Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ମଧ୍ୟାହ୍ନରେ ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା (ଅ.ଆଇ.କେ.ଏମ.କେ.ଏସ) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତର ଆଞ୍ଚଳିକ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା କି, ଗତ କିଛି ମାସ ହେଲା ଉକ୍ତ ଦୁଇ ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଉପରେ ବରବରା ଫରେଷ୍ଟ ବିଟର ବନ କର୍ମଚାରୀମାନେ ଜୋର ଜୁଲମ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଲଙ୍ଗଳ, ଜୁଆଳି, କାତି, କୁରାଢ଼ୀ ଏବଂ ମୋବାଇଲ ଆଦି ଛଡାଇ ନେଇଯାଉଛନ୍ତି ଏବଂ ଏହାର ପ୍ରତିବାଦ କଲେ ବନ କର୍ମଚାରୀମାନେ ଗିରଫର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଛନ୍ତି।

ଏହି ପରିପ୍ରେକ୍ଷୀରେ ପଞ୍ଚାୟତବାସି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ହେଲା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପୁର୍ବରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ କରିବା ଏବଂ ପଡ଼ା ଗ୍ରାମ ଗୁଡିକୁ ଅବିଳମ୍ବେ ରାଜସ୍ୱ ଗ୍ରାମ ଘୋଷଣା କରିବା।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବନ କର୍ମଚାରୀଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ତାହା ପ୍ରମାଣିତ ହୁଏ ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି।