Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ନୂଆଦିଲ୍ଲୀ / ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ତାଙ୍କ ଦାୟୀତ୍ୱ ତୁଲାଇ ନାହାନ୍ତି। ସମ୍ବଲପୁରରେ ଯେଉଁ ପରିସ୍ଥିତି ଉପୁଜିଲା, ତାକୁ ଏଡାଇ ଦିଆଯାଇ ପାରିଥାନ୍ତା। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏଭଳି ପରିସ୍ଥିତି ହୋଇନଥାନ୍ତା। ରାଜ୍ୟ ସରକାରଙ୍କ ବିଳମ୍ବ ନୀତି କାରଣରୁ ହିଂସା ଉପୁଜିଲା। ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଏକ ସ୍ପର୍ଶକତାର ବିଷୟ। ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପୁର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ବହୁବାର ସଂସଦରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତ୍ତର ରାଜ୍ୟ ସରକାର ଦେଲେ ନାହିଁ। ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ କାରଣରୁ ଗତ ୧୨ତାରିଖ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏ ନେଇ ବିଜେପି ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଆନ୍ଦୋଳନରତ ସଂଖ୍ୟାଧିକ ଆଇନିଜୀବୀଙ୍କୁ ପୋଲିସ ଗିରଫ କରିଛି। ଅନେକ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ଗିରଫ ମଧ୍ୟ କରାଯାଉଛି। ଏହି କାରଣରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ରାଜ୍ୟ ସରକାର ନିଜର ଭୁଲ ଓ ତ୍ରୁଟିକୁ ଚିହ୍ନି ତାହାର ସମାଧାନ ନକରିଲେ ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ। ସ୍ୱାଭାବିକ ପରିସ୍ଥିତି ଓ ପୂର୍ବ ଭଳି କୋର୍ଟ କାର୍ଯ୍ୟ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଗିରଫ ହୋଇଥିବା ଓକିଲଙ୍କ ମୁକ୍ତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୂଜାରୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶାର ସମସ୍ତ ବିଜେପି ସାଂସଦ ଜୁଏଲ ଓରାମ, ସଂଗୀତା ସିଂହଦେଓ, ବସନ୍ତ ପଣ୍ଡା ଏବଂ ନିତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ।