Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଶ୍ରମିକଙ୍କୁ ନେଇଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ ଶ୍ରମିକଙ୍କୁ ନେଇଯାଉଥିବା ଅଟୋଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା କୈରାସୀ ଅଞ୍ଚଳରୁ ୧୦ ଜଣ ଶ୍ରମିକଙ୍କୁ ନେଇ ଅଟୋଟି ବାଲୁଗାଁ ରେଳ ଷ୍ଟେସନ ଅଭିମୁଖେ ଯାଉଥିଲା। ଉକ୍ତ ଶ୍ରମିକ ମାନେ କୋଣାର୍କ ଏକ୍ସପ୍ରେସ ଜରିଆରେ ଆଜି ସଂନ୍ଧ୍ୟାରେ ମୁମ୍ବାଇ ଯାଇଥାନ୍ତେ। ତେବେ ଅପରାହ୍ନ ୨.୩୦ ଘଟିକା ସମୟରେ ଭାରସାମ୍ୟ ହରାଇ ଅଟୋଟି ନାଭାଲ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଓଲଟି ପଡିଥିଲା। ଫଳରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳବାସୀ ଗୁରୁତର ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋ ଜରିଆରେ ବାଲୁଗାଁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ଓଲଟିଲା ଅଟୋ: ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମିଳିଲା ଦେଶୀ ମଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ଅଟୋ ଦୁର୍ଘଟଣା ହୋଇ ଓଲଟିପଡିଲା ଏବଂ ତାକୁ ଉଦ୍ଧାର କରିବାରୁ ଧରା ପଡିଲା ଅଟୋ ଭିତରେ ଥିବା ଦେଶୀ ମହୁଲି ବୋଝେଇ ବସ୍ତା। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାଖେଳା ବାଇପାସରେ ଏପରି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪:୧୦ ମିନିଟରେ ଓଡ଼ି-୦୨-ଏଇଉ ୫୦୪୧ ନମ୍ବର ବିଶିଷ୍ଟ ଏକ ଅଟୋ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁନାଖେଳା ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଏହି ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଅଟୋ ଏବଂ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ଯାଞ୍ଚବେଳେ ଉକ୍ତ ଅଟୋରୁ ତିନି ଗୋଟି ବ୍ୟାଗ ଯେଉଁଥିରେ ୯୦ ଲିଟର ଦେଶୀ ମହୁଲି ଏବଂ ଗୋଟିଏ ସିମେଣ୍ଟ ବସ୍ତା ମିଳିଥିଲା।

ଏହାକୁ କେନ୍ଦ୍ରକରି ନାଚୁଣୀ ପୋଲିସ ଅଟୋରେ ଉପସ୍ଥିତ ଥିବା ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଟୋ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଲେ ଭୁବନେଶ୍ୱରର ଜଗନ୍ନାଥ ରଣା(୩୪) ଏବଂ ଯାତ୍ରୀ ଜଣକ ହେଲେ ବିହାରର ରଞ୍ଜିତ ଶର୍ମା (୨୫)। ଉଭୟେ ଖଲିକୋଟ ନିର୍ମଳଝର ଅଞ୍ଚଳରୁ ଦେଶୀ ମହୁଲି ନେଇ ଭୁବନେଶ୍ୱରରେ ବିକିବା ଉଦ୍ଦେଶ୍ୟରେ ଯାଉଥିବାର ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଉଭୟଙ୍କ ନାମରେ ଓଡିଶା ଅବକାରୀ ଆଇନ ୨୦୦୮ ଅନୁଯାୟୀ କେସ ନମ୍ବର ୩୩୧/୨୦ ରେ ବାଣପୁର ଥାନାରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରିରଖିଛି।