Categories
ଆଜିର ଖବର ଜାତୀୟ ଖବର

ଗତ ଦଶନ୍ଧିରେ କୃଷି ଆୟ ବାର୍ଷିକ ୫.୨୩ ପ୍ରତିଶତ ହାରରେ ବୃଦ୍ଧି ପାଇଛି: ଅର୍ଥନୈତିକ ସର୍ଭେ ୨୦୨୪-୨୫

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରି କହିଥିଲେ ଯେ ଉତ୍ପାଦକତା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ କୃଷି ଆୟ ବୃଦ୍ଧି ଭଳି ସରକାରୀ ପଦକ୍ଷେପ ଦ୍ୱାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ‘କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ’ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ବିଗତ ବର୍ଷଗୁଡ଼ିକରେ ( ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ) କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ ଭାଲ୍ୟୁ ଆଡେଡ୍ (ଜିଭିଏ) ୨୦୧୫ ଆର୍ଥିକ ବର୍ଷରେ ୨୪.୩୮ ପ୍ରତିଶତ ଥିବାବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୩୦.୨୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦ ପ୍ରତିଶତ ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫ ପ୍ରତିଶତ, ଜିଭିଏରେ ୧ ପ୍ରତିଶତ ଅଭିବୃଦ୍ଧି ଯୋଗଦାନ କରିବ।

ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ସରକାର କୃଷକ ଆୟ ଦ୍ୱିଗୁଣିତ (ଡିଏଫଆଇ) ରିପୋର୍ଟ ୨୦୧୬ର ସୁପାରିସ ଆଧାରରେ କୃଷି ଉତ୍ପାଦକତା ଏବଂ କୃଷକ ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି। ଫସଲ ଓ ପଶୁସମ୍ପଦ ଉତ୍ପାଦକତା ବୃଦ୍ଧି, ଫସଲର ତୀବ୍ରତା ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟର ଫସଲ ଗ୍ରହଣ କରିବା ପାଇଁ ବିଭିନ୍ନ ରଣନୀତି ବିଷୟରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତୀୟ ନିରନ୍ତର କୃଷି ମିଶନ (ଏନଏମଏସଏ) ଅଧୀନରେ ସରକାର ‘ପର ଡ୍ରପ ମୋର କ୍ରପ୍’ (ପିଡିଏମସି) ଭଳି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି ଉତ୍ପାଦକତା ଏବଂ ସ୍ଥାୟୀତା ବୃଦ୍ଧି ପାଇଁ ବିକଳ୍ପ ଏବଂ ଜୈବିକ ସାର ବ୍ୟବହାର। ଏହାଛଡ଼ା ଡିଜିଟାଲ କୃଷି ମିଶନ ଏବଂ ଇ-ଜାତୀୟ କୃଷି ବଜାର (ଇ-ନାମ) ଭଳି ମୂଲ୍ୟ ଶୃଙ୍ଖଳା ବିକାଶ ପାଇଁ ଅଭିନବ କୃଷି ଜ୍ଞାନକୌଶଳ ଏବଂ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରାଯାଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ମାଧ୍ୟମରେ ସରକାର କୃଷକମାନଙ୍କୁ ନିର୍ଦ୍ଧାରିତ ଆୟ ସହାୟତା ପ୍ରଦାନ କରନ୍ତି।

ସର୍ବନିମ୍ନ ସହାୟକ ମୂଲ୍ୟ

ଅର୍ଥନୈତିକ ସମୀକ୍ଷା ଅନୁଯାୟୀ, ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ସରକାର ଏହି ଫସଲର ହାରାହାରି ମୂଲ୍ୟ ଅତି କମ୍ରେ ଦେଢ଼ ଗୁଣ ସ୍ତରରେ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସବୁ ପଦକ୍ଷେପ ଅଧୀନରେ ସରକାର ପୁଷ୍ଟିକର ଶସ୍ୟ (ଶ୍ରୀଅନ୍ନ), ଡାଲି ଏବଂ ତୈଳବୀଜର ଏମଏସପି ବୃଦ୍ଧି କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ହରଡ଼ ଓ ବାଜରାର ଏମଏସପି ଉତ୍ପାଦନର ହାରାହାରି ମୂଲ୍ୟର ଯଥାକ୍ରମେ ୫୯ ପ୍ରତିଶତ ଏବଂ ୭୭ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ମସୁର ଡାଲିର ଏମଏସପି ୮୯ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ସୋରିଷର ଏମଏସପି ୯୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ଜଳସେଚନ ବିକାଶ

ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଜଳସେଚନ ସୁବିଧା ବୃଦ୍ଧି ପାଇଁ ସରକାର ଜଳସେଚନ ବିକାଶ ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରାଥମିକତା ଦେଉଛନ୍ତି। ଜଳ ଦକ୍ଷତା ବୃଦ୍ଧି ପାଇଁ ୨୦୧୬ ଆର୍ଥିକ ବର୍ଷରୁ ସରକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଅଧୀନରେ ‘ପର ଡ୍ରପ ମୋର କ୍ରପ’ (ପିଡିଏମସି) ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି। ପିଡିଏମସି ଅଧୀନରେ କ୍ଷୁଦ୍ର ଚାଷୀମାନଙ୍କୁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ସ୍ଥାପନ ପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୫୫ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ଚାଷୀମାନଙ୍କୁ ୪୫ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ୨୦୧୬ ଆର୍ଥିକ ବର୍ଷରୁ ୨୦୨୪ (ଡିସେମ୍ବର ୨୦୨୪) ପର୍ଯ୍ୟନ୍ତ, ପିଡିଏମସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ୨୧,୯୬୮.୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ୯୫.୫୮ ଲକ୍ଷ ହେକ୍ଟର କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି, ଯାହା କି ପ୍ରାକ୍-ପିଡିଏମସି ସମୟ ତୁଳନାରେ ୧୦୪.୬୭ ପ୍ରତିଶତ ଅଧିକ ଅଟେ । କ୍ଷୁଦ୍ର ଜଳସେଚନ ପାଣ୍ଠି (ଏମଆଇଏଫ) ଅଧୀନରେ ରାଜ୍ୟଗୁଡ଼ିକୁ ଅଭିନବ ପ୍ରକଳ୍ପ ପାଇଁ ଋଣ ଉପରେ ୨ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ୪୭୦୯ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୩୬୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଖାଦ୍ୟ ପ୍ରକ୍ରିୟାକରଣ

ଖାଦ୍ୟ ପ୍ରକ୍ରିୟାକରଣର ଅର୍ଥନୈତିକ ସମୀକ୍ଷା ସୂଚାଉଛି ଯେ ୨୦୨୪ ଆର୍ଥିକ ବର୍ଷରେ କୃଷି ଖାଦ୍ୟ ରପ୍ତାନି ମୂଲ୍ୟ, ଯେଉଁଥିରେ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ଅନ୍ତର୍ଭୁକ୍ତ, ୪୬.୪୪ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଭାରତର ମୋଟ ରପ୍ତାନିର ୧୧.୭ ପ୍ରତିଶତ ଅଟେ । ୨୦୧୮ ଆର୍ଥିକ ବର୍ଷରେ ଭାରତର ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ୧୪.୯ ପ୍ରତିଶତ ଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ର ଲକ୍ଷ୍ୟ ରହିଛି । ୨୦୨୪ ଅକ୍ଟୋବର ୩୧ ସୁଦ୍ଧା ୧୦୭୯ଟି ପିଏମ୍କେଏସ୍ୱାଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅକ୍ଟୋବର ୩୧, ୨୦୨୪ ସୁଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫପି) ଅଧୀନରେ ୧୭୧ଟି ଆବେଦନ ଅନୁମୋଦନ କରାଯାଇଛି, ଯେଉଁଥିରେ ୮୯୧୦ କୋଟି ଟଙ୍କା ବିନିଯୋଗ ଏବଂ ୧୦୮୪.୦୧ କୋଟି ଟଙ୍କାର ପଦକ୍ଷେପ ଅନ୍ତର୍ଭୁକ୍ତ । ଅକ୍ଟୋବର ୩୧, ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (ପିଏମଏଫଏମଇ) ଯୋଜନାରେ 407819 ଆବେଦନ ମିଳିଛି, ଯେଉଁଥିରେ ୧୦୮୫୮୦ ଆବେଦନକାରୀଙ୍କୁ ୮.୬୩ ହଜାର କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଛି। ଏହାବ୍ୟତୀତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମରେ ୬୭୨ ଜଣ ମାଷ୍ଟର ଟ୍ରେନର, ୧୧୨୦ ଜଣ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ଓ ୮୭୪୭୭ ଜଣ ହିତାଧିକାରୀଙ୍କୁ ତାଲିମ ଦିଆଯାଇଛି।

ଖାଦ୍ୟ ପରିଚାଳନା

ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ଦକ୍ଷତା ବୃଦ୍ଧି ପାଇଁ ସରକାର ସମଗ୍ର ଦେଶରେ ଶତ ପ୍ରତିଶତ ଇ-କେୱାଇସି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ୱାନ୍ ନେସନ୍, ୱାନ୍ ରାସନ କାର୍ଡ (ଓଏନଓଆରସି) ଯୋଜନା ସହ ସମାନ, ଯାହା ହିତାଧିକାରୀଙ୍କୁ ଯେକୌଣସି ସ୍ଥାନରୁ ଉପଭୋକ୍ତା ଇ-କେୱାଇସି ଆକସେସ୍ କରିବାକୁ ଅନୁମତି ଦେଇଥାଏ। ହିତାଧିକାରୀମାନେ ଯେକୌଣସି ଫେୟାର ପ୍ରାଇସ୍ ସପ୍ (ଏଫପିଏସ୍)ରେ ସେମାନଙ୍କ ବାୟୋମେଟ୍ରିକ୍ ଯାଞ୍ଚ କରିପାରିବେ। କ୍ଷୁଦ୍ର କୃଷକମାନଙ୍କ ପାଇଁ ସରକାର ଅମଳ ପରବର୍ତ୍ତୀ ଋଣ ପାଇଁ ଇଲେକ୍ଟ୍ରୋନିକ୍ ନେଗୋସିଏବଲ୍ ୱେରହାଉସ୍ ରିସିପ୍ଟ (ଇ-ଏନ୍ଡବ୍ଲ୍ୟୁଆର୍) ଆଧାରିତ ପ୍ଲେଜ୍ ଫାଇନାନ୍ସିଂ (ସିଡିଏଚ୍ଏସ୍-ଏନ୍ପିଏଫ୍) ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନେ ଇ-ଏନଡବ୍ଲ୍ୟୁଆର ଅଧୀନରେ ଗୋଦାମରେ ସଂରକ୍ଷିତ କୃଷି ଓ ଉଦ୍ୟାନ କୃଷି ସାମଗ୍ରୀ ଉପରେ ଋଣ ନେଇପାରିବେ। ବ୍ୟାଙ୍କ ଦ୍ୱାରା ଏହି ଯୋଜନାରେ ଋଣ ଏବଂ ବିପଦ କଭରେଜ ଅନ୍ତର୍ଭୁକ୍ତ କରାଯାଇଛି। ଇ-ଏନଡବ୍ଲ୍ୟୁଆର ଅଧୀନରେ ଏହି ଯୋଜନା ଅମଳ ପରବର୍ତ୍ତୀ ଋଣ ପ୍ରଦାନ ବୃଦ୍ଧି କରିବ ଏବଂ କୃଷକଙ୍କ ଆୟରେ ଉନ୍ନତି ଆଣିବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ୱ ପାଇଁ ଦୀର୍ଘମିଆଦି ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ  ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ- ୨୦୨୪ର ଦ୍ୱିତୀୟ ତଥା ଉଦଯାପନୀ ଦିବସର ଏକ ସମ୍ପାନରେ ଆଜି  ‘ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ଵ ପାଇଁ  ଦୀର୍ଘମିଆଦି ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା କରାଯାଇଥିଲା।

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପରିଚାଳନା ନିର୍ଦ୍ଦେଶକ, ଆପିକଲଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସମ୍ପାନରେ ଅଂଶଗ୍ରହଣକାରୀମାନେ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକୁ ସ୍ଥାୟୀରୂପେ କାର୍ଯ୍ୟଶୀଳ କରାଯିବା ପାଇଁ ଆବଶ୍ୟକୀୟ ଦୀର୍ଘମିଆଦୀ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ପାନର ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକର କାର୍ଯ୍ୟକାରିତା ଓ ତାହା ଦ୍ୱାରା ଏଫପିଓ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରିଥିଲେ। ବିଶେଷଜ୍ଞ ବକ୍ତା ଶ୍ରୀ ଭାବେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ଓଏସ୍ଏସସି ପ୍ରାଥମିକ ବିହନ ପ୍ରକ୍ରିୟାକରଣର ସୁଯୋଗ ଓ ଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ। ସେହିଭଳି ଭାବରେ ଡକ୍ଟର କେ ଶ୍ରୀନିବାସ ବାବୁ, ପ୍ରମୁଖ ବୈଜ୍ଞାନିକ, ଆଇସିଏଆର-ଆଇଆଇଏମଆର  ପୁଷ୍ଟିଶସ୍ୟ ବିହନ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବହାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି। ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏକ ବୈଷୟିକ ଅଧିବେଶନରେ ବିସ୍ମୃତ ଖାଦ୍ୟଶସ୍ୟର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ନେଇ ବିସ୍ତୃତ ଆଲୋଚନା। ଏହି ଆଲୋଚନାରେ ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖ କରିବା ଉଦ୍ଦେଶ୍ୟରେ ଏହାକୁ କିପରି ନୂତନ ଉପାୟରେ, ନୂତନ ପ୍ରଣାଳୀ ମାଧ୍ୟମରେ ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା।

ବୈଠକର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓୟୁଏଟିର ଅଧ୍ୟାପକ ଡ. ନିହାର ରଞ୍ଜନ ସାହୁ ନୂତନ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ ଦ୍ୱାରା ବିସ୍ମୃତ ଖାଦ୍ୟକୁ କିଭଳି ପୁଣି ଲୋକପ୍ରିୟ କରାଯାଇପାରିବ ସେ ନେଇ ମତ ରଖିଥିଲେ। ମହାରାଷ୍ଟ୍ରରୁ ଆସିଥିବା ସୃଜନ ସଂସ୍ଥାର ଟିମ୍‌ ଲିଡର ସନ୍ଦୀପ ଭୂଜେଲ ଆତ ଉତ୍ପାଦନରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ଓ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ଏମ୍‌. ଏସ୍‌. ସ୍ୱମୀନାଥାନ ରିସର୍ଚ୍ଚ ଫାଉଣ୍ଡେସନର ବୈଜ୍ଞାନିକ ଡ କାର୍ତ୍ତିକ ଚରଣ ଲେଙ୍କା ପୋଷଣୀୟ ଶକ୍ତି ବୃଦ୍ଧିରେ ବିସ୍ମୃତ ଖାଦ୍ୟର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ସେଣ୍ଟ୍ରାଲ ଟୁ୍ୟବର୍‌ କ୍ରª ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧକ୍ଷ ଡ଼. କେ. ଲକ୍ଷ୍ମୀନାରୟଣ ମାଟି ତଳେ ଫଳୁଥିବା ଫସଲ ଯଥା – ମାଟି ଆଳୁ, ପାଳୁଅ, କନ୍ଦମୂଳ, ସାରୁ ଆଦି ଫସଲର ମୂଲ୍ୟଯୋଗ ସମ୍ପର୍କରେ ସୂଚନା ଦେଇଥିଲେ।

ତାଞ୍ଜାଭୁରସ୍ଥିତ ଦି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ୍‌ ଟେକ୍ନୋଲୋଜି, ଏଣ୍ଟ୍ରୋପ୍ରିନୋର୍ସିିପ ଆଣ୍ଡ ମାନେଜ୍‌ମେଣ୍ଟର ସହାୟକ ଅଧ୍ୟାପକ ଡ଼ ଭିନସେଣ୍ଟ ହେମା ବିସ୍ମୃତ ଖାଦ୍ୟର ପୋଷଣୀୟତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଅନେକ ଚାଷୀ ଯୋଗ ଦଇ ଚାଷକୁ ନେଇ ନିଜ ନିଜ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ଶେଷରେ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ  ଉପଯୋଗ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି।

ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନ ଦେଶର କୋଟି କୋଟି ଲୋକଙ୍କ ପୋଷଣ ଆବଶ୍ୟକତା ପୂରଣ କରିବ।

ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ଲାଭଜନକ। ଏହା ମଧ୍ୟ ପରିବେଶ ଅନୁକୂଳ।  ମିଲେଟ୍ସରେ ପ୍ରଚୁର ପରିମାଣରେ ଶକ୍ତି ଉତ୍ସ ରହିଛି। ଏହା ମରୁଡ଼ି ନିରୋଧୀ ଏବଂ ଚାଷ ପାଇଁ କମ ପାଣି ଆବଶ୍ୟକ କରିଥାଏ। ଶୁଖିଲା ମାଟି, ପାହାଡ଼ିଆ ଅଞ୍ଚଳରେ ଏହାକୁ ସହଜରେ ଚାଷ କରାଯାଇ ପାରିବ ଏବଂ ଏଥିରେ କୀଟ ଆକ୍ରମଣ କରିବାର ଆଶଙ୍କା ମଧ୍ୟ କମ ରହିଥାଏ।

ମିଲେଟ୍ସର କେତେକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି – ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ସୂଚକାଙ୍କ (ଜିଆଇ)ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ। ଏଥିରେ କ୍ୟାଲସିୟମ, ଆଇରନ, ଫସଫଟସ ଆଦି ଜରୁରି ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ।

ମିଲେଟ୍ସରେ ପ୍ରସ୍ତୁତ ବ୍ୟଞ୍ଜନ ଥିବା ଭୋଜନ ପରିବେଷଣ ଲାଗି ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପ୍ରତି ସବୁ ବାହିନୀଗୁଡ଼ିକ ମଧ୍ୟ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ଖାଦ୍ୟ ସାରଣୀରେ ନିୟମିତ ମିଲେଟ୍ସ ପ୍ରସ୍ତୁତ ଭୋଜନକୁ ସାମିଲ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଏନଡିଆରଏଫର ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହରେ ମିଲେଟ୍ସର ବ୍ୟାପକ ଉପଯୋଗ କରାଯିବ ।

ସ୍ୱତନ୍ତ୍ର କାଉଣ୍ଟର/କର୍ଣ୍ଣର ପ୍ରତିଷ୍ଠା କରାଯାଇ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର, କ୍ୟାମ୍ପସରେ ଥିବା ଗ୍ରୋସରୀ ଷ୍ଟୋର ଏବଂ ରାସନ ଷ୍ଟୋରରେ ମିଲେଟ୍ସ ଉପଲବ୍ଧ ହେବ । କେନ୍ଦ୍ରୀୟ ବାହିନୀଗୁଡ଼ିକ ରନ୍ଧନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଷ୍ଠାନ ଜରିଆରେ ମିଲେଟ୍ସ ଆଧାରିତ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ରୋଷେୟାଙ୍କ ପ୍ରଶିକ୍ଷଣ ଆୟୋଜନ କରିବେ ।

ମିଲେଟ୍ସ ବ୍ୟବହାର କରିବା ଲାଗି କେନ୍ଦ୍ରୀୟ ବାହିନୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆହାର ବିଶେଷଜ୍ଞ ଓ ବିଶେଷଜ୍ଞ ଏଜେନ୍ସିମାନଙ୍କର ସହାୟତା ନିଆଯିବ । ଏହାଛଡ଼ା ‘ନୋ ୟୋର ମିଲେଟ୍ସ’ ବିଷୟବସ୍ତୁ ଉପରେ କର୍ମଶାଳା, ସମ୍ମିଳନୀ, ସେମିନାର, ପ୍ରଦର୍ଶନୀ, ୱେବିନାର ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଶ୍ୱସ୍ତରରେ ମିଲେଟ୍ସ ଉତ୍ପାଦନ, ଦକ୍ଷ ପ୍ରକ୍ରିୟାକରଣ ଏବଂ ଫସଲ ପରିବର୍ତ୍ତନ ତଥା ଖାଦ୍ୟ ସାରଣୀରେ ଏକ ପ୍ରମୁଖ ଉପାଦାନ ଭାବେ ମିଲେଟ୍ସକୁ ପ୍ରୋତ୍ସାହନ ପାଇଁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ (ଆଇୱାଇଓଏମ) -୨୦୨୩ ଏକ ସୁଯୋଗ ପ୍ରଦାନ କରିବ ।

Categories
ବିଶେଷ ଖବର

ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ। ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

କାର୍ଯ୍ୟକ୍ରମ ପରିସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀ ତଥା କ୍ରେତାବିକ୍ରେତା ସାକ୍ଷାତ ପାଭିଲିୟନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ସେ ଏହି ଅବସରରେ ସ୍ମାରକୀ ଡାକ ଟିକେଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପରେ ଭାରତୀୟ ମିଲେଟ (ଶ୍ରୀ ଅନ୍ନ)ର କମ୍ପେଡିୟମ ଷ୍ଟାର୍ଟଅପ୍ସ ଏବଂ ମିଲେଟ୍‌ (ଶ୍ରୀ ଅନ୍ନ) ମାନକ ଉପରେ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ବହୁ ଅନ୍ତର୍ଜାତୀୟ ନେତୃବର୍ଗ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ।

ଇଥିଓପିଆର ରାଷ୍ଟ୍ରପତି ମହାମହିମ ସେଲ-ୱର୍କ ଜେୱଦେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ମିଲେଟ୍ସ ଏକ ଶସ୍ତା ଓ ପୋଷକ ବିକଳ୍ପ ଯୋଗାଇ ଦେଇଥାଏ। ଉପ-ସାହାରା ଆଫ୍ରିକାରେ ଇଥିଓପିଆ ଏକ ପ୍ରମୁଖ ମିଲେଟ୍ସ ଉତ୍ପାଦନକାରୀ ରାଷ୍ଟ୍ର। ମିଲେଟ୍ସର ପ୍ରଚାର ପାଇଁ ଆବଶ୍ୟକ ନୀତିଗତ ଧ୍ୟାନ ଆକର୍ଷଣ ଏବଂ ନିଜର ଇକୋସିଷ୍ଟମ ଅନୁଯାୟୀ ଫସଲର ସ୍ଥାୟିତ୍ୱ ଅନୁଧ୍ୟାନ ନିମନ୍ତେ କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯିବାର ଉପଯୋଗିତା ଉପରେ ସେ ଆଲୋକପାତ କରିଥିଲେ।

ଗୟାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ କହିଥିଲେ ଯେ, ମିଲେଟ୍ସର ପ୍ରଚାର ନିମନ୍ତେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି ଏବଂ ଅବଶିଷ୍ଟ ବିଶ୍ୱର ବ୍ୟବହାର ପାଇଁ ନିଜର ବିଶେଷଜ୍ଞତାକୁ ଯୋଗାଇ ଦେଇଛି। ସେ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷର ସଫଳତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ବିଶେଷ ସହାୟକ ହୋଇପାରିବ। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ମିଲେଟ୍ସକୁ ଏକ ପ୍ରମୁଖ କାରକ ଭାବେ ଗୟାନା ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ । ମିଲେଟ୍ସ ଉତ୍ପାଦନ ପାଇଁ ଗୟାନା ଓ ଭାରତ ମଧ୍ୟରେ ସହଭାଗିତା ପ୍ରତିଷ୍ଠା ହୋଇଛି । ଗୟାନାରେ କେବଳ ୨୦୦ ଏକର ଜମିରେ ମିଲେଟ୍ସ ଚାଷ କରାଯିବ ଏବଂ ଏଥିପାଇଁ ଭାରତ ପ୍ରଯୁକ୍ତି ସହାୟତାରେ ବୈଷୟିକ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେବ।

ସମାରୋହକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କେବଳ ବିଶ୍ୱ କଲ୍ୟାଣ ଲାଗି ଜରୁରି ନୁହେଁ ବରଂ ଏହା ଜଗତ କଲ୍ୟାଣ ପାଇଁ ଭାରତର ଉତ୍ତରଦାୟିତ୍ୱକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଏକ ସଂକଳ୍ପକୁ ବାଞ୍ଛିତ ପରିଣାମରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଭାରତର ନିରନ୍ତର ପ୍ରୟାସ ଯୋଗୁ ମିଳିତ ଜାତିସଂଘ ପକ୍ଷରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ପାଳନ କରୁଥିବା ସମୟରେ ଏହି ଦିଗରେ ଭାରତର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଲେଟ୍ସ ଚାଷ, ମିଲେଟ୍ସ ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ଲାଭ ଏବଂ ଚାଷୀଙ୍କ ଆୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ସମ୍ମିଳନୀର ଅଧିବେଶନଗୁଡ଼ିକରେ ବ୍ୟାପକ ବିଚାରବିମର୍ଶ କରାଯିବ । ଏଥିରେ ଗ୍ରାମ ପଞ୍ଚାୟତ, କୃଷି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ଓ କୃଷି ବିଶ୍ୱବିଦ୍ୟାଳୟ ସହିତ ଭାରତୀୟ ଦୂତାବାସ ଓ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ସେ ଆହୁରି ସୂଚନା ଦେଇଥିଲେ ଯେ, ଆଜିର ଏହି କାର୍ଯ୍ୟକ୍ରମ ସହିତ ୭୫ ଲକ୍ଷରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେଉଛନ୍ତି । ସମ୍ମିଳନୀ ଅବସରରେ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ ଉନ୍ମୋଚନ, ମିଲେଟ୍ସ ମାନକ ଉପରେ ପୁସ୍ତକ ଉନ୍ମୋଚନ ଏବଂ ଆଇସିଏଆରର ଭାରତୀୟ ମିଲେଟ୍ସ ଗବେଷଣା ପ୍ରତିଷ୍ଠାନକୁ ଏକ ବିଶ୍ୱ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରାଯିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପରିସରରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିବା ଏବଂ ଗୋଟିଏ ଛାତ ତଳେ ମିଲେଟ୍ସ ଚାଷ ସଂକ୍ରାନ୍ତ ସବୁ ଦିଗକୁ ବୁଝିବା ନିମନ୍ତେ ପରାମର୍ଶ ଦେଇଥିଲେ। ମିଲେଟ୍‌ ସଂକ୍ରାନ୍ତ ଉଦ୍ୟୋଗ ଓ ଚାଷ ପାଇଁ ଷ୍ଟାର୍ଟଅପ୍ସ ନେଇ ଆସିଥିବାରୁ ଯୁବକମାନଙ୍କର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ‘‘ମିଲେଟ୍ସ ପ୍ରତି ଭାରତର ପ୍ରତିବଦ୍ଧତାର ଏହା ହେଉଛି ଏକ ପ୍ରମାଣ,’’ ସେ କହିଥିଲେ ।

ଭାରତର ମିଲେଟ୍ସ ବ୍ରାଣ୍ଡିଂ ବା ନାମକରଣ ସମ୍ପର୍କରେ ବିଦେଶୀ ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ଏବେ ମିଲେଟ୍ସକୁ ‘ଶ୍ରୀ ଅନ୍ନ’ ନାମ ଦେଇଛି । ସେ ଆହୁରି କହିଥିଲେ ଯେ ଶ୍ରୀ ଅନ୍ନ କେବଳ ଖାଦ୍ୟ କିମ୍ବା ଚାଷ ମଧ୍ୟରେ ସୀମିତ ହୋଇ ରହି ନାହିଁ । ଭାରତୀୟ ପରମ୍ପରା ସହିତ ପରିଚିତ ଲୋକମାନେ କିଛି ଜିନିଷ ପୂର୍ବରୁ ‘ଶ୍ରୀ’ ଉପସର୍ଗ ସହିତ ଖୁବ ଭଲ ଭାବେ ଜାଣିଥିବେ । ‘‘ଶ୍ରୀ ଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟୁଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ,’’ ପ୍ରଧାନମନ୍ତ୍ରୀ କହିଥିଲେ। ‘‘ଶ୍ରୀ ଅନ୍ନ – ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ସମୃଦ୍ଧିର ଏକ ଦ୍ୱାର, ଶ୍ରୀ ଅନ୍ନ – କୋଟି କୋଟି ଦେଶବାସୀଙ୍କ ପୁଷ୍ଟିସାଧନର ଆଧାର ସ୍ତମ୍ଭ, ଶ୍ରୀ ଅନ୍ନ – ଆଦିବାସୀ ସମୁଦାୟ ପ୍ରତି ସମ୍ମାନ, ଶ୍ରୀ ଅନ୍ନ – କମ ପାଣିରେ ଅଧିକ ଫସଲ ଅମଳ, ଶ୍ରୀ ଅନ୍ନ – ରାସାୟନିକ ମୁକ୍ତ ଚାଷ ପାଇଁ ଏକ ବଡ଼ ମୂଳଦୁଆ, ଶ୍ରୀ ଅନ୍ନ – ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଏକ ବଡ଼ ସହାୟତା,’’ ସେ ଆହୁରି କହିଥିଲେ।

ଶ୍ରୀ ଅନ୍ନକୁ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ କରିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମିଲେଟ୍ସକୁ ୨୦୧୮ରେ ପୋଷକ ଶସ୍ୟ ଭାବେ ଘୋଷଣା କରାଯାଇଥିଲା ଏବଂ ଏହାର ଲାଭ ବିଷୟରେ ଚାଷୀଙ୍କୁ ଅବଗତ କରାଇବା ସହିତ ବଜାରରେ ଆଗ୍ରହ ବୃଦ୍ଧି ପାଇଁ ସବୁସ୍ତରରେ କାମ ଆରମ୍ଭ କରାଗଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ୧୨-୧୩ଟି ଭିନ୍ନ ଭିନ୍ନ ରାଜ୍ୟରେ ମୁଖ୍ୟତଃ ମିଲେଟ୍ସ ଚାଷ କରାଯାଇଥାଏ। ପୂର୍ବରୁ ମାସିକ ମୁଣ୍ଡ ପିଛା ମିଲେଟ୍ସ ସେବନ ହାର ୩ କିଲୋଗ୍ରାମରୁ ଅଧିକ ନଥିଲା। କିନ୍ତୁ ଆଜି ମୁଣ୍ଡପିଛା ମିଲେଟ୍ସ ଉପଯୋଗ ପରିମାଣ ୧୪ କିଲୋଗ୍ରାମକୁ ବୃଦ୍ଧି ପାଇଛି । ସେ ଆହୁରି କହିଥିଲେ ଯେ, ମିଲେଟରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧ୍ୟ ପ୍ରାୟ ୩୦% ବଢ଼ିଛି। ମିଲେଟ୍‌ ବ୍ୟଞ୍ଜନ ପ୍ରସ୍ତୁତିକୁ ନେଇ ସାମାଜିକ ଗଣମାଧ୍ୟମରେ ଚାନେଲ ଖୋଲିବା ସହିତ ମିଲେଟ୍‌ କାଫେ ଆରମ୍ଭ ହୋଇଛି । ‘ଏକ ଜିଲ୍ଲା, ଏକ ଉତ୍ପାଦ’ ଯୋଜନା ଅଧୀନରେ ଦେଶର ୧୯ଟି ଜିଲ୍ଲାରୁ ମିଲେଟ୍‌ମାନ ଚୟନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ଭାରତରେ ପ୍ରାୟ ୨.୫ କୋଟି କ୍ଷୁଦ୍ର ଚାଷୀ ସିଧାସଳଖ ମିଲେଟ୍‌ ଉତ୍ପାଦନରେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ପାଖରେ ଅତି ଛୋଟ ଜମି ଥିଲେ ମଧ୍ୟ ସେମାନେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ‘‘ଭାରତର ମିଲେଟ୍‌ ମିଶନ – ଶ୍ରୀ ଅନ୍ନ ପାଇଁ ଅଭିଯାନ ଦେଶର ୨.୫ କୋଟି ମିଲେଟ୍‌ ଉତ୍ପାଦନକାରୀ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ’’, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସରକାର ମିଲେଟ୍‌ ଚାଷ କରୁଥିବା ୨.୫ କୋଟି ଚାଷୀଙ୍କ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରକ୍ରିୟାକୃତ ଓ ପ୍ୟାକେଟ୍‌ ହୋଇଥିବା ଖାଦ୍ୟ ସାମଗ୍ରୀ ଜରିଆରେ ମିଲେଟ୍ ଏବେ ଦୋକାନ ବଜାରରେ ଉପଲବ୍ଧ ହେଉଛି । ଶ୍ରୀ ଅନ୍ନ ବଜାର ବଢ଼ିଲେ ଅଢ଼େଇ କୋଟି କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶ୍ରୀ ଅନ୍ନ କ୍ଷେତ୍ରରେ ୫୦୦ରୁ ଅଧିକ ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛନ୍ତି ଏବଂ ବହୁ ସଂଖ୍ୟାରେ କୃଷକ ଉତ୍ପାଦକ ସଂଗଠନ ଗତ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରକୁ ଆସିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଏକ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ବିକଶିତ କରାଯାଉଛି ଯେଉଁଠି ଛୋଟ ଛୋଟ ଗାଁରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିଲେଟ୍‌ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ସବୁ ଉତ୍ପାଦ ମଲ୍‌ ଠାରୁ ଆରମ୍ଭ କରି ସୁପରମାର୍କେଟରେ ବିକ୍ରି ହେଉଛି ।

ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତର ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ପୃଥିବୀକୁ ଗୋଟିଏ ପରିବାର ବୋଲି ବିବେଚନା କରିବା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷରେ ମଧ୍ୟ ପ୍ରତିଫଳିତ ହୋଇଛି । ବିଶ୍ୱ ପ୍ରତି ରହିଥିବା କର୍ତ୍ତବ୍ୟକୁ ପାଳନ କରିବା ଏବଂ ମାନବ ସମାଜର ସେବା ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ଲାଗି ଭାରତ ସବୁବେଳେ ପ୍ରାଥମିକତା ଦେଇ ଆସିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଯୋଗ ଦିବସ ମାଧ୍ୟମରେ ସାରା ବିଶ୍ୱରେ ଯୋଗର ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ବିଶ୍ୱର ୧୦୦ରୁ ଅଧିକ ଦେଶରେ ଯୋଗର ପ୍ରଚାରପ୍ରସାର କରାଯିବା ଏବଂ ୩୦ରୁ ଅଧିକ ଦେଶରେ ଆୟୁର୍ବେଦକୁ ମଧ୍ୟ ମାନ୍ୟତା ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ ମଧ୍ୟ ଅନ୍ତର୍ଜାତୀୟ ସୌର ମେଣ୍ଟ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଏହା ଏବେ ଏକ ଦୀର୍ଘସ୍ଥାୟୀ ପୃଥିବୀ ନିର୍ମାଣ ଲାଗି ପ୍ରଭାବୀ ମଞ୍ଚ ରୂପରେ କାମ କରୁଛି ଯେଉଁଥିରେ ୧୦୦ରୁ ଅଧିକ ଦେଶ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ‘‘ଲାଇଫ ମିଶନକୁ ଗ୍ରହଣ କରିବା ହେଉ କିମ୍ବା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରିବା, ଭାରତ ନିଜର ଐତିହ୍ୟରୁ ପ୍ରେରଣା ହାସଲ କରିଛି, ସମାଜରେ ପରିବର୍ତ୍ତନ ଆଣୁଛି ଏବଂ ଏହାକୁ ବିଶ୍ୱ କଲ୍ୟାଣର ମଞ୍ଚରେ ଉପସ୍ଥାପନ କରିଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଆଜିର ମିଲେଟ୍‌ ଆନ୍ଦୋଳନରୁ ସମାନ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ଭାରତର ବିଭିନ୍ନ ପ୍ରାନ୍ତରେ ଚାଷ ହେଉଥିବା ଯଅ, ବାଜରା, ମାଣ୍ଡିଆ, ସମା, କାଙ୍ଗନି, ଚୀନା, କୋଡୋନ, କୁଟକି ଓ କୁଟ୍ଟୁ ଭଳି ଶ୍ରୀ ଅନ୍ନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଶହ ଶହ ବର୍ଷ ଧରି ଏସବୁ ଫସଲ ଆମ ଦେଶର ଜୀବନଶୈଳୀ ସହିତ ଜଡ଼ିତ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତ ଶ୍ରୀ ଅନ୍ନ ସହ ଜଡ଼ିତ ନିଜର ଚାଷ ପଦ୍ଧତି ଏବଂ ଅଭିଜ୍ଞତାକୁ ସାରା ବିଶ୍ୱକୁ ବାଣ୍ଟିବା ଲାଗି ଚାହୁଁଛି ଏବଂ ଏହା ଅନ୍ୟ ଦେଶ ଠାରୁ ମଧ୍ୟ ଶିକ୍ଷା ହାସଲ କରିବାକୁ ଚାହୁଁଛି ।  ଏ ଦିଗରେ ଏକ ସ୍ଥିର ବ୍ୟବସ୍ଥା ବିକଶିତ କରିବା ଲାଗି ସମ୍ମିଳନୀରେ ଉପସ୍ଥିତ ବନ୍ଧୁ ରାଷ୍ଟ୍ରର କୃଷି ମନ୍ତ୍ରୀମାନଙ୍କୁ ସେ ବିଶେଷ ଭାବେ ଅନୁରୋଧ କରିଥିଲେ । କ୍ଷେତରୁ ବଜାର ଏବଂ ଗୋଟିଏ ଦେଶରୁ ଅନ୍ୟ ଦେଶ ପର୍ଯ୍ୟନ୍ତ ସହଭାଗୀ ଉତ୍ତରଦାୟିତ୍ୱ ସହିତ ଏକ ନୂଆ ଯୋଗାଣ ଶୃଙ୍ଖଳ ବିକଶିତ କରିବା ଉପରେ ସେ ଜୋର ଦେଇଥିଲେ ।

ମିଲେଟର ଜଳବାୟୁ ସହନଶୀଳତା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏସବୁ ଫସଲ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ସହଜରେ ଉତ୍ପାଦନ କରାଯାଇପାରିବ ବୋଲି ସେ ସୂଚନା ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ମିଲେଟ ଉତ୍ପାଦନ ପାଇଁ କମ୍‌ ପାଣି ଆବଶ୍ୟକ ପଡ଼ୁଥିବାରୁ ଜଳକ୍ଳିଷ୍ଟ ଅଞ୍ଚଳ ପାଇଁ ଏହା ଏକ ଅନୁକୂଳ ଫସଲ ହୋଇପାରିବ । ଆହୁରି ମିଲେଟକୁ ବିନା ରାସାୟନିକରେ ପ୍ରାକୃତିକ ପଦ୍ଧତିରେ ଚାଷ କରାଯାଇପାରିବ ଏବଂ ଏହା ଉଭୟ ମଣିଷ ଓ ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ ବୋଲି ସେ କହିଥିଲେ । ସାମ୍ପ୍ରତିକ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ଖାଦ୍ୟ ସୁରକ୍ଷା ଆହ୍ୱାନ ବିଷୟରେ ଦୃଷ୍ଟିପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗ୍ଲୋବାଲ ସାଉଥ ବା ତୃତୀୟ ବିଶ୍ୱ ରାଷ୍ଟ୍ରରେ ଦେଖା ଦେଇଥିବା ଖାଦ୍ୟ ସୁରକ୍ଷା ଜନିତ ସଂକଟ ଏବଂ ଗ୍ଲୋବାଲ ନର୍ଥ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ ଅଭ୍ୟାସ ସହ ଜଡ଼ିତ ରୋଗ ବିଶେଷ ସମସ୍ୟା ସୃଷ୍ଟି କରିଛି । ‘‘ଗୋଟିଏ ପଟେ ଆମର ଖାଦ୍ୟ ସୁରକ୍ଷା ସମସ୍ୟା ରହିଛି ଏବଂ ଅନ୍ୟପଟେ ଖାଦ୍ୟ ଅଭ୍ୟାସ ଜନିତ ସମସ୍ୟା ରହିଛି’’, ସେ କହିଥିଲେ। ଖାଦ୍ୟ ଉତ୍ପାଦନରେ ବ୍ୟାପକ ରାସାୟନିକ ଉପଯୋଗକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଅନ୍ନ ଏସବୁ ସମସ୍ୟା ପାଇଁ ଏକ ଉପଯୁକ୍ତ ସମାଧାନ କାରଣ ଏହା ସହଜରେ ବଢ଼ିଥାଏ, ଏହାର ଖର୍ଚ୍ଚ ମଧ୍ୟ କମ ଏବଂ ଅନ୍ୟ ଫସଲ ତୁଳନାରେ ଏହା ଶୀଘ୍ର ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଶ୍ରୀ ଅନ୍ନର ଲାଭ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏଥିରେ ପ୍ରଚୁର ପରିମାଣ ପୋଷକ ତତ୍ତ୍ୱ, ବିଶେଷ ସ୍ୱାଦ, ଅଧିକ ଫାଇବର ଉପାଦାନ ମହଜୁଦ ରହିଛି ଏବଂ ଏହା ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଜନକ। ଏହା ଜୀବନଶୈଳୀ ସଂକ୍ରାନ୍ତ ରୋଗ ନିରାକରଣରେ ସହାୟକ ହୋଇଥାଏ।

‘‘ମିଲେଟ ସହିତ ଅସୀମିତ ସମ୍ଭାବନା ଆସିଥାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଭାରତର ଖାଦ୍ୟ ପ୍ରଣାଳୀରେ ମିଲେଟର ଯୋଗଦାନ ମାତ୍ର ୫-୬ ପ୍ରତିଶତ ରହିଥିବା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରର ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କୁ ଏହି ଯୋଗଦାନ ବଢ଼ାଇବା ଏବଂ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଦିଗରେ ସରକାର ଏକ ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି । ମିଲେଟ୍‌ କ୍ଷେତ୍ର ଏଥିରୁ ସର୍ବାଧିକ ଲାଭ ପାଇବା ଉଚିତ୍‌ ଏବଂ ଅଧିକ କମ୍ପାନୀ ମିଲେଟ୍‌ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ରାଜ୍ୟ ଶ୍ରୀ ଅନ୍ନକୁ ସେମାନଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିଛନ୍ତି ଏବଂ ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଅନୁସରଣ କରିବା ଉଚିତ୍‌ । ମଧ୍ୟାହ୍ନ ଭୋଜନରେ ଶ୍ରୀ ଅନ୍ନକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ ଯାହାଫଳରେ ପିଲାମାନଙ୍କୁ ଉପଯୁକ୍ତ ପୋଷଣ ମିଳିବା ସହିତ ଖାଦ୍ୟର ସ୍ୱାଦ ଓ କିସମରେ ଏକ ନୂଆ ପରିବର୍ତ୍ତନ ଅଣାଯାଇପାରିବ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏସବୁ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା ହେବ ଏବଂ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ହେବ ବୋଲି ତାଙ୍କର ବିଶ୍ୱାସ ରହିଛି । ‘‘ଚାଷୀ ଏବଂ ସବୁ ଅଂଶୀଦାରମାନଙ୍କ ମିଳିତ ପ୍ରୟାସ ସହିତ, ଭାରତ ଓ ବିଶ୍ୱର ସମୃଦ୍ଧିରେ ଭାରତ ଏକ ନୂଆ ପ୍ରଗତିର ମାଧ୍ୟମ ପାଲଟିବ’’, ପ୍ରଧାନମନ୍ତ୍ରୀ କହିଥିଲେ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ ଏବଂ ଶ୍ରୀମତୀ ଶୋଭା କରନ୍ଦଲାଜେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭାରତର ପ୍ରସ୍ତାବକୁ ଆଧାର କରି ୨୦୨୩ ବର୍ଷକୁ ମିଳିତ ଜାତିସଂଘ ମହାସଭା (ୟୁଏନଜିଏ) ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ (ଆଇୱାଇଏମ୍‍) ଭାବରେ ଘୋଷଣା କରାଯାଇଥିଲା । ଆଇୱାଇଏମ୍‍ ୨୦୨୩ର ସମାରୋହକୁ ଏକ ‘ଜନ ଆନ୍ଦୋଳନ’ରେ ପରିଣତ କରିବା ଏବଂ ଭାରତକୁ ‘ମିଲେଟର ଗ୍ଲୋବାଲ୍ ହବ୍‌’ ବା ଜାଗତିକ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ, ଚାଷୀ, ଉପଭୋକ୍ତା ଏବଂ ଜଳବାୟୁ ପାଇଁ ମିଲେଟ (ଶ୍ରୀ ଅନ୍ନ)ର ଲାଭ ବିଷୟରେ ସଚେତନତା ଏବଂ ପ୍ରୋତ୍ସାହନର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ / ବିଭାଗ, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର, କୃଷକ, ଷ୍ଟାର୍ଟଅପ୍‌, ରପ୍ତାନିକାରୀ, ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ନିୟୋଜିତ ଅଛନ୍ତି । ଭାରତରେ ଗ୍ଲୋବାଲ୍ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀର ଆୟୋଜନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ଚାଷୀ, ଗ୍ରାହକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟର ପ୍ରସାର ଏବଂ ସଚେତନତା ଭଳି ମିଲେଟ (ଶ୍ରୀ ଅନ୍ନ) ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିବେଶନମାନ ଆୟୋଜିତ ହେବ। ଏଥିରେ ମିଲେଟଗୁଡିକର ମୂଲ୍ୟ ଶୃଙ୍ଖଳା ବିକାଶ; ମିଲେଟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିଗ; ବଜାର ସଂଯୋଗ; ଗବେଷଣା ଏବଂ ବିକାଶ ଇତ୍ୟାଦି ଦିଗ ସ୍ଥାନ ପାଇବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର କୃଷି ମନ୍ତ୍ରୀ, ଅନ୍ତର୍ଜାତୀୟ ବୈଜ୍ଞାନିକ, ପୋଷଣ ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଷ୍ଟାର୍ଟଅପ୍ ମୁଖ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଗଦେବେ।