Categories
ବିଶେଷ ଖବର

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ସମ୍ମିଳନୀରେ ଆଜି ଉଦବୋଧନ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ, ଏସ.ପି. ସିଂହ ବାଘେଲ, ଅନ୍ୟାନ୍ୟ ସୁପ୍ରିମକୋର୍ଟ ବିଚାରପତିଗଣ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ରାଜ୍ୟ ଆଇନ ପ୍ରାଧିକରଣଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷବୃନ୍ଦ (ଏସଏଲଏସଏଏସ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଗଣା ଆଇନ ସେବା ଉପରେ ପର୍ଯ୍ୟବସିତ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଆଜାଦୀ କା ଅମୃତ କାଳ ସମୟ। ଏହା ହେଉଛି ଏପରି ସମୟ ଯେତେବେଳେ ଆମ ସଂକଳ୍ପ ଦେଶକୁ ଆଗାମୀ ୨୫ ବର୍ଷ ମଧ୍ୟରେ ନୂତନ ଶିଖରରେ ପହଂଚାଇପାରିବ। ବ୍ୟବସାୟିକ ସୁଲଭତା, ଭଲ ଭାବେ ବଂଚିବା ଭଳି ଦେଶର ଅମୃତ ଯାତ୍ରାରେ ଆଇନର ସହଜ ଲଭ୍ୟତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ରାଜନୀତିର ନିର୍ଦ୍ଦେଶ ନିୟମାବଳୀ ବା ଡାଇରେକ୍ଟିର ପ୍ରିନ୍ସପୁଲ୍ସ ଅଫ ଦି ଷ୍ଟେଟ ପଲିସୀରେ ଆଇନ ସେବା ଉପରେ କିଭଳି ନିର୍ଦ୍ଦେଶନାମା ରହିଛି ପ୍ରଧାନମନ୍ତ୍ରୀ ତା’ ଉପରେ ଆଲୋକପାତ କରିଥିଲେ। ଏହାର ମହତ୍ୱ ନାଗରିକମାନଙ୍କ ନ୍ୟାୟପାଳିକା ଉପରେ ଥିବା ବିଶ୍ୱାସ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ “ଯେକୌଣସି ସମାଜରେ ନ୍ୟାୟିକ ପଦ୍ଧତିର ଆଶ୍ରୟ ନେବା ଯେପରି ଗୁରୁତ୍ୱପୂର୍ଣ୍ଣ ନ୍ୟାୟ ପ୍ରଦାନ ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ। ବିଚାରବିଭାଗୀୟ ଭିତ୍ତିଭୂମିର ମଧ୍ୟ ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗତ ଆଠ ବର୍ଷ ମଧ୍ୟରେ ଦେଶର ବିଚାରବିଭାଗୀୟ ଭିତ୍ତିଭୂମିକୁ ମଜବୁତ କରିବା ନିମନ୍ତେ ଅନେକ କାର୍ଯ୍ୟ କରାଯାଇଛି।”

ସୂଚନା ପ୍ରଯୁକ୍ତିବିଦ୍ୟା ଓ ଫିନଟେକରେ ଭାରତ ନେତୃତ୍ୱ ନେଉଥିବାବେଳେ, ବିଚାରବିଭାଗୀୟ କାର୍ଯ୍ୟାବଳୀରେ ଏହାର ପ୍ରବର୍ତ୍ତନ ଏହାଠାରୁ ବଳି ଭଲ ସମୟ ଆଉ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ, “ଇ-ଅଦାଲତ ଅଭିଯାନ ଜରିଆରେ ଦେଶରେ ଆଭାସୀ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାଫିକ ଉଲ୍ଲଂଘନ ଭଳି ଅପରାଧରେ ୨୪ ଘଣ୍ଟିଆ ଅଦାଲତ କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଦୃଶ୍ୟଶ୍ରାବ୍ୟ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏକ କୋଟିରୁ ଅଧିକ ମାମଲା ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଶୁଣାଯାଇଛି। ଏଥିରୁ ପ୍ରମାଣିତ ହୋଉଛି ଯେ “ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ ବିଚାର ପରମ୍ପରା ପ୍ରତି ଅଙ୍ଗୀକାରବଦ୍ଧ ଥିବାବେଳେ ଏକବିଂଶ ଶତାବ୍ଦୀର ବାସ୍ତବତା ସହ ମଧ୍ୟ ଖାପ ଖୁଆଇବାକୁ ମଧ୍ୟ ପ୍ରସ୍ତୁତ।” ସେ ଆହୁରି କହିଥିଲେ ଯେ “ଜଣେ ସାଧାରଣ ନାଗରିକ ତା’ର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ୍। ସେମାନେ ନିଜର ସମ୍ବିଧାନ କ’ଣ ସେ ବିଷୟରେ ଜାଣିବା ଦରକାର ଓ ସମ୍ବିଧାନର ଢାଞ୍ଚା ନିୟମ ଓ ପ୍ରତିକାର ବିଷୟରେ ମଧ୍ୟ ଜାଣିବା ଦରକାର । ଏ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ଅମୃତ କାଳ ଏକ କର୍ତ୍ତବ୍ୟର ସମୟ ବୋଲି ଗୁରୁତ୍ୱର ସହ କହିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁସବୁ ଅଞ୍ଚଳ ଅବହେଳିତ ରହିଯାଇଛି ଆମକୁ ତାହା ପ୍ରତି ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀ ମୋଦୀ ବିଚାରାଧୀନ ବନ୍ଦୀମାନଙ୍କ ଉପରେ ସମ୍ବେଦନଶୀଳତା ନେଇ ପୁଣି ପ୍ରଶ୍ନ ଉଠାଇଥିଲେ। ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏଭଳି ବନ୍ଦୀମାନଙ୍କୁ ଆଇନଗତ ସାହାଯ୍ୟ ଦେବା ପାଇଁ ଦାୟିତ୍ୱ ନେବାଆବଶ୍ୟକ। ବିଚାରାଧୀନ ବନ୍ଦୀ ସମୀକ୍ଷା କମିଟି ଅଧ୍ୟକ୍ଷ ଭାବେ କାମ କରୁଥିବା ଜିଲ୍ଲା ଜଜମାନେ ସେମାନଙ୍କୁ ତୁରନ୍ତ ଖଲାସ ହେବା ନେଇ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏ ଦିଗରେ ଏକ ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଏନଏଏଲଏସଏକୁ ଧନ୍ୟବାଦ ଜଣାଇଥିଲେ। ଅଭିଯାନରେ ଅଧିକ ଆଇନଜୀବୀ ଜଡ଼ିତ ହେବାକୁ ସେ ବାର କାଉନସିଲକୁ ମଧ୍ୟ ନିବେଦନ କରିଥିଲେ।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ଜୁଲାଇ ୩ଠ-୩୧ ୨ଠ୨୨ରେ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହେଉଛି। ଡିଏଲଏସଏରେ ସମୀକରଣ ଓ ସମକାଳୀନ ହେବା ପାଇଁ ଏକ ସମନ୍ୱିତ ପଦ୍ଧତି ଗ୍ରହଣ ନେଇ ଆଲୋଚନା ହେବ।

ଦେଶରେ ମୋଟ ୬୭୬ଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ରହିଛି। ଜିଲ୍ଲା ଜଜ ଏହାର ମୁଖ୍ୟ ଓ ପ୍ରାଧିକରଣ ଅଧ୍ୟକ୍ଷ ଅଟନ୍ତି। ଅବଶ୍ୟ ଡିଏଲଏଓଏ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସଏଲଏସଏଏସ ) ଦ୍ୱାରା ବିଭିନ୍ନ ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମକୁ ଏନଏଏଲଏସଏ ତ୍ୱରାନ୍ୱିତ କରିଥାଏ। ଏନଏଏଲଏସଏ ଦ୍ୱାରା ପରିଚାଳିତ ଲୋକ ଅଦାଲତକୁ ନିୟନ୍ତ୍ରଣ କରି ଡିଏଲଏସଏଏସ ଅଦାଲତର ଅନେକ ବୋଝ ହାଲୁକା କରିଥାଏ।

Categories
ବିଶେଷ ଖବର ବ୍ୟବସାୟ

ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କ୍ଷତିପୂରଣ ଦେବା ଏବଂ ଜିଏସଟି ଅଧୀନରେ ସମ୍ବଳର ବୃଦ୍ଧି ସମ୍ପର୍କରେ ଲକ୍ଷ୍ନୌରେ ଅନୁଷ୍ଠିତ ୪୫ତମ ଜିଏସଟି ବୈଠକରେ ଆଲୋଚନା କରାଯାଇଥିଲା। ପରିଷଦର ନିଷ୍ପତ୍ତି ପରେ ଦୁଇଟି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଜିଏସଟି ପ୍ରଣାଳୀରେ ସଂସ୍କାର ଉପରେ ମନ୍ତ୍ରୀ ଗୋଷ୍ଠୀ ଏବଂ ଦରକୁ ଯୁକ୍ତିସଙ୍ଗତ କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଦର ଯୁକ୍ତିସଙ୍ଗତ କରିବା ପରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା। କେତେକ ଶୁଳ୍କରେ ସଂଶୋଧନ ଏବଂ ଛାଡ଼ ପାଇଁ ସୁପାରିସ କରାଯାଇଥିଲା ଯାହାକି ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା।

ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା କାରଣରୁ ନିକଟରେ ମାସିକ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏଥିରେ ୩୭% ବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରୀ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷର ଅବଧି ଠାରୁ ଅଧିକ ସମୟ ପାଇଁ ଜିଏସଟି କ୍ଷତିପୂରଣ ଦେବା ଲାଗି କେତେକ ରାଜ୍ୟ ଅନୁରୋଧ କରିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି (ରାଜ୍ୟମାନଙ୍କୁ କ୍ଷତିପୂରଣ) ଆଇନ, ୨୦୧୭ର ଧାରା ୭ ଅନୁଯାୟୀ, ୧.୭.୨୦୧୭ରେ ଜିଏସଟି ଲାଗୁ ହେବା ପରେ ହୋଇଥିବା ରାଜସ୍ବ ହାନି ବାବଦରେ ୫ ବର୍ଷ ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବାର ନିୟମ ରହିଛି । ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସମୟରେ, ୨୦୧୫-୧୬ ମୂଳ ବର୍ଷ ତୁଳନାରେ ବାର୍ଷିକ ୧୪% ଅଭିବୃଦ୍ଧି ହାରରେ ରାଜ୍ୟମାନଙ୍କର ରାଜସ୍ବକୁ ସୁରକ୍ଷା ଦିଆଯାଇଛି। ତଦନୁଯାୟୀ, ସୁରକ୍ଷିତ ରାଜସ୍ବ ବାବଦରେ ଦେଖାଦେଇଥିବା ନିଅଣ୍ଟ ଭରଣା କରିବା  ଲାଗି ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଇଛି।