ଜୀବନର ସଫଳତାର ରାସ୍ତା: ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଇଟା ତାଙ୍କର ସଫଳତା। ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଇଟା ହିଁ ସଫଳତା। ତା ପରେ ସ୍କୁଲ ଗଲି ଆଉ ସେଠାରେ ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା।
ତା ପରେ ବୁଝିଲି ଯେ ଅସଲ ସଫଳତା ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ।
ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ ସଫଳତା କୁହାଯାଏ।
ଏଇଠି ଶେଷ ନାହିଁ ଏହା ପରେ ବୁଝିଲି ଯେ ଭଲ ବିଷୟ ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା, କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ। ତା ପରେ ପୁଣି ଜାଣିବାକୁ ପାଇଲି ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ଟଙ୍କା ରୋଜଗାରକୁ ସଫଳତା କୁହାଯାଏ।
ତା ପରେ ଜାଣିଲି ସେଇଟା ମଧ୍ୟ ସଫଳତା ନୁହେଁ, ନିଜ ଟଙ୍କା ରେ ଗୋଟେ ଭଲ ଫ୍ଲାଟ କିଣିବା ଟା ହିଁ ସଫଳତା। ପରେ ପୁଣି ଭୁଲ ଭାଙ୍ଗିଲା। ଜାଣିବାକୁ ପାଇଲି ଯେ ବାହା ହେଇ ଘର ସଂସାର କରିବା ଟା ହିଁ ସଫଳତା।
ବହୁତ ବର୍ଷ ବିତିଗଲା ,ବାହାଘର ପରେ ପିଲାପିଲି ହେଲେ, ପିଲା କୁ ଭଲ ଭାବରେ ଲାଳନ ପାଳନ କରିବା ଟା ହିଁ ସଫଳତା, ପୁଣି ପିଲା ବଡ଼ ହେଲେ ତାକୁ ପ୍ରତିଷ୍ଠିତ କରେଇବା ଟା ହିଁ ସଫଳତା ଆଉ ଝିଅ କୁ ଭଲ ଘର ଦେଖି ଆଉ ଭଲ ଚାକିରିଆ ବର ସହ ବାହା କରେଇ ଦେବା ଟା ହେଉଛି ସଫଳତା।
ଏହା ପରେ ଆସିଲା ମୋ ରିଟାୟାରମେଣ୍ଟ ଟାଇମ, ଜାଣିଲି ସାରା ଜୀବନ ଜମେଇଥିବା ଟଙ୍କା ର ଠିକ ବିନିଯୋଗ କରିବା ତା ହିଁ ସଫଳତା। ଏହା ପରେ ଯେତେବେଳେ ସମସ୍ତେ ମିଶି ମତେ ଚିତାରେ ଉଠାଇ ଦେଲେ,ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀ ରେ ସଫଳତା ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ। କେବଳ ଅନ୍ୟମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ ପ୍ରତିଯୋଗତା, ଯାହା ମୂଳରେ ଅଛି ଆକାଶ ଛୁଇଁବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।
ଯେତେବେଳେ ବୁଝି ପାରିଲି, ଜୀବନ ର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା,ଅନ୍ୟ ଦୁଃଖ ରେ ଦୁଃଖୀ ହେବା ଅନ୍ୟ ପାଇଁ ଖୁସି ହେବା ଟା ହିଁ ଅସଲ ସଫଳତା। କିନ୍ତୁ ଏଇଟା ବୁଝିବା ପାଇଁ ଅନେକ ଡେରି ହେଇଯାଇଥିଲା। ଜୀବନ କୁ ବୁଝନ୍ତୁ….ନିଜକୁ ଭଲ ପାଅନ୍ତୁ, ଅନ୍ୟକୁ ସମ୍ମାନ ଦିଅନ୍ତୁ, ଆଉ ସମସ୍ତଙ୍କୁ ଭଲ ପାଅନ୍ତୁ। ଏଇଟା ହିଁ ଅସଲି ସଫଳତା ବୋଲି ଜାଣିଲି। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା।