ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସପ୍ତାହବ୍ୟାପୀ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିସହ ଗତକାଲି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅଧିବକ୍ତା ବିପ୍ଳବ କୁମାର ମୁଦୁଲି, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ‘ଏକ ଭାରତ ଶ୍ରେଷ୍ଠ ଭାରାତ”, “ସବକା ସାଥ ସବକା ବିକାଶ”, ଓ “ଆତ୍ମନିର୍ଭର ଭାରତ” ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ।
ଆଜିର ଉଦଯାପନୀ ସମାରୋହରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ହୋଇ ସମ୍ବିଧାନର ପ୍ରସ୍ତାବନା ପାଠ କରି ଏହା ପ୍ରତି ନିଜ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ଏହାପରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ମୁଖ୍ୟ ଅତିଥି ଡକ୍ଟର ପ୍ରଧାନଙ୍କ ସମେତ ସମ୍ମାନିତ ଅତିଥି ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଛାତ୍ରୀ ଦୀପ୍ତି ସାହୁ ସମ୍ବିଧାନର ପ୍ରସ୍ତାବନା ଓ ଏଥିରେ ନିହିତ ସମ୍ବିଧାନର ବିଭିନ୍ନ ଧାରା, ନାଗରିକ ମାନଙ୍କ ଅଧିକାର, ଦାୟିତ୍ୱ ତଥା ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଅତିଥି ମାନେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥି ମାନେ କହିଲେ ଯେ ସମ୍ବିଧାନ ହେଉଛି ଆମର ମୁଖବନ୍ଧ ଓ ଆମ ଆଚାର ସଂହିତା। ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଆମ ସମ୍ବିଧାନର ସ୍ୱତନ୍ତ୍ର ଗରିମା ରହିଛି। ଏହା ଅନେକ ଗରିମାମୟ ବିଧାନର ସମାହାର। ଏହାର ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ।
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ପୁର୍ଣଚନ୍ଦ୍ର ସାମନ୍ତରାୟ ଓ ଆବାହକ ରୀନା ରାଉତ ଏହାକୁ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଝରଣା ନାଥ। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ, ସୁନିତା ନନ୍ଦ, କୀର୍ତ୍ତିମୟୀ ବାରିକ, ବିଷ୍ନୁପ୍ରିୟା ସ୍ୱାଇଁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ।