ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟମାନେ ଯେକୌଣସି ସମ୍ପ୍ରଦାୟ କିମ୍ବା ଭାଷାକୁ ନିଜସ୍ୱ ଅଧିକାରରେ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହା ସେମାନଙ୍କ ଅଧୀନରେ ଆସେ। ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଗଠନ ବିରୋଧରେ ଆବେଦନକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଣ୍ଣୟ ପାଇଁ ଦାବି ରହିଛି।
ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ୧୯୯୨ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଶିକ୍ଷା ପ୍ରତିଷ୍ଠାନ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ୯ ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଲଦାଖରେ ହିନ୍ଦୁ ଜନସଂଖ୍ୟା ୧ ପ୍ରତିଶତ ଥିବା ବେଳେ ମିଜୋରାମରେ ୨.୭୫ ପ୍ରତିଶତ, ଲକ୍ଷଦ୍ୱୀପ ରେ ୨.୭୭ ପ୍ରତିଶତ, କାଶ୍ମୀରରେ ୪ ପ୍ରତିଶତ, ନାଗାଲାଣ୍ଡରେ ୮.୭୪ ପ୍ରତିଶତ, ମେଘାଳୟରେ ୧୧.୫୨ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୨୯.୨୪ ପ୍ରତିଶତ, ପଞ୍ଜାବରେ ୩୮.୪୯ ପ୍ରତିଶତ ଏବଂ ମଣିପୁରରେ ୪୧.୨୯ ପ୍ରତିଶତ ରହିଛି। କିନ୍ତୁ ତଥାପି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସେମାନଙ୍କୁ କୌଣସି ସୁବିଧା ମିଳିପାରୁ ନାହିଁ।
୨୦୦୨ ର ଟିଏମଏ ପଇ ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଆବେଦନ କରାଯାଇଥିଲା। ତା’ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନର ଧାରା ୩୦ (୧) ଅନୁଯାୟୀ ସେମାନଙ୍କର ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଦ୍ୟାଳୟ, କଲେଜ ଖୋଲିବାର ଅଧିକାର ଅଛି। ଉପାଧ୍ୟାୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ବିଦ୍ୟାଳୟ କିମ୍ବା ମଦ୍ରାସା ଖୋଲନ୍ତି, ୯ ଟି ରାଜ୍ୟରେ ହିନ୍ଦୁମାନଙ୍କୁ ମଧ୍ୟ ଅନୁମତି ଦିଆଯିବା ଉଚିତ୍। ଏହି ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ୱତନ୍ତ୍ର ସୁରକ୍ଷା ପାଇବା ଉଚିତ୍।
ଏହି ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୨୮ ତାରିଖ ୨୦୨୦ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ କୋର୍ଟ ଏହାର ଉତ୍ତର ଦାଖଲ କରିବାର ଶେଷ ସୁଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଉତ୍ତର ଦାଖଲ କରିବାରେ ବିଳମ୍ବ କରିବା ଯୋଗୁଁ ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଏମଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ୭ ହଜାର ୫୦୦ ଟଙ୍କା ସାଙ୍କେତିକ ଜରିମାନା ଲଗାଇଥିଲେ।