବୋର୍ଡ ବିକଶିତ କରିବା ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ଦେଶରେ ହେଉଥିବା ଗବେଷଣା ଏବଂ ବିକାଶ ସମ୍ବନ୍ଧୀୟ ସୂଚନା ସହଜରେ ଟ୍ରାକ୍ କରାଯାଇପାରିବ।

ଗବେଷଣା ଏବଂ ନବସୃଜନ ପାଇଁ ସମ୍ବଳର ଉପଯୋଗର ବୈଜ୍ଞାନିକ ତଦାରଖର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ଏକ ମହତ୍ୱାକାଂକ୍ଷୀ ଆରମ୍ଭ ବୋଲି ଦର୍ଶାଇ ସେ କହିଛନ୍ତି ଯେ ଦେଶର ବୈଜ୍ଞାନିକ ସମୁଦାୟର ବିଶ୍ୱାସ ରହିବା ଉଚିତ ଯେ ସେମାନଙ୍କ ପ୍ରୟାସ ପାଇଁ ସମ୍ବଳର ଅଭାବ ରହିବ ନାହିଁ । ଅଟଳ ଟିଙ୍କରିଂ ଲ୍ୟାବ୍ ର ସକାରାତ୍ମକ ପ୍ରଭାବ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଏହି ଲ୍ୟାବ୍ ଗୁଡ଼ିକର ଗ୍ରେଡିଂ କରାଯାଇପାରିବ । ପରିବେଶ ପରିବର୍ତ୍ତନର ନୂତନ ସମାଧାନ ଖୋଜିବା, ଇଭି ପାଇଁ ବ୍ୟାଟେରୀ ଉପାଦାନ, ଲ୍ୟାବରେ ଉତ୍ପାଦିତ ହୀରା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା ଉପରେ ସେ ଆଲୋଚନା କରିଥିଲେ।

ଏହି ବୈଠକରେ ଗଭର୍ଣ୍ଣିଂ ବଡି ପକ୍ଷରୁ ହବ୍ ଓ ସ୍ପିକ୍ ମୋଡରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେଉଁଠାରେ ଗବେଷଣା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ଶୀର୍ଷସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ମେଣ୍ଟରସିପ୍ ମୋଡରେ ରଖାଯାଇଛି।

ଗଭର୍ଣ୍ଣିଂ ବଡି ଏଏନଆରଏଫର ରଣନୈତିକ ହସ୍ତକ୍ଷେପର ଅନେକ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିଥିଲେ, ଯେଉଁଥିରେ ପ୍ରମୁଖ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସ୍ଥିତି, ଗବେଷଣା ଓ ବିକାଶକୁ ଜାତୀୟ ପ୍ରାଥମିକତା ସହିତ ଯୋଡ଼ିବା, ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ଅଗ୍ରଗତି ଏବଂ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ-ସଂଯୁକ୍ତ ଅନୁବାଦିକ ଗବେଷଣା ମାଧ୍ୟମରେ ଶିକ୍ଷାଗତ ଗବେଷଣା ଏବଂ ଶିଳ୍ପ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଅନ୍ତର୍ଭୁକ୍ତ।

ବୈଦ୍ୟୁତିକ ଯାନ (ଇଭି) ଗତିଶୀଳତା, ଉନ୍ନତ ସାମଗ୍ରୀ, ସୌର ସେଲ୍‍, ସ୍ମାର୍ଟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଚିକିତ୍ସା ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ କୃଷି ଏବଂ ଫୋଟୋନିକ୍ସ ଭଳି ନିର୍ଦ୍ଦିଷ୍ଟ ପ୍ରାଥମିକତା କ୍ଷେତ୍ରରେ ମିଶନ ମୋଡରେ ସମାଧାନ ଭିତ୍ତିକ ଗବେଷଣା ଉପରେ ଏଏନ୍ଆରଏଫ୍ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏହି ପ୍ରୟାସ ଆତ୍ମନିର୍ଭର ଭାରତ ଅଭିମୁଖେ ଆମର ଅଗ୍ରଗତିକୁ ପ୍ରଭାବିତ କରିବ ବୋଲି ଗଭର୍ଣ୍ଣିଂ ବଡି କହିଛି।

ଶିଳ୍ପର ସକ୍ରିୟ ଅଂଶଗ୍ରହଣ ସହିତ ପାରମ୍ପରିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିବା ସହିତ ଜ୍ଞାନର ଉନ୍ନତି ପାଇଁ ମୌଳିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗଭର୍ଣ୍ଣିଂ ବଡି ଗୁରୁତ୍ୱାରୋପ କରିଛି। ମାନବିକତା ଏବଂ ସାମାଜିକ ବିଜ୍ଞାନରେ ଆନ୍ତଃବିଭାଗୀୟ ଗବେଷଣାକୁ ସମର୍ଥନ କରିବା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗବେଷଣା କରିବାରେ ସହଜତା ହାସଲ କରିବା ଦିଗରେ ଆମ ଗବେଷକମାନଙ୍କୁ ନମନୀୟ ଏବଂ ସ୍ୱଚ୍ଛ ପାଣ୍ଠି ବ୍ୟବସ୍ଥା ସହିତ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସହମତି ହୋଇଥିଲା।

ଏଏନ୍ଆରଏଫ୍‍ ରଣନୀତି ଗୁଡ଼ିକ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ସମନ୍ୱିତ ହେବା ଉଚିତ ଏବଂ ସମଗ୍ର ବିଶ୍ୱରେ ଗବେଷଣା ଏବଂ ବିକାଶ ଏଜେନ୍ସିଦ୍ୱାରା ଗ୍ରହଣ କରାଯାଇଥିବା ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅନୁସରଣ କରିବା ଉଚିତ ବୋଲି ଗଭର୍ଣ୍ଣିଂ ବଡି ନିର୍ଦ୍ଦେଶ ଦେଇଛି।

ବୈଠକରେ ଗଭର୍ଣ୍ଣିଂ ବଡିର ଉପାଧ୍ୟକ୍ଷ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ନୀତି ଆୟୋଗର ସଦସ୍ୟ ସଚିବ, ସଦସ୍ୟ (ବିଜ୍ଞାନ) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ବାୟୋଟେକ୍ନୋଲୋଜି ବିଭାଗ, ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମଞ୍ଜୁଲ ଭାର୍ଗବ (ପ୍ରିନ୍ସଟନ୍ ୟୁନିଭର୍ସିଟି, ଆମେରିକା), ଡ. ରୋମେଶ ଟି ୱାଧୱାନୀ (ସିମ୍ଫନି ଟେକ୍ନୋଲୋଜି ଗ୍ରୁପ୍, ଆମେରିକା), ପ୍ରଫେସର ସୁବ୍ରା ସୁରେଶ (ବ୍ରାଉନ୍ ୟୁନିଭର୍ସିଟି, ଆମେରିକା), ଡ. ରଘୁବେନ୍ଦ୍ର ତନଓ୍ଵାର (ଭାରତୀୟ ଐତିହାସିକ ଗବେଷଣା ପରିଷଦ), ପ୍ରଫେସର ଜୟରାମ ଏନ୍ ଚେଙ୍ଗାଲୁର (ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ) ଏବଂ ପ୍ରଫେସର ଜି ରଙ୍ଗରାଜନ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ)।

ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ବିଷୟରେ ଭାରତର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରରେ ଗବେଷଣା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନ୍ଆରଏଫ୍) ପ୍ରତିଷ୍ଠା କରାଯାଇଛି। ଜାତୀୟ ଶିକ୍ଷା ନୀତିର ସୁପାରିସ ଅନୁଯାୟୀ ଦେଶରେ ବୈଜ୍ଞାନିକ ଗବେଷଣାର ଉଚ୍ଚସ୍ତରୀୟ ରଣନୈତିକ ଦିଗ ପ୍ରଦାନ କରିବା ପାଇଁ ଏଏନ୍ଆରଏଫ୍ ଏକ ସର୍ବୋଚ୍ଚ ସଂସ୍ଥା ଭାବରେ କାର୍ଯ୍ୟ କରେ। ଏଏନ୍ଆରଏଫ୍ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବିଭାଗ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ସୃଷ୍ଟି କରେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ୍!, ତୁରନ୍ତ ଆକ୍ସନ ମୋଡରେ ଆସିଲା SPG

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଚ୍ଚ ସୁରକ୍ଷା ଏବଂ ନୋ-ଫ୍ଲାଇଙ୍ଗ୍ ଜୋନ୍ ତଥା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବାର ଫୋନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି ସକାଳ ୫ ଟା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ କିଛି ଉଡ଼ିବା ଦେଖିବା ପରେ କଲ କରିଥିଲେ, ଯାହା ପରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସକୁ ସତର୍କ କରାଯାଇଥିଲା।

ସୂଚନା ପରେ, ଏସପିଜି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ କିଛି ମିଳିଲା ନାହିଁ, ଯାହା ପରେ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ଏବଂ ସମଗ୍ର ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ୍ ଅନ୍ତର୍ଗତ।

ଏଟିସି ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା:

ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ, ଅନୁସନ୍ଧାନ ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ର ସହଯୋଗ ମଧ୍ୟ ନିଆଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, “ନୂଆଦିଲ୍ଲୀ ଜିଲ୍ଲା (ଏନଡିଏ) ର କଣ୍ଟ୍ରୋଲ ରୁମକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ ବିଷୟରେ ସୂଚନା ମିଳିଥିଲା। ଆଖପାଖ ଅଞ୍ଚଳରେ ବ୍ୟାପକ ଅନୁସନ୍ଧାନ କରାଯାଇଥିଲା। କିନ୍ତୁ ସେପରି କାଔନଶୀ ବସ୍ତୁ ମିଳିନଥିଲା। ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ (ଏଟିସି) ) ମଧ୍ୟ ଯୋଗାଯୋଗ କରାଯାଇଥିଲା, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏପରି ଫ୍ଲାଇଙ୍ଗ ବସ୍ତୁ ପାଇନଥିଲେ।”

Categories
ଆଜିର ଖବର ଜାତୀୟ ଖବର

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା।

ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ, ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ।

ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍‌ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ। ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ।