Categories
ବିଶେଷ ଖବର ରାଜ୍ୟ ଖବର

ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର ପ୍ରତିବାଦରେ ସର୍ବଦଳୀୟ ବୈଠକରେ ନିନ୍ଦା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର କରାଯିବାରେ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ ଓ ପ୍ରତିରୋଧ କରାଯିବା ପାଇଁ ନିଷ୍ପତି ହୋଇଛି। ବିଜେପି- ଆରଏସ୍‌ଏସର ଏହି ରାଜନୈତିକ ଷଡ଼ଯନ୍ତ୍ର, ବିରୋଧିଙ୍କୁ ମୂଳୋତ୍ପାଟନ କରିବାର କୁତ୍ସିତ ପ୍ରୟାସ କଲେ ସମସ୍ତ ବିରୋଧି ଦଳ ରାସ୍ତାକୁ ଓହ୍ଲାଇବେ ଓ ପ୍ରତିରୋଧ ଆନ୍ଦୋଳନକୁ ତୀବ୍ର କରିବାର ନିଷ୍ପତି ହୋଇଛି। ସାଂପ୍ରଦାୟୀକତା ବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଐକତାବଦ୍ଧ ସଂଗ୍ରାମ ଗଢ଼ିତୋଳିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି। ସୋମବାର ଦିନ ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି।

ଉକ୍ତ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାଡ ବ୍ଲକ, ଏନସିପି, ଆମଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରଭୃତି ଦଳର ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଜନାର୍ଦ୍ଦନ ପତି, ନାରାୟଣ ରେଡି, ଯୁଧିଷ୍ଠୀର ମହାପାତ୍ର, ରବି ବେହେରା, ରଙ୍ଗାଚରଣ ପ୍ରଧାନ, ଜତିଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଯୋଗଦେଇ ଘୋର ନିନ୍ଦା କରିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ।

Categories
ବିଶେଷ ଖବର

ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକ ଆଜି, ଅପରାହ୍ନ ୩ ଟା ରେ ଏନଡିଏ ବୈଠକ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକ ଆଜି ଅପରାହ୍ନରେ ସଂସଦ ଗୃହର ଏନେକ୍ସି ବିଲ୍ଦିଙ୍ଗରେ ଅନୁଷ୍ଠିତ ହେବ। ଆଶା କରାଯାଉଛି ଯେ ଏହି ବୈଠକରେ ସଂସଦ ସଠିକ୍ ଭାବେ ଚାଲିବା ପାଇଁ ସବୁ ଦଳରୁ ସରକାର ସହଯୋଗ ଲୋଡ଼ିବେ।

ବିରୋଧୀ ଦଳମାନେ ବୈଠକ ସମୟରେ ଏବଂ ଅଧିବେଶନ ସମୟରେ ଉଠାଯିବାକୁ ଥିବା ପ୍ରସଙ୍ଗଗୁଡିକ ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ଅପରାହ୍ନରେ ହାଉସ ଅଫ୍ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରେ ନେତାଙ୍କ ବୈଠକ ମଧ୍ୟ ହେବ। ବଜେଟ୍ ଅଧିବେଶନ ଦୁଇଟି ଭାଗରେ ହେବ। ସଂସଦର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଏହି ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ।

ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ:

ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ବଜେଟ୍ ୨୦୨୩-୨୪ ଅନ୍ତିମ ପୂର୍ଣ୍ଣ ବଜେଟ୍ ହୋଇପାରେ। ସଂସଦ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଅବକାଶ ରହିବ। ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ଉଭୟ ଗୃହରେ ଅର୍ଥ ବିଲ୍ ଉପରେ ଆଲୋଚନା ହେବ, ଯାହା ପରେ ବିଲ୍ ଉଭୟ ଗୃହ ଦ୍ୱାରା ପାରିତ ହେବ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ବିଶ୍ବକପ୍ ପାଇଁ ସବୁ ରାଜନୈତିକ ଦଳ ଏକାଠି, ନବୀନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁରୁଷ ବିଶ୍ବକପ୍‌ ହକି ୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ ।

ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍‌ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ଵ କପ ହକି ର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ .ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ.

ଆଲୋଚନାରେ ଭାଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ର ଆୟୋଜନ ସାରା ବିଶ୍ବରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇ କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇ ଥିଲେ।

ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିବା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକ ମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ରସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିଅମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।

ସେହିପରି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସିପିଆଇର ଜାତୀୟ ସଂପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା, ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ ଏମ ର ରାଜ୍ୟ ସମ୍ପାଦକ ଶ୍ରୀ ଅଳିକିଶୋର ପଟ୍ଟନାୟକ, ସିପିଆଇ ର ଶ୍ରୀ ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଆରଜେଡିର ସଭାପତି ଶ୍ରୀ ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଥିଲେ।

କ୍ରୀଡା ସଚିବ ଶ୍ରୀ ଆର. ଭିନିଲକ୍ରିଷ୍ଣା ଆଗାମୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଶୀତ ଅଧିବେଶନ ନେଇ ବସିଲା ସର୍ବଦଳୀୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ସଦସ୍ୟ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମାନ୍ୟବର ସଦସ୍ୟ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ମସିହାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।

କୋଭିଡ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ଦୃଷ୍ଟିରୁ ଗୃହରେ ସଦସ୍ୟମାନେ ସ୍ୱାଭାବିକ ଭାବେ ନିଜ ନିଜ ସ୍ଥାନରେ ବସିବେ ଏବଂ ପ୍ରେସ୍‌ ଗ୍ୟାଲେରୀକୁ କୋଭିଡ୍‌ ପୂର୍ବବର୍ଷ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ଆସିପାରିବେ।

ଏଥି ସହିତ ଅସୁସ୍ଥତା କାରଣରୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଥିବା ସଦସ୍ୟମାନେ ଦରଖାସ୍ତ ଜରିଆରେ ଜଣାଇଲେ ତାଙ୍କୁ ସେହି ସୁବିଧା ଯୋଗାଇଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ, ଭୋଟ ଗ୍ରହଣ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌, ୧୭ ନଭେମ୍ବର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ ତାରିଖ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ।

ଏଥର ପଦମ୍‌ପୁର ଉପନିର୍ବାଚନ ନିମନ୍ତେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ପରି ସକାଳ ୭ ଘଟିକାଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ପାଇଁ ନିର୍ବାଚନ ଆୟୋଗ ସମୟ ଧାର୍ଯ୍ୟ କରିଛନ୍ତି । ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା. ୦୧/୦୧/୨୦୨୨ରିଖ ସୁଦ୍ଧା ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି ।

ପଦମ୍‌ପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ଜଣାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଓ ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ ।

ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ ।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍‌ କରାଯିବା ସହ ଉତ୍ତେଳନାପ୍ରବଣ ବୁଥ୍‌ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଦମ୍‌ପୁର ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ(ଈଅPଏ)ଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଭୋଟଗ୍ରହଣ ଦିବସ ଅର୍ଥାତ୍‌ ଡିସେମ୍ବର ୫ ତାରିଖକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍‌ ସେଲର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ, ଦେଲେ ଏହି ପରାମର୍ଶ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ଅନୁସାରେ ଅକ୍ଟୋବର ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା.୦୧/୦୧/୨୦୨୨ରିଖ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ଅଟେ।

ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ଏମ୍‌-୩ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୨ ଗୋଟି ବୁଥ୍‌ରେ ଏଥର ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ୍‌ ଜରିଆରେ ସେମାନେ ଘରେ ରହି ମତଦାନ କରିପାରିବେ ଓ ଏଥି ନିମନ୍ତେ ୨୦ ଗୋଟି ପୁଲିଙ୍ଗ ପାର୍ଟିଙ୍କ ସହ ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ।

ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ଧାମନଗର ଉପନିର୍ବାଚନରେ ଭୋଟର ଫଟୋ ପରିଚୟ ପତ୍ର ସହ ଅନ୍ୟ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମତଦାନ ସମୟରେ ଭୋଟରମାନେ ବ୍ୟବହାର କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୪୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ବୋଲି ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।  ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ତିନିଗୋଟି ପର୍ଯ୍ୟାୟରେ ସେମାନଙ୍କ ସଂପର୍କରେ ପ୍ରଚାରପ୍ରସାର କରିବେ। ଯାହାଫଳରେ ଭୋଟରମାନେ ପ୍ରାର୍ଥୀମାନଙ୍କ ସଂପର୍କରେ ନିର୍ବାଚନ ପୂର୍ବରୁ ସବିଶେଷ ସୂଚନା ପାଇପାରିବେ।

ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଥମ ୪ ଦିନ ମଧ୍ୟରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ରୁ ୮ ଦିନ ମଧ୍ୟରେ ଓ ତୃତୀୟ ପର୍ଯ୍ୟାୟରେ ୯ମ ଦିନଠାରୁ ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଧାମନଗର ଉପନିର୍ବାଚନରେ ଶତକଡ଼ା ୫୦ ଭାଗ ଅର୍ଥାତ୍‌ ୧୨୬ଗୋଟି ବୁଥ୍‌ରେ େୱବ୍‌କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି। ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଓ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଏଥର ଉପନିର୍ବାଚନ ପାଇଁ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍‌ ରାଜ୍ୟ ପୋଲିସବଳ ନିୟୋଜିତ ହେବେ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ ଗୋଟି ବୁଥ୍‌ ମଧ୍ୟରୁ ୧୦୭ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ କମୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ ଦାସ, ବିଜୁ ଜନତା ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଉପସଭାପତି ଶିବାନନ୍ଦ ରାୟଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଦୁଇଦିନ ପରେ ବିଧାନସଭା, ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଉ ଦୁଇଦିନ ପରେ ବସିବ ବିଧାନସଭା। ଏଥର ଅଧିବେସନରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥିପିତ ହେବ। ଏଥର ବିଧାନସଭାକୁ ପରିଚାଳନା କରିବେ ନୂଆ ବାଚସ୍ପତି ବିକ୍ରମ ଆରୁଖ। ଗୃହରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ଚଳିତ ଅଧିବେସନ ସଂପର୍କରେ ଆଲୋଚନା କରାଯିବ।

ଏଥର ଅଧିବେସନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ୟ୍ୟନ୍ତ ଚାଲିବ ଏଥିରେ ୨୪ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍। ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ ।

ସେହିପରି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୨୯ରେ ହେବ ଆସନ୍ତା ବଜେଟ୍‌ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍‌ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପୌର ଭୋଟ ପାଇଁ ନିର୍ଦ୍ଦେଶନାମା ଜାରି: ଆଗାମୀ ନିର୍ବାଚନ ପାଇଁ ‘ନୋଟା’ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ପୌର ଭୋଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଗାମୀ ପୌର ନିର୍ବାଚନରେ ଇଭିଏମ ବ୍ୟବହାର ହେବାକୁ ଥିବା ବେଳେ ଏଥିରେ ‘ନୋଟା’ ବ୍ୟବସ୍ଥା ମଧ୍ୟ ରହିବ। କୌଣସି ଭୋଟର ‘ନୋଟା’ରେ ମଧ୍ୟ ଭୋଟ ଦେଇପାରିବ। ପ୍ରତିଦ୍ବନ୍ତିତା କରୁଥିବା କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନହଲେ ଭୋଟର ‘ନୋଟା’ରେ ଭୋଟ ଦେଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ପୌର ନିର୍ବାଚନ ଲାଗି ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ଏଥର ପ୍ରାର୍ଥୀମାନଙ୍କୁ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ପୌର ନିର୍ବାଚନ ଲାଗି ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥର ପ୍ରାର୍ଥୀମାନଙ୍କୁ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ। ସେହିଭଳି ଚଳିତ ପୌର ନିର୍ବାଚନରେ ଇଭିମ ବ୍ୟବହାର ହେବ।

ତେବେ ୨୪ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ। ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି। ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଫେବୃୟାରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

Categories
Budget2022 ଜାତୀୟ ଖବର ବିଶେଷ ଖବର

ବଜେଟ୍ ପୂର୍ବରୁ ୨୫ ଟି ଦଳର ବୈଠକରେ ଉଠିଲା ପେଗାସସ୍ ପ୍ରସଙ୍ଗ, ଆଲୋଚନା କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ୍ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହେବ। ଏହାପୂର୍ବରୁ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରିଛନ୍ତି ଯେ, ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ବଜେଟ୍ ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ।

ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନେକ ଦଳ ପେଗାସସ୍ ଗୁପ୍ତଚର ପ୍ରସଙ୍ଗ ଉଠାଇଥିଲେ। ଯାହା ସ୍ପଷ୍ଟ ହୋଇଛି ଯେ, ବଜେଟ୍ ଅଧିବେଶନରେ ଏକ ଅଡୁଆ ସୃଷ୍ଟି ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଏହି ବୈଠକରେ ଆମେ ସ୍ପଷ୍ଟ କରିଛୁ ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏହି ମାମଲାର ତଦନ୍ତ କରୁଛନ୍ତି ଏବଂ କେବଳ ବଜେଟ୍ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଉଠାଯିବା ଉଚିତ୍।

ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ଆଜିର ସର୍ବଦଳୀୟ ବୈଠକରେ ୨୫ ଟି ଦଳ ଅଂଶଗ୍ରହଣ କରିଛନ୍ତି।

ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, “ଯଦି ଗୃହର ସୁରୁଖୁରୁରେ ଚାଲିବାକୁ ସହଯୋଗ କରାଯାଏ, ତେବେ ଅଧିବେଶନର ଦ୍ୱିତୀୟ ଭାଗରେ ଆମେ ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ। ସମସ୍ତ ନେତା କହିଛନ୍ତି ଯେ, ଆମେ ଆଲୋଚନାରେ ଯୋଗଦେବାକୁ ଚାହୁଁଛୁ। ମୁଁ ଆଶା କରୁଛି ଗୃହଟି ସୁରୁଖୁରୁରେ ଚାଲିବ।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ନେଇ ସରିଲା ସର୍ବଦଳୀୟ ବୈଠକ: ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନକୁ ନେଇ ସବୁ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଶାସକ ଦଳ ବିଜେଡ଼ି ନିର୍ବାଚନ କରିବା ଲାଗି ମତ ରଖିଥିବା ବେଳେ ବିରୋଧୀ ଦଳ ଭିନ୍ନ ମତ ଦେଇଛନ୍ତି। ଗାଇଡଲାଇନ ଅନୁଯାୟୀ ନିର୍ବାଚନ କରିବା ଲାଗି ବିଜେଡ଼ି ପ୍ରସ୍ତାବ ରଖିଛି।

ସେପଟେ ଆଉ ୩ ମାସ ପରେ ନିର୍ବାଚନ କରାଇବାକୁ ଭାରତୀୟ ଜନତା ପାର୍ଟି ମତ ରଖିଛି। ସେହିଭଳି ଏହି ପରିସ୍ଥିତିରେ ନିର୍ବାଚନ କରିବା ସପକ୍ଷରେ କଂଗ୍ରେସ ନାହିଁ। କରୋନାର ତୃତୀୟ ଲହରୀ ମଧ୍ୟରେ ନିର୍ବାଚନ ନକରିବାକୁ ଉବାୟ ଦଳ ଦାବି କରିଛନ୍ତି। ସେପଟେ ଓବିସି ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇଥିଲେ। ଯେପର୍ଯ୍ୟନ୍ତ ଏହାର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରଖିବାକୁ ବିରୋଧୀ ଦଳ ଦାବି କରିଛି।

ତେବେ ଏହି ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ନିର୍ବାଚନ କମିଶନରଙ୍କ ଗାଇଡଲାଇନ ଅନୁଯାୟୀ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ପାଢି କହିଛନ୍ତି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ସୂଚନା ପରେ ନିର୍ବାଚନ ହେବା ନେଇ ସଙ୍କେତ ମିଳୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ଲାଗି ଖୁବ ଶୀଘ୍ର ନିର୍ବାଚନ କମିଶନର ଏକ ଗାଇଡ ଲାଇନ ଜାରି କରିପାରନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନର କରିବେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ପୂର୍ବରୁ ଏ ନେଇ ସେ ଆଉ ଏକ ବୈଠକ କରିଥିଲେ। ତେବେ ବର୍ତ୍ତମାନ ରାଜ୍ୟରେ କରୋନା ପରିସ୍ଥିତି ନେଇ କିପରି ନିର୍ବାଚନ ହେବ ସେ ନେଇ ମତ ଲୋଡିବେ। ଏଥିରେ ରାଜ୍ୟର ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ।

ପୂର୍ବରୁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ବର୍ତ୍ତମାନ କରୋନା ପରିସ୍ଥିତି କିପରି ଅଛି ଏବଂ କଣ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଆଲୋଚନା କରିଛନ୍ତି। ଆଜି ରାଜନୈତିକ ଦଳର ମତାମତ ନେବା ପରେ କମିଶନର ନିର୍ବାଚନ ନେଇ ଘୋଷଣା କରିବେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗଦେଲେନି ବିରୋଧୀଦଳର ନେତା, ଦାବି କଲେ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ରାଜ୍ୟସଭା ଓ ଲୋକସଭାରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଜାରି ରହିଥିବା ଦେଖାଯାଉଛି। ଆଜି ପୁଣି ଥରେ ଉତ୍ତେଜନା ପରେ ରାଜ୍ୟସଭାର କାର୍ଯ୍ୟକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅଜୟ କୁମାର ମିଶ୍ରଙ୍କ ଇସ୍ତଫାକୁ ନେଇ ଲୋକସଭାରେ ଏକ ହାଙ୍ଗାମା ସୃଷ୍ଟି ହୋଇଛି।

ବାସ୍ତବରେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିପାଇଁ ସରକାର ଏବଂ ବିରୋଧୀ ଦଳ ଭୋଟ ହାସଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଯୋଜନା ଏବଂ ଭିତ୍ତି ପ୍ରସ୍ତର ମାଧ୍ୟମରେ ସରକାର ଜନସାଧାରଣଙ୍କ ଭୋଟ୍ ବ୍ୟାଙ୍କ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀମାନେ ଏହାକୁ ନେଇ ଅନେକ ପ୍ରସଙ୍ଗରେ ଅବରୋଧ କରି ସରକାରଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି।

ଲକ୍ଷ୍ମୀପୁରୀ ପ୍ରସଙ୍ଗଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ପ୍ରସଙ୍ଗ ପର୍ଯ୍ୟନ୍ତ ବିରୋଧୀମାନେ ସରକାରଙ୍କୁ ଘେରି ରହିଛନ୍ତି। ବିରୋଧୀଙ୍କ ହଙ୍ଗାମା ହେତୁ ଗୃହ କାର୍ଯ୍ୟକୁ ଆଜି ମୁଲତବୀ ରଖାଯାଇଛି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। ତେବେ ବିରୋଧୀ ଏହି ସଭାରେ ଯୋଗଦେବାକୁ ମନା କରି ଦେଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ଆମେ ଏକାଠି ବସି ସମାଧାନର ସମାଧାନ ଚାହୁଁଛୁ। କିନ୍ତୁ ବିରୋଧୀ ବୈଠକକୁ ଆସୁନାହିଁ। ତେବେ କଂଗ୍ରେସ ଏହି ବୈଠକକୁ ସମ୍ପୂର୍ଣ୍ଣ ରୂପେ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଟିଏମସି ସାଂସଦ ସୁଖେନ୍ଦୁ ଶେଖର କହିଛନ୍ତି ଯେ, ଆମେ ସଭାକୁ ଯିବୁ ନାହିଁ। ଅଜୟ ମିଶ୍ର ଟେନି ଏବଂ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ବିରୋଧୀଙ୍କୁ ବିଭାଜନ ସୃଷ୍ଟି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି, ଆମେ ଏଥିରେ ଯୋଗଦେବୁ ନାହିଁ।

ବିରୋଧୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଏହି ବୈଠକରେ ଯୋଗଦେବେ ନାହିଁ ଏବଂ ସଂସଦରେ ଅଜୟ କୁମାର ମିଶ୍ର ଟେନିଙ୍କ ପ୍ରସଙ୍ଗ ଉଠାଇ ତାଙ୍କ ଇସ୍ତଫା ଦାବି କରିବେ।

Categories
ବିଶେଷ ଖବର

ସଂସଦର ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ସରକାରଙ୍କର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଦଘାଟନୀ ଅଭିଭାଷଣ ରଖି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦର ଆଗାମୀ ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ସଂସଦର ଶୀତକାଳୀନ ଅଧିବେଶନ ୨୯ ନଭେମ୍ବର ସୋମବାର ଠାରୁ ଆରମ୍ଭ ହେବ। ସରକାରୀ କାର୍ଯ୍ୟଦିବସ ସହିତ ଏହି ଅଧିବେଶନ ୨୩ ଡିସେମ୍ବର, ଗୁରୁବାର ଦିନ ଶେଷ ହେବ। 25 ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି।

ସେ କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନର ସୁପରିଚାଳନା ପାଇଁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ସଚିବ/ବରିଷ୍ଠ ଅଧିକାରୀମାନଙ୍କ ସହିତ ଦୁଇଟି ବୈଠକ ଗତ ୫ ଏବଂ ୨୭ ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଶୀତକାଳୀନ ଅଧିବେଶନରେ ଆପାତତଃ ୩୭ଟି ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଚୟନ କରାଯାଇଛି। ଏଥିମଧ୍ୟରେ ୩୬ଟି ବିଲ ଏବଂ ଗୋଟିଏ ଆର୍ଥିକ ପ୍ରସଙ୍ଗ ସାମିଲ ରହିଛି।

ଅଧ୍ୟାଦେଶ ସ୍ଥାନରେ ତିନୋଟି ବିଲ (i) ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପିକ ପଦାର୍ଥ (ସଂଶୋଧନ) ଅଧ୍ୟାଦେଶ, ୨୦୨୧; (ii) କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ ଏବଂ (iii) ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ ସଂସଦରେ ଉପସ୍ଥାପନ କରାଯାଇ ଆଇନ ଭାବେ ପ୍ରଣିତ ହେବ। ମନ୍ତ୍ରୀ କହିଥିଲେ ଯେ, ସଂସଦର ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ, ସଦନରେ ଯେକୌଣସି ବିଷୟ ଉପରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସଦନର ସୁପରିଚାଳନା ନିମନ୍ତେ ସହଯୋଗ ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଶ୍ରୀ ଯୋଶୀ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହାକୁ ଶୁଣିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସମସ୍ତ ପ୍ରସଙ୍ଗକୁ ଗ୍ରହଣ କରିବା ସହିତ ଆଲୋଚନା ଫଳପ୍ରଦ ହେବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ କହିଥିଲେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସଂସଦରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଥିବା ଦଳଗୁଡ଼ିକ ଇଚ୍ଛାପ୍ରକଟ କରିଛନ୍ତି ଏବଂ ସରକାର ମଧ୍ୟ ସଂସଦରେ ସୁସ୍ଥ ଆଲୋଚନା ଚାହୁଁଛନ୍ତି।

ଏହି ବୈଠକରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ଶ୍ରୀ ଭି. ମୂରଲୀଧରନ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଜେପି ସମେତ କଂଗ୍ରେସ, ଡିଏମକେ, ତୃଣମୂଳ କଂଗ୍ରେସ, ଓ୍ବାଇଏସଆର କଂଗ୍ରେସ ପାର୍ଟି, ଜେଡିୟୁ, ବିଜେଡି, ବିଏସପି, ଟିଆରଏସ, ଶିବସେନା, ଲୋକ ଜନଶକ୍ତି ପାର୍ଟି, ଏନସିପି, ସମାଜବାଦୀ ପାର୍ଟି, ସିପିଆଇ(ଏମ), ଆଇୟୁଏମଏଲ, ଟିଡିପି, ଆପନା ଦଳ, ସିପିଆଇ, ଏନପିଏଫ, ଶିରୋମଣି ଅକାଳୀ ଦଳ, ଆମ ଆଦମୀ ପାର୍ଟି, ଏଆଇଏଡିଏମକେ, କେସିଏମ, ଏମଏନଏଫ, ଆରଏସପି, ଆରପିଆଇ(ଏ), ଆରଜେଡି, ଏନପିପି, ଏମଡିଏମକେ, ଜେକେଏନସି, ତାମିଲ ମାନିଲା କଂଗ୍ରେସ (ଏମ) ଆଦି ୩୦ରୁ ଅଧିକ ରାଜନୈତିକ ଦଳ ନେତାମାନେ ଯୋଗ ଦେଇଥିଲେ।

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବାକୁ ଥିବା ବିଲର ତାଲିକା,୨୦୨୧

 ଆଇନଗତ କାର୍ଯ୍ୟସୂଚୀ:

  1. ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପି ଉପାଦାନ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  2. ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଲ, ୨୦୨୧(ଅଧ୍ୟାଦେଶ ସ୍ଥାନ ନେବ)
  3. କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  4. ଲୋକସଭାରେ ଗୃହିତ ନଦୀବନ୍ଧ ସୁରକ୍ଷା ବିଲ, ୨୦୧୯
  5. ଲୋକସଭାରେ ଗୃହିତ ସରୋଗେସୀ (ନିୟାମକ) ବିଲ, ୨୦୧୯
  6. ଅଭିଭାବକ ଏବଂ ବରିଷ୍ଠ ନାଗରିକ (ସଂଶୋଧନ) ବିଲ, ୨୦୧୯ ପରିଚାଳନା ଏବଂ କଲ୍ୟାଣ ବିଲ, ୨୦୧୯
  7. ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ, ୨୦୨୦
  8. ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ (ଦରମା ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୨୧
  9. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଏବଂ ରିସର୍ଚ୍ଚ (ସଂଶୋଧନ) ବିଲ, ୨୦୨୧
  10. କୃଷି ଆଇନ ଉଚ୍ଛେଦ ବିଲ, ୨୦୨୧
  11. ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ, ଦ କଷ୍ଟ ଆଣ୍ଡ ଓ୍ବର୍କ୍ସ ଆକାଉଣ୍ଟାଣ୍ଟ୍ସ ଏବଂ କମ୍ପାନୀ ସେକ୍ରେଟାରୀଜ (ସଂଶୋଧନ) ବିଲ, ୨୦୨୧
  12. ଦେବାଳିଆ ଏବଂ ଦେବାଳିଆପଣ (ଦ୍ବିତୀୟ ସଂଶୋଧନ) ବିଲ, ୨୦୨୧
  13. କ୍ୟାଣ୍ଟନମେଣ୍ଟ ବିଲ, ୨୦୨୧
  14. ଇଣ୍ଟର ସର୍ଭିସେସ ସଂଗଠନ (ଆଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା) ବିଲ, ୨୦୨୧
  15. ପ୍ରବାସ ବିଲ, ୨୦୨୧
  16. କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ ଡିଜିଟାଲ କରେନ୍ସି ବିଲର ନିୟନ୍ତ୍ରଣ, ୨୦୨୧
  17. ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ, ୨୦୨୧
  18. ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ) ବିଲ, ୨୦୨୧
  19. ଭାରତୀୟ ସାମୁଦ୍ରିକ ମତ୍ସ୍ୟପାଳନ ବିଲ, ୨୦୨୧
  20. ଜାତୀୟ ଦନ୍ତଚିକିତ୍ସା କମିଶନ ବିଲ, ୨୦୨୧
  21. ଜାତୀୟ ନର୍ସିଂ ମିଡଓ୍ବାଇଫରୀ କମିଶନ ବିଲ, ୨୦୨୧
  22. ମେଟ୍ରୋ ରେଳ (ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବିଲ, ୨୦୨୧)
  23. ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ, ୨୦୨୧
  24. ବିଦ୍ୟୁତ (ସଂଶୋଧନ) ବିଲ, ୨୦୨୧
  25. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ଉତ୍ତରପ୍ରଦେଶ ସଂକ୍ରାନ୍ତ)
  26. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ତ୍ରିପୁରା ସଂକ୍ରାନ୍ତ)
  27. ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ) ବିଲ, ୨୦୨୧
  28. ମେଡିଏସନ ବିଲ, ୨୦୧୧
  29. ଖଣିଜ (ସଂଶୋଧନ) ବିଲ, ୨୦୧୧(ପ୍ରତ୍ୟାହାର ପାଇଁ)
  30. ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୧(ପ୍ରତ୍ୟାହାର ପାଇଁ)
  31. କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  32. ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦବୀର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  33. ଓ୍ବାକଫ ସମ୍ପତ୍ତି (ଅନଧିକୃତ ଦଖଲ ଉଚ୍ଛେଦ) ବିଲ, ୨୦୧୪ (ପ୍ରତ୍ୟାହାର ପାଇଁ)

ଆର୍ଥିକ କାର୍ଯ୍ୟସୂଚୀ

୨୦୨୧-୨୨ ଆର୍ଥିକ ବର୍ଷର ଅନୁଦାନ ପାଇଁ ଅତିରିକ୍ତ ବଜେଟର ଦ୍ବିତୀୟ ପର୍ଯ୍ୟାୟ ଉପରେ ଉପସ୍ଥାପନା, ଆଲୋଚନା ଏବଂ ମତଦାନ ଏବଂ ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନା, ଆଲୋଚନା ଏବଂ ଅନୁମୋଦନ ଲାଭ କରିବା ସଂକ୍ରାନ୍ତ ବିଲ।

 

Categories
ଆଜିର ଖବର ଜାତୀୟ ଖବର

ଶୀତକାଳୀନ ଅଧିବେଶନ: ସର୍ବଦଳୀୟ ବୈଠକକୁ ବହିଷ୍କାର କଲା ଆପ, ୧୦ ଟି ପ୍ରସଙ୍ଗ ଉଠାଇଲା ଟିଏମସି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୁଲ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି ଶିବ ଏବଂ ଏନସିପିର ଶରଦ ପାୱାର ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସରକାର ଡ଼ାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସରକାର ସମ୍ମୁଖରେ ତୃଣମୂଳ କଂଗ୍ରେସ ଦ୍ୱାରା ୧୦ଟି ପ୍ରସଙ୍ଗ ଉଠିଥିଲା।

ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୂକ୍ତ କରିବା, ଲାଭଜନକ PSU ଗୁଡ଼ିକରେ ବିନିଯୋଗକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ଡୁ ନଟ ବୁଲଡୋଜ ବିଲ୍।

ଏଠାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରିଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ନା ସଂସଦରେ କହିବାକୁ ଦିଆଯାଉଛି ନା ସର୍ବାଦଳୀୟ ବୈଠକରେ ସୁଯୋଗ ଦିଆଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସଞ୍ଜୟ ବୈଠକ ଛାଡି ଚାଲି ଯାଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ। ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ। ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସନ୍ତୁଳିତ ଉତ୍ତର ଦେବା ସରକାରଙ୍କ ପକ୍ଷରୁ ଏକ ପ୍ରୟାସ ହେବ।

ସଂସଦର ଏହି ଅଧିବେଶନରେ ବିରୋଧୀମାନେ ପେଗାସସ୍ ସ୍ପାଏୱେୟାର ସହିତ ଫୋନ୍ ଟ୍ୟାପ୍ ପ୍ରସଙ୍ଗ ମଧ୍ୟ ଉଠାଇ ପାରିବେ। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆଜି ସନ୍ଧ୍ୟାରେ ସଂସଦର ଉପର ଗୃହରେ ରାଜନୈତିକ ଦଳଗୁଡ଼ିକର ନେତାଙ୍କ ଏକ ବୈଠକ ଡାକିଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଅଧିବେଶନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପାରେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ହେବ ସର୍ବଦଳୀୟ ବୈଠକ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନ ଉପରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ତାରିଖରେ ସକାଳ ୧୧ ଟାରେ ଅନୁଷ୍ଠିତ ହେବ। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟୁଇଟ୍ ଜରିଆରେ ଲେଖିଛନ୍ତି, “ଆଫଗାନିସ୍ତାନରେ ଘଟିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଦେଶିକ ମନ୍ତ୍ରଣାଳୟକୁ ରାଜନୈତିକ ଦଳର ନେତାମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ଏନେଇ ଆହୁରି ଅଧିକ ସୂଚନା ଦେବେ।”

ବାସ୍ତବରେ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଥିଲେ ଯେ, ଭାରତ ସରକାର ଆଫଗାନିସ୍ତାନରେ ବହୁତ ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାକୁ ଯାଉଛି, ତେବେ ଭାରତ ସରକାରଙ୍କ ରଣନୀତି କ’ଣ ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସମସ୍ତ ଦଳର ବୈଠକ ଡକାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀର ମାମଲା: ପ୍ରଧାନମନ୍ତ୍ରୀଙ୍କ ବୈଠକର ଯୋଗ ଦେବା ପାଇଁ ଯାତ୍ରା ଆରମ୍ଭ କଲେ ନେତାଗଣ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଆଜି ଏକ ମହତ୍ବପୂର୍ଣ୍ଣ ଦିନ। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଯାଉଛି।

ଜମ୍ମୁ-କାଶ୍ମୀର ପ୍ରାୟ ୧୪ ଟି ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେବେ। ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀଙ୍କସହ ରାଜ୍ୟର ନେତାମାନଙ୍କ ଏହା ପ୍ରଥମ ବୈଠକ ହେବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଆବାସ ଅଭିମୁଖେ ନେତାମାନଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଅପରାହ୍ନ ୩ ଟା ସମୟରେ ଏହି ବୈଠକ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ଗୁପକାର ମେଣ୍ଟର ଏକ ମହତ୍ବପୂର୍ଣ୍ଣ ନିଷ୍ପତ୍ତି: ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବା ଲାଗି ହେଲା ସହମତି

ଶ୍ରୀନଗର: ଶ୍ରୀନଗରରେ ଆଜି ଗୁପକାର ମେଣ୍ଟର ଏକ ମହତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି। ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲାଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫାରୁଖ ଅବଦୁଲାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ଲାଗି ଏହି ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକ ପରେ ମହବୁବା କହିଥିଲେ ଯେ, ସେ ଆଲୋଚନା କରିବା ବିରୋଧରେ ନାହାନ୍ତି। ରାଜନୈତିକ ବନ୍ଦୀଙ୍କୁ ମୁକ୍ତି କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରସ୍ତାବ ରଖିବେ। ଏହା ସହ ପାକିସ୍ଥାନ ସହ ଆଲୋଚନା କରିବା ପାଇଁ ମଧ୍ୟ ମହବୁବା ପରାମର୍ଶ ଦେବେ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରେ ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିବା ପାଇଁ ୧୪ ଟି ଦଳକୁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକରେ ଜମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ମିଳିବା ନେଇ ଆଶା କରାଯାଉଛି।