Categories
ଆଜିର ଖବର ଜାତୀୟ ଖବର

ନେସନାଲ ଲଜିଷ୍ଟିକ ପୋର୍ଟାଲର ସାଗର ସେତୁ ମୋବାଇଲ ଆପ୍‌କୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ଦିନ ନେସନାଲ ଲଜିଷ୍ଟିକ୍ସ ପୋର୍ଟାଲ (ମରିନ)ର ଆପ୍‌ ଭର୍ସନକୁ ଉନ୍ମୋଚନ କରିଛନ୍ତି। ‘ସାଗର ସେତୁ’ ନାମକ ଏହି ଆପ୍‌ ଉନ୍ମୋଚନ ସମୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଆପ୍‌ରେ ଲଗଇନ ମଡ୍ୟୁଲ, ସର୍ଭିସ କାଟାଲଗ, କମ୍‌ ଆପ୍ଲିକେସନ ଫର୍ମାଟ, ଲେଟର ଅପ୍‌ କ୍ରେଡିଟ୍‌, ବ୍ୟାଙ୍କ ଗ୍ୟାରେଣ୍ଟି, ପ୍ରମାଣପତ୍ର ହାସଲ ଏବଂ ଟ୍ରାକ୍‌ ଓ ଟ୍ରେସ ଭଳି ବିଭିନ୍ନ ସୁବିଧା ରହିଛି। ସାଧାରଣତଃ ରପ୍ତାନିକାରୀ, ଆମଦାନୀକାରୀ ଏବଂ ସୀମାଶୁଳ୍କ ମଧ୍ୟସ୍ଥଙ୍କ ନିକଟରେ ପହଞ୍ଚି ପାରୁନଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରିଅଲଟାଇମ୍‌ ସୂଚନା ଏହି ଆପ୍‌ ଦ୍ୱାରା ମିଳିପାରିବ। ଜାହାଜ ସଂକ୍ରାନ୍ତ ସୂଚନା, ଗେଟ୍‌, କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଏବଂ ଫିଙ୍ଗରଟିପ୍‌ରେ କାରବାର ସମେତ ବିଭିନ୍ନ ସୁବିଧା ଏହି ଆପ୍‌ ଜରିଆରେ ମିଳିପାରିବ। ସାଗର ସେତୁ ଆପ୍‌ ଜରିଆରେ କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଶୁଳ୍କ, ଶିପିଂ ଲାଇନ ଶୁଳ୍କ, କାରବାର ଶୁଳ୍କ ଆଦି ରପ୍ତାନି ଓ ଆମଦାନୀ ପ୍ରକ୍ରିୟାର ମଞ୍ଜୁରି ପାଇଁ ଆବଶ୍ୟକ ଅର୍ଥ ନେଣଦେଣ ଡିଜିଟାଲ ମାଧ୍ୟମରେ କରାଯାଇପାରିବ।

ସାଗର ସେତୁ ଆପକୁ ଉନ୍ମୋଚନ କରି ଶ୍ରୀ ସୋନୱାଲ କହିଛନ୍ତି ଯେ, ଏହା ହାତରେ ଥିବା ଏକ ଡିଭାଇସ ଜରିଆରେ ରକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସହଜରେ ଯୋଗାଇ ଦେବ। ମୋବାଇଲ ଆପ୍‌ ଜରିଆରେ ଡେଟା ମୋବିଲିଟୀ ସୁବିଧା ମିଳିବ ଯାହାଦ୍ୱାରା ବନ୍ଦର ଓ ମନ୍ତ୍ରଣାଳୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ଆଙ୍ଗୁଠି ଟିପରେ ମଞ୍ଜୁରି ଓ ଅନୁଧ୍ୟାନର ସବୁ କାର୍ଯ୍ୟ ନିୟନ୍ତ୍ରିତ ହୋଇପାରିବ।

ବ୍ୟବସାୟୀଙ୍କ ପାଇଁ ଲାଭ

ମଞ୍ଜୁରି ଓ ଅନୁପାଳନ ପାଇଁ କାରବାର ସମୟ ହ୍ରାସ ପାଇବା ସହିତ ସୁବିଧାରେ ସୁଧାର ଆସିବ।

ଅପରେସନ ଓ ଟ୍ରାକିଂକୁ ଭଲ ଭାବେ ଅନୁଧ୍ୟାନ କରିହେବ।

ସେବା ପ୍ରଦାନକାରୀଙ୍କୁ ଲାଭ

ରେକର୍ଡ ଓ କାରବାର ନିରୀକ୍ଷଣ କରିବାରେ ସହାୟତା ମିଳିବ

ସେବା ଅନୁରୋଧର ବିଜ୍ଞପ୍ତି ପାଇବା ସୁବିଧା ମିଳିବ।

ସୂଚନାଯୋଗ୍ୟ ଯେ, ଗୋଟିଏ ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମ ସୁବିଧା ଦେବା ଲାଗି ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨୦୨୩ରେ ନେସନାଲ ଲଜିଷ୍ଟିକ ପୋର୍ଟାଲ ମରିନ୍‌ ଶୁଭାରମ୍ଭ କରାଯାଇଥିଲା। ଏହାର ମାତ୍ର ୨ ମାସ ମଧ୍ୟରେ ସାଗର ସେତୁ ଆପ୍‌ ଶୁଭାରମ୍ଭ କରାଯିବା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କାରବାର ସୁଗମ ହେବା ସହିତ ଦେଶର ଅର୍ଥବ୍ୟବସ୍ଥା ସମୃଦ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାର ୨ଟି ସମେତ ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି। ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଏବଂ ଯାତ୍ରା ସମୟ ହ୍ରାସ କରିବାର ଏକ ଉନ୍ନତ ମାର୍ଗ ଭାବେ ବିବେଚନା କରାଯାଉଛି। ଏହା ମଧ୍ୟ ସଡ଼କ, ରେଳ ମାର୍ଗରେ ଟ୍ରାଫିକ ଭିଡ଼ କମାଇବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବ। ବିଭିନ୍ନ ସୁବିଧାଜନକ ମାର୍ଗରେ ଉପକୂଳ ଜାହାଜ ଚଳାଚଳକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସେବାକୁ କାର୍ଯ୍ୟକାରୀ କରାଯାଉଛି।

ଭାରତ ସରକାର ମୋଟ୍‌ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଫେରୀ ଘାଟ ନିର୍ମାଣ କରାଯାଇ ଜଳମାର୍ଗରେ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଗୁଜରାଟର ଘୋଗା-ହାଜିରା ମଧ୍ୟରେ  ରୋ-ପେକ୍ସ ଫେରୀ ସେବା ଆରମ୍ଭ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ମୁମ୍ବାଇରୁ ମାଣ୍ଡୱା ମଧ୍ୟରେ ଏହି ଜଳମାର୍ଗ ଖୋଲିଛି। ଏସବୁ ପ୍ରକଳ୍ପ ମାଧ୍ୟମରେ ଏବେ ସୁଦ୍ଧା ୭ ଲକ୍ଷ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ କରାଯାଇଛି। ଆଗକୁ ଗୁଜରାଟର ପିପାଭାଓ ଏବଂ ମୂଲଦ୍ବାରକା ଏବଂ ମହାରାଷ୍ଟ୍ରର ଘୋଡ଼ବନ୍ଦର, ଭେଲଦୁର, ୱସାଇ, କାଶିଡ, ରେୱାସ, ମନୋରୀ ଏବଂ ଜେଏନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ତା’ଛଡ଼ା ଆନ୍ଧ୍ରପ୍ରଦେଶରେ ୪ଟି, ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାର ଦୁଇଟି ସ୍ଥାନରେ  ରୋ ପେକ୍ସ ଫେରୀ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ- ରୋ ଏବଂ  ରୋ-ପେକ୍ସ ଫେରୀ ସେବା ପାଇଁ ଏକ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ସମରୂପ ଦେବ ଏବଂ ସୁବ୍ୟବସ୍ଥିତ କରିବ। ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ସହିତ ଅହେତୁକ ବିଳମ୍ବ ଦୂର କରିବ ଏବଂ ଗ୍ରାହକଙ୍କ ପାଇଁ ଡିଜିଟାଲ ହସ୍ତକ୍ଷେପର ପ୍ରଚଳନ କରିବ।

Categories
MakarSankrati ଜାତୀୟ ଖବର ବିଶେଷ ଖବର

ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ: ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି, ଆମର ଆଶା ରହିଛି ଯେ ଏହି ସଂଖ୍ୟା ଏକ କୋଟି ଅତିକ୍ରମ କରିବ ବୋଲି ସେ କହିଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ର ଭାଇ କହିଥିଲେ ଯେ ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ସକ୍ରିୟ କରିଥାଏ। ମଲିକ୍ୟୁଲାର ଜେନେଟିକ୍ସ ଉପରେ ଯୋଗର ପ୍ରଭାବ କିଭଳି ପଡ଼ିଥାଏ ତାହାର ଅଧ୍ୟୟନ କରାଯାଉଛି ବୋଲି ସେ କହିଥିଲେ।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହା ହେଉଛି ‘‘ଜୀବନ ଶକ୍ତି ପାଇଁ ସୂର୍ଯ୍ୟ ନମସ୍କାର’’ ବୋଲି ସେ କହିଥିଲେ।

ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ, ଜାତୀୟ ଯୋଗ କ୍ରୀଡ଼ା ମହାସଂଘ, ଯୋଗ ପ୍ରାମାଣୀକରଣ ବୋର୍ଡ, ଫିଟ୍‌ ଇଣ୍ଡିଆ ଏବଂ ଆହୁରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କ୍ରୀଡ଼ାବିତ୍‌ମାନେ ସୂର୍ଯ୍ୟ ନମସ୍କାରକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଖେଳାଳୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରତିଯୋଗୀ ଏବଂ ଯୋଗ ପ୍ରତି ଆଗ୍ରହୀ ଲୋକମାନେ ସମ୍ପୃକ୍ତ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ ଏବଂ ୧୪ ଜାନୁଆରୀରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରୁଥିବାର ଭିଡିଓ ଅପଲୋଡ୍‌ କରିବେ। ସମ୍ପୃକ୍ତ ୱେବସାଇଟରେ ପଞ୍ଜୀକରଣର ଲିଙ୍କ ଉପଲବ୍ଧ ରହିଛି ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପ୍ରତିଯୋଗୀ ଏବଂ ଯୋଗ ଆଗ୍ରହୀ ଲୋକମାନେ ନିମ୍ନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ:

https://yoga.ayush.gov.in/suryanamaskar

https://yogacertificationboard.nic.in/suryanamaskar/

https://www.75suryanamaskar.com

Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସର୍ବାନନ୍ଦ ସୋନୱାଲ ଦେଲେ ପ୍ରସ୍ତାବ

ଗୌହାଟି: ଆସାମରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଦ୍ଵନ୍ଦ୍ଵ ଆଜି ଶେଷ ହୋଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ବିଜେପି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଥମେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପରେ ସମସ୍ତ ବିଧାୟକ ଏହା ଉପରେ ସହମତି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ଆସାମର ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦବୀ ମିଳିବା ନେଇ ଅନୁମାନ କରାଯାଉଛି।