Categories
ଆଜିର ଖବର ରାଜ୍ୟ ଖବର

୪ ବର୍ଷର ଶିଶୁର ୪ ଦିନ ପରେ ମିଳିଲା ସନ୍ଧାନ: ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ନିଖୋଜ ହେବାର ୪ ଦିନ ପରେ ୪ ବର୍ଷର ଶିଶୁର ସନ୍ଧାନ ମିଳିଛି। ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ ରାହୁଲ୍ (୪ ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ସେ ଘରକୁ ଫେରିନଥିଲା। ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ ନିଖୋଜ ଶିଶୁର ସନ୍ଧାନ ମିଳିନଥିଲା।

ଏହାପରେ ଗାଧୋଇବାକୁ ଯାଇଥିବା ଖଣିରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ପହଞ୍ଚିଥିଲା।ସେଠାରେ ତନ୍ନ ତନ୍ନ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜିଥିଲା। ନିକଟସ୍ଥ ଜଙ୍ଗଲ କୂଅ ପୋଖରୀରେ ମଧ୍ୟ ତଲାସ କରିଥିଲେ ମଧ୍ୟ୍ ସଫଳ ହୋଇ ପାରିନଥିଲେ।

ଆଜି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ଟାଙ୍ଗୀ ପୋଲିସ ତଦନ୍ତ କରୁଛି।

Categories
ଆଞ୍ଚଳିକ

ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ ସମ୍ଭବ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସରକାରଙ୍କ ବିଭିନ୍ନ ପ୍ରୟାସ ପରେ କିଛି ଦୁର୍ବୃତ୍ତ ଏହାକୁ ଅଣଦେଖା କରି ନିଜ ସ୍ଵାର୍ଥ ପାଇଁ ଲାଗିପଡିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ସତେ ଯେମିତି ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଯାହାଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଗତ ୫ ଦିନ ହେଲା ନିଆଁ ଜଳୁଛି। ଫଳରେ ବହୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୁନଶ୍ଚ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଛନ୍ତି।  ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହେଉଛନ୍ତି।

ତେବେ ଯଦି ଏହିପରି ଜଙ୍ଗଲରେ ନିଆଁ ଲାଗି ରହେ, ତେବେ ଆଗକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ଜନବସତି ମୁହାଁ ହେବେ। ଖୋର୍ଦ୍ଧା ଡ଼ିଏଫଓ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା: ଅଗ୍ନିଶମ ବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ 

ଭୁବନେଶ୍ବର : ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବ।

ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଂଜ ହେଡକ୍ବାଟର ରହିବ। ପ୍ରତ୍ୟେକ ରେଂଜ ହେଡକ୍ବାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର‌୍ୟ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା ଫାଷ୍ଟ ରେସପଣ୍ଡର ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର‌୍ୟ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର‌୍ୟ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଭାବରେ ବିକଶିତ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି। ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫ଟି ଶ୍ରୀ ଭି କେ ପାଣ୍ଡିଆନ ସଂଚଳନା କରିଥିଲେ।

ଅଗ୍ନିଶମ ବିଭାଗର ଡିଜି ଶ୍ରୀ ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କ ରେ ଉପସ୍ଥାପନା କରିଥିଲେ। ଆଲୋଚନା ରେ ମୁଖ୍ୟ ଶାସନ ସଚିବ ,ଶ୍ରୀ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଦେବଦୁତ ସାଜିଲା ଅଗ୍ନିଶମ ବାହିନୀ, ଜଳବନ୍ଦିରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ଲଗାଣ ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସଡ଼କ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।  ଏକାଧିକ ବାସିନ୍ଦାଙ୍କ ଘରେ ଫୁଟେ ଫୁଟେ ପାଣି ପ୍ରବେଶ କରିଥିବା ବେଳେ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ପ୍ରଶାସନ। ଜନସାଧାରଣମାନେ ଏହି ବିପଦ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖୋଜୁଥିବା ବେଳେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି।

ତେବେ ଉକ୍ତ ବିଭିଷିକା ମଧ୍ୟରେ ଏକ ପରିବାର ଜଳବନ୍ଦୀରେ ଦୀର୍ଘ ଘଣ୍ଟାଧରି ଫସିରହିଥିବା ବେଳେ ଶେଷରେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ସୂଚନା ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ କୋତରି ଗ୍ରାମର ଏକ ପରିବାରର ଚାରି ଜଣ ସଦସ୍ୟ ଜଳବନ୍ଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ। ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଖବର ପାଇ ଖୋର୍ଦ୍ଧା ଏଏଫଓ ଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଉକ୍ତ ସ୍ଥାନକୁ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଉକ୍ତ ପରିବାରର ସମସ୍ତ ଚାରି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛନ୍ତି।

ତେବେ ବିପଦ ସମୟରେ ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର ଉକ୍ତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଘର ପୋଡ଼ିଦେବା ଅଭିଯୋଗରେ ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଜନୈକ ମହିଳାଙ୍କ ଘରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ବଖରା ଘର ପୋଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଣପୁର ଥାନାରେ ଉକ୍ତ ଗ୍ରାମର ଝୁମୁରି ନାୟକ ଏଭଳି ଅଭିଯୋଗ କରିଛନ୍ତି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଉକ୍ତ ଅଗ୍ନିକାଣ୍ଡରେ ଜଗମୋହନ ନାୟକ ନାମକ ଯୁବକ ଜଡ଼ିତ ଥିବା ଝୁମୁରି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ପରିପ୍ରେକ୍ଷୀରେ ପୋଲିସ ଜଗମୋହନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ୧୯ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ: ୭ ମୃତ୍ୟୁ, ୨୧ ଟି ଅଗ୍ନିଶମ ବାହିନୀ ନିୟୋଜିତ

ମୁମ୍ବାଇ: ମୁମ୍ବାଇର ତାଡଦେବ ଅଞ୍ଚଳରେ ଥିବା ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି କୋଠାଟି ତାଡଦେବ ଅଞ୍ଚଳର ଭାଟିଆ ହସ୍ପିଟାଲ ସମ୍ମୁଖରେ। ଏହି ସମୟରେ ନିଆଁ ଲିଭାଇବା ପାଇଁ ୨୧ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଭୟଙ୍କର ଅଗ୍ନିକାଣ୍ଡ ଦେଖି ଭିଡ଼ ଜମିବା ପରେ ଟ୍ରାଫିକ ପୋଲିସ ଏବଂ ସ୍ଥାନୀୟ ପୋଲିସର ସାହାଯ୍ୟ ନିଆଯାଇଛି। ବର୍ତ୍ତମାନ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସମସ୍ତ ୭ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୫ ଜଣଙ୍କର ନାୟାର ହସ୍ପିଟାଲରେ, ଜଣେ କସ୍ତୁରବା ହସ୍ପିଟାଲରେ ଏବଂ ଆଉ ଜଣେ ଭାଟିଆ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୭.୩୦ ରୁ ଆରମ୍ଭ ହୋଇଥିଲା। ଅନୁମାନ କରାଯାଏ ଯେ ପ୍ରଥମେ ଅଗ୍ନିକାଣ୍ଡ କୋଠାର ୧୫ ମହଲାରେ ଆରମ୍ଭ ହୋଇ ଶୀର୍ଷରେ ପହଞ୍ଚିଥିଲା। ଅଗ୍ନିକାଣ୍ଡ ଯୋଗୁଁ ୧୯ ତମ ମହଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ ଏବଂ ଘଟଣାସ୍ଥଳରେ ରିଲିଫ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଶାଳିଆ ନଈରେ ଭାସିଗଲେ ବୟସ୍କ ବ୍ୟକ୍ତି: ଉଦ୍ଧାର କାର୍ଯ୍ୟରେ ବାଣପୁର ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଣିକପୁର ଗ୍ରାମର ଜନୈକ ବ୍ୟକ୍ତି ଶାଳିଆ ନଈରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଦୀର୍ଘ ଦୁଇ ଦିନ ପରେ ତାଙ୍କ ମୃତ ଶରୀରକୁ ନଦୀରୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ଅନୁରୂପଭାବେ ସମାନ ଘଟଣା ପୁଣି ଥରେ ଘଟିଯାଇଛି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମରେ। ଜଣେ ବ୍ୟକ୍ତି ନଦୀ ପାର ହେଉଥିବାବେଳେ ନଦୀରେ ଭାସିଯାଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର ବାଉରିଆ ଶବର (୫୫) ଆଜି ସକାଳେ ଦୁଇ ସହଯୋଗଙ୍କ ସହ ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘର ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କୋଷରଡ଼ା ଗ୍ରାମକୁ ଯାଇଥିଲେ।  ତେବେ ଗ୍ରାମକୁ ଯିବାକୁ ହେଲେ ବାଇକକୁ କୂଳରେ ରଖି ନଦୀରେ ପହଁରି ଅନ୍ୟ ପାର୍ଶ୍ୱକୁ ଯିବାକୁ ପଡିଥାଏ।

ତେବେ ସମ୍ପର୍କୀୟଙ୍କ ଘରୁ କାମ ସାରି ଅପରାହ୍ନ ଦୁଇ ଘଟିକାରେ ନିଜ ଗ୍ରାମ ସୋରଡ଼ାପଲି ଯିବାପାଇଁ ବାଉରିଆ ଏବଂ ଅନ୍ୟ ଦୁଇ ସହଯୋଗୀ ଉଦ୍ୟତ ହେଉଥିବାବେଳେ ନଦୀରେ ପହଁରି ଆର ପାର୍ଶ୍ଵକୁ ଯିବା ସମୟରେ ନଦୀର ପ୍ରଖର ସ୍ରୋତରେ ବାଉରିଆ ଭାସିଯାଇଥିବାର ତାଙ୍କ ସହଯୋଗୀ କହିଛନ୍ତି। ବାଉରିଆ ନଦୀରେ ଭାସି ଶାଳିଆ ଡ୍ୟାମରୁ ପ୍ରତାପ ଅଭିମୁଖେ ଯାଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ତେବେ ଏ ନେଇ ବାଉରିଆଙ୍କ ସହଯୋଗୀ ୧୧୨ କୁ ଫୋନ କରି ସୂଚନା ଦେବାପରେ ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ବାହାରିପଡିଛନ୍ତି। ବର୍ତ୍ତମାନ ଦୀର୍ଘ ଦୁଇ ଘଣ୍ଟା ହେଲା ବାଣପୁର ଅଗ୍ନିଶମ ଅଧିକାରୀ ପ୍ରବଳ ବର୍ଷାରେ ନିଖୋଜ ବାଉରିଆଙ୍କୁ ଖୋଜୁଥିବାବେଳେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଣପୁର: ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତ ଶରୀରକୁ ଅଗ୍ନିଶମ ବାହିନୀ ଠାବ କରିଛି। ଦୀର୍ଘ ଦୁଇ ଦିନ ହେବ ଉଭୟ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜନସାଧାରଣ ଏବଂ ପୋଲିସ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ନିଖୋଜ ଚରଣଙ୍କ ପତ୍ତା ମିଳିପାରିନଥିଲା। ଶେଷରେ ଆଜି ପୂର୍ବାହ୍ନରେ ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ ସର୍ଚ୍ଚ ଅପେରସନ କରୁଥୁବା ବେଳେ ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀରୁ ଚରଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଅଗ୍ନିଶମ ଅଧିକାରୀ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦ ତାରିଖ ସକାଳ ୬ ଘଟିକାରେ ଚରଣ ବେହେରା (୬୦) ଶୌଚ୍ଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ ଘଟିକାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସନ୍ଧାନ ମିଳିପାରିନଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଚରଣଙ୍କ ମୃତ ଦେହ ଉଦ୍ଧାର ହୋଇପାରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ: ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଅବସ୍ଥାରେ କୂପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ।

ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ମାନେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।