Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସାରା ଦେଶରେ ପ୍ରଶଂସା

ଭୁବନେଶ୍ବର: ବୁଧବାର ଦିନ ହୋଇଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଯେତିକି ଚର୍ଚ୍ଚା ହୋଇ ନାହିଁ ତାହାଠାରୁ ଅଧିକ ଚର୍ଚ୍ଚା ହୋଇଛି ନବୀନ ପଟ୍ଟନାୟକଙ୍କ ଯୋଗଦାନ। ଏହି ଖବର ବୁଧବାର ରାତିସାରା ଟ୍ରେଣ୍ଡିଂ ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ବିଭିନ୍ନ ଟିପଣୀ ଦେଇ ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି। କହିବାକୁ ଗଲେ ସେହି ଉତ୍ସବରେ ପ୍ରକୃତରେ ହିରୋ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଉତ୍ସବରେ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ତାଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମଞ୍ଚରେ ଉପସ୍ଥିତ ହେବା ମାତ୍ରେ ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ବାଗତ କରି ବସିବା ପାଇଁ ଇସାରା କଲେ। ତାପରେ ଆଗଧାଡିରେ ବସିଥିବା ଜେପି ନଡ୍ଡା, ନୀତିନ ଗଡକରୀ, ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଉଠି ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ନବୀନ ଧର୍ମେନ୍ଦ୍ର ଏବଂ ଜେ ପି ନଡ୍ଡାଙ୍କ ମଝି ଚଉକୀରେ ବସିଥିଲେ।

ସେହିପରି ମଞ୍ଚକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ପରେ ସେ ନବୀନଙ୍କ ପାଖକୁ ଦଉଡି ଯାଇ ଅଭିନନ୍ଦନ ଜଣାଇଥିଲେ। ସମସ୍ତେ କିଛି କିଛି ସମୟ କଥା ହୋଇ ନିଜ ଆସନ ଅଂଳଙ୍କୃତ କରୁଥିଲେ। ଏହାପରେ ଶପଥ ପାଠ ଶେଷ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କ ପାଖକୁ ଆସି ହାତ ମର୍ଦ୍ଦନ କରିବା ସହିତ କିଛି ସମୟ ପାଇଁ କଥା ହୋଇଥିଲେ। ଏହାପରେ ସମସ୍ତଙ୍କୁ ନମସ୍କାର କରିବା ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳକୁ ପ୍ରଧାନମନ୍ତ୍ରୀ ଇସାରା ଦେଇଥିଲେ।

ଏକ ବିରୋେଧୀ ଦଳର ଶପଥ ପାଠ ଉତ୍ସବରେ ନବୀନ ପଟ୍ଟନାୟକ ଯୋଗ ଦେବା ନେଇ ଉପସ୍ଥିତ ଜନତା ବେଶ ପ୍ରଶଂସା କରିଥିଲେ। ଏପରିକି ସବୁ ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା। ଏହା ହେଉଛି ପ୍ରକୃତ ଗଣତନ୍ତ୍ର ବୋଲି ଗଣମାଧ୍ୟମ ପ୍ରତିନିଧିମାନେ କହିଥିଲେ। ସେହି ଖବର ସବୁ ସାମାଜିକ ଗଣମାଧ୍ୟମରେ ବେଶ ଟ୍ରେଣ୍ଡିଂ କରିଥିଲା। ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା।