Categories
ଆଞ୍ଚଳିକ

ନୟାଗଡ: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଚାନ୍ଦପୁର ଏସଆଇ ଅଞ୍ଜଳି ସା

ନୟାଗଡ: ଆଜି ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ସ୍ଥିତ ପୋଲିସ ଟ୍ରେନିଂ ପଡିଆରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ସବ ଇନ୍ସପେକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ଚାନ୍ଦପୁର ଥାନା ମହିଳା ଏସଆଇ ଅଞ୍ଜଳି ସା। ନୟାଗଡ଼ ଏସପି ଆଇପିଏସ ସିଦ୍ଧାର୍ଥ କାଟାରିଆ ଅଞ୍ଜଳିଙ୍କୁ ଏଥି ନିମନ୍ତେ ପୁରସ୍କୃତ କରିଛନ୍ତି। ଅଞ୍ଜଳି ଜଣେ ଦକ୍ଷ ପୋଲିସ ଅଧିକାରିଣୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା। ୨୦୧୭ ବ୍ୟାଚର ଉକ୍ତ ଏସଆଇ ପ୍ରଥମ ପୋଷ୍ଟିଙ୍ଗ ଇଟାମାଟି ଥାନାରେ ପାଇଥିବା ବେଳେ ସେଠାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ।

୨୦୨୧ ରେ ଚାନ୍ଦପୁର ଥାନାରେ ପୋଷ୍ଟିଙ୍ଗ ହେବା ପରଠାରୁ ମାତ୍ର ଏକ ବର୍ଷ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳରେ ଏକାଧିକ ଅପରାଧିକ ଗତିବିଧିଙ୍କୁ ରୋକ ଲଗାଇବାରେ ଅଞ୍ଜଳି ସଫଳ ହୋଇପାରିଛନ୍ତି। ବିଶେଷ କରି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା, ଏକାଧିକ ନାବାଳିକାଙ୍କୁ ଉଦ୍ଧାର କରିବା, ଅବକାରୀ ଚଢ଼ାଉ ଏବଂ ୱାରେଣ୍ଟ ଗିରଫ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଅଞ୍ଜଳି ଅନେକ ପ୍ରଶଂସା ସାଉଁଟିପାରିଛନ୍ତି।

ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ କୁହନ୍ତି ଏସଆଇ ଅଞ୍ଜଳି ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠା ପୋଲିସ ଅଧିକାରିଣୀ ଏବଂ ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ବହୁ ଅପରାଧିକ ମାମଲାକୁ ସମାଧାନ କରିପାରିଛନ୍ତି। ଚାନ୍ଦପୁର ଥାନା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଏସଆଇ ଏହି ପୁରସ୍କାର ପାଇନଥିବା ବେଳେ ଅଞ୍ଜଳିଙ୍କ ଏହି କୃତିତ୍ୱ ନିମନ୍ତେ ଚାନ୍ଦପୁର ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ସାରା ଚାନ୍ଦପୁରବାସି ଅଞ୍ଜଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।