ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ। ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର।
ମୁଖ୍ୟ ବକ୍ତା ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଅଖିଳାଣ୍ଡକୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ କଳିଯୁଗର ପ୍ରତ୍ୟକ୍ଷ ଦେବତା ଭାବରେ ଦେବଭୂମି ଭାରତ ବର୍ଷରେ ପବିତ୍ର ଉତ୍କଳ ଭୂଖଣ୍ଡର ଭୂସ୍ୱର୍ଗ ସ୍ୱରୂପ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁଦେବତା ଭାବରେ ପୂଜା ପାଉଛନ୍ତି। ତେଣୁ ତନ୍ତ୍ର ଯାମଳଗ୍ରନ୍ଥରେ କୁହାଯାଇଛି –ଭାରତେ ଚୋତ୍କଳେଦେଶ ଭୂସ୍ୱର୍ଗେ ପୁରୋଷୋତ୍ତମେ। ଦାରୁରୂପୀ ଜଗନ୍ନାଥୋ ଭକ୍ତନାମବୟପ୍ରଦଃ।।
ବୈଦିକ ଯୁଗରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ରୀତି,ନୀତି ଓ ସାମାଜିକ ପ୍ରମ୍ପରାର ପ୍ରବହମାନ ଧାରା ହିଁ ଶ୍ରୀଜଗନ୍ନାଥ ସଂସ୍କୃତି ଭାବରେ ବିଶ୍ୱ ସଂସ୍କୃତିକୁ ସର୍ବଦା ପ୍ରଭାବିତ କରିଆସିଛି। ସର୍ବଧର୍ମ ଓ ସର୍ବ ସମ୍ପ୍ରଦାୟର ସମନ୍ୱୟ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ସଂସ୍କୃତି ଜଗତରେ ” “ବସୁଧୈବ କୁଟୁମ୍ବକମ୍” ବାର୍ତ୍ତା ପ୍ରଦାନ କରି ସର୍ବଜନାଦୃତ ହୋଇପାରିଛି ।
ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ବିଶ୍ୱରେ ଶ୍ୱେତ, ପୀତ, କୃଷ୍ଣ ଓ ଲୋହିତ ବର୍ଣ୍ଣର ମନୁଷ୍ୟମାନଙ୍କର ବର୍ଣ୍ଣକୁ ଧାରଣ କରି ସମାଜରୁ ବର୍ଣ୍ଣବୈଷମ୍ୟବାଦକୁ ଦୂର କରି ସମଗ୍ର ମାନବ ଜାତି ଏକ ଓ ଅଭିନ୍ନ ବୋଲି ବାର୍ତ୍ତା ପ୍ରଦାନ କରନ୍ତି। ଜାତି-ଧର୍ମ-ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ଏବଂ ଇଶ୍ୱରଙ୍କର ଅମୃତ ସନ୍ତାନ ବୋଲି ଆଜି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ଅଚାଣ୍ଡାଳ ବ୍ରାହ୍ମଣଙ୍କର ଏକତ୍ର ମହାପ୍ରସାଦ ସେବନର ପବିତ୍ର ପରମ୍ପରା ପ୍ରମାଣ କରେ।
ଉତ୍କଳୀୟ ଜନଜୀବନରେ ଜନ୍ମୋତ୍ସବ, ଉପନୟନ, ବିବାହ ତଥା ଅନ୍ତେଷ୍ଟିକ୍ରିୟା ପ୍ରଭୃତି ଅବସରରେ ମହାପ୍ରସାଦ ସେବନ ହିଁ ପରମ ସୌଭାଗ୍ୟ ବୋଲି ମନେ କରାଯାଏ। ସର୍ବବିଧ ମାଙ୍ଗଳିକ କାର୍ଯ୍ୟରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନାମ ଉଚ୍ଚାରଣ ପୂର୍ବକ ସଙ୍କଳ୍ପ ତଥା ମହାପ୍ରସାଦ ସମର୍ପଣ ପୂର୍ବକ ଶୁଭାରମ୍ଭ ମହନୀୟ ସମାଜବାଦର ସୂଚନା ପ୍ରଦାନ କରେ।
ଶ୍ରୀଜଗନ୍ନାଥଙ୍କ ବିବିଧ ପର୍ବପର୍ବାଣୀ ଏବଂ ଯାତ୍ରାବିଧି ସମାଜରେ ସାମାଜିକ ଏକତା-ଅଖଣ୍ଡତା ତଥା ଭେଦାଭେଦ ଭାବକୁ ଦୂରକରି ବିଶ୍ୱବାସୀଙ୍କ ବିଭିନ୍ନତା ମଧ୍ୟରେ ଏକତାର ରୂପକ ସାମାଜିକ ସମରସତାର ବାର୍ତ୍ତା ପ୍ରଦାନକରେ। ମହାପ୍ରଭୂଙ୍କ ସେବାରେ ନିୟୋଜିତ ” “ନିଯୋଗ ସଂହତିଃ କାର୍ଯ୍ୟସାଧିକା’ ‘ର ବାର୍ତ୍ତା ଦେବା ସହିତ ସମାଜବାଦକୁ ସୁଦୃଢ଼ କରିଥାଏ।
ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ତର୍ଜମାରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥ ସଂସ୍କୃତିରେ ନାରୀ ସଶକ୍ତକରଣର ସନ୍ଦେଶ ତଥା ସୁସ୍ଥ ସମାଜ ଗଠନ ନିମନ୍ତେ କୁତ୍ସିତ ଜାତିପ୍ରଥା ସର୍ବଥା ପରିତ୍ୟାଗକଲେ ହିଁ ସ୍ୱୟଂ ମହାଲକ୍ଷ୍ମୀ ଆଗମନ କରିଥାନ୍ତି। ରତ୍ନ ସିଂହାସନରେ ଭାଇ ଓ ଭଉଣୀଙ୍କ ସହିତ ବିରାଜମାନ ମହାପ୍ରଭୁ ବିଶ୍ୱଭ୍ରାତୃତ୍ୱଭାବକୁ ସର୍ବଦା ଅଭିବ୍ୟକ୍ତ କରୁଛନ୍ତି। ଉତ୍କଳର ଗଜପତି ରଥଯାତ୍ରା ଅବସରରେ “ଛେରାପହଁରା’ ନୀତି ପାଳନ କରି ସ୍ୱର୍ଣ୍ଣସମାର୍ଜନୀୟ ରଥମାର୍ଜନା କରନ୍ତି।
ଏହାଦ୍ୱାରା ସେ “ସ୍ୱଚ୍ଛ ଭାରତ’ ର ବାର୍ତ୍ତା ଦେବା ସହିତ ସମାଜରେ ସାଧାରଣ ଝାଡ଼ୁଦାର ସେବକର ମଧ୍ୟ ମହତ୍ୱକୁ ପ୍ରଚାର କରନ୍ତି। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରକୁଳରେ ଜାତ ସେବକଙ୍କ ଯୋଗଦାନ ବିଶ୍ୱସମୁଦାୟକୁ ସମାଜବାଦର ହିଁ ବାର୍ତ୍ତା ପ୍ରଦାନ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜାଧିରାଜ ମହାପ୍ରଭୁ ଲୋକଲୀଳା କରିବା ପାଇଁ ସତତ ତତ୍ପର। ସାମାନ୍ୟ ମନୁଷ୍ୟ ଭଳି ପ୍ରାତଃ ସର୍ଯ୍ୟାତ୍ୟାଗ ଠାରୁ ରାତ୍ରି ଶୟନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦିନଚର୍ଯ୍ୟା ସାମାଜିକ ଜୀବନ ଶୈଳୀକୁ ପ୍ରଚାର କରେ। ଦେବଦୀପାବଳୀ ଅବସରରେ ଅଦିତି କଶ୍ୟପ, କୌଶଲ୍ୟା ଦଶରଥଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରି ମହନୀୟ ସାମାଜିକ ସନ୍ଦେଶ ଦେଇଥାନ୍ତି।
ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ ସମାଜବାଦ କହିଲେ ଯେଉଁଠି ତାରତମ୍ୟ ନଥାଏ, ଭେଦଭାବ ନଥାଏ, ପ୍ରଭେଦ ନଥାଏ, ପାର୍ଥକ୍ୟ ନଥାଏ। ଶ୍ରୀଜଗନ୍ନାଥ ସଂସ୍କୃତିରେ ସମାଜବାଦ ବ୍ୟତୀତ ଅନ୍ୟ କିଛି ନାହିଁ। କୌଣସି ସ୍ଥାନରେ ମୂଳ ବିଗ୍ରହ ତାଙ୍କର ରତ୍ନସିଂହସନ ଛାଡ଼ି ଆସନ୍ତି ନାହିଁ କିନ୍ତୁ ପୁରୀରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ସ୍ୱୟଂ ଚାଲିଆସନ୍ତି।
ଗଜପତିଙ୍କୁ ଚଣ୍ଡାଳ କାର୍ଯ୍ୟପରି ନିକୃଷ୍ଠ କାର୍ଯ୍ୟ ଦିଆଯାଇଛି ଏହା ପ୍ରମାଣିତ କରିବା ପାଇଁ ଯେ ଜଗନ୍ନାଥ ସଂସ୍କୃତିରେ ଉଚ୍ଚନିଚ୍ଚର ଭେଦଭାବ ନାହିଁ। ତେଣୁ ଏହି ଛେରାପହଁରା ଆମକୁ ଦର୍ଶାଇ ଦିଏ କୌଣସି କାର୍ଯ୍ୟ ସାନ ନୁହଁ କି କୌଣସି କର୍ଯ୍ୟ ବଡ଼ ନୁହେଁ। ମହାପ୍ରସାଦ ଜଣେ ଜଣଙ୍କ ଠାରୁ ଛଡ଼େଇ ଖାଇ ପାରିବ, ଅଇଁଠା ମଧ୍ୟ ଖାଇ ପାରିବ। ଏଥିରେ ମଧ୍ୟ ଭେଦଭାବ ବା ତାରତମ୍ୟ ନାହିଁ। ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।