କିଶୋର ପଟ୍ଟନାୟକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଥମୁନାହିଁ ଜନନୀ ଯନ୍ତ୍ରଣା। ଗାଁ କୁ ସବୁଦିନିଆ ରାସ୍ତା ନଥିବାରୁ ଜନନୀକୁ ପ୍ରସବ ଯନ୍ତ୍ରଣା ଭୋଗିବାକୁ ପଡୁଥିବା ଅଧିକାଂଶ ସମୟ ଦେଖିବାକୁ ମିଳୁଛି। ବର୍ଷା ଓ କାଦୁଅ ରାସ୍ତା ପାଇଁ ଗ୍ରାମକୁ ଆମ୍ବୁଲାନ୍ସ ପହଂଚି ନପାରିବାରୁ ଲୋକେ ଏକ ଷ୍ଟ୍ରେଚରରେ ୩ କିଲୋମିଟର ବୋହି ଆଣିଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଳିଆମ୍ବ ଗ୍ରାମରେ।
ଗାଁ ର ଗର୍ଭବତୀ ମହିଳା ଡମାଇ ସାନ୍ତା ଙ୍କୁ ଆଜି ପ୍ରସବ ବେଦନା ହୋଇଥିଲା। ଗାଁ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। କିନ୍ତୁ, ରାସ୍ତା କାଦୁଅ ପରିପୂର୍ଣ୍ଣ ହୋଇଥିବାରୁ ୩ କିଲୋମିଟର ଆଗରୁ ଖଜୁରୀ ଛକ ନିକଟରେ ଆମ୍ବୁଲାନ୍ସ ରହିଯାଇଥିଲା। ପରବର୍ତ୍ତୀ ସମୟରେ ଗାଁ ଲୋକେ କିଛି ଉପାୟ ନପାଇ ଏକ ଷ୍ଟ୍ରେଚର ରେ ଗର୍ଭବତୀ କୁ ଧରି ୩ କିଲୋମିଟର, ଗ୍ରାମର ଚାରିଜଣ ଗ୍ରାମବାସୀ ବୋହି ଆଣି ଖଜୁରୀ ଛକ ନିକଟକୁ ଆଣିଲା ପରେ ଆମ୍ବୁଲାନ୍ସ ଯୋଗେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।
ସେଠାରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣାଯାଇ ଅସ୍ତ୍ରପଚାର କରାଯାଇଥିଲା। ଅସ୍ତ୍ରପଚାର ପରେ ମହିଳା ଜଣକ ଶିଶୁ ପୁତ୍ର ଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମାଁ ଓ ଶିଶୁ ବର୍ତମାନ ସୁସ୍ଥ ଥିବା ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ ବିଗତ ଏକ ମାସ ମଧ୍ୟରେ ବିଭିନ୍ନ ବ୍ଲକରୁ ୬ ଜଣ ଗର୍ଭବତୀ ମହିଳା ଏଭଳି ଜନନୀ ଯନ୍ତ୍ରଣା ଭୋଗ କରିଥିବା ଦେଖିବାକୁ ମିଳିଛି। ପକ୍କା ରାସ୍ତା ନଥିବାରୁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିବାରୁ ଜିଲ୍ଲାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।