ଭୁବନେଶ୍ବର, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ବିରୋଧୀ ବୁଝିବା ଭାରି କଷ୍ଟକର ବ୍ୟାପାର। ବିଭିନ୍ନ ସମୟରେ ସେ ଏପରି ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି ଯେ, ବିରୋଧୀ ପୁରା ବାଟବଣା। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଜଳକା ହୋଇ ଅନେଇ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରକୃତରେ ନବୀନ ପଟ୍ଟନାୟକ କଣ ଖେଳୁଛନ୍ତି, କିପରି ଖେଳୁଛନ୍ତି ତାହା ବିରୋଧୀ ଖୋଜି ଧରିପାରୁ ନାହାଁନ୍ତି।
ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପ୍ରସଂଗକୁ ଯିବା। ଟୋକିଓ ମାଟିରେ ଭାରତୀୟ ହକିଦଳ ଯେଉଁ ସଫଳତା ପାଇଲେ ତାହା ନିଶ୍ଚିତ ଗର୍ବର ବିଷୟ। ସେଥିପାଇଁ ସାରା ଦେଶର ଲୋକେ ହକି ଇଣ୍ଡିଆ ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହି ପ୍ରଶଂସା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଡି ହୋଇଯାଇଛନ୍ତି। କାରଣ ହେଲା ସାହାରା ଗ୍ରୁପ ଯେତେବେଳେ ହକି ଇଣ୍ଡିଆର ପ୍ରାୟୋଜକରୁ ଓହରି ଗଲା, ସେତେବେଳେ ନବୀନ ପଟ୍ଟନାୟକ ଏହାର ସାହାରା ସାଜିଥିଲେ।
ହକି ଇଣ୍ଡିଆର ପ୍ରାୟୋଜକ ସାଜି ସେତେବେଳେ ନବୀନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାୟ ଏକଶହ କୋଟି ଏଥିରେ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ବିରୋଧୀ ଏହାକୁ ନେଇ ବିଭିନ୍ନ କୁତ୍ସାରଟନା କରିଥିଲେ। ସେମାନଙ୍କ ଭକ୍ତମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭର୍ଚ୍ଛନା କରିବାରେ ଲାଗିଥିଲେ। ଏହି ଟଙ୍କା ଓଡିଶାର ଗରିବ ଲୋକଙ୍କ ଉନ୍ନତିରେ ବିନିଯୋଗ କରାଯାଉ ବୋଲି ମତ ଦେଇଥିଲେ। ଏତେ ଟଙ୍କା ହକି ଇଣ୍ଡିଆ ପଛରେ ଖର୍ଚ୍ଚ କଲେ ଓଡିଶାର କଣ ଲାଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ।
ସେହିପରି ଓଡିଶାରେ ବିଶ୍ବ କପ ହକି ଚମ୍ପିୟାନସିପ ଆୟୋଜନକୁ ନେଇ ମଧ୍ୟ ବିରୋଧୀ ଦଳ ବେଶ ସମାଲୋଚନା କରିଥିଲେ। ଶାହାରୁଖ ଖାନ, ସଲମନ ଖାନଙ୍କ ପଛରେ ଏତେ ଟଙ୍କା କଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସେତେବେଳେ ବିରୋଧୀ ସେହି ସମାଲୋଚନାକୁ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ନେଇ ଯାଇଥିଲେ। ହେଲେ ସାରା ବିଶ୍ବରୁ ଆସିଥିବା ହକି ଖେଳାଳୀ ରାଜ୍ୟର ଏହି ଆୟୋଜନକୁ ପ୍ରଶଂସା କରିବା ଦ୍ବାରା ବିରୋଧୀଙ୍କ ପାଟି ବନ୍ଦ ହୋଇ ଯାଇଥିଲା।
ସେଥିପାଇଁ କୁହାଯିବ ଯେ, ନବୀନ ପଟ୍ଟନାୟକ ଯେଉଁ ଖେଳ ଖେଳୁଛନ୍ତି ତାହା ବିରୋଧୀ ଦଳ ଜାଣିବା କଷ୍ଟକର ବ୍ୟାପାର। ଯାହା ହକି ଇଣ୍ଡିଆର ପ୍ରାୟୋଜକ ସାଜିବାର ପ୍ରମାଣ ଏବେ ବିରୋଧୀଙ୍କୁ ମିଳିଲା। 2018 ମସିହାର ନବୀନଙ୍କ ଏହି ନିଷ୍ପତି ଆଜି ସାରା ବିଶ୍ବରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଯାହା ଓଡିଶାର ପାଇଁ ଏକ ଗର୍ବର ବିଷୟ। ଭବିଷ୍ୟତରେ ଏହି ନିଷ୍ପତି ନୀବନଙ୍କୁ ଆହୁରି ସଫଳତା ଦେବାର ମଧ୍ୟ ସମ୍ଭାବନା ରହିଛି।