Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ସାତକୋଶିଆ ସମେତ ଦେଶରେ ଆଉ ୧୦ଟି ଆର୍ଦ୍ରଭୂମିକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି। ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି। ଏବେ ଦେଶରେ ମୋଟ୍‌ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି।

ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ରାମସାର ମାନ୍ୟତା ମିଳିବା ଫଳରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ମିଳିପାରିବ ତଥା ସମ୍ବଳର ସୁବିନିଯୋଗ ହୋଇପାରିବ।

୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ବାକ୍ଷରିତ ହୋଇଥିଲା। ଏଥିରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ପକ୍ଷ ରହିଛି। ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ବାକ୍ଷର କରିଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଗୁରୁତ୍ବ ବହନ କରୁଥିବା ୧୨,୫୦,୩୬୧ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ୬୪ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିସାରିଛି।