Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି।

ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ।

କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି।

ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ କରିଥିବା ପୂର୍ତ୍ତ ବିଭାଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ, ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି।

ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି।

ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସୂଚନା ଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ ବିଏମସି ର ମେୟର ସୁଲୋଚନା ଦାସ, ସିଏମଓର ମୁଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ।