Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର ସରକାରୀ ଆଇଟିଆଇରେ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ସୁବିଧା

ଭୁୁବନେଶ୍ୱର/ଯାଜପୁର: ଯାଜପୁରସ୍ଥିତ ସରକାରୀ ଆଇଟିଆଇର ୱେଲ୍ଡିଂ ବିଭାଗ ଏବେ ସମ୍ପୂର୍ଣ୍ଣ ନୂଆ ରୂପ ପାଇଛି। ସେଠାରେ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ଭଳି ଅତ୍ୟାଧୁନିକ ବିଷୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ବା ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। ଫଳରେ ସେଠାରେ ଯୁବପିଢ଼ିଙ୍କୁ ଏବେ ଉନ୍ନତ ଢାଞ୍ଚାରେ ଶିଳ୍ପ ଉପଯୋଗୀ ତାଲିମ ଦେଇ ସେମାନଙ୍କ ଦକ୍ଷତାକୁ ବିକଶିତ କରାଯାଇପାରୁଛି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ ଓଡ଼ିଶାର ୫ଟି ଖଣି ପ୍ରଭାବିତ ଜିଲ୍ଲାରେ ମୋଟ ୧୪ଟି ସରକାରୀ ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଏଭଳି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଯାଜପୁର ସହିତ କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଏହିସବୁ କେନ୍ଦ୍ର ବିକଶିତ କରାଯାଉଛି। ତା’ ଭିତରେ ରହିଛି ୮ଟି ଆଇଟିଆଇ, ୩ଟି ପଲିଟେକନିକ୍ ଏବଂ ୩ଟି ଇଞ୍ଜିନିୟରିଂ କଲେଜ।

୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁରଠାରେ ଆଇଟିଆଇ ସ୍ଥାପନ କରାଯାଇଥିଲା। ଏହି ଦକ୍ଷତା ବିକାଶ କେନ୍ଦ୍ରରେ ବର୍ତ୍ତମାନ ୫ଟି ଟ୍ରେଡ୍ – ଫିଟର, ଇଲେକ୍ଟ୍ରିସିଆନ୍‌, ଏମଏମଭି, ୱେଲ୍ଡର ଏବଂ କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ବିଷୟରେ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଉଛିୟ।

ଏଠାରେ ଥିବା ୱେଲ୍ଡିଂ ଟ୍ରେଡକୁ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ବିଷୟରେ ଉତ୍କର୍ଷ କେନ୍ଦ୍ର ଭାବେ ରୂପାନ୍ତରିତ କରାଯାଇଛି। ମେସର କଟିଂ ସିଷ୍ଟମସ୍ କମ୍ପାନିର ବୈଷୟିକ ସହାୟତାରେ ଏହି ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଏଭଳି ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ଭବିଷ୍ୟତ ଲାଗି ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରାଯାଉଛି।

ଓମ୍ବାଡସି ସହାୟତାରେ ନିର୍ମିତ ଏହି ଉତ୍କର୍ଷ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏଠାରେ ଲେଜର କଟିଂ, ପ୍ଲାଜମା କଟିଂ, ଡେଷ୍ଟ୍ରକ୍ଟିଭ୍ ଓ ନନ-ଡେଷ୍ଟ୍ରକ୍ଟିଭ୍ ଟେଷ୍ଟିଂ ମେସିନ ସହିତ ଆଧୁନିକ ୱେଲ୍ଡିଂ ମେସିନ ଆଦି ରଖାଯାଇଛି। ଛାତ୍ରଛାତ୍ରୀମାନେ ଏହିସବୁ ମେସିନରେ କାମ କରି ଶିଖିବା ସହ ଭବିଷ୍ୟତରେ ବିଭିନ୍ନ ଶିଳ୍ପରେ ଯାଇ କିପରି ଦକ୍ଷତାର ସହ କାମ କରିପାରିବେ ସେ ଦିଗରେ ପ୍ରସ୍ତୁତ ହେଉଛନ୍ତି।

“ଦେଶ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ ଆଜି ଦକ୍ଷ ଯୁବପିଢ଼ିଙ୍କର ଚାହିଦା ବଢ଼ିଛି। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାରକରି ତଥା ଶିଳ୍ପ-ଉପଯୋଗୀ ଢାଞ୍ଚାରେ ଯାଜପୁର ସରକାରୀ ଆଇଟିଆଇରେ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଉଛି। ଓମ୍ବାଡସି ସହାୟତାରେ ଆଜିର ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ମେସିନ ଏଠାରେ ସ୍ଥାପନ କରାଯାଇଛି। ଫଳରେ ତାହା ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷଣ ଲାଗି ଅଧିକ ଉପଯୋଗୀ ହୋଇପାରୁଛି”, କହିଛନ୍ତି ଯାଜପୁର ସରକାରୀ ଆଇଟିଆଇର ଅଧ୍ୟକ୍ଷା ସବିତାରାଣୀ ସାହୁ।

ଯାଜପୁର ସରକାରୀ ଆଇଟିଆଇରେ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ବିଷୟରେ ଥିବା ଉତ୍କର୍ଷ କେନ୍ଦ୍ରରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରୁ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନେ ଆସି ମଧ୍ୟ ତାଲିମ ନେଉଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ପଟ୍ଟାମୁଣ୍ଡାଇ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ବଡ଼ବିଲସ୍ଥିତ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ୬ଟି ବ୍ୟାଚରେ ଏଠାରେ ଆସି ତାଲିମ ନେଇଥିଲେ। ୨୦୨୩-୨୪ ବର୍ଷରେ ଏଭଳି ୨୦ଟି ବ୍ୟାଚକୁ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ”ରେ ଅତ୍ୟାଧୁନିକ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ଟ୍ରେଡ୍ ସହିତ ନିଯୁକ୍ତି କ୍ଷେତ୍ରରେ କିପରି ସଫଳତାର ସହ କାମ କରିବେ ସେଥିପାଇଁ ଆବଶ୍ୟକ ତାଲିମ ଦିଆଯାଉଛି। ଏହାସହିତ ବିଭିନ୍ନ ଶିଳ୍ପ ଅନୁଷ୍ଠାନର ସହଭାଗିତାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତିରିକ୍ତ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଯାଜପୁର ସରକାରୀ ଆଇଟିଆଇର ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ଓମ୍ବାଡସି ପାଣ୍ଠିରୁ ସହାୟତା ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ: ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ୱର: ଉତ୍ତମ ରୋଗୀ ସେବା କ୍ଷେତ୍ରରେ ସବୁବେଳେ ଆଗଧାଡ଼ିରେ ରହି ନୂତନ ଜ୍ଞ୍ୟାନ କୌଶଳ ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ରଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି। ପୂର୍ବାଂଚଳର ପ୍ରଥମ ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍‌ରେ ପ୍ରତିଷ୍ଠା କରାଯାଇଛି।

ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍‌ରେ ଏହି ମେସିନ୍‌ର ପ୍ରତିଷ୍ଠା କରାଯାଇଥିବା ହସପିଟାଲର ପାଥୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁମାର ଭୋଳ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେକ୍ସ ରୁଲ ମାଧ୍ୟମରେ ଷ୍ଟେନିଂ ମଧ୍ୟ କରାଯିବ।ଅଟୋମେଟେଡ ଡ଼ିଜିଟାଲ ମାଇକ୍ରୋସ୍କୋପ ଦ୍ୱାରା ରକ୍ତ ନମୂନାରେ ଥିବା ସମସ୍ୟାକୁ ଚିହ୍ନଟ କରିହେବ ବୋଲି ସେ କହିଛନ୍ତି।

ସିବିସି ପରୀକ୍ଷା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଡିଜିଟାଲ ପାଥୋଲୋଜି ସେଲାଭିଜନ ସ୍ଥାପନ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦ୍ୱାରା ମାଇକ୍ରୋସ୍କୋପି ସ୍ଲାଇଡ ରିଭ୍ୟୁ ପ୍ରୋସେସକୁ ଦ୍ରୁତ ଓ ସରଳ କରିବା ସହ ଏହାର ଫଳାଫଳ ମଧ୍ୟ ଠିକ୍ ଭାବେ ବାହାରି ପାରିବ ବୋଲି ଡ. ଭୋଳ କହିଛନ୍ତି।

ଏହି ଆନାଲାଇଜର ଦ୍ୱାରା ଷ୍ଟେମ ସେଲ କାଉଂଟ ମଧ୍ୟ ହୋଇପାରିବ ଯାହାକି ବୋନ ମ୍ୟାରୋ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ସାହାଯ୍ୟ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଡିଜିଟାଲ ଏବଂ ଭର୍ଚୁଆଲ ମାଇକ୍ରୋସ୍କୋପି ଉପରେ ଦୃଷ୍ଟି କେନ୍ଦ୍ରିଭୂତ ହେବ।

ଏହି ନୂଆ ମେସିନ୍‌ଟି ଶୁକ୍ରବାର ଦିନ ହସପିଟାଲରେ ଉଦଘାଟନ କରାଯାଇଥିବାବେଳେ ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ ସମ୍ ହସପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଂଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡ. ରାଜେଶ ଲେଙ୍କା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ ଏବଂ ସମ୍ ସେଂଟ୍ରାଲ
ଲବୋରେଟୋରୀର ମୁଖ୍ୟ ପ୍ରଫେସର ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଅନେକ ଗୁଡିଏ ରକ୍ତ ପରୀକ୍ଷା ନମୁନା ଖୁବ୍ ଶୀଘ୍ର ହେବା ସହ ସଠିକ୍ ଏବଂ ନିର୍ଭୁଲ ହେବ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆଇଏମଏସ ଓ ସମ୍ ହସପିଟାଲରେ ପ୍ରତିଷ୍ଠା କରିବା ଦିଗରେ ଡ. ଭୋଳଙ୍କ ସମେତ ତାଙ୍କ ଟିମ୍‌ର ସଦସ୍ୟ ଡ. ସରିତା ପ୍ରଧାନ, ଡ. ରିପୂଞ୍ଜୟ ମହାନ୍ତି, ଡ. ରାକା ହୋତା, ଡ. ଗାୟତ୍ରୀ ବେହେରା ଓ ଡ. ସଞ୍ଜିତା ହଜାରୀଙ୍କ ସମେତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଲ୍ୟାବ ଟେକନିସିଆନ ଓ କର୍ମଚାରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି।

Categories
ଆଞ୍ଚଳିକ

ରାଜଧାନୀରେ ଅତ୍ୟାଧୁନିକ ‘ରୁଟ୍‌-ଜି’ ସେଲୁନ ଓ ସ୍ପା ଉଦ୍‌ଘାଟିତ

ଭୁବନେଶ୍ୱର: ରାଜଧାନୀସ୍ଥିତ ଲୁଇସରୋଡ଼ ତଥା କେଦାରଗୌରୀ ମନ୍ଦିର ନିକଟରେ ସବୁ ସୁବିଧା ଥିବା ଏକ ଅତ୍ୟାଧୁନିକ ଏବଂ ଆକର୍ଷଣୀୟ ‘ରୁଟ୍‌-ଜି’ ସେଲୁନ ଓ ସ୍ପା ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ‘ରୁଟ୍‌-ଜି’ ସେଲୁନ ଓ ସ୍ପା ସେଣ୍ଟରକୁ ଜଟଣୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରି ବମ୍ବେ ଓ ଦିଲ୍ଲୀଠାରେ ଥିବା ସ୍ପା ସେଣ୍ଟରଠାରୁ ଏହା ଅଧିକ ଉନ୍ନତଧରଣର ବୋଲି କହିଥିଲେ। ଭଲ ପରିବେଶ ଏବଂ ଏଥିରେ ସବୁ ପ୍ରକାର ସୁବିଧା ଥିବାବେଳେ ଆସନ୍ତା ଦୁଇମାସ, ନୂଆବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ୨୫ ପ୍ରତିଶତ ରିହାତି ବ୍ୟବସ୍ଥା ଯୁବପିଢିଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ।

ଅଭିନେତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ସ୍ପା ସେଣ୍ଟରରେ ସବୁ ବର୍ଗର ଲୋକଙ୍କ ପାଇଁ ମନଲୋଭା ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବା ପାଇଁ ଘୋଷଣା କରିଛନ୍ତି।

ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଉପସ୍ଥିତ ରହି ଏହି ଅନୁଷ୍ଠାନକୁ ଆଶୀର୍ବାଦ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ସବୁ ସୁବିଧା ଯୋଗାଇବା ଉଦ୍ୟମ ଜାରି ରହିଲେ ରୁଟ୍‌-ଜିର ଭବିଷ୍ୟତ ଦିନକୁ ଦିନ ଉଜ୍ଜ୍ୱଳ ହେବ ବୋଲି ଆଶାପ୍ରକାଶ କରିଥିଲେ।

ରାଜଧାନୀର ଯୁବପିଢିମାନେ ଏହି ରୁଟ୍‌-ଜି ସ୍ପା ସେଣ୍ଟରକୁ ଆସି ଏହାର ସୁବିଧା ଉପଲବ୍ଧି କରିବା ପାଇଁ ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସ ଅନୁରୋଧ କରିଛନ୍ତି।