ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଶୀର୍ଷ ନେତୃତ୍ୱମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟି ବୈଠକରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।
ପ୍ରକାଶଥାଉକି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ସାତୋଟି ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ସାତ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପାଞ୍ଚ ଜଣ ମାନ୍ୟବର ବିଧାୟକମାନଙ୍କୁ ନେଇ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ସମନ୍ୱୟ ସମିତିର ନେତୃତ୍ୱମାନେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବୀ ଗୁଡ଼ିକ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।
ଏହି ଦାବୀ ଗୁଡ଼ିକ ମଧ୍ୟରେ ୨୦୧୩ ଅନୁଦାନ ଆଇନ୍ରୁ ବାଦ୍ ପଡ଼ିଥିବା ୧୯୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟ, ୪୧ଟି ସଂସ୍କୃତ ଟୋଲ, ୨୮ଟି ନିମ୍ନ ମାଧ୍ୟମିକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ସହିତ ପେନ୍ସନ୍ ଓ ଅବସରକାଳୀନ ସୁବିଧା ଏବଂ ଏହି ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକର ନିଯୁକ୍ତି ପ୍ରଦାନ, ୧୨.୦୧.୨୦୨୪ରେ ପ୍ରକାଶ ପାଇଥିବା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ୧୯୮୧ ପେନସନ୍ ରୁଲ୍ ଅନୁସାରେ ପେନ୍ସନ୍ ପ୍ରଦାନ, ଦୁଇଟି ପିଅନ ଏବଂ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକର ଆଣ୍ଟିଡେସନ, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ପ୍ରଦାନ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରିକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ, ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି ସାମିଲ ଥିଲା।
ଉକ୍ତ ଆଲୋଚନାରେ ବାବୁ ସିଂ, ମାନ୍ୟବର ବିଧାୟକ ଏକାମ୍ର, ଆଶ୍ରିତ ପଟ୍ଟନାୟକ,ମାନ୍ୟବର ବିଧାୟକ ପିପିଲି, ଇରାସିସ୍ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ଭଟିଲି, ଅଶ୍ୱିନ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ବରଗଡ଼ ଏବଂ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ, ମାନ୍ୟବର ବିଧାୟକ ଭଞ୍ଜନଗର ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଉପରୋକ୍ତ ସମସ୍ତ ସସମ୍ୟା ଗୁଡ଼ିକ ଉପରେ ଆଲୋଚନା କରି ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ମାନ୍ୟବର ଆଇନ ମନ୍ତ୍ରୀ ଦୃଢ଼ ପ୍ରତିଶୃତି ଦେଇଥିଲେ।
ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ, ବ୍ରଜକିଶୋର ବିଶ୍ୱାଳ, ରଞ୍ଜନ କୁମାର ପଣ୍ଡା, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ଓ ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।