Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ରାଜ୍ୟସ୍ତରୀୟ ତିନିଦିନିଆ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୯ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ ।

ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିÒୁଟନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ । ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ କରିଥିଲେ ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍‌ କହିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବା ଦ୍ୱାରା ସେମାନଙ୍କର ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇଥାଏ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷାୟତନର ମୂଳଲକ୍ଷ୍ୟ । ଏହାକୁ ସଫଳ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଆଜି ପିଲାମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛି । ଏତଦ୍‌ବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସଂପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏଁ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଏହି ତିନିଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ପଦାଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନ୍ୟାନ୍ୟ ନିର୍ଦ୍ଦେଶାଳୟ ଓ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କର ସହଯୋଗରେ ଆୟୋଜିତ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସୃଜନଶୀଳ ଲିଖନ ପାଇଁ ୭ ଜଣ, ଚିତ୍ରାଙ୍କନ ନିମନ୍ତେ ୭ ଜଣ ଓ ଶ୍ରୁତଲିଖନ ଏବଂ ହସ୍ତାକ୍ଷର ପାଇଁ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Categories
ଆଞ୍ଚଳିକ

ବାଣପୁରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଯୋଗଦେଇଥିଲେ।

ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବୁଲବୁଲ ବେହେରା ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ‘ସୁରଭୀ ‘କାର୍ଯ୍ୟକ୍ରମରେ ଭାଗନେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପ୍ରତିଟି ଶିଶୁ ସମାଜରେ ପ୍ରସ୍ଫୁଟିତ ହେବାକୁ ଥିବା ଗୋଟେ ଗୋଟେ ନବ କଳିକା। ଯେଉଁ ମାନଙ୍କୁ ଦରକାର ଟିକେ ସ୍ନେହ, ଆଦର ଓ ଉତ୍ସାହ। ସେହି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ବୋଲି ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ସମ୍ମାନିତ ଅତିଥି ପିଡ଼ି,ଡିଆରଡିଏ ସୋମେଶ ଉପାଧ୍ୟାୟ, ଏଡିଇଓ ଟେମଲାଲ ଦୁବେ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ଥିଲେ। ଏ

ହି ଅବସରରେ ଜିଲ୍ଲାର ୧୩ଟି ବ୍ଲକରୁ ଛାତ୍ରଛାତ୍ରୀ ମାନେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନି କାର୍ଯ୍ୟକ୍ରମରେ ଡିଇଓ ଶ୍ରୀ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ବିଇଓ ଭବାନୀପାଟଣା ଜଗନ୍ନାଥ ପୁରୋହିତ, ବିଇଓ ରାମପୁର ଠାକୁର ସାହୁ, ବିଇଓ କେସିଙ୍ଗା, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଡିଏସଏସ ପ୍ରକାଶ ନିଶଙ୍କ, ଏଫସି ସାଧୁ ଶରଣ ପ୍ରସାଦ, ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଏଡିଇଓ ଟେମଲାଲ ଦୁବେ। ଅତିଥିମାନେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ, ପ୍ରଭାତ ସାହୁ, ଲଳିତ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ, ଅଜିତ ପଧାନ, ପ୍ରମୁଖ ସହଯୋଗ କରିଥିଲେ।