Categories
ଆଜିର ଖବର

ସୁନ୍ଦରଗଡରେ ଚାଲିଲା ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ ସେବା

ସୁନ୍ଦରଗଡ: ଜିଲ୍ଲାର ହେମଗିରି ବ୍ଲକର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି। ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଗୋପାଳପୁର ପଞ୍ଚାୟତଠାରେ ଏହାର ଶୁଭାରମ୍ଭ କରିଛନ୍ତି।

ପୂର୍ବରୁ ବ୍ଲକକୁ ୩ଟି ବସ୍ ଯୋଗାଇ ଦିଆଯାଇଥିଲା। ଏହି ସେବା ଲାଗି ଡିଏମଏଫ ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି। ଏହି ବସରେ ଛାତ୍ରଛାତ୍ରୀମାନେ ମାଗଣାରେ ଯାତାୟତ କରିପାରିବେ। ତେବେ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆଇ କର୍ଡ ଦେଖାଇବାକୁ ପଡିବ। ସୁନ୍ଦରଗଡ ଜିଲ୍ଲା ଖଣିଜ ଫଣ୍ଡରୁ ଆହୁରି କିଛି ଯୋଜନା କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼/ରାଉରକେଲା: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ। ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।

ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।

Categories
ଅପରାଧ ଆଜିର ଖବର

ଗିରଫ ହେଲେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ର

ଭୁବନେଶ୍ଵର: ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ରଙ୍କୁ ଭିଜିଲାନ୍ସ ସେଲ ଗିରଫ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ଵଜିତ ଗିରଫ ହୋଇଛନ୍ତି। ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତାଙ୍କ ଅଫିସ ଏବଂ ଘରେ ଚଢାଉ କରିଥିଲା। ଯେଉଁଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସେ ବ୍ୟାଙ୍କ ଏବଂ ବୀମା କମ୍ପାନୀରେ କୋଟି କୋଟି ଟଙ୍କା ଜମା ରଖିଥିବା ବେଳେ କୋଟି କୋଟି ଟଙ୍କାର ସୁନା ଗହଣା ମଧ୍ୟ ଭିଜିଲାନ୍ସ ସେଲ ଜବତ କରିଛି।

ତେବେ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ହେଲେ ସେଠାରେ ତାଙ୍କୁ ଜାମିନ ମିଳିବ ନା ତାଙ୍କୁ ଜେଲ ଯିବାକୁ ପଡିବ, ତାହା ଦେଖିବା ବାକି ରହିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା, ସାତୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 3 ଏବଂ 4 ତାରିଖରେ ଦୁଇଦିନ ଧରି ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ଏଥିସହିତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ମଧ୍ୟ ସତର୍କ ଜାରୀ କରାଯାଇଛି।

ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 3 ଏବଂ 4 ତାରିଖ ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପରୁ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 4 ଓ 5 ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୁଖ୍ୟତଃ ପଶ୍ଚିମା ଝଡ ଆଗମନର ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉର୍ମ-ଜଳୀୟବାଷ୍ପର ପ୍ରଭାବରେ, ୩ ରୁ୪ ଫେବୃଆରୀ ୨୦୨୨ ମଧ୍ୟରେ ଓଡିଶାର ଏହିସବୁ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହି ପାଣିପାଗ ପ୍ରଭାବରେ ମୁଖ୍ୟତଃ କୃଷି କ୍ଷେତ୍ରରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରେ ୪୯୩ କୋଟି ଟଙ୍କାର ଦୁଇଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର ଲୋକ ଉପକାର ପାଇବେ।

ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଉପରୋକ୍ତ ବ୍ଲକ୍ଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀ ମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ। ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକ୍ର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ହେଉଛି ଓଡିଶାର ବିକାଶର ବତୀ ଘର । ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର NIT ଓଡିଶାର ଗୌରବ ବୃଦ୍ଧି କରିଛି । ଏହି ତିନୋଟିଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି । ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି । ସୁନ୍ଦରଗଡ ରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବାକୁ ଯାଉଛି ।

ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡରେ AIIMS ସୁନ୍ଦରଗଡବାସୀଙ୍କର ହକ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନ୍ଦରଗଡରେ ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍‌ ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ରାଜ୍ୟ ସରକାର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନୂଆ ଓଡିଶା ଗଠନରେ ନିଜ ନିଜର ଅବଦାନ ରଖିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣରେ Construction of in-stream Storage Structure ସଂପର୍କରେ ଅବତାରଣା କରିଥିଲେ । ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’: ପିଲାଙ୍କ ଉପଯୋଗୀ ହେବ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ

ସୁନ୍ଦରଗଡ଼: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଏହି ଆଭିମୁଖ୍ୟକୁ ସାକାର କରିବା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ‘ଚାଇଲ୍ଡ ଫ୍ରେଣ୍ଡଲି ବା ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ôଥକ ସହାୟତାକ୍ରମେ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତକୁ ଶିଶୁ ଅନୁକୂଳ କରିବା ଲାଗି ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ।

ଏହି ନୂତନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଜିଲ୍ଲାର ୮ଟି ବ୍ଲକ୍‌ରେ ସ୍ୱେଚ୍ଛାସେବୀ ସଙ୍ଗଠନ ୟୁଥ୍ ଫର ସୋସିଆଲ ଡେଭଲପ୍‌ମେଣ୍ଟ ଏବଂ ୯ଟି ବ୍ଲକ୍‌ରେ ଦିଶାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ପାଇଁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ନିଯୁକ୍ତ ବ୍ଲକ ସଂଯୋଜକ ଓ ପ୍ରକଳ୍ପ କର୍ମଚାରୀମାନଙ୍କୁ ନେଇ ନିକଟରେ ବିଶ୍ରାଠାରେ ଏକ ୩ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ଏହାକୁ ଉଦ୍‌ଘାଟନ କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଅନୁକୂଳ କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କର ବିକାଶ ପାଇଁ ଯେଉଁ ସବୁ ସୂଚକ ବା ମାପଦଣ୍ଡ ରହିଛି, ବ୍ଲକ୍ ସଂଯୋଜକମାନେ ସେହିସବୁ ଆଧାରରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିବେ। ସେହି ରିପୋର୍ଟ ଅନୁଯାୟୀ ବିଭିନ୍ନ ବିଭାଗ ସେମାନଙ୍କର ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରୂପରେଖ ପ୍ରସ୍ତୁୂତ କରିବେ। ଏହି ସଂଯୋଜକମାନେ ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌, ଆଶାକର୍ମୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଓ ଡାକ୍ତରଙ୍କ ଭଳି ସ୍ଥାନୀୟ ଅଂଶୀଦାରମାନଙ୍କୁ ଶିଶୁଙ୍କ ସାମୂହିକ ବିକାଶ ପ୍ରକ୍ରିୟାରେ ଭାଗୀଦାର କରାଇବେ।

ସେହିପରି ଗ୍ରାମପଞ୍ଚାୟତ ସ୍ତରରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା ସମିତି, ମାତୃ କମିଟି, ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ସେବା ପ୍ରଦାନକାରୀଙ୍କୁ ନେଇ ‘ଶିଶୁ ଅଧିକାର କମିଟି’ ଗଠନ କରାଯିବ। ଏହି କମିଟିର ବୈଠକରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୋଷଣ ଓ ସୁରକ୍ଷା ଆଦି ବିଷୟକୁ ନେଇ ଯେଉଁ ସବୁ ସମସ୍ୟା ରହିଛି, ତା’ର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏହି ବୈଠକରେ ଶିଶୁମାନେ ନିଜେ କିପରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିପାରିବେ, ସେନେଇ ପିଲାଙ୍କୁ ତାଲିମ ଦିଆଯିବ।

‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମର ପ୍ରମୁଖ ଆଭିମୁଖ୍ୟଗୁୂଡ଼ିକ ମଧ୍ୟରେ ରହିଛି ଅନ୍ତର୍ଜାତୀୟ ମାପଦଣ୍ଡ ଅନୁଯାୟୀ ଶିଶୁମାନଙ୍କର ବିଭିନ୍ନ ଅଧିକାରକୁ ସୁରକ୍ଷିତ କରିବା, ବାଲ୍ୟ ବିବାହ ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା, ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ଚାଲାଣର ନିରୋଧ ଏବଂ ପିଲାଙ୍କ ପ୍ରତି କୌଣସି ପ୍ରକାର ହିଂସା ଓ ନିର୍ଯାତନା ରୋକିବା। ସେହିପରି ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ସହ ପିଲାମାନେ ଯେପରି ଅଧାରୁ ପାଠ ନ ଛାଡ଼ନ୍ତି, ସେ ଦିଗରେ ବିଶେଷ ପଦକ୍ଷେପ ନିଆଯିବ। ଅର୍ଥାତ୍ ସମାଜର ପ୍ରତ୍ୟେକ ଶିଶୁ କିପରି ଶାରୀରିକ, ମାନସିକ ଓ ସାମାଜିକ ଭାବେ ପୂର୍ଣ୍ଣ ବିକଶିତ ହେବାର ସୁଯୋଗ ପାଇପାରିବ, ସେଥିପାଇଁ ଉଚିତ୍ ପରିବେଶ ସୃଷ୍ଟି କରିବା ଏହାର ଲକ୍ଷ୍ୟ।

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ପିଲାଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଚାଲିଥିବା ଏହି ସବୁ କାର୍ଯ୍ୟକ୍ରମରୁ ଶିଶୁମାନେ କିପରି ଉଚିତ୍ ସୁବିଧା ପାଇପାରିବେ, ସେ ଦିଗରେ ମଧ୍ୟ ନୂତନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁତ୍ୱ ଦିଆଯିବ।

ଏହି କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ଏବେ ଗ୍ରାମ ପଞ୍ଚାୟତସ୍ତରୀୟ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତି ବେଳେ ପିଲାଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବିକାଶ ଲାଗି ଗ୍ରାମସଭାରେ ବିଭିନ୍ନ ପ୍ରସ୍ତାବ ପାରିତ କରାଯାଇ ସେଥିପାଇଁ ବଜେଟ୍ ବ୍ୟବସ୍ଥା କରାଯିବ।
‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ଓ ତଦାରଖ ପାଇଁ ୩ଟି ସ୍ତରରେ ଅଲଗା ଅଲଗା କମିଟି କାମ କରିବ। ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କ ନେତୃତ୍ୱରେ କମିଟି ରହିବ । ସେହିପରି ବ୍ଲକସ୍ତରରେ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କ ନେତୃତ୍ୱରେ ଗଠିତ କମିଟି ସବୁ ପଞ୍ଚାୟତରେ ଶିଶୁମାନଙ୍କ ବିକାଶ ପ୍ରକ୍ରିୟା ତଦାରଖ କରିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବ।

ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଲାଗୁ ହେବା ଦ୍ୱାରା ଆଗାମୀ ଦିନରେ ଶିଶୁମାନଙ୍କ ପାଖରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗକୁ ସୁନିଶ୍ଚିତ କରାଯାଇପାରିବ। ସେହିପରି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସ୍ଥାନୀୟ ଜନତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସେବା ପ୍ରଦାନକାରୀ ଏବଂ ପ୍ରଶାସନ ସଚେତନ ହେବା ସହ ସେଗୁଡ଼ିକର ସମାଧାନର ବାଟ ବାହାର କରିବେ। ଏହିସବୁ ପଦକ୍ଷେପ ନିଆଯିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ବିକାଶ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ପରିଣତ ହୋଇପାରିବ। ସୁନ୍ଦରଗଡ଼ ଜିଲ୍ଲା ହେବ ଶିଶୁ ଅନୁକୂଳ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ: କରୋନା ଆକ୍ରାନ୍ତ ହେଲେ ୫୬ ସ୍କୁଲ ଛାତ୍ରୀ

ସୁନ୍ଦରଗଡ: ଆଜି ସୁନ୍ଦରଗଡର ଏକ ସ୍କୁଲରେ କରୋନା ସଂକ୍ରମଣ ହୋଇଥିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅଭିଭାବକମାନେ ପିଲାମାଙ୍କୁ ସ୍କୁଲ ଛାଡିବା ନେଇ ଆଶାବାନ୍ଧି ବସିଛନ୍ତି। କିନ୍ତୁ ସୁନ୍ଦରଗଡରେ ୫୬ ଜଣ ସ୍କୁଲ ଛାତ୍ରୀ କରୋନା ସଂକ୍ରମଣ ହେବା ଫଳରେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି।

ସୁନ୍ଦରଗଡ ସହରର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୬ ଜଣ ଛାତ୍ରୀ କୋରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି। କରୋନା ପଜିଟିଭ ଚିହ୍ନଟ ପରେ ସମସ୍ତ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି। ଏହାସହ ସ୍କୁଲକୁ ସପ୍ତାହେ ଛୁଟି କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଘୋଷଣା କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼: ଛାତ୍ରଛାତ୍ରୀଙ୍କ ସ୍କୁଲ, କଲେଜ ଯିବା ଆସିବା ପାଇଁ ଡିଏମଏଫ ଯୋଗାଇଦେଲା ବସ୍‌

ସୁନ୍ଦରଗଡ଼/ରାଉରକେଲା: ଖଣି ପ୍ରଭାବିତ କୋଇଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବା ଆସିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ଯୋଗାଇ ଦିଆଯାଇଛି। କୋଇଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଆଜି ଏହି ମାଗଣା ବସ୍ ସେବାକୁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉଦଘାଟନ କରିଛନ୍ତି।

କୋଇଡ଼ା ବ୍ଲକର ୫ଟି ରୁଟ – ଗୋପନା-କୋଇଡ଼ା, ଟେନସା-କୋଇଡ଼ା, ପାଟମୁଣ୍ଡା ପଞ୍ଚାୟତରୁ କୋଇଡ଼ା, କଲମଙ୍ଗ ପଞ୍ଚାୟତରୁ କୋଇଡ଼ା ଏବଂ ରୁଗୁଡ଼ିରୁ କୋଇଡ଼ା ପର୍ଯ୍ୟନ୍ତ ଏହି ବସ୍ ଯିବା ଆସିବା କରିବୟ କୋଇଡ଼ା ବ୍ଲକ ସଦର ମହକୁମା ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍ ସେବା ପାଇପାରିବେୟ ପ୍ରତିଦିନ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ। ଏହି ୫ଟି ବସ୍ ଯୋଗାଇ ଦେବା ସହିତ ଏହାର ନିୟମିତ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଖଣି ପ୍ରଭାବିତ କୋଇଡ଼ା ବ୍ଲକରେ ମୋଟ ୧୫ଟି ପଞ୍ଚାୟତ ରହିଛି। ଏହି ବ୍ଲକର ଅନେକ ଗାଁ ବଣ ପାହାଡ଼ଘେରା ହୋଇଥିବାରୁ ଏବଂ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଥିବାରୁ ଛାତ୍ରଛାତ୍ରୀମାନେ ଠିକ୍ ସମୟରେ ସ୍କୁଲ, କଲେଜକୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏହିସବୁ ସମସ୍ୟାର ସମାଧାନ ସହିତ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏହି ବସ୍ ସେବା ଆରମ୍ଭ କରାଯାଇଛି। ଏହି ୫ଟି ବସ ବ୍ଲକର ସମସ୍ତ ୧୫ଟି ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ।

ଏହି ବସ୍ ସେବାର ଉଦଘାଟନୀ କାର୍ଯ୍ୟକ୍ରମରେ ବଣାଇଁ ବିଧାୟକଙ୍କ ସହିତ କୋଇଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ କୁମଦିଆଲ, ବିଡିଓ ପଲ୍ଲବୀ ରାଜ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମୁଣ୍ଡା ଉପସ୍ଥିତ ରହି ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଏହି ବସ୍ ସେବା ଦ୍ୱାରା ଖଣି ପ୍ରଭାବିତ କୋଇଡ଼ା ବ୍ଲକର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।

ନିକଟରେ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରାଯାଇଛି। ସେଥିମଧ୍ୟରେ କୋଇଡ଼ା ବ୍ଲକର ୯ଟି ସରକାରୀ ହାଇସ୍କୁଲ ରହିଛି। ଏବେ ଏହି ବସ୍ ସେବା ଦ୍ୱାରା ଛାତ୍ରଛାତ୍ରୀମାନେ ସୁବିଧାରେ ଏବଂ ସୁରକ୍ଷିତ ଭାବରେ ଘରୁ ସ୍କୁଲକୁ ଯିବା ଆସିବା କରିପାରିବେ। ଏହି ବସ୍ ସେବା କୋଇଡ଼ା ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ବିଶେଷକରି ଅଧାରୁ ପାଠ ପଢ଼ା ଛାଡ଼ୁଥିବା ଭଳି କୌଣସି ସମସ୍ୟା ରୋକିବାରେ ଏହି ବସ୍ ସେବ ସହାୟକ ହେବ।

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୧୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ପାଇଁ ଡିଏମଏଫ ତରଫରୁ ପ୍ରତି ସ୍କୁଲକୁ ୩ଟି କରି ମୋଟ ୩୬ଟି ବସ୍ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବାକୁ ଥିବା ଅନ୍ୟ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ବସ୍ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲର ରୂପାନ୍ତର ପର୍ବର ହେଲା ଶୁଭାରମ୍ଭ, ଆଜି ୧୪୨ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଜାରି ରହିବ।

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି ।

ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର‌୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

କାଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି କାଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ମୋ ସ୍କୁଲ କାର‌୍ୟ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ

Categories
ବିଶେଷ ଖବର ବ୍ୟବସାୟ

ମିଶନଶକ୍ତି ମା’ଙ୍କୁ ଜୀବିକା: ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମିଶନଶକ୍ତି ମା’ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ।

ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରି, ଗୁଲାବଜାମୁନ୍, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ପ୍ରଶଂସା କରିଥିଲେ। ରାଜଗାଙ୍ଗପୁର ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଏବଂ ମିଲେଟ୍ ଆଉଟଲେଟ୍ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି।
ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ, ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ।

‘‘ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ସମ୍ପର୍କରେ ଆମକୁ ତାଲିମ୍ ଦିଆଯାଇଥିଲା। ଆମ ଗୋଷ୍ଠୀର ୧୩ ଜଣ ସଦସ୍ୟ ତାଲିମ୍ ନେଇଥିଲୁ। ଏବେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିବୁ। ଏଥିରୁ ଯାହା ରୋଜଗାର ହେବ ସେଥିରେ ଆମେ ଆମ ଘର ଚଳାଇବୁ। ଆମ ପାଇଁ ଏହା ନୂଆ କାମ ହୋଇଥିଲେ ମଧ୍ୟ ଆମେ ଏହାକୁ ଆଗ୍ରହର ସହ କରୁଛୁ’’ କହିଛନ୍ତି ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଚିତ୍ରଲେଖା ଗୌଡ଼।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଆଞ୍ଚଳିକ ସଂଯୋଜକ ରାମଚନ୍ଦ୍ର ତୁଷ କହିଛନ୍ତି ଯେ, ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟ ଖୋଲାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସେଣ୍ଟର ଖୋଲାଯିବ। ରାଉରକେଲାରେ ଏକ ମିଲେଟ୍ କାଫେ ଖୋଲିବାକୁ ଯୋଜନା ରହିଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଚଳିତ ବର୍ଷ ୫,୨୩୦ ହେକ୍ଟର ଜମିରେ ୧୬ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଛନ୍ତି। ଏବର୍ଷ ୨୪ ହଜାର ୬୦୦ କୁଇଣ୍ଟାଲ ପୁଷ୍ଟିଶସ୍ୟ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୧ଟି ବ୍ଲକ ଭିତରୁ ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି। ସେହିପରି ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ରାଜଗାଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୱାସନ ଆଞ୍ଚଳିକ ଅଧିକାରୀ ରମଣୀ ରଞ୍ଜନ ନାୟକ, ଝାଡ଼ଖଣ୍ଡ ରାଜ୍ୟ ଜୀବିକା ପ୍ରକଳ୍ପ ଅଧିକାରୀ ଶୁଭକାନ୍ତ ନାୟକ, ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ବ୍ଲକ ଉପ କୃଷି ଅଧିକାରୀ ଆଶିଷ ଦାସ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ସୁନ୍ଦରଗଡ଼: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ଆଜି ନିଜ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ କରାଯାଇଛି । ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୃଦୟଭରା ସ୍ୱାଗତ କରାଯାଇଥିଲା।

ଟୋକିଓ ଅଲିମ୍ପିକ୍ସ ଖେଳି ଫେରିବା ପରେ ଶନିବାର ଦିନ ନିଜ ଜନ୍ମ ମାଟିରେ ଆସି ପହଞ୍ଚିଛନ୍ତି ସୁନ୍ଦରଗଡ଼ର ଏହି ୪ ହକି ତାରକା। ଆଜି ପୂର୍ବାହ୍ନରେ ସେମାନେ ଝାରସୁଗୁଡ଼ା ବିମାନବନ୍ଦରଠାରେ ପହଞ୍ଚିବା ବେଳେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ସେମାନଙ୍କ ପରିବାର, କ୍ରୀଡ଼ାପ୍ରେମୀ ତଥା ସ୍ଥାନୀୟ ଜନତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ ସହରରେ ପାରିଜାତ ପାର୍କଠାରୁ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ହକି ତାରକାମାନଙ୍କୁ ଖୋଲା ଗାଡ଼ିରେ ନିଆଯାଇଥିଲା। ରାସ୍ତା ଉପରେ ଶହ ଶହ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ମହିଳା ଏବଂ ସାଧାରଣ ଜନତା ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ହକିପ୍ରେମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନର କର୍ମକର୍ତ୍ତା ଖେଳାଳିମାନଙ୍କୁ ସ୍ୱାଗତ କରି ନେଇଥିଲେ।

ତେଣୁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ହକି ପ୍ରେମୀ, କ୍ରୀଡ଼ାବିତ୍ ଏବଂ ଜନସାଧାରଣ ସୁନ୍ଦରଗଡ଼ ସହରକୁ ଆସିଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଛିଡ଼ା ହୋଇ ଲୋକେ ଅଭିନନ୍ଦନ ଜଣାଇଥିଲେ।

ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବିକାଶ ଭବନଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହକି ତାରକାମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏବଂ ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ସମ୍ବର୍ଦ୍ଧନା ଉତ୍ସବରେ ସାରା ଜିଲ୍ଲାର ହକି ପ୍ରେମୀ ସାମିଲ ହୋଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କ୍ରୀଡ଼ାର ବିକାଶ ପ୍ରତି ରାଜ୍ୟ ସରକାରଙ୍କ ଅଗ୍ରାଧିକାର ଫଳରେ ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାରେ ହକିର ଭିତ୍ତିଭୂମି ଆହୁରି ସୁଦୃଢ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ଏ ମାଟିରୁ ଅନେକ ପ୍ରତିଭାବାନ ହକି ଖେଳାଳି ବାହାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

“ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତୀୟ ହକି ଟିମ୍ ଆମ ସ୍ୱପ୍ନ ସାକାର କରିପାରିଛନ୍ତି। ବିଶେଷକରି ଆମ ଜିଲ୍ଲାର ୪ ଜଣ ଖେଳାଳି ଅଲିମ୍ପିକ୍ ଖେଳିବା ଆମ ପାଇଁ ବଡ଼ କଥା। ଭାରତୀୟ ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ଦେଇ ଆଜି ଏକ ନୂଆ ଉଚ୍ଚତାକୁ ନେବାରେ ସାହାଯ୍ୟ କରିଛନ୍ତି। ତେଣୁ ଏହି ଖେଳ ଆହୁରି ଆଗକୁ ଯିବା ସହିତ ଆଗାମୀ ଦିନରେ ଓଡ଼ିଶାରୁ ଭଲ ଖେଳାଳି ବାହାରି ପାରିବେ’, ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ ଆକ୍ରାନ୍ତ: ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୧୯୨୧, ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରିରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡାରୁ ୨୨୯, କେନ୍ଦ୍ରାପଡାରୁ ୨୦୩, ଦେବଗଡରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନାଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୨୬ ହଜାର ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୨୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ପ୍ରଶାସନର ଡାକରା: “ବ୍ରେକ୍ ଦ ଚେନ୍‌”

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ “ବ୍ରେକ୍ ଦ ଚେନ୍‌: ଡାକରା ଦିଆଯାଇଛି। କରୋନା ଚେନ୍ ଭାଙ୍ଗିବାକୁ ଏହି ଲକଡାଉନ୍ ସମୟକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ରାଉରକେଲା ସହରରେ ଲକଡାଉନ ନିୟମ ପାଳନ କରି ଏହି ମହାମାରୀକୁ ଜିତିବାକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି।

“କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି ଏହାକୁ ସମସ୍ତେ ମାନି ଘରେ ରହିବା ଦରକାର। ଅତି ଆବଶ୍ୟକ ନହେଲେ କେହି ବାହାରକୁ ଆସନ୍ତୁ ନାହିଁ। ଘରେ ରହିଲେ ହିଁ “ବ୍ରେକ୍ ଦ ଚେନ୍‌” କୁ ଆମେ ସଫଳ କରିପାରିବା”, ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାପାଳ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଛି। ହେଲେ ଏଥିରେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ଦ୍ୱାରା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ କରୋନା ଉପରେ ରୋକ୍ ଲଗାଇବା ସମ୍ଭବପର ହେବ। ଆଗକୁ ମଧ୍ୟ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବାଇବାକୁ ଲକ୍ଷ୍ୟ ରହିଛି।

ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନସୁଦ୍ଧା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ରହିଛି। ରାଉରକେଲା ଏବଂ ସୁନ୍ଦରଗଡ଼ରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ କୋଭିଡ୍ କେୟାର ସେଣ୍ଟରରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସୀମାରେ ୬ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଏବଂ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହା କରୋନା ଚେନକୁ ଭାଙ୍ଗିବା ଲାଗି ସହାୟକ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଉରକେଲା ସହରରେ “ବ୍ରେକ୍ ଦ ଚେନ୍‌” ଅଭିଯାନକୁ ସଫଳ କରିବା ପାଇଁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍ ନିୟମ ପାଳନ କରି ଘରେ ରହିବାକୁ ସେ କହିଛନ୍ତି। କୋଭିଡ୍ ଟେଷ୍ଟିଂ, ଚିକିତ୍ସା, ଟିକାକରଣ ସହିତ ଆଇସିୟୁ, ଅକ୍ସିଜେନ୍ ଆଦି ବାବଦରେ ଜାଣିବା ପାଇଁ ଲୋକେ ରାଉରକେଲା ମହାନଗର ନିଗମ ୧୮୦୦ ୩୪୫ ୭୪୬୮ ଏବଂ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/୦୧୧ ୪୧୧ ୮୨୧୩୮ ରେ ମାଗଣାରେ କଲ୍ କରିପାରିବେ।

“ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଲକଡାଉନ୍ ସମୟରେ ଲୋକଙ୍କ ଘର ପାଖରେ ଏସଏଚଜି ମା’ମାନଙ୍କ ସାହାଯ୍ୟ ନେଇ ଆଳୁ, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ତେଣୁ ଲୋକମାନେ ଭିଡ଼ ସ୍ଥାନକୁ ନଯାଇ ଘର ପାଖରୁ ଜିନିଷ କିଣନ୍ତୁ। ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡ୍ ମୁକାବିଲା କରିପାରିବା” ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଲକ୍ଷଣ ଥିବା କିମ୍ବା କୋଭିଡ୍ ପଜିଟିଭ୍ ବାହାରୁଥିବା ବ୍ୟକ୍ତିମାନଙ୍କୁ ହୋମ୍ ଆଇସୋଲେସନରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ ପ୍ରଶାସନ ଅନୁରୋଧ କରିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଜିଲ୍ଲାରେ ୮୪ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ରାଉରକେଲା ସହରରେ ୨୦ଟି ଟିମ୍ କାମ କରୁଛନ୍ତି। ଏହି ଟିମ୍ ଘର ଘର ବୁଲି ଲୋକଙ୍କ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିବା ସହ ରୋଗୀଙ୍କୁ ଔଷଧପତ୍ର ଦେଉଛନ୍ତି।

ଲକଡାଉନ୍ ଭିତରେ ରାଉରକେଲା ସହରରେ କୋଭିଡ୍ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି। ଏଥିପାଇଁ ସହରରେ ୯ଟି କେନ୍ଦ୍ର ଚାଲିଛି। ସେହିପରି ମହାନଗର ନିଗମବାସୀଙ୍କ ପାଇଁ ୮ଟି ଟିକାକରଣ କେନ୍ଦ୍ର କାମ କରୁଛି । ତେବେ କୌଣସି ସ୍ଥାନରେ ଭିଡ଼ ନକରି କୋଭିଡ୍ ନିୟମ ପାଳନ କରି ଏସବୁ କାର୍ଯ୍ୟ କରିବା ପାଇଁ କମିଶନର ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦୁଇଜଣ ନେତା

ଭୁବନେଶ୍ବର, ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ଦଳୀୟ ନେତାଙ୍କୁ ନିଲମ୍ବିତ କରିଛନ୍ତି। ସେହି ଦୁଇଜଣ ହେଲେ ସୁନ୍ଦରଗଡ ଜିଲ୍ଲା ବିଜେଡିର କର୍ମକର୍ତ୍ତା। ଏହି ଦୁଇଜଣ ହେଲେ ଅମରେଶ ପଣ୍ଡା ଏବଂ ବିନୟ ପଣ୍ଡା। ଏହି ଦୁଇଜଣ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 14 ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 14 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ  ଖୋର୍ଦ୍ଧା, ନୟାଗଡାରୁ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 70 ରହିଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 85, 65, 50,55 ଓ 50 ବର୍ଷୀୟ ବ୍ୟକ୍ତି ।

ସେହିପରି ଖୋର୍ଦ୍ଧାରୁ ଆଜି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 84 ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 81 ଓ 69 ବର୍ଷ । ନୟାଗଡର ତିନି ମୃତକଙ୍କ ବୟସ ଯଥାକ୍ରମେ 78, 30 ଓ 34 ବର୍ଷ ବୋଲି ସୂଚନା ରହିଛି ।

ସୁନ୍ଦରଗଡରୁ ମୃତ୍ୟୁବରଣ କରିଥବା ଆକ୍ରାନ୍ତଙ୍କ ବୟସ 72ବର୍ଷ ହୋଇଥିବାବେଳେ ରାୟଗଡାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 46 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 137କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ଏହା 38କୁ ବୃଦ୍ଧି ହୋଇଥିବାବେଳେ ରାୟଗଡାରେ 11ଓ ସୁନ୍ଦରଗଡରେ 18କୁ ବୃଦ୍ଧି ହୋଇଛି । ନୟାଗଡରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଲାଣି ।

କେଉଁଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ଅନ୍ୟାନ୍ୟ ମୃତ
ଗଞ୍ଜାମ 13088 10573 2370 137 8
ଖୋର୍ଦ୍ଧା 6663 3230 3386 38 9
କଟକ 3202 2083 1104 11 4
ସୁନ୍ଦରଗଡ 2362 1427 913 18 4
ଗଜପତି 2020 1485 518 16 1
ଯାଜପୁର 1634 1308 322 3 1
ରାୟଗଡା 1506 927 568 11 0
ବାଲେଶ୍ବର 1434 1014 410 5 5
ପୁରୀ 1299 734 558 4 3
କୋରାପୁଟ 1271 795 474 2 0
ସମ୍ବଲପୁର 1169 506 661 2 0
କେଉଁଝର 1043 799 238 4 2
ନୟାଗଡ 1041 620 411 8 2
ଭଦ୍ରକ 984 642 334 4 4
ମାଲ୍‌କାନଗିରି 926 485 436 2 3
ମୟୂରଭଞ୍ଜ 918 621 293 1 3
କନ୍ଧମାଳ 916 529 382 5 0
ଜଗତସିଂହପୁର 892 715 175 2 0
ବଲାଙ୍ଗିର 696 425 271 0 0
କେନ୍ଦ୍ରାପଡା 668 498 166 3 1
ଢେଙ୍କାନାଳ 667 351 315 1 0
ବରଗଡ 644 407 234 3 0
କଳାହାଣ୍ଡି 518 232 284 2 0
ଅନୁଗୁଳ 439 310 127 2 0
ଝାରସୁଗୁଡା 400 317 82 1 0
ନବରଙ୍ଗପୁର 383 282 99 1 1
ବୌଦ୍ଧ 210 137 73 0 0
ନୂଆପଡା 187 131 56 0 0
ସୋନପୁର 174 108 66 0 0
ଦେବଗଡ 101 94 7 0 0
Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ଚିହ୍ନଟ 52 ଆକ୍ରାନ୍ତଙ୍କ ମଧ୍ୟରେ 37 ଜଣ କରୋନା ଯୋଦ୍ଧା

ସୁନ୍ଦରଗଡ଼ :  ଆଜି ରାଜ୍ୟରେ ଚିହ୍ନଟ ନୂଆ 543 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 37 ଜଣ କରୋନା ଯୋଦ୍ଧା ଅଛନ୍ତି । ଉକ୍ତ 37 କରୋନା ଯୋଦ୍ଧାଙ୍କ ମଧ୍ୟରୁ 36 ଜଣ ପୁଲିସ୍‌ କର୍ମଚାରୀ ଏବଂ ଜଣେ ଡାକ୍ତର ଅଛନ୍ତି। ପୁଲିସ୍‌ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ଏହାବ୍ୟତୀତ ଜିଲ୍ଲାର 52 ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ 7 ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ 2ଟି ଲୋକାଲ କେସ୍‌ ଚିହ୍ନଟ ହୋଇଥିବା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ।

Categories
ଆଜିର ଖବର ରାଜ୍ୟ ଖବର

22ଟି ଜିଲ୍ଲାରୁ 577 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁଠି ରହିଛି କେତେ ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 22ଟି ଜିଲ୍ଲାରୁ 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 260 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 83, ଖୋର୍ଦ୍ଧାରୁ 56, କେଉଁଝରରୁ 48, ବାଲେଶ୍ବରରୁ 30, ଗଜପତିରୁ 17, ମୟୂରଭଞ୍ଜ ଓ କଟକରୁ 14 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 9, ଜଗତସିଂହପୁର ଓ ଅନୁଗୁଳୁରୁ 7 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟରୁ 6, ପୁରୀ ଓ ବୌଦ୍ଧରୁ 5 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ 4,  ସମ୍ବଲପୁର ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କନ୍ଧମାଳ, ମାଲ୍‌କାନଗିରି, ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ)
ଗଞ୍ଜାମ 3096 1607 1458 30 1
ଖୋର୍ଦ୍ଧା 1135 801 323 8 3
କଟକ 886 570 308 5 3
ଯାଜପୁର 673 456 216 1 0
ସୁନ୍ଦରଗଡ 554 185 368 1 0
ଗଜପତି 538 362 175 1 0
ବାଲେଶ୍ବର 496 346 148 0 2
ଜଗତସିଂହପୁର 368 272 96 0 0
ପୁରୀ 327 244 81 1 1
ମୟୂରଭଞ୍ଜ 305 200 103 0 2
କେନ୍ଦ୍ରାପଡା 285 245 39 1 0
ଭଦ୍ରକ 278 239 37 1 1
ବଲାଙ୍ଗିର 248 167 81 0 0
କେଉଁଝର 246 135 110 0 1
ନୟାଗଡ 212 152 60 0 0
କନ୍ଧମାଳ 191 178 13 0 0
ବରଗଡ 167 100 66 1 0
ରାୟଗଡା 139 38 100 1 0
ଝାରସୁଗୁଡା 134 111 23 0 0
ଅନୁଗୁଳ 119 69 49 1 0
ମାଲ୍‌କାନଗିରି 116 61 55 0 0
ସମ୍ବଲପୁର 108 50 58 0 0
ଢେଙ୍କାନାଳ 91 75 16 0 0
ନବରଙ୍ଗପୁର 89 41 47 0 1
ନୂଆପଡା 86 82 4 0 0
କୋରାପୁଟ 79 29 50 0 0
କଳାହାଣ୍ଡି 79 71 8 0 0
ଦେବଗଡ 62 42 20 0 0
ବୌଦ୍ଧ 50 41 9 0 0
ସୋନପୁର 44 37 7 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍‌ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁହୋଇଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 7, କଟକରୁ 4, ପୁରୀ ଓ ଅନୁଗୁଳ ଓବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ । ଏବେ ଦୁଇ ନୂଆ ଜିଲ୍ଲା ଅର୍ଥାତ୍‌ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ସୁନ୍ଦରଗଡ ଜିଲ୍ଲାରୁ ଆଉ 4 ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରୁ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଚାରି ଜଣ ଯାକ ବିସ୍ରା ଓ ଲାଠିକଟା ବ୍ଲକର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତା ରହିଥିବାବେଳେ ଦୁଇଜଣ ଚେନ୍ନାଇ ଫେରନ୍ତା ରହିଛନ୍ତି । ଏବେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 37କୁ ବୃଦ୍ଧି ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

500 ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ 101 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 101 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରୁ ସର୍ବାଧିକ 52, ବାଲେଶ୍ବରରୁ 33, ଯାଜପୁରରୁ 7, ସୁନ୍ଦରଗଡରୁ 7, କେନ୍ଦୁଝରର 2ଜଣ ଆକ୍ରାନ୍ତ ରହିଚନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 538ରେ ପହଞ୍ଚିଛି । ସେହିପରି କରୋନା ସଂକ୍ରମଣରୁ ଭଲ ହୋଇଛନ୍ତି 116ଜଣ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ 419 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି ।

ସେହିପରି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 210ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90ରେ ପହଞ୍ଚିଛି ।  ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଛି ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଓ କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି ।