Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କମାଲ୍ କଲେ ବାଣପୁରର ବି ଟେକ ଛାତ୍ର: ଅନଲାଇନ ପ୍ରତିଯୋଗିତାରେ ସ୍ଥାପନ କଲେ ବିଶ୍ୱ ରେକର୍ଡ଼

ସୀତାରାମ ଅଗ୍ରୱାଲ

ବାଣପୁର: ଛୋଟ ବୟସରେ ଜଣେ ବି ଟେକ ଛାତ୍ର ବଡ଼ ସଫଳତାର ଅଧିକାରୀ ହୋଇପାରିଛନ୍ତି। ବିଶ୍ୱ ରେକର୍ଡ଼ କରି ନିଜ ନାମକୁ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସରେ ସାମିଲ କରିପାରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମର ଆଶିଷ କୁମାର ପଲାଇ ଏଭଳି ଏକ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି।

ଆଶିଷ ବାଣପୁର ଗୋଦାବରୀଶ ଜୁନିଅର କଲେଜରୁ ଯୁକ୍ତ ଦୁଇ ସାରିଥିବାବେଳେ ଭୁବନେଶ୍ୱରସ୍ଥିତ ଆଇନଷ୍ଟାଇନ କଲେଜରୁ ମେକାନିକାଲରେ ବି ଟେକ ଡିଗ୍ରୀ ହାସିଲ କରିଛନ୍ତି। ଲକ ଡ଼ାଉନ ସମୟରେ ଆଶିଷ ବିଭିନ୍ନ ଅନଲାଇନ କୁଇଜ଼, ୱେବିନାର ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଏକାଧିକ ଅନଲାଇନ କୋର୍ସ ମଧ୍ୟ କରିଥିଲେ। ଯାହାର ପରିଣାମ ସ୍ୱରୂପ ସେ ଗତ ସେପ୍ଟେମ୍ବର ୪ ତାରିଖରୁ ସେପ୍ଟେମ୍ବର ୧୮ ତାରିଖ (୧୪ ଦିନ) ମଧ୍ୟରେ ପୂର୍ବରୁ ଭାଗ ନେଇଥିବା ଅନଲାଇନ ପ୍ରତିଯୋଗିତା ଏବଂ ଅନଲାଇନ କୋର୍ସର ପାଖାପାଖି ଏକ ହଜାର ରୁ ଉର୍ଦ୍ଧ୍ଵ ଅନଲାଇନ ପ୍ରମାଣପତ୍ର ହାସିଲ କରିଛନ୍ତି। ଯାହାକି ଏକ ବିଶ୍ୱ ରେକର୍ଡ।

ଏଥି ନିମନ୍ତେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ ପକ୍ଷରୁ ଆଶିଷଙ୍କ ନାମକୁ ଗତ ୧୬ ତାରିଖରେ ବିଶ୍ୱ ରେକର୍ଡରେ ସାମିଲ କରାଯାଇଛି। ମାତ୍ର ୧୪ ଦିନ ମଧ୍ୟରେ ଜଣେ ସ୍ୱଳ୍ପ ବୟସର ଛାତ୍ର ଏକ ହଜାରରୁ ଉର୍ଦ୍ଧ୍ଵ ପ୍ରମାଣପତ୍ର ହାସିଲ କରିବା ବିରଳ ବୋଲି ଉକ୍ତ ସଂସ୍ଥା ପ୍ରକାଶ କରିଛି।

ତେବେ ଆଶିଷ କହିଛନ୍ତି ଯେ, ଅଦ୍ୟାବଧି ଏକହଜାର ପାଞ୍ଚ ଶହରୁ ଉର୍ଦ୍ଧ୍ଵ ପ୍ରମାଣପତ୍ର ସେ ପାଇସାରିଛନ୍ତି। ଏବଂ ଭବିଷ୍ୟତରେ ନିଜ ଦେଶପାଇଁ କିଛି ଭଲକାମ କରିବାକୁ ଯୋଜନା ରଖିଥିବାର ଆଶିଷ ପ୍ରକାଶ କରିଛନ୍ତି। ଆଶିଷଙ୍କ ପିତା ଆଲୋକ ପଲାଇ ଜଣେ କୃଷକ ହୋଇଥିବାବେଳେ ମାତା କବିତା ପଲାଇ ଜଣେ ଅଙ୍ଗନବାଡି କର୍ମୀ। ଗୋଟେ ସାଧାରଣ ପରିବାରରୁ ଆସିଥିବା ଆଶିଷ ନିଜର କଠିନ ଉଦ୍ୟମ ଓ ପରିଶ୍ରମ ଫଳରେ ସମଗ୍ର ବିଶ୍ୱରେ ନିଜ ଅଞ୍ଚଳ, ରାଜ୍ୟ ତଥା ଦେଶର ନାମକୁ ଗର୍ବିତ କରିପାରିଛନ୍ତି। ଏଥି ନିମନ୍ତେ ଆଶିଷଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।