Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝାରପଡା ଜେଲରେ ପହଞ୍ଚିଲେ ଅଞ୍ଜନା ମିଶ୍ର: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ବିବନ ବିଶ୍ୱାଳର ଟିଆଇ ପରେଡ୍ ଆରମ୍ଭ ହେବ। ଜେଏମଏଫସି ସୁଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ ଝାରପଡ଼ା ଜେଲରେ କରାଯିବ। ଏଥିପାଇଁ ଅଞ୍ଜନା ମିଶ୍ର ଝାରପଡ଼ା ଜେଲ ପରିସରରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ବିବନକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲେ ମଧ୍ୟ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ପାଇଁ ବିବନକୁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି।

ଏହି ଟିଆଇ ପରେଡ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି ଯେ ଦୀର୍ଘ ୨୨ ବର୍ଷ ପରେ ସେ ଅଭିଯୁକ୍ତକୁ ଚିହ୍ନିବା କଷ୍ଟକର ବ୍ୟାପାର। ଅନ୍ୟପକ୍ଷରେ ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖ୍ୟଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଂଚଳରେ ଅଞ୍ଜନା ମିଶ୍ରଙ୍କୁ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଗଣଦୁଷ୍କର୍ମ କରିଥିଲେ। ଘଟଣାର ୧୭ ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର। ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଇଥିଲା।