Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ’ ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି।

ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି। ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି।

ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା। ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ରେ, ଏହି ପ୍ରକାରର ଚାଉଳ ରପ୍ତାନି ପ୍ରାୟ ୧୫.୫୪ ଏଲଏମଟି ରହିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ସମୟରେ କେବଳ ୧୧.୫୫ ଏଲଏମଟି ଥିଲା, ଅର୍ଥାତ୍‍ ଏହା ୩୫% ବୃଦ୍ଧି ପାଇଛି। ରପ୍ତାନିରେ ଏହି ଦ୍ରୁତ ଅଭିବୃଦ୍ଧି ଅର୍ନ୍ତଜାତୀୟ ବଜାରରେ ଦରବୃଦ୍ଧି, ଭୂ-ରାଜନୈତିକ ପରିସ୍ଥିତି, ଏଲ୍ ନିନୋ ପ୍ରଭାବ ଏବଂ ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶରେ ପ୍ରତିକୂଳ ଜଳବାୟୁ ପରିସ୍ଥିତିର କାରଣକୁ ଦାୟୀ କରାଯାଉଛି।

ଅଣ- ବାସମତୀ ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫% ଅଟେ। ଅଣ- ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଦେଶରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରିବ।

ଅବଶ୍ୟ, ଚାଉଳ ରପ୍ତାନୀର ସିଂହ ଭାଗ ଥିବା ଅଣ ବାସମତି ଚାଉଳ (ଉଷୁନା ଚାଉଳ) ଏବଂ ବାସମତି ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ନିଶ୍ଚିତ କରିବ ଯେ କୃଷକମାନେ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅନୁଯାୟୀ ଲାଭ ପାଇବା ଜାରି ରଖିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କରୋନା ବେଳେ ପାରାଦ୍ବୀପ ବନ୍ଦରରୁ ଭିଏତନାମକୁ ରପ୍ତାନୀ ହେଲା ଅଣ ବାସମତୀ ଚାଉଳ

ଭୁବନେଶ୍ବର, ଭାରତ ବିଦେଶକୁ ଚାଉଳ ରପ୍ତାନୀ କ୍ଷେତ୍ରରେ ଆଉ ଏକ ବିରାଟ ସଫଳତା ହାସଲ କରିଛି । ଦେଶର ପୂର୍ବାଞ୍ଚଳ କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଦେଶକୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ ଆରମ୍ଭ କରାଯାଇଛି । ଆଜି ଓଡ଼ିଶାର ପାରାଦୀପ ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ ବା ପିଆସିଟି ଠାରୁ ସରକାରୀ ଭାବେ ପତାକା ଦେଖାଇ ଭିଏତନାମକୁ ପଠାଯିବା ନିମନ୍ତେ ଏକ ଜାହାଜରେ ବୋଝେଇ କରାଯାଇଛି ।

ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ଅଣ ବାସମତୀ କିଷମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି । ସାରଳା ଫୁଡ଼ସ୍‍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ମଙ୍ଗଳବାର ଦିନ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ ତିନି ମାସ ମଧ୍ୟରେ ଆଉ ୫୦୦ଟି କଣ୍ଟେନରରେ ଏଭଳି କିଷମର ଚାଉଳ ବୋଝେଇ ହୋଇ ପିଆସିଟିରୁ ଭିଏତନାମ ପଠାଯିବାର ଯୋଜନା ରହିଛି ।

ଏହି ଚାଉଳ ରପ୍ତାନୀ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଲ ପ୍ରାଧିକରଣ ବା ଏପିଇଡ଼ିଏ ର ଏକ ସଦସ୍ୟ ରପ୍ତାନୀକାରୀ ମେସର୍ସ ସାରଳା ଫୁଡ଼ ପକ୍ଷରୁ ମଙ୍ଗଳବାର ଦିନ ଭିଏତନାମର ହାଇ ଫୋଙ୍ଗ୍‍ ବନ୍ଦରକୁ ପଠାଯିବ । “ପିଆଇସିଟି ମାଧ୍ୟମରେ ଏଭଳି ଚାଉଳ ରପ୍ତାନୀ କରାଯିବା ଦ୍ୱାରା ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କୁ ଭାରତର ଅଣ ବାସମତୀ କିଷମର ଚାଉଳ ରପ୍ତାନୀ କ୍ଷମତା ବୃଦ୍ଧି ପାଇବ ଏବଂ ଏହା ଓଡ଼ିଶା ତଥା ପ୍ରତିବେଶୀ ରାଜ୍ୟମାନଙ୍କର ପ୍ରାୟ ଦୁଇ ଲକ୍ଷ ଚାଷୀଙ୍କୁ ଉପକୃତ କରାଇବ ।” ବୋଲି ଏହି ମାଲ ବୋଝେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଏପିଇଡ଼ିଏର ଅଧ୍ୟକ୍ଷ ଡକ୍ଟର ଏମ୍‍ ଅଙ୍ଗମୁଥୁ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଏପିଇଡ଼ିଏର ସାଧାରଣ ପରିଚାଳକ ଏସ ଏସ ନାୟାର, ଉପ ସାଧାରଣ ପରିଚାଳକ ବିନିତା ସୁଧାଂଶୁ, ସାରଳା ଫୁଡସ୍‍ ଗ୍ରୁପର ପ୍ରମୋଟର ପ୍ରତିଷ୍ଠାତା ବିଦୋନ ଅଗ୍ରୱାଲ, ଟିଆରଇଏର ଅଧ୍ୟକ୍ଷ, ବି ଭି କ୍ରିଷ୍ଣା ରାଓ, ଟିଆରଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜୀବ କୁମାର, ପିଆସିଟିର ଉପାଧ୍ୟକ୍ଷ ତଥା ଟର୍ମିନାଲ ମୁଖ୍ୟ କ୍ୟାପଟେନ ସୁଦୀପ ବାନାର୍ଜୀ ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା, ଶିଳ୍ପ ଓ ରପ୍ତାନୀ ପ୍ରୋତ୍ସାହନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଭଣ, ପୋର୍ଟ ଅଫିିସର, ପି କ୍ୟୁ ଅଧିକାରୀ ତଥା ବାଣିଜ୍ୟ ଓ ଶ୍ରମ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

୨୦୨୦-୨୧ ମସିହାର ଏପ୍ରିଲ- ଫେବୃଆରୀ ଅବଧି ମଧ୍ୟରେ ଦେଶରୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ କ୍ଷେତ୍ରରେ ବେଶ୍‍ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୨୧ ଏପ୍ରିଲ- ଫେବୃଆରୀ ଅବଧି ମଧ୍ୟରେ ଦେଶରୁ ମୋଟ ୩୦,୨୭୭ କୋଟି ଟଙ୍କା (୪୦୮୬ ନିୟୁତ ଆମେରିକୀୟ ଡଲାର) ମୂଲ୍ୟର ଅଣ ବାସମତୀ କିଷମର ଚାଉଳ ରପ୍ତାନୀ ହୋଇଛି ଯଦ୍ୟପି ୨୦୨୦ର ଏପ୍ରିଲ- ଫେବୃଆରୀ ଅବଧି ମଧ୍ୟରେ ଏହାର ପରିମାଣ ୧୩,୦୩୦ କୋଟି ଟଙ୍କା (୧୮୩୫ ନିୟୁତ ଆମେରିକୀୟ ଡଲାର) ଥିଲା । ଟଙ୍କା ହିସାବରେ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ କ୍ଷେତ୍ରରେ ଏହି ସମୟ ମଧ୍ୟରେ ୧୩୨% ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ଡଲାର ଆଧାରରେ ଏହି ଅଭିବୃଦ୍ଧିର ମାତ୍ରା ୧୨୨ ପ୍ରତିଶତ ବୋଲି ଆକଳନ କରାଯାଇଛି ।

ଭାରତର କାକିନାଡ଼ା, ବିଶାଖାପଟ୍ଟନମ୍‍, ଚେନ୍ନାଇ, ମୁନ୍ଦ୍ରା ଓ କ୍ରିଷ୍ଣା ପଟ୍ଟନମ୍‍ ଆଦି ବନ୍ଦରରୁ ଆଫ୍ରିକୀୟ ଓ ଏସୀୟ ରାଷ୍ଟ୍ରମାନଙ୍କୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ କରାଯାଇ ଥାଏ। ଖୁବ୍‍ ଶୀଘ୍ର ପାରାଦୀପ ଅଣ ବାସମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ବନ୍ଦରରେ ପରିଣତ ହେବ ବୋଲି ଏପିଇଡ଼ିଏର ଅଧ୍ୟକ୍ଷ ଅଙ୍ଗମୁଥୁ କହିଛନ୍ତି ।

ବିଶେଷ କରି ଏହି ପର୍ଯ୍ୟାୟରେ ଚାଉଳ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ମାତ୍ରାଧିକ ଅଭିବୃଦ୍ଧି ଯେତେବେଳେ କି କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ଯୋଗୁ ସର୍ବତ୍ର ବିଭିନ୍ନ ସାମଗ୍ରୀର ଯୋଗାଣ ଚେନ୍‍ ବ୍ୟାହତ ହୋଇଛି, ସେତେବେଳେ ସରକାରଙ୍କ ପକ୍ଷରୁ ଚାଉଳ ରପ୍ତାନୀ ଦିଗରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ବେଶ୍‍ ପ୍ରଶଂସନୀୟ । ଏଭଳି ରପ୍ତାନୀ ପ୍ରକ୍ରିୟାରେ ସକଳ ପ୍ରକାର କୋଭିଡ଼ ୧୯ ସଂପର୍କୀତ ନିରାପତ୍ତା ସତର୍କତା ଅବଲମ୍ବନ କରାଯାଇଛି ବୋଲି ଅଙ୍ଗମୁଥୁ କହିଛନ୍ତି ।

ସେ କହିଛନ୍ତି, “ଆମେ ନିରାପତ୍ତା ତଥା ପୌଷ୍ଟିକତା ଦିଗରେ ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛୁ । କାରଣ ଅପରେସନାଲ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅସୁବିଧା କୋଭିଡ଼ ୧୯ ଯୋଗୁ ବୃଦ୍ଧି ପାଇଛି । ତେଣୁ ଚାଉଳ ରପ୍ତାନୀ କାର୍ଯ୍ୟ ଯେଭଳି ଅବ୍ୟାହତ ରହିବ ସେଥିପାଇଁ ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିଛୁ” ବୋଲି ସେ କହିଛନ୍ତି ।

ଏପିଇଡ଼ିଏ ମୂଲ୍ୟ ଚେନରେ ଥିବା ବିଭିନ୍ନ ହିତଧାରକମାନଙ୍କ ସହଯୋଗରେ ଦେଶରୁ ଚାଉଳ ରପ୍ତାନୀ ବୃଦ୍ଧି ନିମନ୍ତେ ସଦାବେଳେ ପ୍ରୟାସ କରିଆସିଛି । ସରକାର ଏଥି ନିମନ୍ତେ ‘ଚାଉଳ ରପ୍ତାନୀ ପ୍ରୋତ୍ସାହନ ଫୋରମ୍‍’ ବା ଆରଇପିଏଫ ଗଠନ କରିଛନ୍ତି ଯାହାକି ଏପିଇଡ଼ିଏ ଅଧୀନରେ ରହି କାର୍ଯ୍ୟ କରୁଛି । ଆରଇପିଏଫରେ ଚାଉଳ ଠାରୁ ଆରମ୍ଭ କରି ଶିଳ୍ପ, ରପ୍ତାନୀକାରୀ, ଏପିଇଡ଼ିଏର ଅଧିକାରୀ, ବାଣିଜ୍ୟ ମନ୍ତ୍ରଣାଳୟ ଓ ପ୍ରମୁଖ ଚାଉଳ ରପ୍ତାନୀକାରୀ ରାଜ୍ୟ, ଯଥା, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆନା, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼ ଓ ଓଡ଼ିଶାର କୃଷି ନିର୍ଦ୍ଦେଶାଳୟର ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି ।