Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡିକୁ ବଡ ଧକ୍କା, ବିଜେପିରେ ସାମିଲ ହେଲେ ସନ୍ତୋଷ ପାଇକରାୟ ଏବଂ ତାଙ୍କ ସମର୍ଥକ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବିଜେଡି କୁ ଲାଗିଛି ବଡ଼ ଝଟକା। ବର୍ତ୍ତମାନ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୁତ୍ର ତଥା ବରିଷ୍ଠ ବିଜେଡି ସଂଗଠକ ସନ୍ତୋଷ ପାଇକରାୟ ନିଜର ଶତାଧିକ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି।

ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ସନ୍ତୋଷ। ଏହି ଅବସରରେ ମନ୍ତ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ, ସଂଗଠକ ରଞ୍ଜିତ ବଡ଼ଜେନା ଏବଂ ବାଲୁଗାଁ ଏନଏସିର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପି ରେ ଯୋଗଦାନ କରିଥିବା ସନ୍ତୋଷ କହିଛନ୍ତି। ବର୍ତ୍ତମାନ ବାଲୁଗାଁ ଏନଏସିରେ ବିଜେଡି ଏକପ୍ରକାର ଶୂନ ହୋଇଯାଇଛି। ତେବେ ସନ୍ତୋଷ ଜଣେ ଦକ୍ଷ ଯୁବ ସଂଗଠକ ହୋଇଥିବାରୁ ତାଙ୍କ ସହ ବାଲୁଗାଁ ଏନଏସି ବିଜେଡି ର ସମସ୍ତ ଆଗଧାଡିର ନେତା ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି।

ଏହା ଦ୍ୱାରା ଆଗାମୀ ଦିନରେ ବାଲୁଗାଁ ଏନଏସିରେ ବିଜେପି ର ଶକ୍ତି ବଢିବା ସହ ବିଜେଡି ନିଶ୍ଚିହ୍ନ ହୋଇଯିବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ସ୍ଵଚ୍ଛତା ଆଡ଼କୁ ପାଦେ: କଲେଜ ପରିସର ସଫା କଲେ ବାଲୁଗାଁ ଏନଏସି ଅଧ୍ୟାକ୍ଷାଙ୍କ ପ୍ରତିନିଧି ସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅନୁଷ୍ଠିତ ହୋଇଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଫଳରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ।

ତେବେ ମହୋତ୍ସବର ପରିସମାପ୍ତି ପରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ଅଳିଆ ତଥା ଅଦରକାରୀ ବସ୍ତୁ। ଏତେ ବଡ଼ କାର୍ଯ୍ୟକ୍ରମର ସମାପ୍ତି ପରେ ପଡିଆରେ ଅଦରକାରୀ ବସ୍ତୁ ପଡିବା ସ୍ୱାଭାବିକ। ତେବେ ଏହା ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ନଜରରେ ପଡିବା ମାତ୍ରେ ସେ ଏହାର ପ୍ରତିକାର ଦିଗରେ କାମ ଆରମ୍ଭ କରିଦେଇଥିଲେ। ନିଜେ ସନ୍ତୋଷ ତାଙ୍କ କିଛି ସାଥିଙ୍କୁ ନେଇ ସାରା କଲେଜ ପଡିଆକୁ ସଫା କରିଥିବାର ଜଣାପଡିଛି। ଯାହାକି ସ୍ଵଚ୍ଛତାର ବାର୍ତ୍ତା ବହନ କରିଛି।

ସନ୍ତୋଷଙ୍କ କହିବା କଥା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ଅଞ୍ଚଳକୁ ସଫା ରଖିବା ଦାଇତ୍ୱ ତାଙ୍କର। ତେଣୁ କାହା ସାହାଯ୍ୟକୁ ଆଶା ନକରି ନିଜେ ଆୟୋଜନ ସ୍ଥଳକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଓ ଏଥିରେ ସଫଳ ବି ହେଲେ। ସନ୍ତୋଷଙ୍କ ଉକ୍ତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।