Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

ଭୁବନେଶ୍ୱର: ଛଅ ବର୍ଷର ଶିଶୁପୁତ୍ରଟିର ଇଚ୍ଛା ଥିଲା ସେ ଗୋଟିଏ ପୁରସ୍କାର ପାଇବ। ମା’ବି ତାକୁ ଆଶ୍ୱାସନା ଦେଇଥିଲେ ଯେ, ସେ ଏଭଳି ପୁରସ୍କାର ପାଇବ ଯାହା କେହି ବି ପାଇ ନଥିବେ। ଶିଶୁଟି ଜୀବିତ ଅବସ୍ଥାରେ ପୁରସ୍କାର ପାଇପାରିଲା ନାହିଁ ସତ, ତେବେ ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି।

ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା। ମାତ୍ର ଶିଶୁଟି ବ୍ରେନ୍ ଡେଡ ଘୋଷିତ ହେବା ପରେ ତାର ପିତା-ମାତା ତାର ଅଙ୍ଗଦାନ କରିବା ନିମନ୍ତେ ମନସ୍ଥ କରିଥିଲେ। ଶିଶୁଟିର ଦୁଇ କିଡ଼ନୀ ଆଉ ଦୁଇଟି ରୋଗୀଙ୍କର ଜୀବନ ବଂଚାଇବାରେ ସାହାଯ୍ୟ କରିଛି।

ଅଂଗଦାନ ଭଳି ମହତ କାର୍ଯ୍ୟରେ ଅଗ୍ରଣୀ ସମ୍ ଅଲ୍ଟିମେଟ ମେଡିକେୟାର ହସ୍ପିଟାଲ୍‌ରେ ଏହି ଶିଶୁଟିର ଦୁଇଟି ବୃକକକୁ ବାହାର କରାଯାଇ ଭୁବନେଶ୍ୱର ଏମ୍ସ ଏବଂ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଯାଇଛି।

ଗତ ୬ ତାରିଖ ଦିନ ଶିଶୁଟିର ମୁଣ୍ଡ ଉପରେ ୩ କ୍ୱିଂଟାଲ୍ ଓଜନର ଏକ ଗେଟ ପଡ଼ିଯିବା ପରେ ଶିଶୁର ବାପା-ମା ପ୍ରଥମେ ବାଲେଶ୍ୱର ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟମେଟ ମେଡିକେୟାରରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ। ତେବେ ଅନେକ ଚିକିତ୍ସା ଓ ଚେଷ୍ଟା ସତ୍ୱେ ଶିଶୁଟିକୁ ବଂଚା ଯାଇପାରି ନଥିଲା। ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯାହାକୁ କି ସିଭିୟର ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରି ବୋଲି କୁହାଯାଏ ବୋଲି ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀ କହିଥିଲେ।

ଅନେକ ପ୍ରଚେଷ୍ଟା ସତ୍ୱେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ତେଣୁ ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା ଏବଂ ଡାକ୍ତର ପାଣିଗ୍ରାହୀ ତା’ର ଦୁଇ ଥର ଆପ୍‌ନିଆ ଟେଷ୍ଟ କରାଇବା ପରେ ଶିଶୁଟିକୁ ବ୍ରେନ୍ ଡେଡ ଘୋଷଣା କରାଯାଇଥିଲା।

ନିଜ କୁନି ପୁଅର ମୃତ୍ୟୁ ପରେ ଅନ୍ୟ କାହାର ଜୀବନ ବଂଚାଇବା ସହ ଆଉ କେଉଁ ପିତା-ମାତାଙ୍କ ଜୀବନରେ ଖୁସି ଆଣିବାର ମହତ୍ ଉଦ୍ଦେଶ୍ୟ ନେଇ ଶିଶୁଟିର ବାପା-ମା ଅଂଗଦାନ କରିବା ପାଇଁ ନିଷ୍ପତି ନେଇ ହସ୍ପିଟାଲ୍‌ର କର୍ତୃପକ୍ଷଙ୍କୁ ଜଣାଇଥିଲେ।

ସମ୍ମମ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ଅବଗତ କରାଯାଇ ଅଂଗଦାନ ଓ ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।

ଏହାକୁ ମିଶାଇ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ ପକ୍ଷରୁ ଚତୁର୍ଥ ଥର ପାଇଁ ଅଂଗଦାନ କରାଯାଇଥିବା ବେଳେ ସମୁଦାୟ ୧୩ଟି ଅଂଗ ପ୍ରତ୍ୟାରୋପଣ ପାଇଁ ବିଭିନ୍ନ ହସ୍ପିଟାଲ୍‌କୁ ପଠାଯାଇଛି। ଆଗକୁ ମଧ୍ୟ ଏହି ମହତ୍ କାର୍ଯ୍ୟ ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି ଏହାର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି ଯେ ସମ୍ମମ୍ ପକ୍ଷରୁ ଅଂଗଦାନ ଭଳି ମହତ କାର୍ଯ୍ୟକୁ ଅଧିକ ଲୋକାଦୃତ କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ

ରେଢ଼ାଖୋଲ (କନ୍ଦର୍ପ ବେହେରା): ମୃତ୍ୟୁ ପରେ ବି ଜୀବନ ବଞ୍ଚି ରହିବାର ଏକମାତ୍ର ମାଧ୍ୟମ ହେଉଛି ଅଙ୍ଗଦାନ। କେବଳ ସେତିକି ନୁହେଁ ଏଭଳି ଉଦ୍ୟମ ଯୋଗୁଁ ମୃତ୍ୟୁ ପରେ ମଧ୍ୟ କେହି ଜଣେ ଅକ୍ଷମ ବ୍ୟକ୍ତିଙ୍କୁ ସକ୍ଷମ କରିହେବ। ତେଣୁ ନିଃସ୍ଵାର୍ଥପର ସେବା ମାଧ୍ୟମରେ ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ସରାପାଲି ସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ଛାତ୍ରୀନିବାସରେ ଅନୁଷ୍ଠିତ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି।

ସରାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ଯ ଅତିଥି ଓ ନୂଆଦିଲ୍ଲୀ ସ୍ଥିତ ଭାରତୀ ୟୋଡା କ୍ଳବ୍ ର ସଭାନେତ୍ରୀ ରୋଜାଲିନ ଦାଶ ସାଧନକର୍ମୀ ଭାବେ ଯୋଗଦେଇ ଅଙ୍ଗଦାନର ମହତ୍ତ୍ଵ ଓ ଆବଶ୍ୟକତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଛାତ୍ରୀନିବାସର ୧୮୦ ଜଣ ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ବେଶ୍ ଉତ୍ସାହପ୍ରଦ ଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ରଶ୍ମିରେଖା ସାହୁ ଓ ରିତାରାଣୀ ପ୍ରଧାନ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

ଭୁବନେଶ୍ବର:  ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜ କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ State Organ & Tissues Transplant Organization (SOTTO) ପ୍ରତିଷ୍ଠା କରିଛନ୍ତି।

ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାର ୨୦୨୦ରୁ ସୁରଜ ପୁରସ୍କାର ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜଙ୍କ ନାମରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି। ସଡକ ଦୁର୍ଘଟଣାରେ ଗୁରୁତର ଆହତ ସୁରଜଙ୍କ ମସ୍ତିଷ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସୁରଜଙ୍କର ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗଗୁଡିକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଗୁରୁତ୍ୱପୂର୍ଣ ଅଙ୍ଗଗୁଡିକ ୬ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା।

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥି ସହିତ ପ୍ରତିବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଅଗଷ୍ଟ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାତାମାନଙ୍କ ନିକଟତମ ଆତ୍ମୀୟଙ୍କୁ ସମ୍ମାନିତ ମଧ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରତି ୫ ଜଣ ଦାତାଙ୍କ ମଧ୍ୟରୁ ୪ ଜଣ ଅଙ୍ଗଦାନ କରନ୍ତି: ଅଙ୍ଗଗ୍ରହଣ କରୁଥିବା ଲୋକଙ୍କ ମଧ୍ୟରୁ ୮୦% ପୁରୁଷ

ନୂଆଦିଲ୍ଲୀ: ଅଙ୍ଗଦାନ କ୍ଷେତ୍ରରେ ଦେଶରେ ମହିଳାମାନେ ଆଗରେ ଅଛନ୍ତି। ପ୍ରତି ପାଞ୍ଚଟି ଅଙ୍ଗଦାନ ମଧ୍ୟରୁ ୪ଟି ମହିଳାମାନେ କରିଥାନ୍ତି। ସେହିପରି ଦାନ କରାଯାଇଥିବା ୫ଟି ଅଙ୍ଗ ମଧ୍ୟରୁ ୪ଟି ଅଙ୍ଗ ପୁରୁଷଙ୍କ ଜୀବନ ବଞ୍ଚାଇପାରିଛି। ପରିସଂଖ୍ୟାନ ଏହା କହୁଛି। ସେମାନଙ୍କ କହିବା ଅନୁଯାୟୀ, ୧୯୯୫ରୁ ୨୦୨୧ ମଧ୍ୟରେ ଦେଶରେ ୩୬,୬୪୦ ପ୍ରତିରୋପଣ ହୋଇଥିଲା। ଏମାନଙ୍କ ମଧ୍ୟରୁ ୨୯ ହଜାର ପୁରୁଷ ଥିବାବେଳେ ମାତ୍ର ୬୯୪୫ ଜଣ ମହିଳା ଅଙ୍ଗ ପ୍ରତ୍ୟାରୋପଣରୁ ଉପକୃତ ହୋଇଛନ୍ତି। ଅଙ୍ଗଦାନରେ ଏହି ବଡ଼ ପାର୍ଥକ୍ୟର କାରଣ ହେଉଛି ସାମାଜିକ ଚାପ ଏବଂ ଅର୍ଥନୈତିକ ଏବଂ ଆର୍ଥିକ ଦାୟିତ୍ୱ ସହିତ ଅନ୍ତର୍ନିହିତ ପ୍ରାଥମିକତା।

ଜୀବନ୍ତ ଅଙ୍ଗଦାନରେ ମଧ୍ୟ ମହିଳାମାନେ ଆଗରେ

ଜୀବନ୍ତ ଅଙ୍ଗଦାନରେ ମଧ୍ୟ ମହିଳାମାନେ ଆଗୁଆ ଅଛନ୍ତି, ଅର୍ଥାତ୍ ଯେଉଁମାନେ ଜୀବିତ ଅବସ୍ଥାରେ ଅଙ୍ଗଦାନ କରନ୍ତି। ନ୍ୟାସନାଲ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ଆଣ୍ଡ ଟିସୁ ଅର୍ଗାନାଇଜେସନ (ନୋଟୋ)ର ନିର୍ଦ୍ଦେଶକ ଡକ୍ଟର ଅନୀଲ କୁମାର କହନ୍ତି, ଅଧିକାଂଶ ମହିଳା ଜୀବନ୍ତ ଦାତା। ସେହି ସମୟରେ ଅଧିକାଂଶ ପୁରୁଷ ମୃତ ଦାତା ଥିଲେ ଅର୍ଥାତ ମୃତ୍ୟୁ ପରେ ସେହି ପୁରୁଷଙ୍କ ଅଙ୍ଗଦାନ କରାଯାଇଥିଲା। ଏକ୍ସପେରିମେଣ୍ଟାଲ ଆଣ୍ଡ କ୍ଲିନିକାଲ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ଅନୁଯାୟୀ, ୨୦୧୯ରେ ସମୁଦାୟ ଅଙ୍ଗ ପ୍ରତ୍ୟାରୋପଣମଧ୍ୟରୁ ୯୩% ଜୀବନ୍ତ ଦାତା ଥିଲେ। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଜୀବିତ ଦାତା ହେଉଛନ୍ତି ମହିଳା। ଏମାନଙ୍କ ଠାରୁ ଅଙ୍ଗ ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୮୦% ହେଉଛନ୍ତି ପୁରୁଷ। ଅର୍ଥାତ୍ ଅଙ୍ଗଦାନ କ୍ଷେତ୍ରରେ ପୁରୁଷମାନେ ମହିଳାଙ୍କ ଆଖପାଖରେ ନ ଥାନ୍ତି । ଜଣେ ଜୀବିତ ଦାତା ଜୀବିତ ଥିବା ସମୟରେ ନିଜର କିଡନୀ ଏବଂ ଯକୃତ ଦାନ କରିପାରିବେ। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କୁ କିଡନୀ ଦାନ କରିଥାନ୍ତି।

ସାମାଜିକ-ଅର୍ଥନୈତିକ ଚାପ ଯୋଗୁଁ ଅଧିକ ଅଙ୍ଗଦାନ କରାଯାଏ

ଅଧ୍ୟୟନରୁ ଜଣାପଡିଛି ଯେ ସାମାଜିକ-ଅର୍ଥନୈତିକ ଚାପ ଯୋଗୁଁ ଅଧିକାଂଶ ମହିଳାଙ୍କ ଉପରେ ଅଙ୍ଗଦାନ ପାଇଁ ଚାପ ପଡ଼ିଥାଏ। ସେମାନେ ଭାବନ୍ତି ଯେ ପୁରୁଷମାନେ ଘର ପାଇଁ ରୋଜଗାରକ୍ଷମ, ଯଦି ସେମାନେ ଅଙ୍ଗଦାନ କରନ୍ତି ତେବେ ସେମାନଙ୍କୁ ଘରେ ବସିବାକୁ ପଡ଼ିପାରେ। ମହିଳାଙ୍କ ଅଙ୍ଗଦାନର କାରଣ ହେଉଛି ଆର୍ଥିକ କ୍ଷତିରୁ ବର୍ତ୍ତିବା। ମହିଳାମାନେ କେବଳ ସ୍ୱାମୀଙ୍କୁ ନୁହେଁ ବରଂ ପିଲା ଓ ଭାଇଭଉଣୀଙ୍କୁ ମଧ୍ୟ ଅଙ୍ଗଦାନ କରିଥାନ୍ତି।

ମହିଳାଙ୍କ ଅଗ୍ରଣୀ ଅଙ୍ଗଦାନ ଯୋଗୁଁ ସାମାଜିକ-ଅର୍ଥନୈତିକ ଚାପ

ପୁଣେର ଡିୱାଇ ମେଡ଼ିକାଲ କଲେଜର ପ୍ରତିରୋପଣ ସଂଯୋଜକ ମୟୁରୀ ବାର୍ଭେ କୁହନ୍ତି, ‘ମୁଁ ୧୫ ବର୍ଷ ଧରି ଏହି କ୍ଷେତ୍ରରେ ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କେବଳ ଗୋଟିଏ ମାମଲା ଦେଖିଛି ଯେଉଁଥିରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ଅଙ୍ଗଦାନ କରିଛନ୍ତି। ଅନ୍ୟ ସମସ୍ତ ମାମଲାରେ କେବଳ ଅଙ୍ଗଦାନ କରିଥିବା ମହିଳାଙ୍କୁ ଦେଖିବାକୁ ମିଳିଥିଲା। ପାରିବାରିକ ଦାୟିତ୍ୱ ଓ ଆର୍ଥିକ କ୍ଷତିରୁ ପରିବାରକୁ ରକ୍ଷା କରିବା ପାଇଁ ମହିଳାମାନେ ଏପରି କରନ୍ତି। ପିତାମାତା ଖୁସିରେ ପିଲାଙ୍କ ପାଇଁ ଅଙ୍ଗଦାନ କରିଥାନ୍ତି। ଯେତେବେଳେ ଏହି ଦୁଇଜଣ ନ ଥାନ୍ତି, ପତ୍ନୀମାନେ ଆଗେଇ ଆସନ୍ତି। ଅଧିକାଂଶ ସମୟରେ ଝିଅ ଅବିବାହିତ ହେଲେ ଦାତା ହୋଇଯାଏ। କିନ୍ତୁ ଯଦି ପତ୍ନୀଙ୍କୁ କୌଣସି ଅଙ୍ଗର ଆବଶ୍ୟକତା ଥାଏ, ତେବେ ସମ୍ଭବତଃ ତାଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଥାଏ।’ ମୟୁରୀ କୁହନ୍ତି ଯେ ଯଦି ଅଙ୍ଗ ଗ୍ରହଣକାରୀ ଜଣେ ରୋଜଗାରକ୍ଷମ ବ୍ୟକ୍ତି ତେବେ ପତ୍ନୀ କିମ୍ବା ପିତାମାତା ଅଙ୍ଗଦାନ କରିବାର ଦାୟିତ୍ୱ ଅନୁଭବ କରନ୍ତି। କିନ୍ତୁ ଯଦି କୌଣସି ମହିଳାଙ୍କୁ ଅଙ୍ଗ ମିଳିଥାଏ ଏବଂ ଯଦି ତାଙ୍କୁ ପରିବାରର କୌଣସି ସଦସ୍ୟ ସେହି ଅଙ୍ଗ ଦେଇଥାନ୍ତି, ତେବେ ସେ ନିଜକୁ ଦୋଷୀ ମନେ କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଗୁରୁବାର ଦିନ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ପକ୍ଷରୁ ଏକାଧିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏମ୍ସ ଓପିଡି ପରିସରରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ। ସେହିପରି ଏମ୍ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଚମତ୍କାର ନାଟ୍ୟାଅଭିନୟ କାର‌୍ୟ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଥିଲା।

ଡିନ୍ ତଥା ଭାରପ୍ରାପ୍ତ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପି ଆର୍ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ କିପରି ଏକାଧିକଙ୍କୁ ଜୀବନଦାନ ଦେଇଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ ଉପସ୍ଥିତ ଅତିଥିବୃନ୍ଦ।

ଡ. ସଞ୍ଜୀବ ଭୋଇ (ନ୍ୟୁରୋଲୋଜି), ଡ. ଆଶିଷ ପଟ୍ଟନାୟକ (ନ୍ୟୁରୋ ସର୍ଜରୀ), ଡ. ସଙ୍ଗୀତା ସାହୁ (ଟ୍ରମା ଏବଂ ଜରୁରୀକାଳୀନ ବିଭାଗ), ଡ. ଭାଗିରଥୀ ଦ୍ୱିବେଦୀ (ଶିଶୁରୋଗ), ଡ. ପ୍ରଭାସ ରଂଜନ ତ୍ରିପାଠୀ (ଆନାଟୋମି) ପ୍ରମୁଖ ବରିଷ୍ଠ ଚିକିତ୍ସକମାନେ ଅଙ୍ଗଦାନର ବର୍ତ୍ତମାନ ସମୟରେ ରହିଥିବା ତାତ୍ପର‌୍ୟ୍ୟପୂର୍ଣ୍ଣ ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେହିପରି ଡ. ସନ୍ଦୀପ ପଣ୍ଡା (ନେଫ୍ରୋଲୋଜି) ଏବଂ ଡ. ମନୋଜ ଦାସ (ୟୁରୋଲୋଜି) ଏମ୍ସ ଭୁବନେଶ୍ୱରରେ ସଫଳତାରେ ସହିତ ଜାରି ରହିଥିବା କିଡ୍ନୀ ପ୍ରତିରୋପଣ ପ୍ରସଙ୍ଗରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କଲେଜ ଅଫ୍ ନର୍ସିଂର ଡ. ଧରିତ୍ରୀ ସ୍ବାଇଁ ଅଙ୍ଗଦାନ କ୍ଷେତ୍ରରେ ନର୍ସିଂ କେୟାରର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଡ. ବ୍ରହ୍ମଦତ୍ତ ପଟ୍ଟନାୟକ (ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ ଅତିଥିବୃନ୍ଦ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଏକ ସଫଳ କାର‌୍ୟ୍ୟକ୍ରମ ଆୟୋଜନ କରିଥିବାରୁ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଅଙ୍ଗଦାନ ଏବଂ ପ୍ରତିରୋପଣକୁ ଉତ୍ସାହିତ କରିବା ନିମନ୍ତେ ଏମ୍ସ ସଦାସର୍ବଦା ପ୍ରତିବଦ୍ଧ ଥିବା ନେଇ ଡ. ବିଶ୍ବାସ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ଏହି କ୍ଷେତ୍ରରେ ବେଶ୍ ଉତ୍ସାହଜନକ କାର‌୍ୟ୍ୟକ୍ରମମାନ ହାତକୁ ନେଇଛି। ଏହି ଜାତୀୟ ଅନୁଷ୍ଠାନରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କାର‌୍ୟ୍ୟକ୍ରମ ଆରମ୍ଭ ହୋଇସାରିଛି। ସୁଲଭ ମୂଲ୍ୟରେ ହେଉଥିବା କିଡ୍ନୀ ପ୍ରତିରୋପଣ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରିଛି। ସେହିପରି ଏମ୍ସ ଭୁବନେଶ୍ୱରରେ ଶୀଘ୍ର କ୍ୟାଡେଭେରିକ୍ ଅଙ୍ଗଦାନ କାର‌୍ୟ୍ୟକ୍ରମ ଏବଂ ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଯାହାକି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଉପକୃତ କରିବା ସହିତ ଅଙ୍ଗଦାତାଙ୍କୁ ଉତ୍ସାହିତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗଦାନ ପାଇଁ ତିନି ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶ୍ବ ଅଙ୍ଗଦାନ ଦିବସରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗଦାନ ପାଇଁ ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଅଙ୍ଗଦାନ ପାଇଁ ତିନି ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂ ଯୋଗେ ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଅଙ୍ଗଦାତାଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି ।  ଗଞ୍ଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାମରେ ନାମିତ ହୋଇଛି ସୂରଜ ସମ୍ମାନ ।

 

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :

ଅଙ୍ଗଦାନ ପରି ମହତ କାର୍ଯ୍ୟ କରିଥିବା ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ କଟକ ଏସସିବିରେ ପ୍ରଥମ ଥର ମୃତ୍ୟୁକାଳୀନ କିଡ୍‌ନୀ ପ୍ରତ୍ୟାରୋପଣ ସଫଳ କରିଥିବା ଡାକ୍ତରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାରାଣୀଙ୍କ ପରିବାର ଲୋକଙ୍କ ବଳିଦାନ ଓ ଡାକ୍ତରମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ରାତ୍ରିରେ ଏସ୍‌ସିବିରେ ଜଣେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କଠାରେ ଭୁବନେଶ୍ବରର ଆପୋଲ୍‌ରେ ବ୍ରେନ୍‌ଡେଡ୍‌ ହୋଇସାରିଥିବା ପ୍ରିୟଙ୍କାରାଣୀଙ୍କ କିଡ୍‌ନୀଙ୍କୁ ନେଇ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇପାରିଥିଲା ।